Unknown

 

 

 

 

 

 

 

 

 

 

 

ସମାପ୍ତି

ଶ୍ରୀ ରାମପ୍ରସାଦ ସିଂହ

 

ଏକ

 

୧୯୪୩ ମସିହାର ଆଶ୍ୱିନ ମାସ । ଭରା ଶରତର ସୁନା ପତିରିଆ ଖରା ଚାରିଆଡ଼େ ବିଞ୍ଚିହୋଇ ପଡ଼ିଛି । ଶାରଦୀୟ ଉତ୍ସବ । ଚୌଧୁରୀବଜାର ଦେବୀମେଲା ଆଗରୁ ନହବତ୍‌ ଧ୍ୱନି ଉତ୍ତରା ପବନରେ ସ୍ତରେ ସ୍ତରେ ଉଡ଼ି ବୁଲୁଛି । ଦୁନିଆରେ ଆସିଛି ଏପରି ଗୋଟାଏ ଦିନ, ଯେଉଁଥିରେ ବର୍ଷରେ ଥରେ ଆନନ୍ଦଲୀଳା ଲାଗି ଥାଏ, ଆନନ୍ଦ ଧ୍ୱନିରେ ଚାରିଆଡ଼ ମୁଖରିତ ହୋଇଉଠେ, ଅତି ନିରସ ଶୁଷ୍କ ହୃଦୟରେ ମଧ୍ୟ ଜାଗେ ଆନନ୍ଦର ଆଶା ।

 

କଟକ ମ୍ୟୁନିସପାଲିଟି ପୋଖରୀର ପୂର୍ବ ତୁଠ । ସେଠାରେ ମଧ୍ୟ ଆଗମନୀର ମହୁରି ତାନ ଖେଳି ବୁଲୁଥିଲା । ନିକଟରେ ଆମ୍ୱ ଗଛଟିଏ–ସାନ, ଚାରି ପାଞ୍ଚୋଟି ଶାଖା, ସେଥିରେ କେତେ ଗଣ୍ଡା ପତ୍ର । ଗଛଟି ଛାଇ ଦେଉଥିଲା ଯେତିକି, ଖରାକୁ ବାଟ ଛାଡ଼ି ଦେଉଥିଲା ତାଠାରୁ ଅଧିକ ।

 

ସେହି ଗଛ ମୂଳରେ ଦରଭଙ୍ଗା ଇଟାରେ ତିଆରି ଗୁଡ଼ାଏ ଅସ୍ଥାୟୀ ଚୁଲ୍ଲି । କୌଣସିଟାରେ ପୋଷକରୁ ବେଶି ପାଉଁଶ ନ ଥିଲା । ସେଗୁଡ଼ାକ ଭିତରୁ ଯେପରିକି ଚିତ୍କାର କରି ଉଠୁଥିଲା ବୁଭୁକ୍ଷାର ଉତ୍କଟ ହାହାକାର ।

 

ସାମନାରେ ତାର ବେଢ଼ା । ତା ଭିତରେ ଧନୀକର ହାତଟେକା ଦାନରେ ନିଃସ୍ୱଙ୍କ ପାଇଁ ଅନ୍ନଛତ୍ର । ସକାଳ ହୁଏ, ତାର ବେଢ଼ା ଚାରିପଟେ ଆରମ୍ଭ ହୁଏ କଙ୍କାଳମାନଙ୍କର ସମ୍ମେଳନ । ଦିନ ତିନିଟା ବେଳକୁ ଅଖାଦ୍ୟ ଚାଉଳ, ପୋକରା ଡାଲି, ଆଉ ବଜାରଝଡ଼ା ପରିବାଗୁଡ଼ାକର ଅପୂର୍ବ ସମାବେଶଦ୍ୱାରା ମନୁଷ୍ୟ ପାଇଁ ପ୍ରସ୍ତୁତ ହେବ ଗୋଟାଏ ଅନନ୍ୟସାଧାରଣ ଉପାଦେୟ ଖାଦ୍ୟ; ସେଥିରୁ ମେଞ୍ଚାଏ ଲେଖା ଏମାନଙ୍କୁ ଦିଆଯିବ । ଏହି ଆଶାରେ ଏହି ଶତ ଶତ ନରକଙ୍କାଳ ମ୍ୟୁନିସପାଲିଟି ହତା ଭିତରେ ପଡ଼ି ରହିଥିଲେ । ଆଉ ଯେଉଁମାନେ ନିଜକୁ ମନୁଷ୍ୟ ବୋଲି ଗର୍ବ କରନ୍ତି, ମନୁଷ୍ୟ ବୋଲି ଆତ୍ମପ୍ରସାଦ ଲାଭ କରନ୍ତି, ଏହି କଙ୍କାଳ ଶ୍ରେଣୀ ସେମାନଙ୍କୁ ମୂକ-ଇଙ୍ଗିତରେ କହୁଥିଲେ–‘ମନୁଷ୍ୟ ତୁମେ । ଆଉ ଆମେ ?’

 

ତୁଠପାଖ ଆମ୍ୱଗଛ ମୂଳରେ ବସିଥିଲା ଗୋଟାଏ କଙ୍କାଳ । ଲକ୍ଷ୍ୟ କଲେ ଜାଣି ହେବ–ସ୍ତ୍ରୀ ଲୋକ ନାରୀ, ଜନନୀର ଜାତି । କାଖରେ ମେଞ୍ଚାଏ ସାନ ସାନ ହାଡ଼ ଓ ଚମର ସମଷ୍ଟ–ତାର ପିଲାଟିଏ । ବୟସ ? ଏମାନଙ୍କର ବୟସ ଖୋଜିବାକୁ ଯିବା ବାତୁଳତା । ଦୁଃଖ, ଦୈନ୍ୟ, ବୁଭୁକ୍ଷାର ତୀବ୍ର ଜ୍ୱାଳା ଜୀବନର ପ୍ରତି ମୁହୂର୍ତ୍ତରେ ଅନୁଭବ କରି, ନିରାଶାସଂକୁଳ ଅନିଶ୍ଚିତ ଭବିଷ୍ୟତର ଅତଳସ୍ପର୍ଶୀ ଅନ୍ଧକାରମୟ ଛବିକୁ ଜୀବନର ପ୍ରତି ମୁହୂର୍ତ୍ତରେ ଗୁରୁଭାର ପରି ବହନ କରି ଯେଉଁମାନଙ୍କୁ ବଞ୍ଚି ରହିବାକୁ ହୋଇଥାଏ, କେଉଁ ମାନଦଣ୍ଡ ସାହାଯ୍ୟରେ ସେମାନଙ୍କର ବୟସ କଳନା କରି ହେବ ? ଆଦିମ ଯୁଗର ଅସଭ୍ୟ ବର୍ବରତାର ରାକ୍ଷସୀ ଶକ୍ତି ଆଜିର ତଥାକଥିତ ଶିକ୍ଷା-ସଭ୍ୟତାର ଆଲୋକମୟ ଯୁଗରେ ମଧ୍ୟ ଯେଉଁମାନଙ୍କୁ ପଶୁର ଅଧିକାର ଦେଇ ନ ପାରି ସାଧାରଣ ବଞ୍ଚି ରହିବାର ଅଧିକାରରୁ ମଧ୍ୟ ବଞ୍ଚିତ କରିଛି, ସେମାନଙ୍କ ବୟସ କେବଳ ବର୍ତ୍ତମାନ ମାନବସମାଜ ମଧ୍ୟରେ ପ୍ରଚ୍ଛନ୍ନ ରହିଥିବା ନରମାଂସ-ଲୋଲୁପତାର ମାପକାଠି ଦ୍ୱାରା ହିସାବ କରାଯାଇ ପାରେ !

 

ସେହି ଅସ୍ଥିକଙ୍କାଳ ସ୍ତ୍ରୀ ଲୋକଟି, ତା କୋଳର ସେହି ସନ୍ତାନଟି, ରାତିରେ ସେହି ଗଛମୂଳରେ ପଡ଼ି ରହିଥିଲେ । କ୍ରମେ କ୍ରମେ ସୂର୍ଯ୍ୟ ମଝି ଆକାଶକୁ ଉଠିଲେ । ସେମାନେ ସେହିଠାରେ ମଧ୍ୟ ପଡ଼ିଥିଲେ । ପିଲାଟି ବେଳେବେଳେ ମାଆର ସ୍ତନ ଅଣ୍ଡାଳି ପକାଉଥିଲା–ବୋଧହୁଏ କେଉଁ ଏକ ଅତୀତର ସ୍ମୃତିରେ ପ୍ରଭାବିତ ହୋଇ, ପୁଣି ସେ ଆଡ଼ୁ ଦୃଷ୍ଟି ଫେରାଇ ଆଣି ମାଆର ମୁହଁ ଆଡ଼କୁ ଚାହିଁ ରହୁଥିଲା ।

 

ମାଆ ପିଲାଟିର କୋଟରାଗତ ଚକ୍ଷୁ ଆଡ଼କୁ ଥରେ ଚାହୁଁଥିଲା, ପାଖରେ ପଡ଼ିଥିବା ଭଙ୍ଗା ଟିଣଡ଼ବା ଖଣ୍ଡକୁ ନିଜ ଆଡ଼କୁ ଟାଣି ନେଉଥିଲା, ତା ପରେ ଶୂନ୍ୟ ଦୃଷ୍ଟିରେ, ଉତ୍ତର ଦିଗରେ ଭାସି ବୁଲୁଥିବା ଶରତ୍‌ କାଳର ଖଣ୍ଡେ ଧଳା ବଉଦ ଆଡ଼କୁ ଚାହିଁ ରହୁଥିଲା ।

 

କାଲି ଦିନ ତିନିଟା ବେଳେ ସେ ଏହି ଛତ୍ରର ଅନ୍ନରୁ ପୁଳାଏ ମୁହଁରେ ଦେଇ ପେଟେ ପାଣି ପିଇଥିଲା, ତା ପୁଅ ମୁହଁରେ ଦେବାପାଇଁ ସେଥିରୁ ମୁଠାଏ ରଖିଥିଲା । ସେତକ ମ୍ୟୁନିସ୍‍ପାଲିଟି ପୋଖରୀର ପାଣି ସହିତ ଟିଣ ପାତ୍ରଟିରେ ଚକଟି ରାତିରେ ପିଲାଟିକୁ ପିଆଇ ଦେଇଥିଲା । ରାତି ଭିତରେ ତାହା ଶେଷ ହୋଇଯାଇଛି ।

 

ଏଉଟା ତା ପକ୍ଷରେ ନୂଆ କଥା ନୁହେଁ । ଗତ ଦୁଇମାସ ହେଲା କ୍ଷୁଧା ସହିତ ଲଢ଼େଇ କରି ସେ ଚାଲି ଆସିଛି । ସେ ଜାଣେ ଏପରି ଭାବରେ ବେଶି ଦିନ ବଞ୍ଚି ହେବ ନାହିଁ; ବଞ୍ଚିବାର ଆଶା ତାର ନ ଥିଲା; ତାର ଏକମାତ୍ର ଚିନ୍ତା ଏ ପିଲାଟି । ଏଉଟିର ହେବ କଅଣ ? ଏଉଟି ମୁହଁରେ ପାଣି ଟୋପାଏ ଦେବ କିଏ ? ଏଉଟି ଯଦି ଆଗେ ଯାଆନ୍ତା, ସେ ଶାନ୍ତିରେ ମରି ପାରନ୍ତା ।

 

ବେଳ ତିନିଟା ବାଜିଲା । ଛତ୍ରର ବେଢ଼ା ମୁହଁରେ ଶତ ଶତ ବୁଭୁକ୍ଷୁ ନରକଙ୍କାଳ ରୁଣ୍ଡ ହୋଇଗଲେ । ଫାଟକ ପାଖରେ ଜଗି ରହିଲେ ଦୁଇଜଣ ପୁଲିସ । ଗୋଟିଏ ଗୋଟିଏ କରି ସେମାନଙ୍କୁ ବେଢ଼ା ଭିତରକୁ ଛାଡ଼ି ଦିଆଗଲା । ଏ ସ୍ତ୍ରୀଲୋକଟି ପିଲାଟିକୁ ଧରି ପଛରେ ଠିଆ ହୋଇ ରହିଲା । କଙ୍କାଳମାନଙ୍କର ଏ ଗହଳି ଭିତରକୁ ପଶିବା କ୍ଷମତା ତାର ନଥିଲା । ଛିଡ଼ା ହେବା ବେଳକୁ ତ ତାର ଗୋଡ଼ ଟଳୁଥିଲା, ଗହଳି ଠେଲି ସେ ଯାଆନ୍ତା କିପରି ?

 

ଗତ ଦୁଇ ଦିନର ଅଭିଜ୍ଞତାରୁ ସେ ଜାଣେ, ଛତ୍ରରେ ଯେତେ ଲୋକଙ୍କୁ ଖାଇବାକୁ ଦେବାର ବ୍ୟବସ୍ଥା ଅଛି, ତାଠାରୁ ଅଧିକଙ୍କୁ ଭିତରକୁ ଛାଡ଼ି ଦିଆଯିବ ନାହିଁ । ସେ ଯଦି ବାହାରେ ରହିଯାଏ ? ସେ ଯଦି ବାଦ୍‌ ପଡ଼ିଯାଏ ? ନିଜ ପାଇଁ ଚିନ୍ତା ନାହିଁ; କିନ୍ତୁ ଏ ପିଲାଟି ? ସେ ଖାଇବ କଅଣ ? ସକାଳୁ ଏ ଯାଏଁ ତ ତା ପେଟରେ ଦାନା କଣିକାଏ ପଡ଼ି ନାହିଁ । ସେ ପାଦେ ପାଦେ ଆଗକୁ ଚାଲିଲା ।

 

ପାଖରେ ଗୋଟିଏ ବୁଢ଼ୀ । ସେ କହିଲା, ‘‘ସାରିଆ, ଆ–ମୋ ପଛେ ପଛେ ଆ ।’’

 

ସାରିଆ ତା ସହିତ ଚାଲିଲା । ପୁଲିସମାନେ ତାକୁ ଛାଡ଼ି ଦେଲେ । ଭିତରକୁ ପଶି ସେ ପତ୍ରଖଣ୍ଡେ ଧରି ବସି ପଡ଼ିଲା ।

 

ଧାଡ଼ିକୁ ଧାଡ଼ି ନରକଙ୍କାଳ ପତ୍ର ପାଖରେ ବସିଥିଲେ । ସେମାନଙ୍କ ମୁଖରୁ ଫୁଟି ଉଠୁଥିଲା ଗୋଟାଏ ଅସ୍ୱାଭାବିକ ଉତ୍କଟ ଔତ୍ସୁକ୍ୟ ଶୃଙ୍ଖଳିତ ବ୍ୟାଘ୍ରକୁ ମାସେ କାଳ ଭୋକିଲା ଅବସ୍ଥାରେ ରଖି ସମ୍ମୁଖରେ ମାଂସ ଖଣ୍ଡେ ଧରିଲେ ତା ଚକ୍ଷୁରେ ଯେଉଁ ଲୋଲୁପତା ଫୁଟିଉଠେ, ଏମାନଙ୍କ ଚକ୍ଷୁରୁ ଫୁଟି ଉଠୁଥିଲା ସେହିପରି ଗୋଟାଏ ବ୍ୟଗ୍ରତା ।

 

ସାରିଆର ଦୃଷ୍ଟି ସେ ଆଡ଼କୁ ନ ଥିଲା । କିଛି ସମୟ ପାଇଁ ତାର ଦୃଷ୍ଟି ଧାଡ଼ିର ଏ ମୁଣ୍ଡ ସେ ମୁଣ୍ଡ ଯେପରି କି କାହାକୁ ଖୋଜି ବୁଲିଲା ।

 

ଜଣେ ଲୋକ ତା ଆଗରେ ଥିବା ପତ୍ର ଉପରେ ଖାଦ୍ୟ ନାମଧେୟ ପଦାର୍ଥରୁ ମେଞ୍ଚାଏ ପକାଇ ଦେଇଗଲା । ତା ଦୃଷ୍ଟି ସେ ଆଡ଼କୁ ଫେରି ଆସିଲା ।

 

ସାରିଆ ତା ପିଲା ମୁହଁରେ ସେ ଜାଉରୁ ମେଞ୍ଚାଏ ଦେଲା । ପିଲାଟି ଗିଳି ପାରିଲା ନାହିଁ-। ତା ମୁହଁରେ ପାଣି ଟିକିଏ ଦେଲା । ବଡ଼ କଷ୍ଟରେ ସେତକ ଗିଳି ପିଲାଟି କାନ୍ଦି ଉଠିଲା ।

 

ପାଖରେ ବସିଥିବା ଗୋଟାଏ କଙ୍କାଳ ବିରକ୍ତ ହୋଇ ପାଟିକଲା, ‘‘ଭଲ ପିଲା ! ଖାଇବା ବେଳଟାରେ ରଡ଼ି କରୁଛି ! !’’

 

ଦୁଇ

 

ମ୍ୟୁନିସପାଲିଟି ପୋଖରୀର ଆର ପାଖରେ–ଠିକ୍‌ ଅନ୍ନ ଛତ୍ରର ବିପରୀତ ଦିଗରେ–କଟକ ଟାଉନ ହଲ୍‌ । ଶରତ୍‌ ସନ୍ଧ୍ୟାର ଧୂସର ଆଲୋକ କ୍ରମେ କ୍ରମେ ଶାରଦୀୟା ସପ୍ତମୀର ଜ୍ୟୋତ୍ସ୍ନାରେ ପରିଣତ ହେଲା । ଟାଉନ୍‌ ହଲ ଭିତରେ ବିଜୁଳିବତୀ ଜଳି ଉଠିଲା ।

 

ଗାଡ଼ି, ମଟର, ରିକ୍‌ସାରେ ବଡ଼ ବଡ଼ ଲୋକେ ଟାଉନ୍‌ ହଲରେ ଉପସ୍ଥିତ ହେଲେ । ଆଜି ଏଠାରେ ସଭା ହେବ । ସେଥିରେ ଆଲୋଚିତ ହେବ ଦେଶର ଖାଦ୍ୟପରିସ୍ଥିତି । ଯେଉଁମାନଙ୍କ ଘରେ ଖାଦ୍ୟ ଯଥେଷ୍ଟ ଅଛି, ବୁଭୁକ୍ଷା ସହିତ ଯେଉଁ ମାନେ କଳ୍ପନା ବିଳାସ ଦ୍ୱାରାହିଁ କେବଳ ପରିଚିତ, ଯେଉଁମାନଙ୍କ ପକ୍ଷରେ ଅଭାବର ଅର୍ଥ ମୋଟର ଗାଡ଼ି ପାଇଁ ପେଟ୍ରୋଲ ଅଭାବ, ସୁନା ଦର୍‌ ବେଶି ହେବାରୁ ଗୃହିଣୀଙ୍କ ଶ୍ରୀଅଙ୍ଗରେ ଆହୁରି ଅଧିକ ଗହଣାର ଅଭାବ, ଦୁର୍ମୂଲ୍ୟ ହେବାରୁ ସିଗାରେଟ ଅଭାବ, ପଡ଼ି–ପ୍ରଥା ପ୍ରଚଳିତ ହେବାରୁ ଚା ଉପରେ ଅଧିକ ଚିନିର ଅଭାବ, ଆଉ ନ ମିଳିବାରୁ ପଞ୍ଜାବୀ ପାଇଁ ମସଲୀନ୍‌କନାର ଅଭାବ–ଏହିପରି ଏବଂ ଏ ଧରଣର ଲୋକମାନେହିଁ ଏ ସଭାର ଶ୍ରୋତା ଆଉ ବକ୍ତା ।

 

ସଭାରେ କେବଳ ଯେ ଭଦ୍ରଲୋକମାନେ ଉପସ୍ଥିତ ଥିଲେ ତାହା ନୁହେଁ, ମହୀୟସୀ ମହିଳାମାନେ ମଧ୍ୟ ସେଠାର ଶୋଭା ବିବର୍ଦ୍ଧନ କରୁଥିଲେ । ସେମାନେ ମଧ୍ୟ ଖାଦ୍ୟପରିସ୍ଥିତି ଆଲୋଚନାରେ ଯୋଗ ଦେବାକୁ ଆସିଥିଲେ; କିନ୍ତୁ ମନେ ହୁଏ, ଯଦି ଏ ସମସ୍ୟା ବିଷୟରେ ଆଲୋଚନା ପାଇଁ ଏ ମହିଳାମାନଙ୍କର ଗୋଟାଏ ପ୍ରତିନିଧି ଦଳ ବିଦେଶକୁ ପ୍ରେରିତ ହୁଅନ୍ତେ, ତେବେ ସେଠାର ଲୋକେ ଏମାନଙ୍କର ବପୁନିଚୟ ପ୍ରତି ଦୃଷ୍ଟି ପ୍ରଦାନ କରି ଖାଦ୍ୟାଭାବ ଦ୍ୱାରା କିପରି ଶରୀରରେ ମାଂସ ବୃଦ୍ଧି ହୋଇପାରେ ତାହା ହୃଦୟଙ୍ଗମ କରି ନ ପାରି ମାନସିକ ଗଣ୍ଡଗୋଳର କରାଳ କବଳରେ ନିଶ୍ଚୟ ନିପତିତ ହୁଅନ୍ତେ ।

 

ସଭାଗୃହ ପରିପୂର୍ଣ୍ଣ । ସଭାପତି ହେବେ ଶେଠ୍‌ ମୂଳଚନ୍ଦ ଚନ୍ଦନଲାଲ । ସିଂହଳ ଦ୍ୱୀପରେ ଖାଦ୍ୟାଭାବର ସମ୍ଭାବନା ଦେଖା ଦେବାରୁ ଓଡ଼ିଶାରୁ ଯେଉଁ ଲକ୍ଷ ଲକ୍ଷ ମହଣ ଧାନ କାଢ଼ି ନିଆଯାଇଥିଲା, ଯାହା ଫଳରେ ଲକ୍ଷ ଲକ୍ଷ ଲୋକ ଦୁର୍ଭିକ୍ଷର କରାଳ କବଳରେ ପଡ଼ିଥିଲେ, ତାହାର ପ୍ରଧାନ ଏଜେଣ୍ଟ ଥିଲେ ଏହି ଶେଠ୍‌ଜୀ । ଏ ଧରଣର ମହତ୍‌ କାର୍ଯ୍ୟରେ ଏ ପ୍ରଦେଶର କେତେକ ଲୋକ ଲାଭ ଆକାରରେ କୋଟି କୋଟି ଟଙ୍କା ପାଇଥିଲେ । ସେମାନଙ୍କ ମଧ୍ୟରୁ ଏକା ଶେଠ୍‌ଜୀଙ୍କ ଭାଗରେ ଦୁଇମାସ ମଧ୍ୟରେ ପଡ଼ିଥିଲା ୨୦ ଲକ୍ଷ ଟଙ୍କା । ଏହି ଦୁଇ ମାସ ମଧ୍ୟରେ ଲକ୍ଷ ଲକ୍ଷ ଘରେ ହାହାକାର ପଡ଼ି ଯାଇଥିଲା ।

 

ବଦାନ୍ୟତା ବିଷୟରେ ମୂଳଚନ୍ଦଜୀଙ୍କର ଖ୍ୟାତି ଥିଲା । ପ୍ରତିଦିନ ସେ ଅନ୍ନଛତ୍ରକୁ ୧୦ ସେର ଲେଖାଏ ଚାଉଳ ପ୍ରଦାନ କରୁଥିଲେ । ଏହା ଉପରେ ପୁଣି ପ୍ରତି ରବିବାର ଦିନ ୩ ସେର ଚାଉଳ ମୁଷ୍ଠି ଭିକ୍ଷା ଆକାରରେ ଦେଉଥିଲେ । ମାଜିଷ୍ଟ୍ରେଟ୍‌ ସାହେବ ହାତ ପତାଇଲେହିଁ ଯେ କୌଣସି ସତ୍‌କାର୍ଯ୍ୟ ପାଇଁ ୧୦୧ ଟଙ୍କା ଓ ଲାଟ ସାହେବଙ୍କର ଯେ କୌଣସି ପାଣ୍ଠି କୁ ୧୦୦୧ ଟଙ୍କା ଦେବା ତାଙ୍କ ଗଦିର ଧରାବନ୍ଧା ନିୟମ । ଜାଣିବା ଶୁଣିବା ମହଲ ଆଶା କରୁଥିଲେ ଯେ, ବ୍ରିଟିଶ ଚକ୍ରବର୍ତ୍ତୀଙ୍କ ଜନ୍ମ ଦିନ ହେଉ ବା ନବବର୍ଷ ଉପଲକ୍ଷେ ହେଉ, ଉପାଧି ତାଲିକାରେ ଶେଠ୍‌ଜୀଙ୍କ ଭାଗ୍ୟରେ ଅନ୍ତତଃ ରାୟ ସାହେବ ଖେତାବ୍‌ଟା ଖସି ପଡ଼ିବ ।

 

ପ୍ରସ୍ତାବ ହେବା ପୂର୍ବରୁ ଶେଠ୍‌ଜୀ ସଭାପତି ଆସନ ଅଳଙ୍କୃତ କରି ପକାଇଲେ । ଗତ୍ୟନ୍ତର ନ ଦେଖି ରାଓ ବାହାଦୂର ଗିରୀଶଚନ୍ଦ୍ର ମାନ୍ଧାତା ସଭାପତିଙ୍କ ଗୁଣାବଳୀ କୀର୍ତ୍ତନ ଆରମ୍ଭ କରିଦେଲେ ! ସେ କହିଲେ, ଦେଶର ଖାଦ୍ୟ ସମସ୍ୟା ବିଷୟରେ ଶେଠଜୀଙ୍କ ପରି ଯୋଗ୍ୟ ବ୍ୟକ୍ତି ଯେତେବେଳେ ଅଗ୍ରଣୀ ହୋଇ ବାହାରିଛନ୍ତି, ସେତେବେଳେ ଦେଶର ଭବିଷ୍ୟତ୍‌ ଅତି ଉଜ୍ଜଳ, ଲୋକମାନଙ୍କ ଭାଗ୍ୟ ନିତାନ୍ତ ଆଶାପ୍ରଦ ବୋଲି କହିବାକୁ ହେବ ।

 

ଗୋଟିଏ ବାଳିକା ଶେଠଜୀଙ୍କ ଗଳାରେ ପୁଷ୍ପମାଲ୍ୟ ଅର୍ପଣ କରିବା ସମୟରେ ସଭାରେ ଘନ ଘନ କରତାଳି ଧ୍ୱନି ହୋଇଥିଲା; ଶେଠଜୀ ମଧ୍ୟ ସେଥିରେ ଉତ୍ସାହସହକାରେ ଯୋଗଦାନ କରିଥିଲେ । ତଦୁତ୍ତାରୁ ସେ ଉଠି କହିଲେ, ଲୋକମାନଙ୍କ ଦୁଃଖ ଦେଖି ସେ ଦୁଃଖିତ; କିନ୍ତୁ କଅଣ କରାଯିବ ? ଭଗବାନଙ୍କ ଇଚ୍ଛା ଉପରେ ହାତ କାହାର ? ପୃଥିବୀ ଉପରକୁ ବ୍ୟୁତ୍ପାତ ଯୋଗ ଆସିଛି । ଏଥିରେ ବା କାହାର ଚାରା ଅଛି ? ଏସବୁ ପଞ୍ଚଗ୍ରହ କୂଟର ଫଳ । ବର୍ତ୍ତମାନ ଧନୀ ଦରିଦ୍ର ସମସ୍ତଙ୍କ ଉପରକୁ ବିପଦ ଆସିଛି । ଲୋକେ ହରିନାମ କୀର୍ତ୍ତନ କରନ୍ତୁ; ଦରିଦ୍ରମାନଙ୍କ ଦୁଃଖ ଦୂର କରିବାରେ ସାହାଯ୍ୟ କରନ୍ତୁ । ପୃଥିବୀରେ ଶାନ୍ତି ଆଣିବା ଉଦ୍ଦେଶ୍ୟରେ ନାମଯଜ୍ଞ ଆରମ୍ଭ କଲେ ସେ ୫୦୦ ଟଙ୍କା ଦେବେ ବୋଲି କହିଥିଲେ । ଦୁର୍ଭିକ୍ଷ ସାହାଯ୍ୟ ପାଣ୍ଠିକୁ ୧୦୧ ଟଙ୍କା ଦାନ କରିବେ ବୋଲି ସେ ଯେତେବେଳେ ଘୋଷଣା କଲେ, ସେତେବେଳେ ସଭାରେ ପୁଣି ଘନ ଘନ କରତାଳି ଧ୍ୱନି ଉଠିଥିଲା ।

 

ଓକିଲ ରାୟ ସାହେବ ଧରଣୀଧର ସେନାପତି ସରକାରଙ୍କ ପ୍ରିୟପାତ୍ର ବୋଲି ଜଣାଶୁଣା । ସେ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରନ୍ତି; ଲାଟ ସାହେବଙ୍କ ଭୋଜିକୁ ନିମନ୍ତ୍ରଣ ପାଆନ୍ତି; କିଲଟର ସାହେବଙ୍କୁ ବରାବର ସଲାମ ଦିଅନ୍ତି; ଆଉ ସାନ ହେଉ, ବଡ଼ ହେଉ, ଯେ କୌଣସି ହାକିମହୁକୁମା ତାଙ୍କ ସାହାଯ୍ୟ ଲୋଡ଼ିଲେ, ତାଙ୍କ ପାଇଁ ଅକାତରରେ ତାଙ୍କର ବହୁମୂଲ୍ୟ ସମୟ ଓ ତତୋଽଧିକ ମୂଲ୍ୟବାନ ପେଟ୍ରୋଲ ଖର୍ଚ୍ଚ କରନ୍ତି । ସେ ବିଧବା-ବିବାହ-ସହାୟକ-ମଣ୍ଡଳର ସମ୍ପାଦକ, ସେବା-ସଂସର୍ଗ-ସମିତିର ସଭାପତି, ପଶୁକ୍ଳେଶ-ନିବାରିଣୀ-ସଂସ୍କାର-ସମିତିର ସହକାରୀ ସଭାପତି, ଗୋ-ମାହାତ୍ମ୍ୟ ପ୍ରଚାରକ-ସଂଘର କୋଷାଧ୍ୟକ୍ଷ, ସନାତନ-ଧର୍ମ-ବିପ୍ଳବ ବିଧ୍ୱଂସିନୀ ସମାଜର ସହକାରୀ ସମ୍ପାଦକ, ବର୍ଣ୍ଣାଶ୍ରମ-ବିଦାରକ-ସଂସ୍ଥାର କାର୍ଯ୍ୟକାରୀ କମିଟିର ସଭ୍ୟ ଓ ଉତ୍କଳ ନୃତ୍ୟକାରୀ ସଂସଦର ପୃଷ୍ଠପୋଷକ । କି ସରକାରୀ, କି ବେସରକାରୀ, କି ଅଧା ସରକାରୀ ସବୁ ସଭା ସମିତିରେ ଯୋଗ ଦେଇ ବକ୍ତୃତା ପ୍ରଦାନ କରିବାଦ୍ୱାରା ତାଙ୍କର ଦେଶପ୍ରୀତି ଯଥୋଚିତ ରୂପେ ପ୍ରତିପାଦିତ ହୋଇଥାଏ । ଓଡ଼ିଶାର ଖାଦ୍ୟ ସଂକଟ ବିଷୟରେ ‘ପୁଚ୍ଛଧାରୀ’ ନାମକ ସରକାରୀ ସାହାଯ୍ୟ ପ୍ରାପ୍ତ ପତ୍ରିକାରେ ଦୁଇଥର ଦୁଇଟା ପ୍ରବନ୍ଧ ଲେଖି ସେ ପ୍ରମାଣିତ କରିଥିଲେ ଯେ, ଦେଶର ଦୁର୍ଭିକ୍ଷ ପଞ୍ଚଗ୍ରହ କୂଟର ପ୍ରତ୍ୟକ୍ଷ ଫଳ । ଏଥିପାଇଁ ସଦାଶୟ ବ୍ରିଟିଶ ସରକାର କୌଣସି କ୍ରମେ ଦାୟୀ ନୁହନ୍ତି–ଦାୟୀ ହୋଇ ନପାରନ୍ତି । ଯେଉଁ ଦାୟିତ୍ୱହୀନ ଓ ଖଳ ଲୋକେ ସରକାରଙ୍କୁ ଦାୟୀ କରିବା ପାଇଁ ଉଦ୍ୟମ କରୁଛନ୍ତି ବା ସେ ଦିଗରେ ପ୍ରଚେଷ୍ଟା ଚଳାଇଛନ୍ତି, ସେମାନେ ଏକାଧାରରେ ଦେଶଦ୍ରୋହୀ ଓ ରାଜଦ୍ରୋହୀ । ସେହିମାନଙ୍କ ଦୁର୍ବୁଦ୍ଧି ଯୋଗୁଁ ଲୋକେ ଦାନାଗଣ୍ଡାକ ନ ପାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଉକ୍ତ ପ୍ରବନ୍ଧରେ ସେ ପ୍ରାଞ୍ଜଳ ଭାବରେ ପ୍ରତିପାଦିତ କରିଥିଲେ ଯେ, ଯେଉଁମାନେ ଅର୍ଥନୀତି ଶାସ୍ତ୍ରର ପୁସ୍ତକଗତ ସୂତ୍ରକୁ ଆଶ୍ରୟ କରି ଦେଶରେ ଯଥେଷ୍ଟ ଖାଦ୍ୟ ସାମଗ୍ରୀ ନାହିଁ ବୋଲି ଦେଖାଉଛନ୍ତି, ବାହାରକୁ ଖାଦ୍ୟଦ୍ରବ୍ୟ ପଠାଇଲେ ଲୋକେ ଖାଇବାକୁ ନ ପାଇ ମରିବେ ବୋଲି କହୁଛନ୍ତି, ସେମାନେ ଅର୍ଥନୀତିର ଆଦ୍ୟ ଅକ୍ଷର ମଧ୍ୟ ଜାଣନ୍ତି ନାହିଁ । ଯେତେବେଳେ ସରକାର ଘୋଷଣା କରୁଛନ୍ତି ଯେ, ଦେଶରେ ଧାନଧନ ପୂରି ରହିଛି, ସେତେବେଳେ ତାହାହିଁ ଅଭ୍ରାନ୍ତ ସତ୍ୟ । ଦେଶର ଉନ୍ନତି ପାଇଁ ଧାନ ଅପେକ୍ଷା ଧନ ବେଶି ଲୋଡ଼ା । ତେଣୁ ଧାନ ଦେଇ ଧନ ଆଣିବା ଦ୍ୱାରା ବ୍ରିଟିଶ ସରକାର ଦେଶର ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ମାତ୍ର । ସେ ପୁଣି ଲେଖିଥିଲେ, ଲୋକେ ସମୟ ସମୟରେ ଖାଇବାକୁ ପାଉ ନାହାନ୍ତି ଏ କଥା ସତ୍ୟ ହେବା ସମ୍ଭବ; ମାତ୍ର ସେମାନେ ଖାଦ୍ୟାଭାବ ଫଳରେ ମୃତ୍ୟୁ ମୁଖରେ ପତିତ ହେଉଛନ୍ତି, ଏହା ସତ୍ୟ ନୁହେଁ–ସତ ହୋଇ ପାରେନା । ଖାଇବାକୁ ନପାଇ ମରୁଛନ୍ତି ବୋଲି ଯଦିବା ଧରି ନିଆଯାଏ, ତେବେ ମଧ୍ୟ ସେମାନଙ୍କ ସଂଖ୍ୟା କଲେରା, ମ୍ୟାଲେରିଆ ଆଦି ରୋଗରେ ମରୁଥିବା ଲୋକଙ୍କ ସଂଖ୍ୟାର ସହସ୍ରାଂଶରୁ ମଧ୍ୟ ଏକାଂଶ ନୁହେଁ । ତଥାପି ଏଥିପାଇଁ ବ୍ରିଟିଶ କେଶରୀଙ୍କୁ କୌଣସିକ୍ରମେ ଦାୟୀ କରିବା ସମ୍ଭବ ନୁହେଁ । ସେ ଘୋଷଣା କରିଥିଲେ, ଲୋକେ ଖାଇବାକୁ ପାଉନାହାନ୍ତି ବା କାଁ ଭାଁ, କଦବା କେଉଁଠି ଖାଦ୍ୟାଭାବ ଯୋଗୁଁ ମରୁଛନ୍ତି, ଏହା ସତ୍ୟ ବୋଲି ମାନି ନେଲେ, ଏଥିରୁ କଅଣ ପ୍ରମାଣିତ ହେଉଛି ? ଏଥିରୁ ପ୍ରମାଣିତ ହେଉ ନାହିଁ କି ଯେ, ଏଥିପାଇଁ ଦାୟୀ ସେମାନଙ୍କ ଭାଗ୍ୟ, ସେମାନଙ୍କ ଅଯୋଗ୍ୟତା ଏବଂ ସର୍ବୋପରି ପଞ୍ଚଗ୍ରହ କୂଟର ପ୍ରତ୍ୟକ୍ଷ ପ୍ରଭାବ ? ବୋଲିବା ବାହୁଲ୍ୟ ଯେ, ସରକାରଙ୍କ ଉଚ୍ଚ କର୍ତ୍ତୃପକ୍ଷମଣ୍ଡଳୀ ଏ ସନ୍ଦର୍ଭର ଇଂରାଜୀ ଅନୁବାଦ ପାଠକରି ଏତେ ମୁଗ୍‌ଧ ହୋଇ ଯାଇଥିଲେ ଯେ, ପ୍ରଚାର ବିଭାଗ ଜରିଆରେ ଏଥିରୁ ପଚାଶ ହଜାର ପ୍ରଚାରପତ୍ର ଛପାଇ ବାଣ୍ଟିବା ଦିଗରେ ବ୍ୟବସ୍ଥା କରିଥିଲେ । ପ୍ରତ୍ୟେକ ଥାନାକୁ ଏଥିରୁ ୧୦୦। ୨୦୦ ଖଣ୍ଡ ପଠାହୋଇଥିଲା, ସେଥିରୁ ଖଣ୍ଡେ ଲେଖାଏଁ ଗାଆଁ ଗହଳିରେ ଥିବା ପ୍ରତି ସରକାରୀ ଅଫିସର ନୋଟିସ ପଟାରେ ମରା ହୋଇଥିଲା, ଅବଶିଷ୍ଟତକ ଖବରକାଗଜ ନ ମିଳିବା ସ୍ଥଳେ, ରଦ୍ଦି କାଗଜ ଯେଉଁସବୁ କାର୍ଯ୍ୟରେ ଲାଗିଥାଏ, ଥାନା ଦାରୋଗା, ଇଉନିୟନ୍‌ ପ୍ରେସିଡ଼େଣ୍ଟ, ଦଫାଦାର ଚୌକିଦାର ବା ଏମାନଙ୍କ ପ୍ରିୟାପ୍ରୀତି ବନ୍ଧୁବାନ୍ଧବଙ୍କ ଘରେ ସେପରି ବା ସେ ଧରଣର କାମରେ ବ୍ୟବହୃତ ହୋଇଥିଲେ ।

 

ଯେଉଁ ସଭାରେ ଯୋଗ ଦେଲେ ଲୋକେ ହଇରାଣରେ ପଡ଼ନ୍ତି, ଜେଲକୁ ଟଣା ହୁଅନ୍ତି, ଯେଉଁ ସଭାରେ ଉପସ୍ଥିତ ହେଲେ ଲୋକଙ୍କ ନାମ ସି. ଆଇ. ଡ଼ି ଙ୍କ ଟୀପା ଖାତାରେ ଉଠିଯାଇ ପରେ, ସରକାରଙ୍କ ଅନୁରାଗ ଟିକିଏ ମଉଳି ଯିବାର ଆଶଙ୍କା ଥାଏ, ସେ ଧରଣର ସଭା-ସମିତିକୁ ଛାଡ଼ି ପ୍ରତ୍ୟେକ ସାଧାରଣ ସଭାରେ ଯୋଗଦେବା ରାୟ ସାହେବ ଧରଣୀର ସେନାପତିଙ୍କ ଅଭ୍ୟାସ । ଖାଦ୍ୟ ସମସ୍ୟା ଆଲୋଚନା ସଭା । ସେଥିରେ ସହରର ମାନ୍ୟଗଣ୍ୟ ଲୋକେ ଯୋଗ ଦେଇଥିଲେ । ଏଥିରେ ଦେହର ମଳିଚମ ଉପରେ ମଧ୍ୟ ଆଘାତ ଲାଗିବାର ଅଣୁମାତ୍ର ଆଶଙ୍କା ନ ଥିଲା । ପରନ୍ତୁ ଯୋଗ ଦେଇଥିବା ଲୋକଙ୍କ ପ୍ରତି ସରକାର ବାହାଦୂରଙ୍କ କୃପା କଟାକ୍ଷ ଆକର୍ଷିତ ହେବାର ଯଥେଷ୍ଟ ଆଶା ଥିଲା । ଏଥିରେ ରାୟ ସାହେବ ପୂରା ଉତ୍ସାହ ସହକାରେ ଯୋଗଦାନ କରି ପ୍ରଥମ ବକ୍ତା ରୂପେ ସମ୍ମାନିତ ନ ହୁଅନ୍ତେ ବା କେତେକେ ?

 

ଜ୍ୱଳାମୟୀ ବକ୍ତୃତାଜାଲ ବିସ୍ତାର କରି ସେ କହିଲେ, ଖାଦ୍ୟ ସମସ୍ୟା, ଖାଦ୍ୟ ସମସ୍ୟା ବୋଲି ଦେଶସାରା ଗୋଟାଏ ହୁରି ପଡ଼ିଯାଇଛି । ଏହାର ଅର୍ଥ କଅଣ ? ସବୁବର୍ଷ, ସବୁ ଦିନେ ସବୁଲୋକ କଅଣ ମଉଜମଜଲିସ୍‌ କରି ଖାଇବାକୁ ପାଆନ୍ତି ? ଗାଆଁ ଗହଳରେ, ଏପରିକି ଏ ସହରରେ କଅଣ ସବୁ ବର୍ଷ ସବୁଦିନେ ଲୋକଙ୍କୁ ଖାଦ୍ୟାଭାବ ଘଟେ ନାହିଁ ? ସବୁ ବର୍ଷ ସବୁଦିନେ କଅଣ ଲୋକେ ଖାଇବାକୁ ନ ପାଇ ମରନ୍ତି ନାହିଁ ? ତେବେ ଆଜି ଏହା ଗୋଟାଏ ‘ସମସ୍ୟା’ ହେଲା କିପରି ? ଏହାକୁ ‘ସମସ୍ୟା’ ବୋଲି କହୁଛି କିଏ ? ଦୁର୍ଭାଗ୍ୟକୁ ଏ ଦେଶରେ ଦଳେ ଲୋକ ଅଛନ୍ତି, ସରକାରଙ୍କ ବିରୁଦ୍ଧରେ ଲାଗିବା, ସରକାରଙ୍କୁ ନିନ୍ଦା କରିବା ଯେଉଁମାନଙ୍କ ପେଷା । ଏମାନେ ନିଷ୍କର୍ମା, ଏମାନେ ବେକାର, ଏମାନଙ୍କର ରୋଜଗାରଧନ୍ଦା କିଛି ନାହିଁ । ସରକାର ଆମର ଏତେ ଉପକାର କରୁଛନ୍ତି, ତାହା ସତ୍ତ୍ୱେ ଯେଉଁମାନେ କୃତଘ୍ନ, ଯେଉଁମାନେ ନିମକହାରାମ, ଯେଉଁମାନେ ତାଙ୍କ ବିରୁଦ୍ଧରେ ଲାଗନ୍ତି, ସେମାନଙ୍କର ଏହି ପାପ, ଏହି ଦୁଷ୍କର୍ମ ଯୋଗୁଁ ଦେଶର ଶିରୀ ତୁଟିଯାଉଛି । ସେମାନଙ୍କ ମଧ୍ୟରୁ ଗୁଡ଼ାକୁ ସରକାର ଜେଲରେ ଠୁଙ୍କି ବଡ଼ ଭଲ କାମ କରିଛନ୍ତି; କିନ୍ତୁ ସେମାନଙ୍କର ସାଙ୍ଗୋପାଙ୍ଗ ଭାଇବନ୍ଧୁ ବାହାରେ ରହିଛନ୍ତି । ବରାବର ସେମାନେ ସରକାରଙ୍କ ବିରୁଦ୍ଧରେ ପ୍ରଚାର ଚଳାଉଛନ୍ତି । ସେମାନଙ୍କ କାର୍ଯ୍ୟକଳାପ ଯୋଗୁଁ ଦେଶରେ ସବୁଦିନ ଯେଉଁ ଖାଦ୍ୟାଭାବ ରହିଥାଏ, ତାହା ଗୋଟାଏ ସମସ୍ୟାରେ ପରିଣତ ହୋଇଛି । ଏହା ସମସ୍ୟା ପରି ଗୋଟାଏ ବିରାଟ ଜିନିଷ ନୁହେଁ । ଯଦି ଆମେ ସମସ୍ତେ ସରକାରଙ୍କ ସହିତ ସହଯୋଗ କରିବା ଏପରି ଗୁଡ଼ାଏ ତୁଣ୍ଡରଡ଼ି କରି ସରକାରଙ୍କୁ ବିରକ୍ତ ନ କରିବା, ତେବେ ଏ ସମସ୍ୟା ଆପେ ଆପେ ଉଭେଇ ଯିବ, ଲୋକେ ସୁଖଶାନ୍ତିରେ ରହିବେ ।

 

ରାୟ ସାହେବ ଧରଣୀଧର ସେନାପତିଙ୍କ ବାଗ୍ମୀତା ଫଳରେ ସଭାରେ ଘନ ଘନ କରତାଳି ଧ୍ୱନି ପଡ଼ିଗଲା ।

 

ତା’ପରେ ଉଠିଲେ ମିଷ୍ଟର ସଦାନନ୍ଦ ମିଶ୍ର, ଏଡ଼ଭୋକେଟ । ସେ ବୟାନ କଲେ ଯେ, ଖାଦ୍ୟ ସମସ୍ୟା ହୁଏତ ଅଛି । ଏହାର ପ୍ରତିବାଦ କରିବାକୁ ଯିବା ବୃଥା । ଏଥିପାଇଁ କିଏ ଦାୟୀ, ତାହା ଜଣା ପଡ଼ିଲେ ସମସ୍ୟାର ଗୁରୁତ୍ୱ ଅଧେ କମିଯିବ । କଥା ଉପରେ ଜୋର ଦେଇ ଟେବୁଲ ଉପରେ ମୁଷ୍ଟି ଆଘାତ କରି ସେ ଘୋଷଣା କଲେ, ଏଥିପାଇଁ କେବଳ ଦାୟୀ ଯେଉଁମାନେ ଖାଦ୍ୟାଭାବ ଭୋଗୁଛନ୍ତି । କେହି କେହି ନିଆଁଗିଳା ଲୋକେ ପ୍ରଚାର କରୁଛନ୍ତି, ସରକାର ଆମ ପ୍ରଦେଶ ବାହାରକୁ ଖାଦ୍ୟ ଶସ୍ୟ ପଠାଇ ଦେବାରୁ ଏ ବିପତ୍ତି ପଡ଼ିଛି । ଏହା ଭୁଲ–ନିତାନ୍ତ ଭୁଲ । ଆବହମାନ କାଳରୁ ବେପାରବାଣିଜ ଚଳୁଛି; ଆବହମାନ କାଳରୁ ଖାଦ୍ୟଶସ୍ୟ ପ୍ରଦେଶ ବାହାରକୁ ଯାଉଛି । ଏଥିରେ ତ ଖାଦ୍ୟ ସମସ୍ୟା ଏତେ ଗୁରୁତର ହେଉ ନ ଥିଲା । ଅସଲ କଥା ହେଉଛି, ଏ ବର୍ଷ ଧାନ କମ୍‌ ହୋଇ ଥିଲା, ପୁଣି ଟଙ୍କାରେ ୧୨ ସେର ହୋଇଗଲା । ଲୋକେ କିଛି ଧାନ ବିକି ମଉଜମଜଲିସ୍‌ କଲେ; ବାକିତକ ଖାଇ ଦେଲେ । ବର୍ତ୍ତମାନ ସେମାନେ ଖାଇବାକୁ ନ ପାଇଲେ ତାଙ୍କଛଡ଼ା ଦାୟୀ ଆଉ କିଏ ? ଏ ଅବସ୍ଥାରେ ସରକାର ବା କଅଣ କରନ୍ତେ ? ତାଙ୍କର ଦୋଷ କଅଣ ? ମୁଁ ରାୟ ସାହେବଙ୍କ ପରି ପଞ୍ଚ ଗ୍ରହ କୂଟରେ ବିଶ୍ୱାସ କରେନା ।

 

ଏ ମନ୍ତବ୍ୟ ଦ୍ୱାରା ରାୟ ସାହେବ ଧରଣୀଧର ସେନାପତି ମନେ କଲେ ଯେ, ତାଙ୍କର ସମ୍ମାନ କ୍ଷୁଣ୍‌ଣ ହେଉଛି । ସେ ତୁରନ୍ତ କହି ପକାଇଲେ,‘‘ବିଶ୍ୱାସ ନ କରି ଆପଣ ଭୁଲ କରୁଛନ୍ତି ।’’

 

ମିଷ୍ଟର ମିଶ୍ର ସେ ଆଡ଼କୁ ବିଶେଷ ଦୃଷ୍ଟି ନ ଦେଇ, ନିଜ ଉତ୍ତେଜନାରେ ନିଜେ ପରିଚାଳିତ ହୋଇ କହିଗଲେ, ‘ଗ୍ରହଫ୍ରହ ଏ ସବୁ ବାଜେ କଥା । ଗ୍ରହମାନେ ଦୋଷୀ ନୁହନ୍ତି । ସରକାର ଦୋଷୀ ନୁହନ୍ତି–ଦୋଷୀ ସେହି ଗରିବଗୁଡ଼ାକ । ଯେଉଁମାନେ କଟକର ବଜାର, ହାଟ ଗଳି କନ୍ଦିରେ ଦଳ ଦଳ ହୋଇ ବୁଲୁଛନ୍ତି ଭିଖ ମାଗି ଗୃହସ୍ଥମାନଙ୍କୁ ବ୍ୟସ୍ତବିବ୍ରତ କରୁଛନ୍ତି, ନାନାପ୍ରକାର ରୋଗର ଜୀବାଣୁ ଚାରିଆଡ଼େ ବିଞ୍ଚିଦେବା ଦ୍ୱାରା ସହରର ସ୍ୱାସ୍ଥ୍ୟ ଖରାପ କରୁଛନ୍ତି । ବଙ୍ଗ ପ୍ରଦେଶର ସରକାର ଯେପରି ଭିକ୍ଷୁକ ବିତାଡ଼ନ ଆଇନ ଜାରିକରି କଲିକତା ସହରରୁ ଜବରଦସ୍ତି ଭିକ୍ଷୁକମାନଙ୍କୁ ତଡ଼ି ଦେଉଛନ୍ତି, ସଦାଶୟ ଓଡ଼ିଶା ସରକାର ମଧ୍ୟ ସେହିପରି ଆଇନ କରି କଟକ ସହରରୁ ଭିଖାରୀମାନଙ୍କୁ ଘଉଡ଼ି ଦିଅନ୍ତୁ । ଏ କଥାରେ ମଧ୍ୟ ସଭାରେ ଘନ ଘନ କରତାଳି ପଡ଼ିଗଲା ।

 

ତଦୁତ୍ତାରୁ ଗାତ୍ରୋତ୍‌ଥାନ କଲେ ନାରୀନେତ୍ରୀ ଶ୍ରୀମତୀ ସୌଦାମିନୀ ଛୋଟରାୟ । ଆଖିରେ ଚଷମା ଓ ମୁଖରେ ପାଉଡ଼ର ବିମଣ୍ଡିତା ହୋଇ ରାଜହଂସର ବର୍ଣ୍ଣଗାରିମାକୁ ସେ ସଭାଗୃହ ମଧ୍ୟକୁ ଆବାହନ କରି ଆଣୁଛନ୍ତି ବୋଲି ସେଠାରେ ଉପସ୍ଥିତ ଥିବା କବି ଭାବାପନ୍ନ ଦର୍ଶକମଣ୍ଡଳୀ ମନରେ ଉଦ୍‌ଭଟ୍ଟ ଉପମା ଉଦିତ ହୋଇଥିଲା । ଏ ମହାଶୟା ବକ୍ତୃତା ପ୍ରଦାନ କରିବାରେ ସୁଦକ୍ଷା ବୋଲି ସମ୍ୱାଦପତ୍ରମାନଙ୍କରେ ଏକାଧିକ ବାର ପ୍ରକାଶିତ ହୋଇଥିଲା । ପୁରୁଷର ଖାଦ ସ୍ୱର ସହିତ ନାରୀକଣ୍ଠର ଧୈବତ ବା ନିଖାଦ ସ୍ୱର ମିଶି ଯେ ଅପୂର୍ବ ସ୍ୱରବ୍ୟଞ୍ଜନା ସୃଷ୍ଟି କରିଥାଏ, ତାଙ୍କର କଣ୍ଠସ୍ୱର ଅନେକ ପରିମାଣରେ ସେହି ଧରଣର ବୋଲି ସଙ୍ଗୀତ ବିଶାରଦମାନେ ଅନୁଭବ କରନ୍ତି ।

 

ସେ କହିଲେ, ବର୍ତ୍ତମାନ ଗରିବମାନେ ବଡ଼ କଷ୍ଟରେ ଅଛନ୍ତି । ତାଙ୍କ ଦୁଃଖ ଦେଖିଲେ ଆଖିରେ ଲୁହ ରହେ ନାହିଁ ।

 

କଥା ଅନୁସାରେ କାର୍ଯ୍ୟ । ଏହା କହିବା ସଙ୍ଗେ ସଙ୍ଗେ ସେ ଯତ୍ନସହକାରେ ଚଷମା ଟେକି ସୌଗନ୍ଧଯୁକ୍ତ ରୁମାଲରେ ନିଜ ଆଖିକୁ ପୋଛିଲେ । ତାଙ୍କ ଦେଖାଦେଖି ସଭାରେ ଉପସ୍ଥିତ ଥିବା ଆଉ କେତେକ ମହିଳା ମଧ୍ୟ ସେ ଆଚରଣ ଅନୁକରଣ କରିଥିଲେ ।

 

ସଭାରେ ଉପସ୍ଥିତ ଥିବା ଭଦ୍ରମହୋଦୟ ଓ ମହିଳାମାନଙ୍କୁ ସେ ନିବେଦନ କରିଥିଲେ ଯେ, ସେମାନେ ଟିକିଏ ଟିକିଏ ସ୍ୱାର୍ଥ ତ୍ୟାଗ କରି ଗରିବମାନଙ୍କ ଅବସ୍ଥା ପ୍ରତି ସହାନୁଭୂତି ପ୍ରଦର୍ଶନ କରନ୍ତୁ ।

 

ଏହି ସମୟରେ ସଭାଗୃହ ପଛରେ ବସିଥିବା ଚାରି ଛଅଜଣ ଯୁବକଙ୍କ ଭିତରେ ଟିକିଏ ଉତ୍ତେଜନା ସଞ୍ଚାରିତ ହେବା ପରି ଜଣା ପଡ଼ିଥିଲା । ଏମାନେ କୁଆଡ଼େ କର୍ମନଷ୍ଟୀ ଦଳର ଲୋକ । ଏମାନେ ବି ଏ ଖାଦ୍ୟ ସମସ୍ୟା ବିଷୟରେ ମୁଣ୍ଡଖେଳାଇ ସ୍ଥିର କରିଛନ୍ତି ଯେ ଲୋକ ତ କର୍ମନଷ୍ଟୀ ବୋଇଲେ ସାପ କି ବେଙ୍ଗ କିଛି ବୁଝନ୍ତି ନାହିଁ । ଯୁଦ୍ଧ ଯୋଗୁଁ ତ ନିଜ ନିଜ ମତ ପ୍ରକାଶ ସମ୍ଭବ ହେଉ ନାହିଁ । ଖାଦ୍ୟ କଥାଟା ତ ଲୋକଙ୍କ ଭିତରେ ବର୍ତ୍ତମାନ ଗୋଟାଏ ଅଶାନ୍ତି ସୃଷ୍ଟି କରିଛି । ଏତିକିବେଳେ ଏ ବିଷୟ ଧରି ଗୋଟାଏ ତୁଣ୍ଡଗୋଳ ସୃଷ୍ଟି କଲେ ଲୋକେ ଯାହା ସେମାନଙ୍କୁ ଦେଶଦ୍ରୋହୀ ବୋଲି କହୁଛନ୍ତି, ସେଥିରୁ ସେମାନେ ପରିତ୍ରାଣ ପାଇଯିବେ । ଏହାଛଡ଼ା ଭୋଟ ବେଳକୁ ସେମାନଙ୍କର ସୁବିଧା ହେବ ।

 

ସେମାନଙ୍କ ମଧ୍ୟରୁ କମରେଡ଼୍ ଶିବସୁନ୍ଦର ଜେନା ସଭାପତିଙ୍କ ଆଗରେ ପଡ଼ିଥିବା ଟେବୁଲ ପାଖକୁ ଯାଇ ‘ସଭାପତି ମହାଶୟ, ମୁଁ କିଛି କହିବାକୁ ଚାହେଁ’ ବୋଲି ଅନୁମତି ମାଗିବା ସଙ୍ଗେ ସଙ୍ଗେ ବକ୍ତୃତା ଆରମ୍ଭ କରିଦେଲେ । ସେ କହିଲେ, ମୁନାଫାଖୋରମାନଙ୍କ ଯୋଗୁଁ ଏ ଖାଦ୍ୟସମସ୍ୟା ଉଠିଛି । ମହଜୁଦ୍‌ଦାରମାନେ ସବୁ ଖାଦ୍ୟ ଜିନିଷ ଲୁଚାଇ ରଖୁଛନ୍ତି । ଏ ମୁନାଫାଖୋର ଆଉ ମହଜୁଦ୍‌ଦାରମାନଙ୍କୁ ଧ୍ୱଂସ କରିବାକୁ ହେବ, ଜାତୀୟ ସରକାର ସ୍ଥାପନ କରିବାକୁ ହେବ, ହିନ୍ଦୁ-ମୁସଲମାନ ଏକତା ପ୍ରତିଷ୍ଠିତ କରିବାକୁ ହେବ, ନେତାମାନଙ୍କୁ ମୁକ୍ତ କରିବାକୁ ହେବ । ତାହା ହେଲେ ଖାଦ୍ୟ ସମସ୍ୟାର ପ୍ରକୃତ ସମାଧାନ ସମ୍ଭବ ହେବ ।

 

ଏହି ସମୟରେ ସଭା ପଛଆଡ଼େ ବସିଥିବା ତାଙ୍କ ଦଳର ଚାରି ପାଞ୍ଚଜଣ ଲୋକ ଏକ ସ୍ୱରରେ ପାଟିକଲେ, ମୁନାଫାଖୋର–ଧ୍ୱଂସ ହେଉ, ମହଜୁଦାର–ଧ୍ୱଂସ ହେଉ, ଆମର ପାର୍ଟି–ଜିନ୍ଦାବାଦ୍‌ ।

 

ସଭାପତି ଦେଖିଲେ, ସଭାରେ ଗଣ୍ଡଗୋଳ ହେବାର ଆଶଙ୍କା ଅଛି । ଏହି ସମୟରେ ଅନେକ ମାନ୍ୟଗଣ୍ୟ ଲୋକ ମଧ୍ୟ ନିଜ ନିଜର ହାତଘଡ଼ିକୁ ଚାହିଁଲେ । କାରଣ ମିଷ୍ଟର ପରିଡ଼ାଙ୍କ ଘରେ ଗୋଟାଏ ଡିନର୍‌ ପାର୍ଟି; ମନ୍ତ୍ରୀ ଓ ବଡ଼ ବଡ଼ ହାକିମହୁକୁମା ନିମନ୍ତ୍ରିତ ହୋଇଛନ୍ତି; ସେଠାକୁ ନ ଗଲେ ନ ଚଳେ ।

 

ସଭା ଭଙ୍ଗ ହେଲା । ଶେଠଜୀ ତାଙ୍କ ମୋଟର ଗାଡ଼ିରେ ବସିଲେ । ଡ୍ରାଇଭର ସୁଇଚ୍‌ ଟିପି ଦେବାରୁ ଆଠଦଶ ଜଣ ନରକଙ୍କାଳ ସଭାରୁ ଫେରୁଥିବା ଲୋକଙ୍କୁ ‘ବାବୁ, ପଇସାଟିଏ’, ‘ବାବୁ, ପଇସାଟିଏ’ ବୋଲି ମାଗୁଥିବାର ଦେଖାଗଲା ।

 

ଡ୍ରାଇଭର ହର୍ଣ୍ଣ ବଜାଇଲା । ଏ ଗୁଡ଼ାକର ମଧ୍ୟ ପ୍ରାଣର ମାୟା ଅଛି । ମୋଟର ଆଗରୁ ଆଡ଼େଇ ହୋଇଗଲେ । ଶେଠଜୀଙ୍କ ଗାଡ଼ି ଚାଲିଗଲା ।

 

ତାପରେ ଯେଉଁ ମୋଟର ଆସିଲା, ସେଥିରେ ଥିଲେ ଶ୍ରୀମତୀ ସୌଦାମିନୀ ଛୋଟରାୟ ଓ ରାୟ ସାହେବ ଧରଣୀଧର ସେନାପତି । ଏ ନରକଙ୍କାଳଗୁଡ଼ାକ ଏଣେ ତେଣେ ବୁଲି ରାସ୍ତା ଅବରୋଧ କରୁଥିବାରୁ ଏମାନେ ବିରକ୍ତ ହେଲେ; କାରଣ ଡିନର୍‌ ପାର୍ଟି ଡେରି ହୋଇଯାଉଥିଲା ।

 

କ୍ରମେ କ୍ରମେ ଟାଉନହଲ୍‌ ଜନଶୂନ୍ୟ ହେଲା । ଚପରାସୀ ଲାଇଟ୍‌ ଲିଭାଇ ଦେଇ କବାଟ ବନ୍ଦ କଲା । ସେହି ପିଣ୍ଡାରେ ନରକଙ୍କାଳଗୁଡ଼ିକ ଛିଣ୍ଡା କନା ପାରି ଗଡ଼ିପଡ଼ିଲେ ।

 

ଗୋଟାଏ ନରକଙ୍କାଳ ଆଉ ଗୋଟାକୁ ପଚାରିଲା, ‘କିରେ ଭାଇ, କେତେ ପାଇଲୁ ?’’

 

ଆରଟା ଉତ୍ତର ଦେଲା, ‘ନାହିଁ ରେ ଭାଇ, କିଛି ମିଳିଲା ନାହିଁ ।’

 

–‘ଏମାନେ ପରା ଖାଇବାକୁ ଦେବା ବିଷୟରେ ସଭା କରୁଥିଲେ ?’

 

‘କେ ଜାଣେ ? ଖାଇବାକୁ ଦେବାପାଇଁ କି ନିଜେ ଖାଇବା ପାଇଁ ?’

 

ତିନି

 

ରମ୍ଭାଠାରୁ ଗଞ୍ଜାମ ଆଡ଼କୁ ଯେଉଁ ନାଲି ସଡ଼କ ପଡ଼ିଛି ତାହାରି କଡ଼ରେ ଗାଆଁ ଖଣ୍ଡେ–ପଧାନପଲ୍ଲୀ । ତା ପଛଆଡ଼ୁ ବୁଦ୍‌ବୁଦିକିଆ ଜଙ୍ଗଲ କ୍ରମେ କ୍ରମେ ଗହଳିଆ ହୋଇ ପାହାଡ଼ ତଳ ବଣ ସହିତ ମିଶି ଯାଇଛି । ସାମନାରେ ଗହୀର ବିଲ ଚିଲିକା କୂଳକୁ ଲାଗିଛି ।

ଗାଆଁ ଖଣ୍ଡି ବଡ଼ ନୁହେଁ । ପଚାଶ ଷାଠିଏ ଘର ଚାଷୀ, ଆଉ କେତେ ଘର ଗଉଡ଼ । ମଝିରେ ଗାଆଁ କାର୍ଯ୍ୟ ସୀମାଦ୍ରି ପ୍ରଧାନଙ୍କ ଚୂନଧଉଳା ଘର ।

ଚାଷୀମାନେ ଚାଷ କରନ୍ତି, ଗାଈଗୋରୁ ପାଳନ୍ତି, ଆଉ ବର୍ଷର ଏ ମୁଣ୍ଡରୁ ସେ ମୁଣ୍ଡଯାଏ ଗଣ୍ଡାଏ ମୋଟ ଖାଇ, ଖଣ୍ଡେ ମୋଟ ପିନ୍ଧି ଚଳି ଯାଆନ୍ତି । ଗଉଡ଼ମାନେ ଗାଈ ରଖନ୍ତି, ଛେଳି ରଖନ୍ତି, ଚାଷ କରନ୍ତି, ଆନନ୍ଦରେ ରହନ୍ତି । ସୀମାଦ୍ରି ପ୍ରଧାନ ବଡ଼ ଚାଷୀ, ଗ୍ରାମର ନ୍ୟାୟନିଶାପ ବୁଝେ, ଧାନ ଓ ବେଳେ ବେଳେ ଟଙ୍କା ଋଣ ଦିଏ, ବର୍ଷରେ ଥରେ–ଦୋଳ ପୂନେଇକୁ–ଚୂନରେ ଘର ଧଉଳାଇ ଦିଏ, ଗାଆଁର ମୁଣ୍ଡିଆଳ ଭାବରେ ସୁଖରେ ଥାଏ । ନିରବଚ୍ଛିନ୍ନ ଶାନ୍ତି-ସନ୍ତୋଷ ଭିତରେ ଗାଆଁ ଲୋକେ ବର୍ଷସାରା ଚଳନ୍ତି ।

ଭାରତବର୍ଷର ସାତ ଲକ୍ଷ ଗାଆଁ ଭିତରୁ ପଧାନପଲ୍ଲୀ ଗୋଟିଏ । ଆଉ ସବୁ ଗାଆଁ ର ଲୋକଙ୍କ ପରି ଏମାନଙ୍କ ଆଶା ଖୁବ୍‌ କମ୍‌, ଆକାଙ୍‌କ୍ଷା ସୀମାବଦ୍ଧ; ଏମାନେ ଅତି ଅଳ୍ପରେ ସନ୍ତୁଷ୍ଟ । ଯେଉଁ ଦିନ ଗାଆର ସବୁ ମଣିଷ ପିଲାଏ ମିଶି ଚିଲିକା କୂଳରେ କଣ୍ଡିଆ ଖଣ୍ଡକରୁ ପାଣି ବୋହି ଚାରିପାଞ୍ଚ ବିଶା ମାଛ ଧରି ଆଣନ୍ତି, ସେ ଦିନ ଗାଆଁ ର ଘରେ ଘରେ ନାନୀବାହାଘର ପରି ଆନନ୍ଦ ଉତ୍ସବ ଲାଗିଯାଏ । ଯେଉଁ ବର୍ଷ ଗାଆଁ ପଛ ଆଡ଼ର ତୋଟାରେ ବେଶି ଆମ୍ୱ ଆସେ, ସେ ବର୍ଷ ଗାଆଁ ଲୋକଙ୍କର ଖୁସିର ସୀମା ନ ଥାଏ । ଯେଉଁ ବର୍ଷ ଚାଷ ବେଳକୁ ଭଲ ବର୍ଷା ହୁଏ, ବେଉଷଣ ବେଳକୁ ବିଲରେ ବେଶି ପାଣି ଥାଏ, ଧାନ ଗଛ ମୂଳରେ ବହୁତ ପିଲ ଦେଖାଦିଏ, ସେ ବର୍ଷ ତ ଚାଷୀଙ୍କ ପକ୍ଷରେ ଆଶାର ଅନ୍ତ ନ ଥାଏ–ସେ ଝିଅପୁଅଙ୍କୁ ବାହା ଦେବାର କଳ୍ପନା କରେ, ହଡ଼ା ପରିବର୍ତ୍ତେ ଭେଣ୍ଡିଆ ବଳଦ ହଳେ କିଣିବ ବୋଲି ଭାବେ, କ୍ଷେତ ଉଠାଣି ପୁଅପାଇଁ ଖଣ୍ଡେ ପାଞ୍ଚହାତୀ ଗାମୁଛା ଓ ସ୍ତ୍ରୀପାଇଁ ତିନି ଟଙ୍କା ଆଠ ଅଣାରେ ଖଣ୍ଡେ କୁମ୍ଭପକା ଖଦୀ କିଣିବ ବୋଲି ଘରେ ଘୋଷଣା କରେ; ଆଉ ଆସନ୍ତା ପୁଷ ମାସରେ ବିକାକ ସୁଧ ଛିଣ୍ଡାଇ ଦେବ ବୋଲି ସାଉକାରକୁ କହି ଆସେ । ଏହାଠାରୁ ଅଧିକ ଆଶା କରିବା ପାଇଁ ସମ୍ୱଳ ତାର ନାହିଁ, ଅଧିକାର ତାର ନାହିଁ–ଏହାଠାରୁ ଅଧିକ ଆକାଙ୍‌କ୍ଷା ସେମାନଙ୍କର କଳ୍ପନା ଭିତରକୁ ମଧ୍ୟ ଆସି ପାରେ ନାହିଁ । ଆଶାର ପରିସର ଯେଉଁଠାରେ ଅଳ୍ପ, ଆକାଙ୍‌କ୍ଷାର ଉତ୍କଟ ପ୍ରକାଶ ଯେଉଁଠାରେ ସ୍ୱପ୍ନର ସାମଗ୍ରୀ, ସେଠାରେ ଶାନ୍ତି ପାଇଁ ଯଥେଷ୍ଟ ଉପାଦାନ ଥାଏ; କିନ୍ତୁ ଏ ଶାନ୍ତି ତ ଜୀବନ୍ତ, ସଞ୍ଚାରଶୀଳ ଶାନ୍ତି ନୁହେଁ; ଏ ଶାନ୍ତି ମନୁଷ୍ୟକୁ ବଞ୍ଚାଏ ନାହିଁ–ହତ୍ୟା କରେ, ମାରି ପକାଏ; ଏହା ଉତ୍ସବ–ମୁଖରିତ ଅଙ୍ଗନର ଶାନ୍ତି ନୁହେଁ; ଏହା ଶ୍ମଶାନର ସମାଧି ମନ୍ଦିରର ଅନ୍ଧକାରମୟ ଗର୍ଭରେ ଥିବା ଶାନ୍ତି ।

ଯେଉଁ ବର୍ଷ ଗଞ୍ଜା ମରୁଡ଼ି ପଡ଼ିଥିଲା, କଲେରା ରୋଗର ମାରାତ୍ମକ ପ୍ରକୋପରେ ଜିଲାର ରାଜଧାନୀ ଗଞ୍ଜାମ ଛାରଖାର ହୋଇଗଲା, ସରକାରୀ କର୍ମଚାରୀମାନେ ପ୍ରାଣ ଭୟରେ ଛତ୍ରପୁର ଓ ବ୍ରହ୍ମପୁରକୁ ପଳାଇଗଲେ । ସେ ବର୍ଷ ଦିନବନ୍ଧୁ ସ୍ୱାଇଁର ପୂର୍ବ ପୁରୁଷ ତାହାର ଗୋଟିଏ ବୋଲି ପୁଅକୁ ମୃତ୍ୟୁ କବଳରୁ ରକ୍ଷାକରି ପଧାନପଲ୍ଲୀକୁ ଆସି କୁଡ଼ିଆ ବାନ୍ଧି ରହିଲା । ତା ପରେ ବହୁ ବର୍ଷ ବିତି ଯାଇଛି । ଦୀନବନ୍ଧୁର ଗୋସେଇଁ ବାପ ନିଜ ଉଦ୍ୟମରେ ଜମିଜମା କିଣି, ଘରଖଣ୍ଡେ ତୋଳି ରହିଯାଇଥିଲା । ସେମାନଙ୍କଠାରୁ ବଂଶଧର ସୂତ୍ରେ ସେ ପାଇଛି ଭଲ ଚେହେରା ଖଣ୍ଡୋ, ଚାଷ କରିବା ପାଇଁ ବାହୁରେ ଯଥେଷ୍ଟ ବଳ, ହଳହଡ଼ା, ଘରଦ୍ୱାର, ଚାରିମାଣ ଚାଷଜମି, ଚାରି ଭରଣ ଧାନ ଋଣ, ଗାଆଁ ଚାହାଳୀରୁ ଅକ୍ଷର ପରିଚୟର ଅଧିକାର–ଆଉ ସାରିଆକୁ । ତାକୁ ସେତେବେଳେ ୧୯ ବର୍ଷ । ତା ବଉ ଧରି ବସିଲା, ପୁଅ ବଡ଼ହୋଇ ଗଲାଣି, ବାହା ଦେବାକୁ ହେବ-। ଦୀନବନ୍ଧୁର ବାପ ବହୁତ ଯୋଗାଡ଼ କରି କନ୍ୟାଟିଏ ସ୍ଥିର କଲେ, ପଧାନ ଘରୁ ପାଞ୍ଚ ଶଗଡ଼ ଧାନ କରଜ ଆଣିଲେ, ବାଜା ବାଜିଲା, ଭୋଜିଭାତ ହେଲା, ଗାଆଁ ଲୋକେ ଦେଖିଲେ, ଦୀନା ବହୂଟିଏ ଧରି ଘରକୁ ଫେରିଲା ।

ଦିନ ଗଡ଼ିଗଲା । ଦୀନାର ଜୀବନର ଗତିରେ ଉତ୍ସାହର ଗୋଟାଏ କ୍ଷୀଣ ରେଖା କ୍ରମେ କ୍ରମେ ଦେଖାଦେଲା । ଜମି ଚାଷ କଲାବେଳେ ସେ ଅଧିକ ଗହୀରିଆ କରି ଗାର ଧରେ, ବଳଦ ଦୁଇଟାର ଖାଇବା ପିଇବା ଆଡ଼କୁ ଅଧିକ ଦୁଷ୍ଟି ଦିଏ, ଆଗଠାରୁ ଅଧିକ ପରିଶ୍ରମ କରେ । ବୈଶାଖ ମାସର ଦୁଇ ପ୍ରହର ବେଳେ ଗହୀର ବିଲରେ ଚାଷ କରୁ କରୁ ଖରାରେ ଯେତେବେଳେ ତା ପିଠିଟା ଶିଝିଲାପରି ଲାଗେ, ସେତେବେଳେ ଅକାରଣରେ ତା ଆଖି ଆଗରେ ସାରିଆର ଚେହେରା ଭାସି ଉଠେ । ମୁଣ୍ଡର ଝାଳ ଗାମୁଛା କାନିରେ ପୋଛି ପୁଣି ସେ ଲଙ୍ଗଳମୁଠାରେ ହାତ ପକାଏ । ହଁ ସେ ସାରିଆକୁ ଦେଖିପାରେ–ଖୁବ୍‌ ଦେଖିପାରେ । ତାକୁ ଟିକିଏ ଖୁସି କରିବା ପାଇଁ ସେ ଏଡ଼େ ହାଡ଼ଭଙ୍ଗା ପରିଶ୍ରମ କରି, ଏତେ ଝାଳ ବୁହାଏ । ତାର ଆଶା, ପରିଶ୍ରମ କରି ସେ କରଜ ଶୁଝିଦେବ-। ଆଉ କିଛି ଜମି କିଣିବ । ଘର ଖଣ୍ଡିକ ନିତାନ୍ତ ପୁରୁଣା ହୋଇଗଲାଣି–ବେଳେ ବେଳେ ରୁଅ ଛିଡ଼ି ପଡ଼ୁଛି–ସେ ଖଣ୍ଡକୁ ଭାଙ୍ଗି ଭଲକରି ବାନ୍ଧିବ । ଏ ସବୁ ଦେଖି ସାରିଆ ଖୁସି ହେବ ନାହିଁ-? ହଁ, ହେବ । ସେତକ ହିଁ ତାର ପୁରସ୍କାର ।

ଗଜାମରୁଡ଼ିରୁ ତା ପୂର୍ବପୁରୁଷ ଉଧରି ଆସିଥିଲେ ବୋଲି ଯେ ତାଙ୍କ ବଂଶରେ ଆଉ ମରୁଡ଼ି ପଡ଼ିବ ନାହିଁ, ଏପରି କିଛି କଥା ନାହିଁ । ସେ ବର୍ଷ ରଥଯାତ୍ରା ପରେ ପରେ ପଧାନପଲ୍ଲୀରେ କଲେରା ଲାଗିଲା । ସେଥିରେ ଦୁଇଦିନ ମଧ୍ୟରେ ଦୀନାର ମାଆବାପ ଦୁହେଁ ଚାଲିଗଲେ । ଗାଆଁ ଗହଳରେ ଏପରି ମରିବାଟା ସାଧାରଣ କଥା । ଏଠାରେ ରୋଗ ଥାଏ, ବୈଦ୍ୟ ନ ଥାଏ; କଲେରା ମ୍ୟାଲେରିଆ ଲାଗେ, ନ ଥାଏ ଡାକ୍ତର, ଔଷଧ, ପଥ୍ୟ ଓ ଚିକିତ୍ସା । ସଭ୍ୟ ପୃଥିବୀର ଏ ଅଞ୍ଚଳଗୁଡ଼ାକରେ ରୋଗ ହେବା ଅର୍ଥ ବିନା ଚିକିତ୍ସାରେ ରୋଗ ସହିତ ଲଢ଼େଇ କରି କରି ହଜାରକେ ନଅଶହ ଅନେଶୋତ କ୍ଷେତ୍ରରେ ମରିବା; ଆଉ ଗୋଟାଏ ଗୋଟାଏ ସ୍ଥାନରେ ଦରମରା ହୋଇ ବଞ୍ଚିଯିବା । ପଲ୍ଲୀଅଞ୍ଚଳରେ ରୋଗ ହେବାଟା ଭାଗ୍ୟର ଦୋଷ–କଦବା କ୍ୱଚିତ୍‌ ଭଲ ହେବା ସୌଭାଗ୍ୟ ଓ ମୃତ୍ୟୁମୁଖରେ ପଡ଼ିବା ଦୁର୍ଭାଗ୍ୟର ବିଷୟ । ସେହି ଭାଗ୍ୟଦୋଷରୁ ଦୀନବନ୍ଧୁର ବାପମାଆ ଦିନ ଦୁଇଟା ମଧ୍ୟରେ କଲେରାରେ ମଲେ । ଆଉ ଦୀନବନ୍ଧୁ ଓ ସାରିଆ ସେହି ଭାଗ୍ୟକୁ ଆଦରି ପଡ଼ି ରହିଲେ ।

ଦୀନବନ୍ଧୁ ସାରିଆ ଆଡ଼କୁ ଚାହେଁ ଆଉ ପରିଶ୍ରମ କରେ; ସାରିଆ ଦୀନବନ୍ଧୁ ଆଡ଼କୁ ଚାହେଁ ଆଉ ଗୃହ ସଂସାରକୁ ସୁନ୍ଦରରୂପେ ସଜାଇ ରଖେ । ଏହିପରି ଏ ଦୁହିଙ୍କର ଦିନ କଟିଯାଏ ।

ଗାଆଁ ଲୋକେ ଏ ଦୁହିଙ୍କୁ ଦେଖନ୍ତି, କେତେକେ ମନେ ମନେ ପ୍ରଶଂସା କରନ୍ତି, ଅଧିକାଂଶ ଈର୍ଷ୍ୟାରେ ଜଳିଯାଆନ୍ତି ।

ଦୀନା ପଧାନ ଘରର ଚାରି ଭରଣ କରଜରୁ ଦୁଇ ଭରଣ ଶୁଝିଦେଲା; ଗୁହାଳଘର ଖଣ୍ଡକୁ ନୂଆକରି ତିଆରି କଲା । ପାଖ ପଡ଼ିଶାଏ କହିଲେ, ଦୀନା ହାତରେ କିଛି ପାଣ୍ଠି ଜମି ଗଲାଣି-। ପାଣ୍ଠି ଅର୍ଥ ଦଶ ବା କୋଡ଼ିଏ ଟଙ୍କା ।

ଦୀନବନ୍ଧୁ ସାରିଆକୁ କହିଲା, ‘‘ବୁଝିଲ, ସାହୁକାର ଘର ପୁଅ ଏଥର ବ୍ରହ୍ମପୁରକୁ ଗଲେ ତା ହାତରେ ୮ ତୋଳା ଓଜନର ଯୋଡ଼ାଏ ଖଡ଼ୁ ଆଣିବାକୁ ଦେବି ।’’

ସାରିଆ କହିଲା, ‘ସେ ସବୁ ମୋର କଅଣ ହେବ ?’

ଦୀନବନ୍ଧୁ ତା ଆଡ଼କୁ ଚାହିଁ ହସିଲା; କହିଲା,‘କେ ଜାଣେ ?

 

ଚାରି

 

୧୯୪୨ ସାଲ ନଭେମ୍ୱର ମାସ । ରମ୍ଭାରୁ ବ୍ରହ୍ମପୁର ଆଡ଼କୁ ଯେଉଁ ଶଡ଼କ ପଡ଼ିଛି ତା ଦୁଇ ପାଖର ଧାନ କ୍ଷେତରେ ସୁନେଲୀ ରଙ୍ଗର ଧାନ ଶୀଷାଗୁଡ଼ିକ କାର୍ତ୍ତିକ ମାସର ଧୀର ଉତ୍ତରା ପବନରେ ତରଙ୍ଗ ଛନ୍ଦରେ ତାଳେ ତାଳେ ନାଚି ଯାଉଥାଏ । ଚାଷୀ ସେ ଆଡ଼କୁ ଚାହେଁ ଆଉ ଭାବେ ସୁନା ସମୁଦ୍ରରେ ସୁନାର ଲହରୀ ଖେଳୁଛି । ତାହାରି ଉପରେ ପାଲ ମେଲି ତାର ଆଶା ବୋଇତ ଆସୁଛି ଚକ୍ରବାଳ କୋଳରୁ । ଆଉ ପନ୍ଦର ଦିନ । ଆଉ ମାସେ । ତାର ଖଳାବାଡ଼ିରେ ସେ ବୋଇତ ତାର ଭାର ସାମଗ୍ରୀ ପହଞ୍ଚାଇ ଦେବ । ଚାଷୀର ପରିଶ୍ରମ–ବୈଶାଖ ମାସରେ ଶିଝିବା, ଆଷାଢ଼ ମାସରେ ବର୍ଷା କାଦୁଅରେ ଭିଜିବା ସାର୍ଥକ ହେବ ।

 

ସେହି ନଭେମ୍ୱର ମାସର ମଝି । ଦିନେ ସକାଳୁ ହଠାତ୍‌ ପବନ ଧୀରେ ଧୀରେ ବୋହିବାକୁ ଆରମ୍ଭ କଲା ଦିନ ଯେତେକି ବଢ଼ିଲା ପବନର ବେଗ ସେତିକି ବୃଦ୍ଧି ପାଇଲା । ତା ସହିତ ଆକାଶରେ ମେଘମାଳା ତାଣ୍ଡବନୃତ୍ୟ ଲଗାଇ ଦେଲେ । ଚିଲିକା କୂଳରେ ନାଉରୀଆମାନେ ସେମାନଙ୍କର ଡଙ୍ଗାଗୁଡ଼ିକୁ ଖୁବ୍‌ ଆଣ୍ଟକରି ବାନ୍ଧି ରଖିଲେ । ସେ ହ୍ରଦରେ ଉଠିଲା ବଡ଼ ବଡ଼ ଢେଉ । ମେଘ ପଛପଟରେ ସୂର୍ଯ୍ୟ ଅସ୍ତ ହେଲେ । ରାତି ଆସିଲା । ତା ସହିତ ପୃଥିବୀ ଉପରକୁ ମାଡ଼ି ଆସିଲା ଯେପରି ଲକ୍ଷ ଲକ୍ଷ ଉନ୍ନତ୍ତ ଦୈତ୍ୟଦାନବଙ୍କ ସର୍ବନାଶୀ ନୃତ୍ୟ । ପବନର ବେଗ ଆହୁରି ବଢ଼ିଲା । ହୁ-ହୁ ଶବ୍ଦରେ ମୁଷଳଧାରାରେ ବର୍ଷା ଚାଲିଲା । ଲୋକେ ଘର ଭିତରେ ଆଶ୍ରୟ ନେଇ ଭାବିଲେ, ଏହା ହିଁ ବୋଧହୁଏ ପ୍ରଳୟର ସୂଚନା । ଗୋଟାଏ ବିରାଟ ଆତଙ୍କ ସମସ୍ତଙ୍କୁ ଅଭିଭୂତ କରି ପକାଇଲା ।

 

ରାତି ବଢ଼ିଲା । ପ୍ରେତପୁରୀର ବନ୍ଧନମୁକ୍ତ ପ୍ରେତଗୁଡ଼ାକ ପରି ପବନ ତାଣ୍ଡବ ନୃତ୍ୟ ଲଗାଇଦେଲା । ଚାଳଗୁଡ଼ାକ ଉଡ଼ିଗଲା । ଗଛର ଡାଳଗୁଡ଼ାକ ମଡ଼ ମଡ଼ ଶବ୍ଦକରି ଭାଙ୍ଗି ପଡ଼ିଲା । ପବନର ହୁଙ୍କାର, ବର୍ଷାର ହୁ-ହୁ ଶବ୍ଦ ସହିତ ଗଛବୃକ୍ଷ ଭାଙ୍ଗି ପଡ଼ିବା, ଚାଳ ଉଡ଼ିଯିବା ଶବ୍ଦ ମିଶି ରାତିର ଅନ୍ଧକାରକୁ ବିଭୀଷିକାମୟ କରି ପକାଇଲା ।

 

ରାତିସାରା ଏହିପରି ଚାଲିଲା । ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଲା । ଧ୍ୱଂସର ନିର୍ମମ ହସ୍ତ ଚାରିଆଡ଼କୁ ଦଳିମନ୍ଥି ଚୂର୍ଣ୍ଣୀଭୂତ କରିଦେଲା । ଯେଉଁ ମାନେ ମଲେ, ସେମାନେ ନିଶ୍ଚିନ୍ତ ହୋଇଗଲେ । ଯେଉଁମାନେ ରହିଲେ, ପ୍ରକୃତିର ଏ ଉନ୍ନତ୍ତ ତାଣ୍ଡବରେ ସେମାନେ ନିସ୍ତବ୍‌ଧ ହୋଇଗଲେ ।

 

ଝଞ୍ଜାର ଆଘାତରେ ଯାହା ଭାଙ୍ଗିବାର, ଯାହା ଧ୍ୱଂସ ହେବାର ହୋଇଗଲା; ତଥାପି ବର୍ଷାର ବିରାମ ନାହିଁ । ତିନିଦିନ ତିନିରାତି ଅବିରାମ ଧାରାରେ ବର୍ଷା ଚାଲି ଏ ଧ୍ୱସଂ-ଯଜ୍ଞରେ ପୂର୍ଣ୍ଣାହୂତି ପ୍ରଦାନ କଲା ।

 

ତିନିଦିନ ପରେ ସବୁଦିନ ପରି ଚିଲିକାର ପୂର୍ବ ଚକ୍ରବାଳ କୋଳରୁ ସୂର୍ଯ୍ୟ ଉଠିଲେ । ସେତେବେକୁ ପଧାନପଲ୍ଲୀର ସବୁ ଘର ଭାଙ୍ଗି ପଡ଼ିଛି । ରହିଛି କେବଳ ଦରଭଙ୍ଗା ଅବସ୍ଥାରେ ପଧାନ ଘରର ଆଗ ଛାମୁଆରେ ଥିବା ଆଟୁ ଖଣ୍ଡି । ଅନେକ ଲୋକ ମରି ଯାଇଛନ୍ତି; ଯେଉଁ ମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହିଠାରେ ମୁଣ୍ଡ ଗୁଞ୍ଜିଛନ୍ତି । ତିନି ଦିନ, ତିନି ରାତି ଅନ୍ନ ସହିତ ଏମାନଙ୍କର ଦେଖା ନାହିଁ; ପିନ୍ଧା ଖଦି ଖଣ୍ଡେ ଛଡ଼ା ଆଉ ଲୁଗା ନାହିଁ; ଘରର ଯେ କଅଣ ହୋଇଛି, ତାହା ଭାବିବାର ଶକ୍ତି ନାହିଁ ।

 

ଦିନ ହେଲା । ଲୋକେ ଯେ ଯାହା ଘର ଆଡ଼କୁ ଦୃଷ୍ଟି ପକାଇଲେ । ଘର କାହିଁ ? କାନ୍ଥଗୁଡ଼ାକ ଭାଙ୍ଗି ପଡ଼ିଛି, ତାହାରି ଉପରେ ଚାଳ ମାଡ଼ି ବସିଛି । ଆଉ କାହାର ଚାଳ ଖଣ୍ଡେ ଦୂରରେ ପଡ଼ିଛି । ଗାଈଗୋରୁ ଅନେକେ କାନ୍ଥ ପଡ଼ି ମରିଛନ୍ତି । ଯେଉଁମାନେ ଫିଟି ପଳାଇଛନ୍ତି ସେମାନେ ଯେ କୁଆଡ଼େ ଯାଇଛନ୍ତି ତାହାର ସନ୍ଧାନ ନାହିଁ । ଅଧିକାଂଶ ଲୋକଙ୍କର ଘରର ଆସବାସପତ୍ର ଗୁଣ୍ଡଗୁଣ୍ଡା ହୋଇ ଯାଇଛି ।

 

ମାଟିଖୋଳି ଲୋକେ ବାସନ ବର୍ତ୍ତନ, ସିନ୍ଧୁକ, ପେଟରା ବାହାର କରିବା ପାଇଁ ଚେଷ୍ଟା କଲେ । କେତେକ ବାହାରିଲା, ଆଉ କେତେକର ଭଙ୍ଗା ଅଂଶଗୁଡ଼ାକ ବାହାରିଲା । ଆଉ ବାହାରିଲା, ମାଟିତଳୁ ଅନେକଙ୍କର ଆତ୍ମୀୟସ୍ୱଜନ, ଭାଇପୁଅ, ମା, ଭଉଣୀ, ସ୍ତ୍ରୀ ଓ ଝିଅର ମୃତ ଶବ । ତିନି ଦିନ ପୂର୍ବେ ଏହି ଲୋକଗୁଡ଼ିକର ଗୃହ ଥିଲା, ସଂସାର ଥିଲା; ବର୍ଷ ବର୍ଷ ଧରି ସେମାନେ ଯାହା ସମ୍ପାଦି ଥିଲେ, ଆଜି ତାହା ଧ୍ୱଂସ ସ୍ତୂପରେ ପରିଣତ ହୋଇଛି ।

 

କ୍ରମେ କ୍ରମେ ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲେ । ଲୋକେ କ୍ଷେତ ଆଡ଼କୁ ଦୃଷ୍ଟି ଦେଲେ । ସେମାନଙ୍କର ଅନ୍ତରାତ୍ମା ଶୁଖିଗଲା । ଚିଲିକାର ପାଣି ମାଡ଼ି ଆସି ସାରା ଗହୀରର ଫସଲକୁ ଶେଷ କରି ଦେଇଛି । ରାସ୍ତାର ଡାହାଣ କଡ଼ରେ ଥିବା ଜମିର ଧାନଗଛଗୁଡ଼ାକୁ ପବନ ଏପରି ଭାବରେ ପିଟି ଦେଇଛି ଯେ, ଶୀଷାରେ ଅଗାଡ଼ି ଛଡ଼ା ଗୋଟାଏ ମଧ୍ୟ ଧାନ ନାହିଁ ।

 

ଘର ଗଲା, ସଂସାର ଗଲା, ଯେଉଁ ଫସଲ ଉପରେ ନିର୍ଭର କରି ସେମାନେ ବଞ୍ଚନ୍ତି, ତାହା ମଧ୍ୟ ଗଲା । ତିନିଦିନ ଝଞ୍ଜା ମାଡ଼ରେ ଇତସ୍ତତଃ, ତିନି ତିନି ଦିନ ଖାଦ୍ୟାଭାବରେ ମ୍ରିୟମାଣ ଲୋକେ ଶୁଷ୍କ ଚକ୍ଷୁରେ ସେମାନଙ୍କର ବର୍ତ୍ତମାନ ଓ ଭବିଷ୍ୟତର ଧ୍ୱଂସସ୍ତୂପ ଆଡ଼କୁ ଚାହିଁ ରହିଲେ । ଅଶ୍ରୁ ? ଦୁଃଖର ବୋଝ ଯେତେବେଳେ ସୀମାର ଅତୀତକୁ ଚାଲିଯାଏ, ସେତେବେଳେ କି ଶାନ୍ତ୍ୱନା ଥାଏ ଯେ ସେମାନେ ଭବିଷ୍ୟତକୁ ଚାହିଁ ବର୍ତ୍ତମାନ ପାଇଁ ଦୁଃଖ କରିବେ, ଭାବିବେ, ସେମାନଙ୍କ ଚକ୍ଷୁରେ ଅଶ୍ରୁଧାରା ଦେଖା ଦେବ ?

 

ପ୍ରଥମେ ଲୋକଙ୍କ ମନରେ ଉଠିଲା । ସେମାନେ ଖାଇବେ କଅଣ, ରହିବେ କେଉଁଠି ? ଯେଉଁମାନେ ମଲେ ତ ଗଲେ; ଯେଉଁ ମାନେ ବଞ୍ଚିଛନ୍ତି, ସେମାନେ ତ ବଞ୍ଚିବେ । ପିଲାଛୁଆଗୁଡ଼ାକ ମୁହଁରେ ତିନିଦିନ ତିନିରାତି ହେଲା ପାଣି ତୋରାଣି ପଡ଼ିନାହିଁ । ଭୟରେ ସେମାନେ କାଠ ହୋଇ ଯାଇଛନ୍ତି । ଘର ନାହିଁ; ଘରେ ଓଳିଆ ବୁଜୁଳି ଯାହା ଥିଲା ସବୁ ମାଟି ତଳେ ପଡ଼ି ନଷ୍ଟ ହୋଇଯାଇଛି । ହାଣ୍ଡିକୁଣ୍ଡି ଭାଙ୍ଗି ଚୂନା ହୋଇ ଯାଇଛି । ମୁଠାଏ ଫୁଟାଇବେ କଅଣ, ଫୁଟାଇବେ କାହିଁରେ ?

 

ସମସ୍ତେ ପଧାନ ଘର ଆଡ଼କୁ ଦୃଷ୍ଟି ଦେଲେ । ତାଙ୍କ ଧାନ ଘର ଉଜଡ଼ି ପଡ଼ୁଛି; ବାହାରେ ଭରଣ ଭରଣ ଧାନ ପଡ଼ି ଭିଜି ଯାଇଛି; କେତେକ ପାଣିରେ ଧୋଇ ମାଟି ସାଙ୍ଗରେ ମିଶି ଯାଇଛି; ତାହାରି ପାଖରେ ପଧାନ ମୁଣ୍ଡରେ ହାତଦେଇ ବସିଛି । ଥୋକେ ଲୋକ ସେ ଆଡ଼କୁ ଗଲେ, ଧାନ ସମ୍ଭାଳି ରଖିବାରେ ଲାଗିପଡ଼ିଲେ ।

 

ପଧାନ ଘର ଚାଉଳ ଓଳିଆଗୁଡ଼ାକ କେମିତି କେଜାଣି ଝଞ୍ଜାର ଧ୍ୱଂସ ମୁହଁରୁ ରକ୍ଷାପାଇ ଯାଇଥିଲା । ପଧାନ ପୁଅ ରଘୁନାଥ ସମସ୍ତଙ୍କୁ ସେଥିରୁ ଦୁଇ ଦୁଇ ପୋଷ ଦେଲେ । ତାକୁ ଭିଜାଇ ଲୋକେ ସେମିତି ଚୋବାଇ ଦେଲେ । ପିଲା ଛୁଆମାନେ ସେହି ଭିଜା ଚାଉଳରୁ ମୁଠାଏ ଲେଖା ମୁହଁରେ ଦେଇ ପେଟେ ଲେଖାଏ ପାଣି ପିଇଦେଲେ ।

 

ଯେଉଁମାନଙ୍କର ଗାଈଗୋରୁ ଫିଟି ପଳାଇଥିଲେ ସେମାନଙ୍କ ମଧ୍ୟରୁ କେହି କେହି ତାକୁ ଖୋଜିବାକୁ ପାଖ ଗାଆଁ ପର୍ଯ୍ୟନ୍ତ ଗଲେ । ସେ ଗାଆଁରେ ଖଣ୍ଡେ ହେଲେ କାନ୍ଥ ଛିଡ଼ାହୋଇ ରହି ନ ଥିଲା; ଯେପରି କି ଗତ ତିନି ଦିନର ବର୍ଷା ପବନ ଦ୍ୱାରା ପୃଥିବୀଟା ଉପରେ ଭଙ୍ଗାତୁଟାର ଗୋଟାଏ କୁହୁକବାଜି ଖେଳି ଯାଇଥିଲା । ଧ୍ୱଂସର ସେହି ଶ୍ମଶାନ ଭିତରେ ଜୀଅନ୍ତା ଲୋକଗୁଡ଼ାକ ପ୍ରେତ ପରି ଚଲାବୁଲା କରୁଥିଲେ ।

 

ଗାଆଁ ଭିତରେ ଯେଉଁମାନେ ବୁଢ଼ା ବୁଢ଼ା ବଞ୍ଚି ରହିଥିଲେ, ସେମାନେ କହିଲେ, ଗୋଟାଏ ଖଣ୍ଡପ୍ରଳୟ ହୋଇଗଲା ।

 

ରାତି ହେଲା । ଲୋକେ ଗଛମୂଳ, ପଧାନ ପିଣ୍ଡା–ଯେଉଁଠ ଯେ ସୁବିଧା ମନେ କଲେ–ଆଶ୍ରାନେଇ ପଡ଼ିଗଲେ । ଶାନ୍ତି, କ୍ଳାନ୍ତି, ଅବସନ୍ନତା, ତା ଉପରେ ନିରାଶା, ହତାଶା, ଦୁଶ୍ଚିନ୍ତା ମିଶି ଲୋକମାନଙ୍କୁ ନିଦ୍ରା ନୁହେଁ–ଦୁସ୍ୱପ୍ନପୂର୍ଣ୍ଣ ପ୍ରକାରେ ତୀବ୍ର ମୋହର କୋଳକୁ ଟାଣି ନେଲା ।

 

ତିନି ଦିନ ପୂର୍ବେ ସେମାନେ ଭାବୁଥିଲେ, ସେମାନଙ୍କର ପରିବାରଗୁଡ଼ିକୁ କିପରି ଭଲରେ ରଖିବେ; ଆଜି ଏମାନଙ୍କ ମଧ୍ୟରୁ କେତେକଙ୍କର ପରିବାର ନାହିଁ, ଯେଉଁମାନଙ୍କର ବା ଅଛି ସେମାନଙ୍କର ଭାବିବାର ସମ୍ୱଳ ନଷ୍ଟ ହୋଇ ଯାଇଛି; ଭାବିବାର ଶକ୍ତି ମଧ୍ୟ ନାହିଁ । ଭବିଷ୍ୟତ୍‌ଟା ସେମାନଙ୍କ ଆଗରେ ଗୋଟାଏ ସୀମାହୀନ ମରୁଭୂମି ପରି ପଡ଼ିଥିଲା ।

 

ପାଞ୍ଚ

 

ତିନିଦିନ ବ୍ୟାପି ଝଡ଼ଝଞ୍ଜାର ଜୁଆର ଭିତରେ ପ୍ରମୋଦ ଘରୁ ବାହାରି ପାରି ନ ଥିଲା । କଟକ ସହର । ଝଡ଼ର ଧକ୍‌କା ସେତେଦୂର ପର୍ଯ୍ୟନ୍ତ ଏ ଅଞ୍ଚଳକୁ ଆସି ନ ଥିଲା । ତଥାପି ଏ ଦିନ ତିନିଟା ଯେଉଁ ପାଗ ସୃଷ୍ଟି କରିଥିଲା, ସେଥିରେ ପ୍ରମୋଦ ପରି ଲୋକ ପକ୍ଷରେ ବିଶେଷ ସୁବିଧା ନ ହେବା କଥା । ଏମିତି ପାଗରେ ବନ୍ଧୁବାନ୍ଧବଙ୍କ ସଙ୍ଗେ ଦେଖାସାକ୍ଷାତ କରିବା ସୁବିଧାଜନକ ନୁହେଁ । ଥିଏଟର ତ ବନ୍ଦ ହେବା କଥା, କାରଣ କଟକ ଭଳି ଗୋଟାଏ ମାନ୍ଧାତା ଅମଳର ସହରରେ କଲିକତାର ନାଟ୍ୟଶାଳା ଆସିବ କୁଆଡ଼ୁ ? ଏଠିକାର ନାଟ୍ୟଶାଳାଗୁଡ଼ାକୁ ମଫସଲର ଗୋଶାଳା ପରି–ଚାଳଘର, ବର୍ଷା ହେଲେ ସେଥିରେ ପାଣି ଗଳେ, ପବନ ହେଲେ ତାହା ଉଡ଼ିଯାଏ । ଏମିତି ପାଗରେ ସେଠାରେ ଥିଏଟର ହେବା ଅସମ୍ଭବ–ନିଶ୍ଚୟ ଅସମ୍ଭବ । ଆଉ ବାକୀ ରହିଲା ସିନେମା, ତିନ୍ତିବୁଡ଼ି ପବନ ମାଡ଼ ଖାଇ ଯାଇ ଦେଖିଲା ଭଳି ଛବି ଏ ଦୁର୍ଯ୍ୟୋଗ ସହିତ ଯେପରି ସହାନୁଭୂତି ପ୍ରକାଶ କରି କଟକକୁ ଆସି ନ ଥିଲା । ଘରର ରେଡ଼ିଓଟା–ତାର ଅନ୍ତରାତ୍ମାଗୁଡ଼ାକ ମଧ୍ୟ ମେଘ ଓ ଟାଣୁଆ ପବନ ପ୍ରଭାବରେ କମ୍ପି ଉଠି ରେଡ଼ିଓ ଷ୍ଟେସନରୁ ବହି ଆସୁଥିବା ସ୍ୱର-ଲହରୀଗୁଡ଼ାକୁ ବିକୃତ କରି ଦେଉଥିଲା । ଏ ଅବସ୍ଥାରେ ଦିନରେ କଲେଜକୁ ଯିବା ଭଦ୍ରୋଚିତ କାମ ନୁହେଁ । ପ୍ରମୋଦ ନିଜକୁ ଜଣେ ଉଚ୍ଚ ଶ୍ରେଣୀର ଭଦ୍ରଲୋକ ମନେ କରୁଥିବାରୁ ସେ କାମ ସେ କରି ନ ଥିଲା-। ଏପରି ବର୍ଷା ଝଡ଼ରେ ଭଲ ପଢ଼ାପଢ଼ି ହୁଏ ନା ବୋଲି ତାର ବିଶ୍ୱାସ । ସେ କାମରେ ବୃଥାଶକ୍ତି ନଷ୍ଟ କରିବା ଭଳି ମନୋଭାବ ତାର ନୁହେଁ । ତେଣୁ ଆଉ ଗୋଟାଏ କାମ ଅବଶିଷ୍ଟ ରହିଲା–କମ୍ୱଳ ଘୋଡ଼ିହୋଇ ଖଟରେ ସୁଖନିଦ୍ରା ।

 

ଏ କଷ୍ଟକର କାମଟା କରିବା ପାଇଁ ସେ ଯଥାସାଧ୍ୟ ଚେଷ୍ଟା କରିବାରେ ତ୍ରୁଟି କରି ନାହିଁ; କିନ୍ତୁ ବରାବର ତା ମନରେ ଜାଗି ଉଠିଛି ଦୁଃସ୍ୱପ୍ନ ପରି ଗୋଟାଏ ଭୟ–ଉତ୍ତର ବାଲେଶ୍ୱର ଓ ମେଦିନୀପୁରର ଝଞ୍ଜା ବାବା ! କି ଭୀଷଣ ରକମର ପବନ ସେ ଅଞ୍ଚଳଟା ଉପରେ ବହିଗଲା ! ଘରଦ୍ୱାର ସବୁ ଚୌପଟ୍‌, ମଣିଷଗୁଡ଼ାକ ଝଡ଼ିଆ ପାଗର ଝଡ଼ିପୋକ ପରି ମରିଗଲେ; ଆଉ ତମଲୁକକୁ କୁଆଡ଼େ ସମୁଦ୍ର ମାଡ଼ି ଆସିଲା । କଟକ ଉପରେ ଯେମିତି ପବନ ବୋହୁଥିଲା, ତାହା ଯଦି କ୍ରମେ କ୍ରମେ ସେହି ଆକାର ଧାରଣ କରନ୍ତା ତ ସର୍ବନାଶ । ପ୍ରମୋଦ ଖଟ ଉପରେ ପଡ଼ି ଏସବୁ ଚିନ୍ତାରେ ଏ ତିନି ଦିନର ବାଧ୍ୟତାମୂଳକ ଅବସର କଟାଇଲା । ହରେନ୍ଦ୍ର ବାବୁ ଡିପୋଟିଙ୍କ ଗୋଟିଏ ବୋଲି ପୁଅ ସେ । ତାଙ୍କ ବାପା ବର୍ତ୍ତମାନ ସମ୍ୱଲପୁରରେ ଅଛନ୍ତି । କଲେଜରେ ପାଠ ପଢ଼ିବା ପାଇଁ ପ୍ରମୋଦ ଏଠାରେ ଥାଏ । ତାର ପଢ଼ାପଢ଼ିର ସୁବିଧା କରି ଦେବା ପାଇଁ ଥାଆନ୍ତି ଗୋଟିଏ ପୂଝାରୀ ଓ ଜଣେ ଚାକର ।

ହରେନ୍ଦ୍ର ବାବୁ ତାଙ୍କର ମାସିକ ୯୦୦ ଟଙ୍କା ଦରମାରୁ ପୁଅର ଖର୍ଚ୍ଚ ପାଇଁ ଶହେ ଟଙ୍କା ପଠାନ୍ତି; ଏତକ କାଳେ ପୁଅ ପାଇ ଯଥେଷ୍ଟ ହେବ ନାହିଁ ବୋଲି ଲୁଚା ଚୋରାରେ ବୋଉ ପଠାନ୍ତି ଆହୁରି କିଛି କିଛି, ଏହି ଧାରାରେ ପ୍ରମୋଦର ସମୟ କଟେ ।

ତିନିଦିନ ପରେ ସକାଳଟା ଆସିଲା ସଜ ଫୁଟିଲା ପଦ୍ମ ଫୁଲ ପରି । ପ୍ରମୋଦ ସାଇକେଲ ଖଣ୍ଡ ଧରି ବାହାରି ପଡ଼ିଲା ଲୀଳାଙ୍କ ଘର ଆଡ଼କୁ ।

ପଢ଼ାଘର ଟେବୁଲ ପାଖରେ ଲୀଳା ବସି ଖଣ୍ଡେ ବଙ୍ଗଳା ମାସିକପତ୍ରରୁ ଗଳ୍ପଟାଏ ପଢ଼ୁଥିଲା । ପ୍ରମୋଦ ଆସିବାର ଦେଖି ମଧ୍ୟ ସେ ଗମ୍ଭୀର ଭାବରେ ପଢ଼ିବା ଉପରେ ମନୋନିବେଶ କଲାପରି ରହିଲା ।

ପ୍ରମୋଦ ଖଣ୍ଡେ ଚଉକି ଟାଣି ବସିପଡ଼ି କହିଲା,–‘ସକାଳୁ ଏଡ଼େ ଗମ୍ଭୀର ଭାବରେ ବସିଲେ ଦିନର ପାଗଟା ଖରାପ ହେବ ବୋଲି ସୂଚନା ମିଳେ । ଆଛା, ଗଲା ତିନିଦିନ କେମିତି କଟିଲା ?’

ଲୀଳା ସେହି ପତ୍ରିକା ଉପରେ ଦୃଷ୍ଟିନିବଦ୍ଧ କରି କହିଲା,–‘ଭଲରେ ।’

 

ପ୍ରମୋଦ ଟେବୁଲ ଉପରୁ ଖଣ୍ଡେ ବହି ଟାଣି ଆଣି ସେ ଆଡ଼କୁ ଦୃଷ୍ଟିଦେଇ ପୁଣି କହିଲା, ଭଲରେ ତ ନିଶ୍ଚୟ; କିନ୍ତୁ ମାନସିକ ଅବସ୍ଥାଟା ଖୁବ୍‌ ଭଲରେ ଥିବା ପରି କାହିଁକି ମୋର ମନ ହେଉ ନାହିଁ ।

 

ଲୀଳା ପତ୍ରିକା ଖଣ୍ଡ ହଠାତ୍‌ ବନ୍ଦକରି ଟେବୁଲ ଉପରେ ଥୋଇ ଦେଇ କହିଲା, ‘ଦେଖନ୍ତୁ ପ୍ରମୋଦ ବାବୁ, ଆପଣ ତ ତର୍କ ଆରମ୍ଭ କରୁଛନ୍ତି; କିନ୍ତୁ ଗତ ତିନି ଦିନ ଏ ଆଡ଼େ ଯେମିତି ପବନ ବୋହୁଥିଲା, କୁଆଡ଼େ କଅଣ ହୋଇ ଯାଇଥିବ ବୋଲି ଆପଣ ଭାବୁଛନ୍ତି କି ?’

 

ପ୍ରମୋଦ ବେପରୁଆ ଭାବରେ କହିଲା, ‘କୁଆଡ଼େ କଅଣ’ ହୋଇଥିବ, ସେ କଥା ଭାବିଲେ ବା ମୋ ଦ୍ୱାରା କଅଣ ହେବ ? ସେଥିପାଇଁ ସେ କାମଟା ଆଡ଼କୁ ନିଘା ଦେଲି ନାହିଁ । ଏଇଠି ଯଦି କେମିତି କଅଣ ହୋଇ ଯାଇ ଥାଆନ୍ତା, ଆମ ଅବସ୍ଥା କଅଣ ହୁଅନ୍ତା, ସେହିକଥା ଭାବି ଏ ତିନି ଦିନ ତିନି ରାତି କଟାଇଛି ।

 

ଲୀଳା କହିଲା, ‘ଅର୍ଥାତ୍‌ ଆପଣ କେବଳ ନିଜ କଥା ଭାବୁଥିଲେ ?

 

‘ପର କଥା ଭାବିବାର ଅବସର କାହିଁ ? ତେବେ ଏତିକି କହିଲେ ଯଥେଷ୍ଟ ହେବ ଯେ, ମୁଁ ନିଜ କଥା ଭାବିବା ସଙ୍ଗେ ସଙ୍ଗେ ନିଜ ସହିତ ଯେଉଁ ମାନଙ୍କର ଟିକିଏ ହାର୍ଦିକ ସମ୍ୱନ୍ଧ ଅଛି । ସେମାନଙ୍କ କଥା ମଧ୍ୟ ଭାବୁଥିଲି ।’

 

‘ଏଇଟା ଠିକ୍‌ ନୁହେଁ । ଆପଣ ଖବରକାଗଜ ପଢ଼ିଛନ୍ତି ?’

 

‘ନା, ସେ ଦିଗରେ ବୃଥା ସମୟ ନଷ୍ଟ କରିବା ଅଭ୍ୟାସ ମୋର ନାହିଁ । ରବିବାର ଦିନର କାଗଜରେ ‘ପୀଠ ଓ ପଟ’ ଅଂଶଟା ରୀତିମତେ ପଢ଼ି ଥାଏ । ତା ଛଡ଼ା କେଉଁଠି କଅଣ ହେଲା, କିଏ କଅଣ କଅଣ କଲା,କିଏ କଅଣ କହିଲା, ସେ ସବୁ ନେଇ ମୁଣ୍ଡ ଖେଳାଇବା ଦିଗରେ ଶକ୍ତି ଖର୍ଚ୍ଚ କରିବାଟାକୁ ମୁଁ କୌଣସି ଦିନ ପସନ୍ଦ କରିପାରେ ନାହିଁ ।’

 

‘ଆଛା, ଏଇ ଯେ ତିନି ତିନି ଦିନ ଏପରି ଝଡ଼ ହେଲା ଏହା ଯଦି ଓଡ଼ିଶାର ଆଉ କେଉଁ ଆଡ଼େ ଖୁବ୍‌ ଜୋରରେ ବହିଥିବ, ତେବେ କି କ୍ଷତି କରିଥିବ, ଏହା ଆପଣ ଜାଣିବାକୁ ଚାହାନ୍ତି ନାହି-?’

 

‘ଧର, ମୁଁ ଚାହେଁ । ଚାହିଁଲେ ଲାଭ କଅଣ ? ଧର ଓଡ଼ିଶାର ଗୋଟାଏ ଆଡ଼ରେ ଖୁବ୍‌ କ୍ଷତି ହୋଇଛି । ସେଥିରେ ବା ମୁଁ କରିବି କଅଣ ? ସେ ସବୁର ଦେଖାଶୁଣା କରିବା ପାଇଁ ସରକାର ରହିଛି । ମୁଁ ତ ମୋର ସବୁ ବିଷୟ ଦେଖାଶୁଣା କରିପାରୁ ନାହିଁ–କରିବାକୁ ବେଳ ଅଣ୍ଟୁ ନାହିଁ । ଏଇ ଧର ନା, ଗତ ତିନିଦିନ ତମେ କେମିତି କଟାଇଛ, ତାହା ଜାଣିବା ମୋର ଗୋଟାଏ କର୍ତ୍ତବ୍ୟ; ଗତ ତିନି ଦିନକାଳ ଖଟ୍ଟାଙ୍ଗ ପୁରାଣର ସେବାକରି ସେ କଥା ଜାଣିବା ପାଇଁ ତମ ପାଖକୁ ଆସିଲା କ୍ଷଣି ତମେ ତମ କଥା ନ କହି ବଡ଼ ବଡ଼ ଘଟଣା ବଡ଼ ବଡ଼ ବ୍ୟାପାର ଆଣି ମୋ ଆଗରେ ଥୋଉଛ ।’

 

ଲୀଳା ହସି ପକାଇଲା । ଦୁଃଖ ତାର ଲୋକଙ୍କ ପାଇଁ ନୁହେଁ; ଆଶଙ୍କା ତା’ର ପର ଦୁଃଖ ପାଇଁ ନୁହେଁ; ଦେଶପ୍ରେମର ବାହାନା କରିବା, ଦୁଃଖୀଙ୍କ ପ୍ରତି ସମବେଦନା ଦେଖାଇବା ତଥାକଥିତ ଭଦ୍ର ସମାଜର ଗୋଟାଏ ଫେସନ୍‌ । ସେହି ଫେସନ୍‌ର ଗୋଟାଏ ସୂକ୍ଷ୍ମ ଅଭିନୟ ଲୀଳା ପ୍ରମୋଦ ଆଗରେ ଆଗତ କଲା; କିନ୍ତୁ ପ୍ରମୋଦର ସରଳ ସ୍ୱାର୍ଥପରତା ଆଗରେ ତାହାର ବା ମୂଲ୍ୟ କେତେ-? ପ୍ରମୋଦ ଜାଣେ, ଲୀଳାର ଏ ପରାର୍ଥ କାତରତାରେ ଆନ୍ତରିକତାର ଲେଶମାତ୍ର ନାହିଁ । ସ୍ୱାର୍ଥପରତା ଉପରେ ଗୋଟାଏ ବୈରାଗ୍ୟର ଛାପା ମାରି ତାକୁ ଅଧିକ କାର୍ଯ୍ୟକ୍ଷମ ଆହୁରି ତୀବ୍ର କରିବା ଏହାର ଉଦ୍ଦେଶ୍ୟ । ସେଥିପାଇଁ ସେ ନିଜର କଥାଟାକୁ ସରଳ ଭାବରେ କହିବାରେ ସଂକୁଚିତ ହୋଇ ନ ଥିଲା ।

 

ଲୀଳା ଓ ପ୍ରମୋଦ ଦୁହେଁ କଲେଜର ଫୋର୍ଥୟାରରେ ପଢ଼ନ୍ତି । ସୁଖ ଓ ବିଳାସ ବ୍ୟସନମୟ ଜୀବନ ସେମାନଙ୍କର ଲକ୍ଷ୍ୟ । କଲେଜର ଶିକ୍ଷା କେବଳ ସେଇଥିପାଇଁ ତାଙ୍କୁ ପ୍ରସ୍ତୁତ କରୁଛି । ଅତି ସାଧାରଣ ସମୟରେ ଦେଶରେ ଯେ ବିକଟ ଦୁଃଖଦୈନ୍ୟର ଦୈନନ୍ଦିନ ଲୀଳା ଲାଗିଥାଏ, ତାର କୌଣସି ପ୍ରକାର ପ୍ରଭାବ, କୌଣସି ଆକାରର ପ୍ରତିକ୍ରିୟାର ପ୍ରବେଶ ପାଇଁ ସେମାନଙ୍କ ପକ୍ଷରେ ଫାଟକ ବନ୍ଦ; କଲେଜ ଭିତରକୁ ପ୍ରବେଶ ନିଷେଧ । ଦୁଃଖୀର ପିଲା କଲେଜ ପାଖ ହୋଟେଲ ନିକଟରେ ପଡ଼ିଥିବା ଅଇଁଠା ପତ୍ରରୁ ଗୋଟି ଗୋଟି ଭାତ ଗୋଟାଉ ଗୋଟାଉ କଲେଜର ବିରାଟ ପ୍ରକାର ଆଡ଼କୁ ଦୃଷ୍ଟି ଦିଏ, ଆଉ ଭାବେ ଏଠାରେ ତା ପିଲା ଦିନରେ ଶୁଣିଥିବା ଗଳ୍ପର ରଜାପୁଅମାନେ ରହନ୍ତି । ପାଖ ଗଛ ମୂଳରେ ବସି ସେ କଲେଜ ହତା ଆଡ଼କୁ ଚାହିଁ ରହେ; ଦେଖେ ନାନା ପ୍ରକାରର ସୌଖୀନ ବେଶପୋଷାକ ପିନ୍ଧି କଲେଜ ଛାତ୍ରମାନେ ବୁଲୁଥାନ୍ତି । ଛୁଟିବେଳେ କଲେଜ ପିଲାଏ ଚାଲି ଯାଆନ୍ତି; ବାଟ କଡ଼ରେ ଏହି ଭୋକିଲା, ଛିଣ୍ଡା କନା ଖଣ୍ଡେ ପିନ୍ଧିଥିବା, ରୁଖିଲା ଶୁଖିଲା ମଣିଷ ପିଲାଟି ଯେ ପଡ଼ିଛି, ସେ ଦିଗକୁ ସେମାନଙ୍କର ଦୃଷ୍ଟି ପଡ଼େ ନାହିଁ-। ଆଉ ଯଦି ପଡ଼େ, ତେବେ ସେମାନଙ୍କ ମନରେ ଘୃଣାର ଉଦ୍ରେକ ହୁଏ । ଏମାନଙ୍କର ସହାନୁଭୂତିର ଶକ୍ତିକୁ ପଙ୍ଗୁ କରିଦେବା ପାଇଁ ବର୍ତ୍ତମାନ ଶିକ୍ଷା, କଲେଜ ଶିକ୍ଷାରେ ମୂଳରୁ ବ୍ୟବସ୍ଥା ହୋଇଛି । ଏମାନଙ୍କର ଭାବିବା ଶକ୍ତିକୁ ଲୋପ କରିବା ଏ ଶିକ୍ଷାର ଉଦ୍ଦେଶ୍ୟ ! ଏ ଉଦ୍ଦେଶ୍ୟ ଚରମ ଆକାରରେ ସଫଳ ହୋଇଛି । ଏ ଶିକ୍ଷା ଏ ଦେଶର ମନୁଷ୍ୟ ଶ୍ରେଣୀ ଭିତରେ ସୃଷ୍ଟି କରିଛି ଅତି ଉତ୍କଟ, ଅତି ହିଂସ୍ର, ଅତି ଆଶ୍ଚର୍ଯ୍ୟ ଧରଣର ଗୋଟାଏ ଜାତିର ଜୀବ । ଏମାନେ ଦେଶର ପିଲା ହୋଇ ମଧ୍ୟ ବିଦେଶୀ ଭାବାପନ୍ନ ହୋଇ ଯାଆନ୍ତି; ଆଉ ସେଥିରେ ଗର୍ବ ଅନୁଭବ କରନ୍ତି । ଏମାନଙ୍କଠାରେ ଯଦି ମନୁଷୋଚିତ ଚିନ୍ତାଶକ୍ତି ଖୁବ୍‌ ଅଳ୍ପ ପରିମାଣରେ ଥାଆନ୍ତା, ତେବେ ସେମାନେ ସହଜରେ ଅନୁଭବ କରିପାରନ୍ତେ ଯେ, କେଉଁ ଯୁଗରେ ସେମାନେ ଅଛନ୍ତି । ଦେଶରେ ଯେପରି ଦୁଃଖ, ଯେପରି ଦୈନ୍ୟ, ଯେପରି ଅନ୍ୟାୟ, ଯେପରି ଅତ୍ୟାଚାର ପୂରିରହିଛି, ଏ ଦେଶର ଶିକ୍ଷା ଯଦି ପ୍ରକୃତ ଶିକ୍ଷା ହୁଅନ୍ତା, ଏ ଶିକ୍ଷା ଯଦି ଶିକ୍ଷିତଙ୍କ ମନରେ ପ୍ରକୃତ ଚିନ୍ତାଶକ୍ତି ଉନ୍ନେଷିତ କରନ୍ତା, ତେବେ ଏ ଦେଶରେ ଏକା ଦିନକେ ଭୀଷଣ ଓଲଟ ପାଲଟ ଘଟି ଯାଆନ୍ତା ।

 

ଲୀଳା ଓ ପ୍ରମୋଦ ଶିକ୍ଷାର ଚରମ ଶ୍ରେଣୀରେ ଉପନୀତ ହୋଇଛନ୍ତି । ସେଥିପାଇଁ ସେମାନଙ୍କଠାରେ ଶିକ୍ଷାର ଚରମ ହୃଦୟହୀନତା ଯଦି ବ୍ୟକ୍ତ ହେଉଥାଏ, ତେବେ ଦୋଷ ସେମାନଙ୍କର ନୁହେ, ଦୋଷ ସେମାନଙ୍କ ପରିସ୍ଥିତିର ।

 

ଲୀଳା ହସିଲା, ହସି ହସି କହିଲା, ‘ଆଛା ବଡ଼ ବଡ଼ କଥା କହି ଦୋଷ କରିଛି, ମାଫ୍‌ କରନ୍ତୁ; କିନ୍ତୁ ପ୍ରମୋଦ ବାବୁ, ହଠାତ୍‌ ଏଡ଼େ ସକାଳେ ପହଞ୍ଚିଗଲେ କାହିଁକି ?’

 

ପ୍ରମୋଦ ଗମ୍ଭୀର ଭାବରେ କହିଲା, ‘କି ଦୁଶ୍ଚିନ୍ତା ଭିତରେ ଯେ ଗତ ତିନିଟା ଦିନ କଟିଛି ତାହା ତମେ କଳ୍ପନା କରି ପାରିବ ନାହିଁ । ଏତକ ବୁଝି ପାରୁ ନା, ଲୀଳା ?

 

‘ନିଶ୍ଚୟ, କିନ୍ତୁ ଦୁଶ୍ଚିନ୍ତାଟାର କାରଣ ? ଦୁଶ୍ଚିନ୍ତାର ଉପଲକ୍ଷ ?’

 

‘ଆଃ ସେତକ ଯଦି ତୁମକୁ ବୁଝାଇବା ଦରକାର ପଡ଼େ, ତେବେ ତାହାଠାରୁ ସେ ବିଷୟରେ ଚେଷ୍ଟା ନ କରିବା ମୋ ପକ୍ଷରେ ଉଚିତ । ଆଛା, ମିସ୍‌ ମହାନ୍ତି, ‘ଶିକ୍ଷା କଅଣ ନାରୀ ହୃଦୟର କୋମଳତାକୁ ନଷ୍ଟ କରିଦିଏ ? ଲଜିକ୍‌, ହିଷ୍ଟ୍ରି ର ବଡ଼ ବଡ଼ ବହିର ଚାପାରେ କଅଣ ହୃଦୟର ସୂକ୍ଷ୍ମ ପ୍ରବୃତ୍ତିଗୁଡ଼ିକ ଭାରାକ୍ରାନ୍ତ ହୋଇ ଅକର୍ମଣ୍ୟ ହୋଇ ପଡ଼ନ୍ତି ?’

 

‘ପ୍ରମୋଦ ବାବୁ, ଦେଖୁ ଛି ଆପଣ ଯେ ରୀତିମତେ ସାହିତ୍ୟିକ ବକ୍ତୃତା ଆରମ୍ଭ କଲେ । ଆଜିକାଲି ସିନେମା ଛାଡ଼ି ଥିଏଟର ଆଡ଼କୁ ବୋଧହୁଏ ଆପଣଙ୍କର ଦୃଷ୍ଟିଟା ବେଶୀ ପଡ଼ିଛି । ଏ ଯେଉଁ ଉଚ୍ଚ ଧରଣର ନାଟକୀୟ ଭାଷା, ତାହା ଏ ଦିଗକୁ ଇସାରା ଦେଉ ନାହିଁ କି ?’

 

‘ମିସ୍‌ ମହାନ୍ତି !’

 

‘ଆଜ୍ଞା ହଁ ! ହୃଦୟ, କୋମଳତା, ପ୍ରବୃତ୍ତି, ଏଇଗୁଡ଼ାକୁ ନେଇ ତ ଓଡ଼ିଆ ନାଟକ । ନା, ପ୍ରମୋଦ ବାବୁ ?’

 

ପ୍ରମୋଦ ଆହୁରି ଗମ୍ଭୀର ହୋଇଗଲା । ସେ କିଛି ଉତ୍ତର ଦେଲା ନାହିଁ ।

 

ଲୀଳା ହସି ହସି କହିଲା, ‘କଥା କହୁ ନାହନ୍ତି ଯେ ? ଆଛା, ଆପଣ ପ୍ରେମ ନିବେଦନର ଯେଉଁ ଅଭିନୟଟା ଆରମ୍ଭ କଲେ ତାହା ଆପଣଙ୍କ ପକ୍ଷରେ କହିବା ଯେପରି ନୂତନ ନୁହେଁ, ମୋ ପକ୍ଷରେ ଶୁଣିବା ସେହିପରି ନୂତନ ନୁହେଁ । ଏଗୁଡ଼ା ତ ଆମ ଜୀବନର ସାଧାରଣ ଅଙ୍ଗ । ଏଗୁଡ଼ାକୁ ଧରି, ତାକୁ ବଡ଼ ବଡ଼ କଥାର ଆକାର ଦେଇ, ଗୋଟାଏ ଜରୁରୀ ବା ଗୁରୁତର ବିଷୟ ରୂପେ ଚିତ୍ରିତ ନ କଲେ ଅଣ ଆପଣମାନଙ୍କର ମନ ସନ୍ତୁଷ୍ଟ ହୁଏ ନାହିଁ ?’

 

ପ୍ରମୋଦ ଅପ୍ରତିଭ ହୋଇ ପଡ଼ିଲା, କହିଲା; ‘‘ହୃଦୟର କଥାଟା ଯେତେବେଳେ ମୁହଁବାଟେ ବାହାରିବାକୁ ଚେଷ୍ଟା କରେ ସେତେବେଳେ ତାହା ଯଦି ଜଣାଶୁଣା ସାହିତ୍ୟକ ଭାଷାରେ ବାହାରି ପଡ଼େ, ତେବେ ସେ ଦୋଷ ଆମ ହୃଦୟର, ଆମର ନୁହେଁ ।’’

 

ଲୀଳା ହସି ହସି କହିଲା, ‘‘ଅର୍ଥାତ୍‌ ଆମପରି ନାରୀମାନଙ୍କ ଉଦ୍ଦେଶ୍ୟରେ ଆପଣମାନଙ୍କ ପରି ପୁରୁଷର ହୃଦୟ ବୋଲି ଯାହାକୁ କହନ୍ତି ସେ ଜିନିଷଟା କେବଳ ସାହିତ୍ୟିକ ଭାବଧାରା ସୃଷ୍ଟି କରୁଛି; ଆଉ ସେ ଭାବ ସାହିତ୍ୟିକ ଭାଷା ଆକାରରେ ଫୁଟି ଉଠୁଛି, ନା ?’

 

ପ୍ରମୋଦ ଉଠିପଡ଼ି କହିଲା, ‘‘ଦେଖ ମିସ୍‌ ମହାନ୍ତି, ମନୁଷ୍ୟର ହୃଦୟକୁ ଘେନି ଖେଳିବା ଭଲ ନୁହେ, ତାର ହୃଦୟର ଅଭିବ୍ୟକ୍ତିକୁ ବ୍ୟଙ୍ଗ ବିଦ୍ରୁପ କରିବା ଉଚିତ ନୁହେଁ ।’’

 

ପ୍ରମୋଦ ଘରୁ ବାହାରି ଚାଲିଗଲା ।

 

ଲୀଳା ସେ ଆଡ଼କୁ ଚାହିଁଥାଏ । ତା ମୁହଁରେ ଫୁଟି ଉଠୁଥାଏ ସୂକ୍ଷ୍ମ ସ୍ମିତ ହାସ୍ୟର କ୍ଷୀଣ ରେଖା ଖଣ୍ଡେ ।

 

ଛଅ

 

ପଧାନପଲ୍ଲୀର ଅନ୍ୟାନ୍ୟ ଲୋକପରି ଦୀନବନ୍ଧୁ ଜଙ୍ଗଲରୁ ଡାଳପତ୍ର ଗୋଟାଇ ଆଣି ତା ଡିହରେ ପଲା ଖଣ୍ଡେ ମାରିଲା । ଏହା ହିଁ ବର୍ତ୍ତମାନ୍‌ ତାର ବାସଗୃହ । ସମ୍ୱଳ ଭିତରେ ରହିଛି ଦୁଇ ତିନିଟା ପୁରୁଣା ହାଣ୍ଡି ମାଠିଆ । ବିକା ଭଙ୍ଗା କରି ଯାହା ଯେତେବେଳେ ଯୁଟେ ଦୁଇ ତିନି ଦିନରେ ମୁଠାଏ ଫୁଟାଇ ଦୁଇପ୍ରାଣୀ ମୁହଁରେ ଦିଅନ୍ତି, ସେ କୁଡ଼ିଆ ଖଣ୍ଡକରେ ପଡ଼ି ରହନ୍ତି ।

 

ଦୀନା ସାରିଆକୁ ଚାହେଁ ସାରିଆ ଦୀନାକୁ ଚାହେଁ, ଆଉ ଦୁହେଁ ଦୁହିଙ୍କର ଚେହେରା ଦେଖି ଦୁହିଙ୍କର ଅନ୍ତରାତ୍ମା ଶୁଖିଯାଏ । ଦୁହେଁ ଭାବନ୍ତି, ଏମିତି କେତେଦିନ ଚଳିବ ?

 

ଏ ସବୁ ଚିନ୍ତା ସେମାନଙ୍କୁ ଯେତେ ବାଧେ ନାହିଁ, ସେତେ ବାଧେ ଛୁଆଟା ଚିନ୍ତା । କେମିତି ଏ ଖଣ୍ଡିକୁ ସେମାନେ ଏ ବିରାଟ କୁଶୀଳା x x x x ମୁହଁରୁ ବଞ୍ଚାଇ ରଖିବେ ? ବର୍ଷକ ପୂର୍ବେ ପିଲାଟା ଯେତେବେଳେ ତାଙ୍କ ଘରେ ଜନ୍ମ ହୋଇଥିଲା, ସେତେବେଳେ କି ଆନନ୍ଦ ଖେଳି ଯାଇ ନ ଥିଲା ସେ ଦୁହିଙ୍କ ମନରେ ? ଏ ପିଲାଟିର ଭବିଷ୍ୟତ୍‌ ବିଷୟରେ କେତେ ଆଶା ସେମାନଙ୍କ କଳ୍ପନାରେ ସ୍ଥାନ ପାଇ ନ ଥିଲା ? ସାରିଆ କହେ, ପିଲାଟିକୁ ପାଠ ପଢ଼ାଇବା, ସେ ବ୍ରହ୍ମପୁରରେ ହାକିମ ହୋଇ ବସିବ; ସେତେବେଳେ ଦୀନା ଆଉ ସାରିଆର କି ଗର୍ବ ନ ହେବ ? ଗାଆଁ ଲୋକେ ସେମାନଙ୍କୁ କେତେ ମାନିବେ, କେଡ଼େ ଆଦରଯତ୍ନ କରିବେ । ଦୀନା କହେ, ନା, ହାକିମ ହୁକୁମା ହେବା ଦରକାର ନାହିଁ, ସେଥିରେ ଦୁଃଖୀ ରଙ୍କୀଙ୍କ ଆଡ଼କୁ ନଜର ରହେ ନାହିଁ, ଗାଆଁ ଲୋକଙ୍କ ସହିତ ସମ୍ବନ୍ଧ ରହେ ନାହିଁ, ଗାଆଁଟାକୁ ଭଲ ଲାଗେ ନାହିଁ । ବୁଝିଲ, କେବଳ ସେତିକି ନୁହେଁ; ହାକିମ ହୁକୁମାମାନେ ଗରିବଙ୍କ ଉପରେ ଜୁଲମ କରନ୍ତି, ସେମାନଙ୍କ ଉପରେ ଗରିବଙ୍କ ନିଃଶ୍ୱାସ ପଡ଼େ । ଏଇଟା ବଡ଼ ଖରାପ କଥା । ନା,ଆମ ପିଲାଟା ହାକିମ ହୁକୁମା ହେବ ନାହିଁ, ସେ ହେବ ବଡ଼ ଚାଷୀଟାଏ । ତାର ବାଟିଏ ଜମି ଥିବ, ଦୁଆରେ ପାଞ୍ଚହଳ ବଳଦ ବନ୍ଧା ହୋଇଥିବେ, ଗୁହାଳରେ ଥିବ ପୁଞ୍ଜାଏ ଢଣୁଆ ଗାଈ, ବର୍ଷ ପାହିଲେ ଖଳାରେ ୫୦ ଶଗଡ଼ ଧାନ ଜମା ହେଉଥିବ । ଆମ ପିଲାଟାର ଦେହରେ ଥିବ ଚାରିଟା ମଣିଷର ବଳ, ଲଙ୍ଗଳ ଧରିଲେ ଏକା ନିଃଶ୍ୱାସରେ ଦି ପାଆ ଜମିରେ ଗାର ପକାଇ ପାରୁଥିବ, କୋଡ଼ି ଧରିଲେ ଓଳିକରେ ଚାରିଗୁଣ୍ଠ ମାଟି କାଟି ପକାଇ ପାରୁ ଥିବ, ଦାଆ ଧରିଲେ ଦିନକରେ ଦି ଶଗଡ଼ କଳେଇ ବାନ୍ଧି ଆଣୁଥିବ, ତାକୁ ଦେଖିଲେ ହଁ, ଗୋଟାଏ ମଣିଷ ପରି ମଣିଷ ବୋଲି ପାଞ୍ଚଜଣ ଭାବୁଥିବେ । ଦୀନାର ଏ ସବୁ କଳ୍ପନା ଆଜି ଧୂଳିରେ ମିଶିଯିବାକୁ ବସିଛି ।

 

ପିଲାଟିକୁ ମଣିଷ ପରି ଗଢ଼ିବ ବୋଲି ଗାଈଟାର କ୍ଷିରରୁ ସେ ଦିନେ ହେଲେ ଟୋପାଏ ଛୁଇଁ ନଥିଲା । କି କାଳ ବତାସ ଆସିଲା, ଗୁହାଳ କାନ୍ଥ ପଡ଼ି ଗାଈଟା ମଲା, ତା ସାଙ୍ଗେ ସାଙ୍ଗେ ବଳଦ ଦୁଇଟା ମଧ୍ୟ ଗଲେ ।

 

ଘର ଗଲା, ଘରର ସବୁ ଜିନିଷ ପତ୍ର ଭାଙ୍ଗିଚୁରି ଗଲା । ଆଉ ଦି’ମାସ ଚଳିବାପାଇଁ ଯେଉଁ ତକ ଧାନ ସେ ଡୋଲିରେ ରଖିଥିଲା, ତାହା ମଧ୍ୟ ମାଟିରେ ମିଶିଗଲା । ମାଟି କାଦୁଅ ଭିତରୁ ଗୋଟେଇ ସାଉଁଟି ଯେଉଁ ତକ ଧାନ ଆଣିଥିଲା, ସେଥିରେ ଆଠ ଦଶ ଦିନ ଚଳିଲା । ତାପରେ ଭଙ୍ଗା କଂସାବାସନ ବିକି ଚାଉଳ କିଣି ଖାଇଲା । ପଲାଖଣ୍ଡ ବାନ୍ଧିବା ପାଇଁ ସାରିଆର ଖଡ଼ୁ ଦି ପଟ ଗଲା । ବର୍ତ୍ତମାନ ହଳ ନାହିଁ, ହଡ଼ା ନାହିଁ, ବିଲରେ ଧାନ ନାହିଁ, ଘରେ ଚାଉଳ କିଣି ଖାଇବା ପାଇଁ ଆଉ କିଛି ଜିନିଷପତ୍ର ନାହି । ଏବେ ସେ କେମିତି ବଞ୍ଚିବ, ତାର ସାରିଆକୁ, ତାର ପିଲାଟିକୁ କେମିତି ବଞ୍ଚାଇବ, ତାକୁ କିଛି ବାଟ ଦିଶୁନାହିଁ । ଆଉ ଯେ ଆସନ୍ତା ବର୍ଷ ବେଳକୁ ବଞ୍ଚିବର୍ତ୍ତି ପରିଶ୍ରମ କରି, ହଡ଼ା କିଣି, ମୂଲ ବିହନ ଖରଚ କରି ପୁଣି ଚାଷ କରିବ ଏ ଆଶା ମଧ୍ୟ ନାହିଁ । ସେ କରିବ କଅଣ ? ସେ ଚଳିବ କେମିତି ?

 

ସେତେବେଳକୁ ତିନିଦିନ ଖାଡ଼ାଖାଡ଼ ଉପାସ । ସାରିଆ ବଣକୁ ଯାଇ ଗୁଡ଼ାଏ ଅନାବନା ଶାଗ ତୋଳି ଆଣିଥିଲା; ତାହା ମଧ୍ୟ ଜଣକ ପାଇଁ ଯଥେଷ୍ଟ ନୁହେଁ । ଗାଆଁର ସବୁ ଲୋକ ତ ସକାଳ ପାହିଲେ ସେ ସବୁ ଘାସପତ୍ରକୁ ଖୁଣ୍ଟି ଆଣୁଛନ୍ତି; କେତେ ଗଜରିବ ଯେ ତାହା ଯଥେଷ୍ଟ ହେବ ସାରା ଗାଆଁଟା ପାଇଁ ? ଓଳିଏ କାଳ ଖୁଣ୍ଟି ଖାଣ୍ଟି ସାରିଆ ଯେଉଁତକ ଶାଗ ଆଣିଥିଲା ସେତକ ସିଝାଇ ଦୀନା ଆଗରେ ଥୋଉଦେଲା । ସେଥିରୁ ଦି ମେଞ୍ଚା ପାଟିରେ ଦେଇ ସେ ପେଟେ ପାଣି ପିଇଲା । ସାରିଆ ପିଲାଟିକୁ ନେଇ ବାହାର ପଟେ ବସି ରହିଲା । ତିନି ଦିନ ତିନି ରାତି ଉପାସ, ଆଜି ମଧ୍ୟ କିଛି ଖାଦ୍ୟ ମିଳିବାର ଆଶା ନାହି । ସାରିଆ ପିଣ୍ଡାରୁ ଆଉ ଉଠି ପାରିଲା ନାହିଁ ।

 

ପିଲାଟା ଯଦି ଭୋକ ବିକଳରେ କାନ୍ଦି କାନ୍ଦି ଆଲିଜା ହୋଇ ପଡ଼ି ନ ଥାନ୍ତା ତାହା ହେଲେ ଦୀନା ଓ ସାରିଆକୁ ଏ ଦୁଃଖ ସେତେ ବାଧନ୍ତା ନାହିଁ । ତାଙ୍କର ଆଗରେ ମୁନ୍ଦାଏ ପେଜ ନ ପାଇ ଯେ ପିଲାଟା ମରିବାକୁ ବସିଛି, ବାପ ମା ହୋଇ ସେମାନେ ତାହା ସହିବେ କିପରି ?

 

କୁଡ଼ିଆ ଭିତରେ ଦୀନା ଛିଣ୍ଡା ହେଁସ ଖଣ୍ଡେ ପାରି ଗଡ଼ିବାକୁ ଯାଉଥିଲା । ତିନିଦିନର ଉପାସରେ ତାର ଅଣ୍ଟା ଭାଙ୍ଗି ପଡ଼ୁଥିଲା; ଛିଡ଼ା ହେବାପାଇଁ ବଳ ପାଉ ନ ଥିଲା । ହଠାତ୍‌ ସେଠାରୁ ଉଠି କୁଆଡ଼କୁ ଦୃଷ୍ଟି ନ ଦେଇ ପଧାନଙ୍କ ଭଙ୍ଗାପିଣ୍ଡା ପାଖରେ ଯାଇ ପହଁଞ୍ଚିଲା ।

 

ସୀମାଦ୍ର ପଧାନେ ଘର ଭିତରେ ବସି ଖାତା ଲେଉଟାଉ ଥିଲେ; ଦୀନାକୁ ଦେଖି ପିଣ୍ଡାକୁ ବାହାରି ଆସି କହିଲେ, ‘କିରେ ଦୀନା, ଏତେବେଳେ କୁଆଡ଼େ ?’

 

ଦୀନା ପିଣ୍ଡାତଳେ ବସିପଡ଼ି କହିଲା, ‘ସାହୁକାରେ, ଆଉ କଅଣ ଛୁଆଟାକୁ ବଞ୍ଚାଇ ପାରିବି ନାହିଁ ? ତିନି ତିନି ଦିନ ହେଲା, ଖାଡ଼ାଖାଡ଼ା ଉପାସ । ତା ମୁହଁରେ ପେଜ ମୁନ୍ଦାଏ ଦେବି କୁଆଡ଼ୁ ?’

 

ପଧାନେ ସକାଳ ହେଲାଠାରୁ ପୁଣି ସକାଳ ହେଲା ପର୍ଯ୍ୟନ୍ତ ଶହ ଶହ ଥର ଏଇ ଗୋଟାଏ କଥା ଶୁଣୁଛନ୍ତି । ଏହାର ସେ ଗୋଟାଏ ଉତ୍ତର ଠିକ୍‌ କରି ସାରିଛନ୍ତି, ‘ସମସ୍ତଙ୍କୁ ତ ଏହି ଅବସ୍ଥା ଘୋଟିଛି; କଅଣ କରାଯାଏ ? ଭଗବାନଙ୍କ ମାଡ଼, ମଣିଷର କି ହାତ ଅଛି ?’ ଖୁବ୍‌ ନରମ ଭାବରେ ଦୀନାକୁ ପଧାନେ ସେହି କଥା କହିଲେ ।

 

ତାଙ୍କର ମଧ୍ୟ ଚାରା କଅଣ ? ପଧାନଙ୍କର ଯାହା ଚାଷ ଥିଲା, ସେଥିରେ ତାଙ୍କ ପିଲାପରିବାର ବର୍ଷକ ଚଳି ୯।୧୦ ଭରଣ ବଳେ । ଏହାକୁ ହିଁ ସେ ଗାଆଁ ରେ ଦେଢ଼ୀମହାଜନୀରେ ଲଗାନ୍ତି । ତାଙ୍କ ଧାନଘରେ କିଛି ହଜାର ହଜାର ଭରଣ ଧାନ ମହଜୁଦ୍‌ ନ ଥିଲା ଯେ, ସେ ସାରା ଗାଆଁ ର ଲୋକଙ୍କୁ ଚଳାଇ ପାରିବେ । ବିଶେଷତଃ, ଏ ବର୍ଷ ମଧ୍ୟ ତାଙ୍କର ସମୁଦାୟ ଜମିର ଫସଲ ବତାସରେ ବା ଚିଲିକା ବଢ଼ିରେ ମରି ଯାଇଛି । ଆସନ୍ତା ବର୍ଷକ ସେ କେମିତି ଚଳିବେ, ଏହା ତାଙ୍କ ପକ୍ଷରେ ସବୁଠାରୁ ବଡ଼ ଚିନ୍ତା । ପବନବୟାରରେ ତାଙ୍କର ଧାନ ଘର ଭାଙ୍ଗି ପଡ଼ି ଅନେକ ଧାନ ନଷ୍ଟ ହୋଇଯାଇଛି । ତା ପରେ ସାଧ୍ୟ ମତେ ସେ ଗାଆଁ ର ଲୋକଙ୍କୁ ସେରେ ଗଉଣିଏ ବିକି ସାହାଯ୍ୟ କରି ଆସିଛନ୍ତି । ଅବଶିଷ୍ଟ ଯାହା ଅଛି, ତାହା ମଧ୍ୟ ବର୍ଷକ ପାଇଁ ତାଙ୍କୁ ଯଥେଷ୍ଟ ନୁହେଁ । ସେ ବା କରିବେ କଅଣ ?

 

ଦୀନା ନିଜେ ନ ହେଲେ ମଧ୍ୟ ଗାଆଁ ର ଅନ୍ୟ ଲୋକେ ପଧାନଙ୍କଠାରୁ ଠିକ୍ ଏହି ଉତ୍ତର ପାଇଥିବା କଥା ସେ ଶୁଣିଛି । ସେ ଆଜି ଏପରି ଅବସ୍ଥାରେ ପହଞ୍ଚିଛି, ଯେଉଁଠି ତାକୁ ସେରେ ଚାଉଳ ଦରକାର । ସମୁଦାୟ ପୃଥିବୀର ମାଲିକ ଯଦି ସେ ହୋଇଥାନ୍ତା, ତଥାପି ସେରେ ଚାଉଳ ମୂଲ୍ୟରେ ସମୁଦାୟ ପୃଥିବୀକୁ ସେ ଖୁସିରେ ଦେଇ ଦିଅନ୍ତା ।
 

ସେ କହିଲା, ‘ସାହୁକାରେ’ ମୁଁ ଚାଉଳ ସେରେ ମାଗୁ ନାହିଁ କି ଧାନ ପାଞ୍ଚ ଗଉଣୀ ଋଣ ଲୋଡ଼ା ନାହିଁ । ମୁଁ ବର୍ତ୍ତମାନ ବଞ୍ଚି ଯିବାକୁ ଚାହୁଁଛି । ମୋର, ମୋ ପିଲାପରିବାରର ଜୀବ ରହିଲେ ସିନା ଜମିବାଡ଼ି ଘରଦ୍ୱାର କରବି ? ମୁଁ ତୁମର ଦୁଇଭରଣ ଧାନ ଧାରିଛି, ମତେ ଆଉ କିଛି ଚାଉଳ ଦିଅ । ମୋର ସବୁତକ ଜମି ମୁଁ ତମକୁ ଦେଇ ଦେଉଛି ।’

 

ପଧାନେ ବ୍ୟସ୍ତ ହୋଇ ପଡ଼ିଲେ । କହିଲେ, ‘ସବୁତକ ଜମି ତ ମୋତେ ଦେବୁ, ଚଳିବୁ କେମିତି ?’

 

ଦୀନା ଧୀରସ୍ଥିର ଭାବରେ କହିଲା, ‘ସେ ଚିନ୍ତା ବର୍ତ୍ତମାନ ନାହିଁ । ବର୍ତ୍ତମାନ ବଞ୍ଚିତା ଚିନ୍ତା-। ମୁଁ ବଞ୍ଚିଥିଲେ ସିନା ଜମିରେ ଚାଷ କରିବି; ମୁଁ ମଲା ଉତ୍ତାରୁ ମୋର ଜମି କଅଣ ହେବ ? ବଞ୍ଚିଥିଲେ ତମ ଘରେ ମୂଲ ଲାଗି ଖାଇବି; ସେହି ମୂଲ ଦି ପାଆରେ ପିଲାକବିଲାଙ୍କ ମୁହଁରେ ପାଣିତୋରାଣି ମୁନ୍ଦାଏ ଦେବି ।’

 

ଗଡ଼ି ଭିତରେ ଦୀନାର ଜମି ଭଲ, ସେ ଜମିପ୍ରତି ପଧାନଙ୍କର ଅନେକ ଦିନରୁ ଆଖି ଥିଲା । ବର୍ତ୍ତମାନ ଗୋଟାଏ ସୁବିଧା ପଡ଼ିଛି; ସେ ଛାଡ଼ୁଛନ୍ତି କେତେକେ ? ତଥାପି ନିଜେ ଚିହ୍ନା ପଡ଼ି ନ ଯିବାପାଇଁ କହିଲେ, ‘ଦେଖ ବୁଝିବିଚାରି ଯାହା କରିବାର କର । ହଁ, ଏ କଥା ସତ, ଆପେ ବଞ୍ଚିବର୍ତ୍ତି ଥିଲେ ପୁଣି ଜମିବାଡ଼ି ହେବ । ଏ ଦୁର୍ଯ୍ୟୋଗ ଦାଉରୁ ଆଗେ ତୁ ପିଲା ଛୁଆଙ୍କୁ ଧରି ବଞ୍ଚି ଯା । ଗୌଣିଏ ଚାଉଳ ନେଇ ଯା, ତା ପରେ ଯାହା କରିବାର କରିବା ।’

 

ପଧାନେ ଘର ଭିତରକୁ ଗଲେ । ଗୌଣିଏ ଚାଉଳ, ରସିଦି ଟିକିଲି ମରାଥିବା ଖଣ୍ଡେ ଅଲେଖା କାଗଜ, ଟିପ ଦେବା ସରଞ୍ଜାମ ଓ ଦୁଆତ କଲମ ନେଇ ପିଣ୍ଡାକୁ ଆସ କହିଲେ, ‘ଦେ ଏ ଟିକିଲି ପାଖରେ ଗୋଟାଏ ଟିପ ମାଡ଼ି ଦେଇ ଦସ୍ତଖତଟା କରି ଦେ । ଭାବିଚିନ୍ତି ଦେଖ । ମୁଁ କିଛି କହୁ ନାହିଁ, ଏ ବର୍ଷ ନ ହେଲେ ଆରବର୍ଷ ଦେବୁ, ଆରବର୍ଷ ନ ହେଲେ ତା ଆରବର୍ଷ ଦେବୁ ।’

 

ଦୀନା ନିଶବ୍ଦରେ ରସିଦ ଟିକିଲି ପାଖରେ ଟିପଦେଇ ଟିକିଲି ଉପରକୁ ମଡ଼ାଇ ନିଜ ନାଆଁ ଦସ୍ତଖତ କରିଦେଲା; ତା ପରେ ଚାଉଳ ଗୌଣିକ ନିଜ କାନିରେ ବାନ୍ଧି କହିଲା, ‘ସାହୁକାରେ, ସେରେ ଚାଉଳ ପାଇଁ ଯାହାର ସ୍ତ୍ରୀ ବାଳକ ତିନି ତିନି ଦିନ ଭୋକିଲା ଅଛନ୍ତି, ମରିବାକୁ ବସିଛନ୍ତି, ସେ ଆଉ ଭାବିଚ କଅଣ ? ଭାବି ଲାଭ କଅଣ ? ମୁଁ କଅଣ ବୁଝୁ ନାହିଁ ଯେ, ଏ ଗୌଣିକ ଚାଉଳ ପାଇଁ ମୁଁ ମୋର ବାପଗୋସେଇଁ ବାପର ଚାରି ଚାରିମାଣ ସୁନା ଥାଳି ପରି ଜମି ତମକୁ ଦେଇଗଲି-। ଏ ଗୌଣିକରେ କେତେ ଦିନ ଚଳିବ ? ନ ଖାଇ ମରିବାକୁ ତ ହେବ, ଏ କଥା ମୋତେ ସିଧା ସଳଖ ଦେଖା ଯାଉଛି । କଥା ଏତିକି ବାକୀ ରହିଛି, ଜୀଇଁ ଥାଉ ଥାଉ ସାରିଆର ଦୁଃଖ, ଛୁଆଟାର ଦୁଃଖ ଦେଖୁଛି କେତେକେ ? ମୁଁ ଆଗେ ଯାଏଁ, ତାପରେ ସେମାନଙ୍କ ଭାଗ୍ୟ ସେମାନେ ଭୋଗିବେ-?’

 

ନିଶା ଖାଇଲାପରି ଟଳି ଟଳି ସେ ପଧାନ ପିଣ୍ଡା ପାଖରୁ ନିଜର କୁଡ଼ିଆ ଆଡ଼କୁ ଆସିଲା । ତିନି ତିନି ଦିନ ଖାଡ଼ା ଉପାସ–ଏକା ନିଜେ ନୁହେଁ, ତାର ସ୍ତ୍ରୀ, ତାର ବର୍ଷକର ପୁଅ । ସେଥିରେ ସେ ବିଚଳିତ ହୋଇ ନ ଥିଲା । ପୂର୍ବପୁରୁଷର ଜମିଗୁଡ଼ାକ ପଧାନ ହାତକୁ ଟେକି ଦେଇ ଆସି ସେ ମନେ କଲା, ତାର ସଂସାର ସରିଗଲା; ତା ପକ୍ଷରେ ଆଜି ଆକାଶ ପୃଥିବୀ ଶୂନ୍ୟ, ତାର ବର୍ତ୍ତମାନ କିଛି ନାହିଁ, ଭବିଷ୍ୟତ୍‌ ପାଇଁ ବି କିଛି ରହିଲା ନାହିଁ ।

 

ନିଜର ରକ୍ତ ଶୁଖାଇ, ନିଜର ପରିଶ୍ରମ ଦେଇ, ନିଜେ ଗଢ଼ିଥିବା, ବଢ଼ାଇଥିବା, ସନ୍ତାନକୁ ଅଭାବରେ ଉତ୍କଟ ତାଡ଼ନା ସମ୍ମୁଖରେ ବୁଭୁକ୍ଷାର ଯୁପକାଷ୍ଠରେ ନିଜ ହାତରେ ବାନ୍ଧି ନିଜେ ବଳିଦେଇ ଆସି ଲୋକ ଯେପରି ନିର୍ବାକ, ନିର୍ବେଦ, ଭୀଷଣ ଗମ୍ଭୀର ହୋଇପଡ଼େ, ଦୀନାର ଅବସ୍ଥା ଠିକ୍‌ ସେହିପରି ହୋଇଗଲା ।

 

ଏହି ଜମି–ଏ ଗୁଡ଼ିକ ସହିତ ତାହାର ପିଲାଦିନର ସମ୍ପର୍କ । ଏହା ତାର କଲିଜାର ଅଧେ ଅଂଶ ମାଡ଼ି ରହିଥିଲା । ଏହାରି କୋଳରେ ସେ ଲାଳିତପାଳିତ, ଏହାକୁହିଁ ଘେନି ଏ ପର୍ଯ୍ୟନ୍ତ ତାର ଜୀବନ କଟିଯାଇଛି । ଏହି ଜମି–ଦୀନା ପକ୍ଷରେ ଏହା ନିର୍ଜୀବ ମାଟିର କିଆରି ନୁହେଁ; ଜୀବନ୍ତ ଆତ୍ମୀୟ । ଏହାର ପ୍ରତ୍ୟେକ ହିଡ଼, ପ୍ରତ୍ୟେକ ମୋଡ଼, ଏହାର ହିଡ଼ ଉପରେ ଥିବା ପ୍ରତ୍ୟେକ ବେଣାବୁଦା ସହିତ ସେ ପରିଚିତ । ତାର ପିଲାଦିନର କେତେ ସ୍ମୃତି, ବଡ଼ଦିନର କେତେ କଳ୍ପନା, କେତେ ଆଶା, କେତେ ସୁଖ ଦୁଃଖର କଥା ଏହାରି ମାଟି ସହିତ ଜଡ଼ିତ ହୋଇରହିଛି । ସାରିଆ ଯେତେବେଳେ ତାଙ୍କ ଘରକୁ ଆସେ ତାର କେତେ ମଧୁର ସ୍ମୃତିକୁ ହଳ କରିବା ସଙ୍ଗେ ସଙ୍ଗେ ସେ ଏହି ଜମିରେ ଖଣି ପକାଇ ଦେଇ ଯାଇଛି । ଦିନେ ସାରିଆ ତା ଛାତିରେ ହାତବୁଲାଇ କହିଥିଲା, ‘ତମେ ଶୁଖି ଯାଉଛ କାହିଁକି, ଏତେ ଖଟଣି ଖଟ ନା’ । ତହିଁ ଆରଦିନ ହଳ କରୁ କରୁ ସେ କଥା ତାର ମନେ ପଡ଼ିଗଲା, ସେ ହସିଲା । ଯେଉଁଦିନ ତା ଘରେ ପୁଅଟିଏ ଜନ୍ମ ହେଲା, ତହିଁ ଆର ଦିନ ସେ ହିଡ଼ ମୁଣ୍ଡରେ ବସି ଭାବିଥିଲା । ଏ ପୁଅଟି ବଡ଼ ହେଲେ ତାରି ପରି ଏ ଜମି ଚାଷ କରିବ । ଏ ସବୁ କଥା ଏ ଜମିର ପ୍ରତି ଧୂଳିକଣା ସହିତ ଜଡ଼ିତ ହୋଇ ରହିଛି । ଆଉ ଆଜି ? ସେ ନିଜର ଛାତି ଆଡ଼କୁ ଦୃଷ୍ଟି ଦେଲା–ହାଡ଼ ବାହାରି ପଡ଼ିଲାଣି; ତା ସାରିଆ ତିନି ଦିନ ଉପାସରେ କୁଡ଼ିଆ ପିଣ୍ଡାରେ ପଡ଼ିଛି, ତା ପୁଅ ପେଜ ମୁନ୍ଦାଏ ନ ପାଇ ମରିବାକୁ ବସିଛି, ଆଉ ସେ ତାର ଅତି ଆପଣାର ଜମିଗୁଡ଼ିକ ପଧାନ ହାତକୁ ଟେକି ଦେଇ ଗଉଣିଏ ଚାଉଳ କାନିରେ ବାନ୍ଧି ଚାଲିଛି ।

 

ମନକୁ ମନ ଦୀନା ହସିଲା । ଅତି ମାରାତ୍ମକ ଏ ହସ । ଅତି ସାଂଘାତିକ ଏହାର ଅର୍ଥ । ଅତି ନିର୍ମ୍ମମ ଏହାର ଅଭିବ୍ୟକ୍ତି । ପ୍ରଳୟର ଚରମ ସୀମାରେ ଉନ୍ନତ୍ତ ରୁଦ୍ର ଦେବତାର ଧ୍ୱଂସ-ତାଣ୍ଡବର ପ୍ରତି ପଦକ୍ଷେପରେ ଯେତେବେଳେ ଗ୍ରହରେ ଗ୍ରହରେ, ନକ୍ଷତ୍ରରେ ନକ୍ଷତ୍ରରେ, ଧ୍ୱଂସର ଅଗ୍ନି ତରଙ୍ଗ ଖେଳିଯାଏ, ସେତେବେଳେ ତାଙ୍କ ହୃଦୟରେ ବୋଧହୁଏ ଏହିପରି ହଳାହଳମୟ ହାସ୍ୟ ଫୁଟି ଉଠଥାଏ ।

 

ସାତ

 

୧୯୪୨ ଖ୍ରୀଷ୍ଟାବ୍ଦ । ଆଶ୍ୱିନ ମାସରେ ଓଡ଼ିଶାର ଉତ୍ତର ଭାଗ, କାର୍ତ୍ତିକରେ ତାର ଦକ୍ଷିଣ ଭାଗ ବାତ୍ୟାରେ ଧ୍ୱଂସ ହୋଇଗଲା; ଧାନ ଫସଲ ନଷ୍ଟ ହୋଇଗଲା । ମାର୍ଗଶୀର, ପୌଷରେ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳର ଚଷା ବିଲକୁ ଦାଆ ଧରିଗଲା, ଫସଲ କାଟିଲା, ଖଳାକୁ ଆଣି ଅମଳ କରି ଦେଖିଲା, ତାହା ଗଲାବର୍ଷ ଫସଲର ତିନିଭାଗରୁ ଭାଗେ ମଧ୍ୟ ନୁହେଁ । ତା ବିଲର ଫସଲକୁ ମଧ୍ୟ ପବନ ପିଟି ଝଡ଼ାଇ ଦେଇଛି, ରଖିଯାଇଛି କେବଳ ଅଗାଡ଼ି ଆଉ କଣ୍ଠା । ପ୍ରଦେଶର ଯେଉଁ ସବୁ ଅଂଶ ଉପରେ ଝଡ଼ ବୋହିଯାଇଥିଲା, ସେ ସବୁ ଅଞ୍ଚଳରେ ତ ସେ ସମୟରୁ ଦୁର୍ଭିକ୍ଷ ଲାଗିଥିଲା । ପୁଷ ମାସ–ଯେତେବେଳେ ବାଉରୀ ହାଣ୍ଡିରେ ମଧ୍ୟ ପେଜ ରହିବା କଥା–ତାହାରି ମଝିରୁ ପ୍ରଦେଶସାରା ଦୁର୍ଭିକ୍ଷର କରାଳ ଛବି ଦେଖା ଦେଲା । ମାଘମାସ ବେଳକୁ ଖାଦ୍ୟ ଅଭାବରେ ଲୋକ ମଲେ, ଫାଲ୍‌ଗୁନ ମାସବେଳକୁ ଚାରିଆଡ଼େ ହାହାକାର ପଡ଼ିଗଲା । ଯେଉଁ ମାନେ କ୍ଷିରିପୁରି ଖାଉଥିଲେ, ସେମାନେ ରୁଖିଲା ଶୁଖିଲାରେ ଚଳିଲେ; ଯେଉଁମାନେ ଦୁଇବେଳା ପେଟ ପୂରାଇ ଖାଉଥିଲେ, ସେମାନେ ବେଳାଏ ଖାଇ ବଞ୍ଚିଲେ; ଯେଉଁମାନେ ଦିନକରେ ବେଳାଏ ଖାଇବାକୁ ପାଉଥିଲେ, ସେମାନେ ଶାଗପତ୍ର ଖାଇ ବଞ୍ଚିବାପାଇଁ ଚେଷ୍ଟାକଲେ । ଶାଗପତ୍ର ସରିଲା, ବାଡ଼ିର ବଣସାରୁ ମଧ୍ୟ ସରିଲା; ସେମାନେ ଅନାହାରରେ ରହିଲେ, ଘର ଛାଡ଼ିଲେ, ପିଲାକବିଲାଙ୍କୁ ଛାଡ଼ିଲେ ବା ବିକିଲେ, ଦୁର୍ଭିକ୍ଷର ପ୍ରେତମୂର୍ତ୍ତି ପରି ଦେଶସାରା ବୁଲିଲେ, ବାଟ କଡ଼ରେ ପଡ଼ି ମଲେ-

 

ଗାଆଁ ଗହଳର ବାଟ କଡ଼; ମଲେ ଗଣୁଛି କିଏ ? କହିଲେ ଶୁଣୁଛି କିଏ ? ଅନାହାରରେ ପ୍ରାଣ ହରାଇଥିବା ଏହି ଲୋକଗୁଡ଼ାକର ଶେଷ ନିଃଶ୍ୱାସ ବିଷାକ୍ତ ବାଷ୍ପପରି ଦେଶର ପବନରେ ଭାସି ବୁଲିଲା, ବାୟୁମଣ୍ଡଳକୁ ଭାରାକ୍ରାନ୍ତ କରି ପକାଇଲା । ଯେଉଁ ମାନେ ଏହା ବୁଝି ପାରିଲେ, ସେମାନେ ଶଙ୍କିତ ହେଲେ, ବ୍ୟସ୍ତ ହେଲେ, ବିବ୍ରତ ହେଲେ, ଶେଷରେ ପାଟି ତୁଣ୍ଡ କଲେ; କିନ୍ତୁ ତାଙ୍କ ଆଡ଼କୁ ଚାହୁଁଛି କିଏ ? ତାଙ୍କ କଥା ଶୁଣୁଛି କିଏ ? ଯେଉଁମାନେ କର୍ତ୍ତା, ଯେଉଁମାନେ ଏ ଅବସ୍ଥାରେ କିଛି ପ୍ରତିକାର କରି ପାରନ୍ତେ; ସେମାନେ ହୁଏତ ମୂର୍ଖ, ଅଜ୍ଞ, ଅଯୋଗ୍ୟ ବା ମାରାତ୍ମକ ରୂପେ ସ୍ୱାର୍ଥପର ।

 

ଦେଶରେ ଧାନ ନାହିଁ; ଅଥଚ ଏହି କର୍ତ୍ତା ଓ ତାଙ୍କ ଅନୁଗତ ଅନୁଚରମାନେ ଉଚ୍ଚକଣ୍ଠରେ ପ୍ରଚାର କରିବାରେ ଲାଗି ପଡ଼ିଲେ ଯେ, ଓଡ଼ିଶା ପ୍ରଦେଶ ଧାନ ଓ ଧନରେ ପୂରିରହିଛି; ଓଡ଼ିଶା ବାହାରେ ଯାହାର ଯେତେ ଦରକାର, ସେ ସେତେ ଧାନ ନେଇ ପାରିବ । ସେମାନଙ୍କର ଏପରି କହିବାରେ ଅର୍ଥ ଥିଲା । ଏ ଦେଶରୁ ଧାନ ବାହାରକୁ ଯିବ; ବାହାରର ଧାନବ୍ୟବସାୟୀମାନେ ଧାନ କିଣିବେ; ଲକ୍ଷ ଲକ୍ଷ ଟଙ୍କା କାରବାର ହେବ; ହୁଏତ ଭେଟିଦର୍ଶନୀ, ଲାଭ ବା କମିସନ ହିସାବରେ ସେମାନଙ୍କ ଭାଗ୍ୟରେ ଲକ୍ଷ ନ ହେଉ ହଜାର ହଜାର ଟଙ୍କା ପଡ଼ିବ । ଏ ଦେଶରେ କେତେ ହଜାର ଲୋକ ମରିବେ କେତେ ଶହ ଘର ଭାଙ୍ଗି ଯିବ; ସେଥିରେ ସେମାନଙ୍କର ଯାଏ କେତେ, ଆସେ କେତେ ? କର୍ତ୍ତାମାନଙ୍କର ଏ ଉଦାର ନୀତି ଏପରି ଭାବରେ ସଫଳ ହୋଇଗଲା ଯେ ତାଙ୍କର ବୋଝବୁହା ଅନୁଚର, ଯେ ଖାଇବାକୁ ନ ପାଇ ପେଟବିକଳରେ ମାସ କେତେଟା ଆଗରେ ନିଜର ଇଜ୍ଜତ ବିକିଥିଲା, ତାର ବାହାଘର ମଜଲିସରେ ଅମିର-ଓମରାମାନେ ଭୋଜି ଖାଇଥିଲେ, ଲାଟ-ବେଲାଟ ନିମନ୍ତ୍ରିତ ହୋଇ ଆସିଥିଲେ ।

 

ଦେଶରେ ଲୋକେ ଖାଇବାକୁ ନ ପାଇ ମଲେ; ଏଣେ ବାହାରକୁ ଧାନ ବୁହା ଚାଲିଲା । ହୁକୁମ ଜାରି ହେଲା, ଖାଇବାକୁ ନ ପାଇ ଲୋକେ ମରୁଛନ୍ତି ବୋଲି କେହି କହିପାରିବେ ନାହିଁ । ସେମାନେ ତ ନିଜ ଛାଏଁ ନିଜେ ମରୁଛନ୍ତି; ମିଛରେ କାହିଁକି ପାଟିତୁଣ୍ଡ କରି କର୍ତ୍ତାଙ୍କ କାମରେ ବାଧା ଦେବ ? ଅବସ୍ଥା ଯେତେବେଳେ ନିତାନ୍ତ ଗୁରୁତର ହେଲା, ସତ୍ୟର ତଣ୍ଟି ଚିପିଧରି ତାର ଚିତ୍କାରକୁ ପ୍ରତିରୋଧ କରିବା ଯେତେବେଳେ ଅସମ୍ଭବ ହେଲା, ସେତେବେଳେ ମଧ୍ୟ ଖାଇବାକୁ ନ ପାଇ, ମୁଠାଏ ଭାତ ନ ପାଇ ଲୋକେ ମରୁଛନ୍ତି, ଏ କଥା କର୍ତ୍ତାମାନେ କହିଲେ ନାହିଁ । କହିଲେ, ଖାଦ୍ୟସାର ଊଣା ହେବାରୁ ଲୋକଗୁଡ଼ାକ ମରି ଯାଉଛନ୍ତି । ଖାଦ୍ୟ ତ ନାହିଁ; ସାର ଆସିବ କୁଆଡ଼ୁ-? ଲୋକଙ୍କର ମୁହଁର ଖାଦ୍ୟ କାଢ଼ି ନେଇ ଯେଉଁ ମାନେ ନିଜର ପେଟ ପୂର୍ଣ୍ଣ କଲେ, ସେମାନଙ୍କ ପକ୍ଷରେ ନିଜ ଖାଦ୍ୟର ସାରାଂଶ ଚିନ୍ତାରେ ବ୍ୟସ୍ତ ରହିବା ସ୍ୱାଭାବିକ; କିନ୍ତୁ ଯେଉଁ ମାନେ ଖାଦ୍ୟାଭାବରେ ଶୁଖି ଶୁଖି ମଲେ, ସେମାନଙ୍କ ବିଷୟରେ ଖାଦ୍ୟର ସାରାଂଶ ବିଷୟ ଅବତାରଣା କରି ସେମାନଙ୍କର ଆତ୍ମାକୁ ବ୍ୟଙ୍ଗ କରିବାର କି ଅଧିକାର ଅଛି ଏମାନଙ୍କର ?

 

ଦୁର୍ଭିକ୍ଷର ମହାମାରୀ ଓଡ଼ିଶାର ଗାଆଁ ଗହଳ ଅଞ୍ଚଳକୁ କବଳିତ କରି ସହରମାନଙ୍କୁ ଆକ୍ରମଣ କଲା । ସହରର ଅସଂଖ୍ୟ କୋଠାବାଡ଼ି, ଧନଜନ ଉପରେ ସେ ତାର ନିର୍ମମ ହସ୍ତ ବୁଲାଇ ଦେଲା । ସହରରେ ମଧ୍ୟ ହା ହାକାର ପଡ଼ିଗଲା । ବଜାରରୁ ଧାନ ଚାଉଳ ଅଦୃଶ୍ୟ ହୋଇଗଲା । କଦବା କ୍ୱଚିତ୍‌ ଯଦି ଦେଖାଦେଲା, ତେବେ ଟଙ୍କାକୁ ସେରେ ଦୁଇସେର ଦରରେ । ଯେଉଁମାନଙ୍କର ଟଙ୍କା ଅଛି, ସେମାନେ କିଣି ଖାଇଲେ । ଯେଉଁମାନଙ୍କର ଟଙ୍କା ନାହିଁ ସେମାନେ ଚାହିଁ ରହିଲେ, ଉପାସ ରହିଲେ, ଭୋକ ବିକଳରେ କୋଳଥ ସିଝାଇ ଗିଳିଗଲେ । ବଜାରରେ ଗହମ ନାହିଁ, ଚାଉଳ ନାହିଁ, ବିରୀ, ମୁଗ, ହରଡ଼, ବୁଟ କିଛି ନାହିଁ, ଶେଷରେ କୋଳଥ ମଧ୍ୟ ଉଭେଇଗଲା ! ବଡ଼ ବଡ଼ ସହରରେ ହଜାର ହଜାର ଲୋକଙ୍କ ଜୀବନରେ ଭୋକ ଉପାସ ନିତ୍ୟନୈମିତ୍ତିକ ଘଟଣା ହୋଇଗଲା ।

 

ପୁରପଲ୍ଲୀ, ସହରବଜାର ସବୁ ଅଞ୍ଚଳର ଅବସ୍ଥା ସମାନ । ଚାରିଆଡ଼େ ହା ଅନ୍ନ, ହା ଅନ୍ନ । ଏ ଦୁର୍ଭିକ୍ଷ ୧୮୬୬ ନଅଙ୍କକୁ ମଧ୍ୟ ବଳିଗଲା ।

 

କେବଳ ଧାନ ଚାଉଳ ନୁହେଁ, କେବଳ ଖାଦ୍ୟ ନୁହେଁ, ଲୁଗାପଟାଠାରୁ ଛୁଞ୍ଚି ଦିଆସିଲିର ମଧ୍ୟ ଦୁର୍ଭିକ୍ଷ ପଡ଼ିଲା; ଏ ସବୁର ଦାମ ୭।୮ ଗୁଣ ବଢ଼ିଗଲା । ସମୟ ସମୟରେ ମଧ୍ୟ ମିଳିଲା ନାହିଁ; କଲମ ନାହିଁ, ପେନସିଲ ନାହିଁ–ମିଳିରେ ତାର ଦାମ ୯।୧୦ ଗୁଣ ବଢ଼ି ଯାଇଛି; ବହି ପତ୍ର ନାହିଁ–ଅନେକ ପିଲାଙ୍କ ପଢ଼ାପଢ଼ିବନ୍ଦ ହୋଇଗଲା । ଯେଉଁମାନଙ୍କ ହାତରେ ପଇସାପତ୍ର ଯଥେଷ୍ଟ ଥିଲା, ସେମାନେ ଯେ କୌଣସି ମତେ, ପିଲାଙ୍କୁ ପଢ଼ାଇବାଟା ବଜାଏ ରଖିଲେ । କିରାସିନି ନାହିଁ, ଜଡ଼ା ବା ପୋଲାଙ୍ଗ ତେଲର ଦାମ ୯।୧୦ ଗୁଣ ବଢ଼ିଗଲା; ଲୋକେ ଅନ୍ଧାରରେ ରହିଲେ । ଦୁର୍ଭିକ୍ଷ କେବଳ ଖାଦ୍ୟର ନୁହେଁ; ଚାରିଆଡ଼େ, ସବୁ ବିଷୟରେ ଦୁର୍ଭିକ୍ଷ ଘୋଟିଗଲା । ଚିରଦୁର୍ଭିକ୍ଷର ଲୀଳାକ୍ଷେତ୍ର ଓଡ଼ିଶାରେ ମଧ୍ୟ ଏପରି ବ୍ୟାପକ ଦୁର୍ଭିକ୍ଷ କେବେ ପଡ଼ିଥିଲା ବୋଲି ଇତିହାସରୁ ଦେଖାଯାଏ ନାହିଁ ।

 

ଯେ କୌଣସି ସମାଜ ଏଡ଼େ ପ୍ରଚଣ୍ଡ ଆଘାତ ସହି ପାରନ୍ତି ନାହିଁ, ଭାଙ୍ଗି ପଡ଼ିଲା । ଗ୍ରାମକୁ ଗ୍ରାମ ଶ୍ମଶାନରେ ପରିଣତ ହେଲା । ବୃତ୍ତି, ବିଭ୍ରାଟ ଘଟିଲା; ଜୀବିକା ବିଭ୍ରାଟ ଘଟିଲା; ସମାଜରେ ଚରମ ନୀତିବିଭ୍ରାଟ ଦେଖା ଦେଲା । ଭାରତର ଜୀବନୀଶକ୍ତି, ଓଡ଼ିଶାର ଜୀବନୀଶକ୍ତି ଖୁବ ଟାଣ; ନଚେତ୍‌ ଦେଶ ଏ ଆଘାତ ସମ୍ଭାଳି ଛିଡ଼ା ହୋଇପାରି ନ ଥାନ୍ତା ।

 

ଏଟା ଗୋଟାଏ ଭୀଷଣ ଅବସ୍ଥା, ଅତି ସାଂଘାତିକ ପରିସ୍ଥିତି; କିନ୍ତୁ ଦେବତାର ଅଭିଶାପ ଏଥିପାଇଁ ଦାୟୀ ନୁହେଁ । ମୂଳରୁ ଶେଷ ପର୍ଯ୍ୟନ୍ତ ଏହା ମାନବକୃତ । ଏଥିପାଇଁ ପୂର୍ଣ୍ଣତଃ ଦାୟୀ ସେମାନେ, ଯେଉମାନଙ୍କ ହାତରେ ଦେଶର ଭାଗ୍ୟଡ଼ୋରୀ ନିହୀତ ଥିଲା; ଯେଉଁମାନେ ଇଚ୍ଛାକଲେ ଏ ଅବସ୍ଥାକୁ ବଦଳାଇ ଦେଇ ପାରିଥାନ୍ତେ ।

 

ହଁ, ଯେଉଁମାନଙ୍କ ହାତରେ ଦେଶର ରାଜନୀତି, ଅର୍ଥନୀତିର ମୂଳସୂତ୍ର ନିହିତ ସେମାନଙ୍କ ଅକ୍ଷମତା, ଅପାରଗତା, ବିଚାରବୁଦ୍ଧିହୀନତା, ସ୍ୱାର୍ଥପରତା, ହୃଦୟହୀନତା, ନୀତିହୀନତା ଚରମ ଓ ନୃଶଂସ ଅମନୁଷ୍ୟତା ଯୋଗୁଁ, ସେହିମାନଙ୍କ ଦ୍ୱାରା, ଦେଶରେ କ୍ରୂର ଦୁର୍ଭିକ୍ଷ, ଦୁର୍ନିବାର ଅନଟନର ସୀମାତୀତ ବିଭୀଷିକା ଦେଖା ଦେଲା; ସେହିମାନଙ୍କ ଯୋଗୁଁ ଶତଶତ ଗୃହସଂସାର ଛିନ୍ନଭିନ୍ନ ହୋଇଗଲା; ହଜାର ହଜାର ବୃଦ୍ଧ-ବନୀତା, ବାଳକ-ଯୁବକ ଗଣ୍ଡାଏ ଭାତ, ମୁଠାଏ ଖାଦ୍ୟ ନ ପାଇ ମୃତ୍ୟୁମୁଖରେ ପତିତ ହେଲେ । ଯେଉଁ ଅର୍ଥନୀତି ସେମାନଙ୍କ ମୁଖର ଗ୍ରାସ କାଢ଼ିନେବା ସଙ୍ଗେ ସଙ୍ଗେ ଶରୀରରୁ ଶେଷ ନିଃଶ୍ୱାସଟକ ଭିଡ଼ି ବାହାର କରି ଦେଲା, ସେ ଅର୍ଥନୀତି ନାଟକୀୟତାର ଚରମ ପରାକାଷ୍ଠା; ଯେଉଁ ରାଜନୀତି ସେମାନଙ୍କ ଦୁଃଖ ମୋଚନ କରି ପାରିଲା ନାହିଁ, ସେମାନଙ୍କୁ ମୃତ୍ୟୁ ମୁଖକୁ ଟାଣି ନେଇଗଲା, ସେଥିରେ ରାକ୍ଷସୀ ରକ୍ତଲୋଲୁପତାର ଚରମ ଛବି ପ୍ରସ୍ଫୁଟିତ । ୧୯୪୨–୪୩ର ଦୁର୍ଭିକ୍ଷ ଅନଟନ ଭାରତର ଅର୍ଥନୀତିକ, ରାଜନୀତିକ ପରିସ୍ଥିତିର କ୍ରୂର ସ୍ମୃତିସ୍ତମ୍ଭରୂପେ ଇତିହାସ ପୃଷ୍ଠାରେ ଚିରକାଳ ରହିଥିବ; ଆଉ ଯେଉଁ ମାନଙ୍କ କ୍ରୂର କର୍ମରୂପେ ଏ ମହାମାରୀ ସଂଘଟିତ ହୋଇଥିଲା, ସେମାନଙ୍କ ଅସ୍ଥିମାଂସ ଧୂଳିରେ ପରିଣତ ହେଲାପରେ ମଧ୍ୟ ୧୯୪୨-୪୩ର ନରକଙ୍କାଳ ଶ୍ରେଣୀ ଏମାନଙ୍କ ଆଡ଼କୁ ଆଙ୍ଗୁଳି ସଙ୍କେତ କରି ବଜ୍ରନିନାଦରେ ଘୋଷଣା କରୁଥିବ–‘ଏହା ଏମାନଙ୍କର ରକ୍ତାକ୍ତ କୀର୍ତ୍ତି ?’

 

ଆଠ

 

‘ଆମ ଚାରିଆଡ଼େ ଯେତେବେଳେ ଶହ ଶହ ଲୋକ ମୁଠାଏ ଭାତ ପାଉ ନାହାନ୍ତି, ବାପ ଯେତେବେଳେ ସନ୍ତାନକୁ ବିକି ଦେଉଛି, ମୁଠାଏ ଭାତ ବିନିମୟରେ ମାଆ ଯେତେବେଳେ ମୁମୂର୍ଷୁ ଶିଶୁ ମୁହଁରେ ଟୋପାଏ ଦୁଧ ଦେଇ ବଞ୍ଚାଇ ପାରୁ ନାହିଁ, ସେତେବେଳେ କି ଅଧିକାର ଅଛି ଆମମାନଙ୍କର, ଚାରିବେଳା ଚାରିଥର ଖାଇ ସୁଖରେ ଶୋଇବୁ, ଭଲ ଲୁଗା ପିନ୍ଧିବୁ, ମଉଜ କରିବୁ, ମଜଲିସ କରିବୁ ? ଆମେମାନେ ତ ମଣିଷ ! ଏହି ପ୍ରପୀଡ଼ିତ ମନୁଷ୍ୟଗୁଡ଼ିକ ପ୍ରତି ଆମର କଣ କିଛି କର୍ତ୍ତବ୍ୟ ନାହିଁ ? କ୍ଷୁଧା ଯଦି କଲେରା ବା ବସନ୍ତଠାରୁ ଉତ୍କଟ ସଂକ୍ରାମକ ବ୍ୟାଧିରୂପ ଧାରଣ କରନ୍ତା, ଆମର ନିଜ ଜୀବନ ଯଦି କ୍ଷୁଧା-କୀଟାଣୁର ମାରାତ୍ମକ ।

 

ରୋଗାକ୍ରାନ୍ତ ହେବାର ସମ୍ଭାବନା ଥାଆନ୍ତା, ତେବେ ହଜାର ହଜାର ଲୋକର ଏ ଅବସ୍ଥା ଦେଖି ଆମେ ନିଶ୍ଚିନ୍ତ ହୋଇ ରହି ପାରନ୍ତୁ କି ? ଆଜି ଏଇ କଟକ ସହର, ଏହାର ପ୍ରତି ରାସ୍ତାରେ ପ୍ରତି ଗଳିରେ ଦୁର୍ଭିକ୍ଷର ପ୍ରେତ ପରି ଶତଶତ ନରକଙ୍କାଳ ଘୂରି ବୁଲୁଛନ୍ତି । ସେମାନଙ୍କୁ ଦେଖିଲେ ଆଖିରୁ ରକ୍ତ ଫାଟିପଡ଼େ । ସେମାନେ ତ ଆମରି ପରି ମନୁଷ୍ୟ । ସେମାନଙ୍କର ତ ଆମରି ପରି ଦିନେ ଗୃହସଂସାର ଥିଲା । ଆଜି ସେମାନେ ଦାଣ୍ଡର ଭିକାରୀ, ଅନ୍ନର କାଙ୍ଗାଳ ! କାହିଁକି ? ମୁଠାଏ ଭାତ ପାଇଁ, ଗଣ୍ଡାଏ ଖାଇ ଜୀବନଟା ରଖିବା ପାଇଁ ତ । ଆଉ ଆମେ ?

 

ସନ୍ଧ୍ୟାର ଧୂସର ଆଲୋକ ପୂର୍ବଆଡ଼ୁ କ୍ରମେ ଗାଡ଼ି ଆସୁଥିଲା । ଶରତ୍ ମହାନଦୀ କୂଳରେ ବୁଲୁଥିଲା ଆଉ ଭାବୁଥିଲା । ଚାରିଆଡ଼େ ଘୋଟିଯାଇଥିବା ଅନଟନର ଛବି ତାକୁ ଉତ୍‌କ୍ଷିପ୍ତ କରି ପକାଉଥିଲା । ଅଭାବ ତାର ଅଳ୍ପ । ନିଜ ପରିଶ୍ରମରେ ସେ ଯାହା ଉପାର୍ଜ୍ଜନ କରେ ତାହାହିଁ ତା ପକ୍ଷରେ ଯଥେଷ୍ଟ । ସଂସାରରେ ଏପରି କୌଣସି ଆତ୍ମୀୟ ତାର ନ ଥିଲା, ଯେଉଁମାନଙ୍କ ଲାଗି ସେ ସବୁବେଳେ ଅସନ୍ତୋଷର ବୋଝ ମୁଣ୍ଡରେ ଧରି ସାରା ବିଶ୍ୱ ଧାଇଁ ବୁଲିବ । ନିଜର ବୋଲନ୍ତେ ତାର କେହି ନ ଥିଲେ; ସେଥିପାଇଁ ସେ ସାରା ପୃଥିବୀର ମନୁଷ୍ୟକୁ ନିଜ ହୃଦୟ ଭିତରେ ନିକଟତମ ଆତ୍ମୀୟର ସ୍ଥାନ ଦେଇଥିଲା । ଶରତ୍‌ ମନୁଷ୍ୟ ମୁହଁରେ ହସ ଦେଖିବାରେ ଆନନ୍ଦ ପାଉଥିଲା; ସେଥିପାଇଁ ଯେଉଁ ଠାରେ ଦୁଃଖ, ଯେଉଁ ଠାରେ ଯନ୍ତ୍ରଣା, ସେଠାକୁ ଶରତ୍‌ର ହୃଦୟ ସହାନୁଭୂତିର ବାହୁ ବିସ୍ତାର କରି ଆପେ ଆପେ ଧାଇଁ ଯାଉଥିଲା, ସେହିଠାରେ ହିଁ ସେ ଉତ୍‌କ୍ଷିପ୍ତ ହୋଇ ପଡ଼ୁଥିଲା, ବିବ୍ରତ ହୋଇ ପଡ଼ୁଥିଲା, ନିଜ ଅକ୍ଷମତାରେ ନିଜେ ବିରକ୍ତ ହେଉଥିଲା ।

 

ଚାରିଆଡ଼େ ହା ଅନ୍ନ, ଚାରିଆଡ଼େ ଅଭାବର କଙ୍କାଳଶ୍ରେଣା । ଶରତ୍‌ ବିଚଳିତ ହୋଇପଡ଼ିଲା; ତାର ଦମ ବନ୍ଦ ହୋଇଗଲା ପରି ମନେ ହେଲା । ଶରତ୍‌ ବାଟରେ ଚାଲେ, ନରକଙ୍କାଳଟିଏ ସାମନାରେ ଦେଖିଲେ କ୍ରୋଧରେ ତାର ରକ୍ତ ଫେନିଳ ହୋଇ ଉଠେ । ସେ ଗୋଟାଏ କିଛି କରି ପକାଇବା ପାଇଁ ଉଦ୍ୟତ ହୋଇପଡ଼େ । ଦୁର୍ଭେଦ୍ୟ ପ୍ରସ୍ତର ପ୍ରାଚୀର ପଛରେ ଆବଦ୍ଧ ଥିବା ବନ୍ଦୀ ପରି ଅକ୍ଷମତାର ବଜ୍ରଦୃଢ଼ ଆବେଷ୍ଟନୀ ଦେହରେ ସେ ମୁଣ୍ଡ ପିଟି ଦିଏ; ତାର ଶକ୍ତି କେତେ କ୍ଷୁଦ୍ର, କ୍ଷମତା କେଡ଼େ ସୀମାବଦ୍ଧ, ଏହା ଅନୁଭବ କରି ସେ ନିଜ ଉପରେ ବିରକ୍ତ ହୋଇଉଠେ । ସେ ପଳାଇ ଯିବାକୁ ଚାହେଁ–ନିଜ ପାଖରୁ, ନିଜର ଏସବୁ ଭାବନା ପାଖରୁ; କିନ୍ତୁ ଯିବ କୁଆଡ଼େ ? କୁଆଡ଼କୁ ଗଲେ ସେ ନିଜର ଅନୁଭୂତି ହାତରୁ ମୁକ୍ତି ପାଇବ ? ନା, ସେ ଆଡ଼େ ବାଟ ନାହିଁ । କିନ୍ତୁ ଆଉ କୌଣସି ଆଡ଼େ କିଛି କରିବାର ତ ଉପାୟ ନାହିଁ । ନିଜର ଶକ୍ତି ଅନୁସାରେ, ନିଜର ସାମର୍ଥ ଅନୁସାରେ କିଛି କରି ଶାନ୍ତି ଲାଭ କରିବାର ତ କୌଣସି ପନ୍ଥା ଦିଶୁ ନାହିଁ । ଗୋଟାଏ ଦେଶର,ଗୋଟାଏ ଜାତିର ଲୋକ ଯେତେବେଳେ ବୁଭୁକ୍ଷିତ ହୋଇ ଉଠନ୍ତି, ସେତେବେଳେ ବ୍ୟକ୍ତିଗତ ସାମର୍ଥ୍ୟଦ୍ୱାରା କି ପ୍ରତିକାର କରାଯାଇ ପାରେ ତାର ?

 

ପ୍ରଥମେ ପ୍ରଥମେ ସେ ନିଜ ଖରଚ, ନିଜର ଖାଇବା କମାଇ ଜଣେଅଧେ ଦୁଃସ୍ତଙ୍କ ମୁହଁରେ ପାଣି ମୁନ୍ଦାଏ ଦେଉଥିଲା । ରାତି ୧୧ ଟା । ସେ ଦିନ ସେ ବସାକୁ ଫେରୁଛି । ଗୋଟାଏ ୧୦ ୧୨ ବର୍ଷର ପିଲା, ଅସ୍ଥିଚର୍ମ ରହିଛି, ଖଣ୍ଡେ ଛିଣ୍ଡାକନା ଗୁଡ଼େଇ ହୋଇ ହାତରେ ଟିଣ ତାଟିଆ ଖଣ୍ଡେ ଧରି ଶରତକୁ କହିଲା, ‘ବାବୁ, ପଇସାଟିଏ ।’

 

ଶରତ୍‌ ଛିଡ଼ା ହୋଇପଡ଼ିଲା; ତାକୁ ପଚାରିଲା, ‘ପଇସାଟିଏ ନେଇ କଅଣ କରିବୁ ?’

 

‘ଦୁଇଦିନ ହେଲା କିଛି ଖାଇ ନାହିଁ; କିଛି କିଣି ଖାଇବି ।

 

‘ଏଡ଼େ ବଡ଼ ସହରରେ ଦୁଇଦିନ ହେଲା ତୋତେ କେହି କିଛି ଦେଲେ ନାହିଁ ?’

 

‘ବାବୁ, ଆମପରି ତ ହଜାର ହଜାର ବୁଲୁଛନ୍ତି; କିଏ କେତେ ଦେବ’’ ?

 

ଶରତ୍‌ ଭାବିଲା, ଏହା ଅକାଟ୍ୟ ସତ୍ୟ । କିଏ କେତେ ଦେବ ? ପୁଣି କେତେ ଦେବ ଯେ ହଜାର ହଜାର ଲୋକଙ୍କର ଦିନକର ନୁହେଁ, ମାସକର ନୁହେଁ, ବର୍ତ୍ତମାନ ଓ ଭବିଷ୍ୟତର ଭୋକ ମେଣ୍ଟିବ ? ସେ ତୁନି ହୋଇଗଲା ।

 

ପିଲାଟା ପୁଣି ମାଗିଲା, ‘ବାବୁ, ଦିଅ !’

 

ନିକଟରେ ଥିବା ଗୋଟିଏ ଗୁଡ଼ିଆଦୋକାନ ପାଖକୁ ଶରତ୍‌ ତାକୁ ଡାକିନେଇ କହିଲା, ‘ତୁ ଯେତେ ଖାଇବାର ଖାଆ ! ମୁଁ ବସୁଛି, ଯେତେ ପଇସା ହେବ ଦେବି ।’

 

ପିଲାଟି କହିଲା, ‘ନାହିଁ ବାବୁ’ ତମେ ଯାହା ଦେବାର ଦିଅ; ମୁଁ ନେଇଯିବି । ମୋର ବାପ, ମାଆ, ଦୁଇଟି ସାନ ସାନ ଭାଇ ଦୁଇଦିନ ହେଲା କିଛି ଖାଇ ନାହାନ୍ତି ।’

 

ଶରତ୍‌ ଚମକି ପଡ଼ିଲା । ଏଇ ପିଲାଟି ଦୁଇଦିନ ହେଲା ଖାଇ ନାହିଁ । ସାମନାରେ ଗୁଡ଼ିଆଦୋକାନରେ ରୁଚିକର ଖାଦ୍ୟ ସମ୍ଭାର । ପିଲାଟି ଯେତେ ଖାଇବ ଶରତ୍ ଦେବାକୁ ରାଜି; କିନ୍ତୁ ଏ ପିଲାଟିର ନିଜର ଭୋକର ଚିନ୍ତା ଯେତେ ନାହିଁ, ତାର ମାଆ ବାପ, ତା ଭାଇ ଦୁଇଟିର ଭୋକର ଚିନ୍ତା ସେତେ ! ମନୁଷ୍ୟ ଭିତରେ କେବଳ ମହାପୁରୁଷ ମାନେହିଁ ଏଡ଼େ ବିରାଟ ପ୍ରଲୋଭନ ମୁଖରେ ଏପରି ଅଭ୍ରଭେଦୀ ସଂଯମ ସାଧନା କରି, ଏହିପରି ସ୍ୱାର୍ଥ ତ୍ୟାଗ କରି ପାରନ୍ତି-। ଆଉ ଏ–ଛିଣ୍ଡା କନା ପିନ୍ଧିଥିବା ଅସ୍ଥିକଙ୍କାଳସାର ଦଶବାର ବର୍ଷର ଏ ପିଲାଟାଏ ! ଶରତ୍‌ ଭାବିଲା; ବୁଝିଲା ଦୁଃଖ ଯନ୍ତ୍ରଣା ଏମାନଙ୍କ ଭିତରେ ଥିବା ମନୁଷ୍ୟତାକୁ ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର କରିଛି-

 

ଏ ପିଲାଟି–ଏହା ତୁଳନାରେ ସମାଜରେ ଯେଉଁ ମାନେ ବଡ଼, ଯେଉଁ ମାନେ ମାନ୍ୟଗଣ୍ୟ, ଦୋତାଲା କୋଠାର ବିଦ୍ୟୁତାଲୋକିତ କକ୍ଷରେ ଦୁଗ୍‌ଧଫେନନିଭ ସୁଖଶଯ୍ୟାରେ ଶୟାନ ହୋଇ ଯେଉଁମାନେ ଲୋକଙ୍କଠାରୁ ସମ୍ମାନ ଦାବୀକରନ୍ତି–ସେମାନେ କେଡ଼େ ହୀନ, କେଡ଼େ ନୀଚ, କେଡ଼େ ଅପଦାର୍ଥ ! ନିଜର ସ୍ୱାର୍ଥ ପାଇଁ ଏମାନେ ନରହତ୍ୟ କରି ପାରନ୍ତି । ଆଇନସଂଗତ ନରହତ୍ୟା କରିବାରେ ଏମାନେ ଅଭ୍ୟସ୍ତ ମଧ୍ୟ । ଏମାନେ ମନୁଷ୍ୟ ନୁହନ୍ତି, ମନୁଷ୍ୟ ପଦବାଚ୍ୟ ନୁହନ୍ତି–ଏମାନେ ରାକ୍ଷସ, ପିଶାଚ, ରକ୍ତ ଲୋଲୁପ ଦାନବ ! ଏଇ କୋଠା, ଏଇ ସମ୍ପତ୍ତି, ଏଇ ବିଳାସ ବ୍ୟସନର ସାମଗ୍ରୀ, ଏଇ ମାନସମ୍ମାନରସମ୍ୱଳ–ଏସବୁ ଏହି ଦେଶର ଏହିପରି ନରକଙ୍କାଳମାନଙ୍କର ରକ୍ତରେ ଗଠିତ । ଏମାନଙ୍କର ମୁଖର ଗ୍ରାସ କାଢ଼ି ନେଇ ବଡ଼ ଲୋକର ବଡ଼ଲୋକୀ ସମ୍ଭବ ହୋଇଛି । ଦୁଃଖୀର ଝାଳରେ, ଗରିବର ପରିଶ୍ରମରେ ଧନୀର ଧନ ତିଆରି । ଧନ ଦୁଖୀର, ଗରିବର ସମ୍ପତ୍ତି–ବଡ଼ଲୋକର ସେଥିରେ ଅଧିକାର ନାହିଁ । ବଡ଼ଲୋକ କେବଳ ଚୋରୀ କରି, ଡକାୟତି କରି; ଧପ୍ପାବାଜି କରି ଗରିବଠାରୁ ତାହା କାଢ଼ି ନେଇଛି । ଆଇନକାନୁନ, ପୁଲିସଫୌଜ ସାହାଯ୍ୟରେ ସେ ତାକୁ ରକ୍ଷା କରୁଛି । ଦେଶରେ ଗରିବ ଶହକେ ଅନେଶୋତ ଭାଗ-। ଏମାନେ ଗରିବ ତେଣୁ ଅଳ୍ପରେ ସନ୍ତୁଷ୍ଟ ମନୁଷ୍ୟ । ଏ ବଡ଼ ଲୋକଗୁଡ଼ାକର ଚୋରୀ ବଦମାସୀ ସେମାନେ ସହି ଯାଉଛନ୍ତି । ଗରିବମାନେ ଯଦି ଏକାଠି ମିଶି ଧନୀଠାରୁ ତାଙ୍କର ନ୍ୟାଯ୍ୟ ଗଣ୍ଡାକ କାଢ଼ି ନେବାକୁ ଉଦ୍ୟତ ହୁଅନ୍ତି; ତେବେ ପୃଥିବୀରେ କେଉଁ ଶକ୍ତି ଅଛି ସେମାନଙ୍କୁ ବାଧା ଦେବ, ପୃଥିବୀରେ କାହାର ସାଧ୍ୟ ଅଛି ସେମାନଙ୍କ ଆଗରେ ବାଧାରୂପେ ଛିଡ଼ା ହେବ ?

 

ଶରତ୍‌ ମନେକଲା, ଏ ଯେଉଁ ସମୟ ଏଥିରେ ଦୁଃଖୀ-ଗରିବର ସଂଯତ ସନ୍ତୋଷ ଉପରେ ପ୍ରଚଣ୍ଡ ଆଘାତ ବାଜୁଛି । ମୁଠାଏ ଖାଇବାକୁ ନ ପାଇ ସେମାନେ ଏକ ବିରାଟ ବିପ୍ଳବର ଅଗ୍ରଦୂତ ରୂପେ ଦେଶର ଚାରିଆଡ଼େ ଘୂରି ବୁଲୁଛନ୍ତି । ଏ ପରିସ୍ଥିତିର ଅନ୍ତସ୍ଥଳରେ ଲେଲୀହାନ ଅଗ୍ନିତରଙ୍ଗ ଧୀରେ ଧୀରେ ଜଳି ଉଠୁଛି; ଆଉ ତାର ସ୍ଫୁଲିଙ୍ଗ ଚାରିଆଡ଼େ ବିଚ୍ଛୁରିତ ହୋଇ ପଡ଼ୁଛି । କେବଳ ଗୋଟାଏ ପାଦ–ଆଉ ଗୋଟିଏ ପାଦ ଆଗକୁ–ତାପରେ ଦେଶରେ ପ୍ରଳୟଙ୍କର ଦାବାନଳ ଜଳିଉଠି ପୋଡ଼ିଜାଳି ସମସ୍ତଙ୍କୁ ଭଷ୍ମସାତ୍‌ କରିଦେବ ।

 

ତା’ପାଖରେ ଯେତେ ପଇସା ଥିଲା, ଶରତ୍‌ ସବୁତକ ପିଲାଟି ହାତରେ ଦେଇ ଏକମୁହାଁ ହୋଇ ଚାଲିଗଲା । ପିଲାଟି ତା ଆଡ଼କୁ ଚାହିଁ ରହିଥାଏ ।

 

ନା, ବ୍ୟକ୍ତିଗତ ସାମର୍ଥ୍ୟ, ଜଣ ଜଣକର ଦୟାଦାକ୍ଷିଣ୍ୟ ଦ୍ୱାରା ଏପରି ବ୍ୟାପକ ଅବସ୍ଥାର କିଛି ପ୍ରତିକାର ହେବ ନାହିଁ । ଏ ଗୋଟାଏ ବିରାଟ ରୋଗ । ଏ ରୋଗଟା ସବୁବେଳେ ଜାତିର ମେରୁଦଣ୍ଡ ଭିତରେ ଜାଗ୍ରତ ହୋଇଥିଲା । ଆଜି ତାହା ପଦାକୁ ଫିଟି ପଡ଼ିଛି–ପ୍ରଭେଦ ଏତିକି । ଏ ଦେଶର ଅଧିକାଂଶ ଲୋକ ଚିରକାଳ ଗରିବ, ଅନ୍ନ ଚିରକାଳ ସେମାନଙ୍କ ପକ୍ଷରେ ଗୋଟାଏ ବଡ଼ ସମସ୍ୟା, ଅଭାବ ଅନଟନ ସେମାନଙ୍କ ଚିରସହଚର । ଏହା ସାଧାରଣ ଦିନର କଥା; ତେଣୁ ଏହା ଏତେ ସାଧାରଣ ହୋଇ ଯାଇଥିଲା ଯେ, ସେ ଆଡ଼କୁ ମହାତ୍ମା ମହାପୁରୁଷ ଛଡ଼ା ଆଉ କେହି ଦୃଷ୍ଟି ପକାଉ ନ ଥିଲେ । କିନ୍ତୁ ଏହି ଅବସ୍ଥା ଗର୍ଭରେ ବର୍ତ୍ତମାନର ମହାମାରୀ ଚିରକାଳ ଲୁଚି ରହିଥିଲା । ନିକିତି ଟିକିଏ ଦୋହଲି ଗଲା, ଆଉ ବର୍ତ୍ତମାନର ଏ ବିକଟ ପରିସ୍ଥିତି ଭୀଷଣ ଆକାର ଧାରଣ କରି ସମୁଦାୟ ଦେଶଟାକୁ ଗ୍ରାସକଲା ।

 

ଶରତ୍‌ ଭାବେ, କାହିଁକି ଏପରି ହେଲା ? ଦେଶରେ କଅଣ ହଠାତ୍‌ କୌଣସି ଅଦୃଶ୍ୟ କାରଣରୁ ଶସ୍ୟ ଭଣ୍ଡାର ଊଣା ହୋଇଗଲା ? ନା, ତାହା ତ ନୁହେଁ । ସବୁ ବର୍ଷ ଦେଶର ସବୁ ସ୍ଥାନରେ ତ ସମାନ ଫସଲ ଫଳେ ନାହିଁ; କେଉଁ ବର୍ଷ ଭାରତବର୍ଷର କେଉଁ ସ୍ଥାନରେ ଫସଲ ବେଶି ହୁଏ, ଆଉ କେଉଁ ଠାରେ ହୁଏ କମ୍‌ । ଦେଶରେ ମୋଟ ଯେତେ ଫସଲ ହୁଏ ତାହା ସାରା ଭାରତର ଲୋକଙ୍କ ପକ୍ଷରେ ଯଥେଷ୍ଟ । ଓଡ଼ିଶାରେ ଫସଲ କମ ହେଲେ ବୋମ୍ୱାଇରୁ ଆସେ, ମାନ୍ଦ୍ରାଜରୁ ଆସେ, ପଞ୍ଜାବରୁ ଆସେ ଅଭାବ ପୂରା ପଡ଼ିଯାଏ । ଏପରି ହୋଇ ମଧ୍ୟ ଦେଶ ବାହାରକୁ, ଲକ୍ଷ ଲକ୍ଷ ମହଣ ଫସଲ ଯାଏ । ହଠାତ୍‌ ହେଲା କଅଣ ଯେ, ସାରା ଭାରତରେ ଏକା ସାଙ୍ଗରେ, ଏକ ସମୟରେ ଏକାବେଳକେ ଭୀଷଣ ଦୁର୍ଭିକ୍ଷ ପଡ଼ିଗଲା ? ଓଡ଼ିଶାରେ ଦୁର୍ଭିକ୍ଷ–ତା ସାଙ୍ଗକୁ ବଙ୍ଗଳାରେ ଦୁର୍ଭିକ୍ଷ, ମାନ୍ଦ୍ରାଜରେ ଦୁର୍ଭିକ୍ଷ, ବୋମ୍ୱାଇରେ ଦୁର୍ଭିକ୍ଷ, ଦେଶସାରା ସବୁ ସ୍ଥାନରେ ଖାଦ୍ୟ ଦୁର୍ମୂଲ୍ୟ, ଏତେ ଦୁର୍ମୂଲ୍ୟ ଯେ ଲୋକଙ୍କ ପକ୍ଷରେ କିଣି ଖାଇବା ସାଧାରଣତଃ ଅସମ୍ଭବ । ସାରା ଭାରତର ୪୦ କୋଟି ମନୁଷ୍ୟ ଏପରି ଭାବରେ ହଠାତ୍‌ କାହିଁକି ଦୁର୍ଭିକ୍ଷର କରାଳ କବଳରେ ପଡ଼ିଗଲେ ? ସାରା ଦେଶ ଏକସମୟରେ କାହିଁକି ଦୁର୍ଭିକ୍ଷର ଲୀଳାକ୍ଷେତ୍ର, ଅଭାବଅନାଟନର ମହାଶ୍ମଶାନରେ ପରିଣତ ହେଲା ? ଏହାର କାରଣ ଅତି ସୂକ୍ଷ୍ମ, ଅତି ନିର୍ଭୁଲ, ଅତି ସତ୍ୟ–ଶରତ୍‌ ତାହା ବୁଝିଲା । ତାର ବକ୍ଷର ରକ୍ତ ଅକ୍ଷମତାର କ୍ରୋଧରେ ଫେନୀଳ ହୋଇ ଉଠିଲା । ସେ ଭାବିଲା, ୪୦ କୋଟି ଜୀଅନ୍ତା ମନୁଷ୍ୟର ଜୀବନକୁ ନେଇ ଯେଉଁ ମାନେ ଏପରି ନୃଶଂସ ଖେଳ ଖେଳନ୍ତି ସେମାନଙ୍କୁ ରାକ୍ଷସ କୁହାଯିବ ନାହିଁ ତ କୁହାଯିବ କଅଣ ? ପ୍ରଶ୍ନ ହେଉଛି, ସେ କରିବ କଅଣ ? ଏ ଅବସ୍ଥାରେ ମଧ୍ୟ ଯେଉଁ ମାନେ ନିଶ୍ଚିନ୍ତ ଅଛନ୍ତି, ଯେଉଁ ମାନେ ନିଜେ ମୁଠାଏ ଖାଇବାକୁ ପାଉଛନ୍ତି, ଚିରକାଳ ପାଇବେ ବୋଲି ନିଜକୁ ଧନ୍ୟ ମନେ କରୁଛନ୍ତି, ଯେଉଁମାନେ ଏ ଆଡ଼କୁ ଆଖି ଫେରାଇ ଚାହୁଁନାହାନ୍ତି–ସେମାନେ ଅମନୁଷ୍ୟ ହୋଇ ପାରନ୍ତି, ହୃଦୟହୀନ ହୋଇ ପାରନ୍ତି କିନ୍ତୁ ସେମାନେ ଶାନ୍ତିରେ ଅଛନ୍ତି । ସେ ଯଦି ସେହିପରି ରହି ପାରନ୍ତା, କ୍ଷତି କଅଣ ? ତାଦ୍ୱାରା ବା ହେବ କଅଣ ? ଅକ୍ଷମ ସମବେଦନାର ବା କି ଅର୍ଥ ଅଛି ? ସେଥିରେ ବା କାହାର କି ଲାଭ ହେବ ? ସେ ଠିକ୍‌ କଲା, ଆଉ ଏ ସବୁ କଥା ଭାବିବ ନାହିଁ । ସେ ଏସବୁ ବ୍ୟଥାଜନକ ଚିନ୍ତାରୁ ମୁକ୍ତି ପାଇବା ପାଇଁ ପ୍ରାଣାନ୍ତ ପରିଶ୍ରମ କଲା, ଥିଏଟର ଦେଖିଲା, ସିନେମା ଦେଖିଲା; କିନ୍ତୁ ବୁଝିଲା–ନା, ଏସବୁ ଦ୍ୱାରା ଏଡ଼େ ସତ୍ୟଟାକୁ ଭୁଲି ପାରିବା ଅସମ୍ଭବ । ସିନେମା ଘରୁ ବାହାରିଲେ ନରକଙ୍କାଳ, ବାଟରେ ଗଲେ ନରକଙ୍କାଳ, ଘରେ ତୁନି ହୋଇ ବସିଲେ ନରକଙ୍କାଳର ହା-ଅନ୍ନ ଚିତ୍କାର । ଏହି ନରକଙ୍କାଳଗୋଷ୍ଠୀ ଯେପରି କି ଏକ ସ୍ୱରରେ ତା ବିରୁଦ୍ଧରେ ଅଭିଯୋଗ ଆଗତ କରି କହୁଛି, ‘ଶରତ୍‌, ତୁମେ ମନୁଷ୍ୟ; ଆମେ ମଧ୍ୟ ମନୁଷ୍ୟ; ମନୁଷ୍ୟତା ପୀଠରେ ଆମେ ନ୍ୟାୟ ବିଚାର ଦାବୀ କରୁଛୁ ।’

 

ଠିକ୍‌ କଥା । ବଞ୍ଚିବାର ଅଧିକାର କଅଣ ତାହାରି ଅଛି, ଏମାନଙ୍କର ନାହିଁ ? ଏମାନଙ୍କର ବଞ୍ଚିବାର ଅଧିକାର ପ୍ରତି ଯଦି ସେ ଭ୍ରୂକ୍ଷେପ ନ କରେ, ତେବେ କି ଅଧିକାର ବଳରେ ସେ ନିଜେ ବଞ୍ଚିବା ପାଇଁ ଦାବୀ କରିବ ?

 

ସମସ୍ୟା ପରେ ସମସ୍ୟା, ପ୍ରଶ୍ନ ପରେ ପ୍ରଶ୍ନ ତାକୁ ଉତ୍‌କ୍ଷିପ୍ତ କରି ପକାଇଲା । ଶରତ୍‌ ଭାବିଲା, ସେ ବୋଧହୁଏ ପାଗଳ ହୋଇଯିବ ।

 

ସନ୍ଧ୍ୟାର ଧୂସର ଆଲୋକରେ ମହାନଦୀ,କୂଳର ଗୋଟାଏ ବେଞ୍ଚ ଉପରେ ବସି ଭାବୁ ଭାବୁ କେତେବେଳେ ଯେ ବେଶୀ ରାତି ହୋଇ ଯାଇଛି ସେ ଜାଣି ପାରିଲା ନାହିଁ ।

 

ପାଖ ଗଛଗହଳି ଭିତରୁ ଗୋଟାଏ ପେଚା ଡାକି ଉଠିଲା । ବାରବାଟୀ ଦୂର୍ଗ ଭିତରେ ଥିବା ଗୋଟାଏ ଘଣ୍ଟାରେ ଏଗାରଟା ବାଜିଲା ।

 

ଶରତ୍‌ ବେଞ୍ଚ ଉପରୁ ଉଠି ଧୀରେ ଧୀରେ ଚାଲିଲା ଅନ୍ଧାର ଭିତରେ ।

 

ନଅ

 

ବ୍ରହ୍ମପୁରର ବାରାକ୍‌ସ ପଡ଼ିଆ । ଆଗରେ ମୋଟର୍‌ ଷ୍ଟେଣ୍ଡର ଟିଣ ଘର । ଦୀନା ତାର ଗୋଟାଏ କଣରେ ପଡ଼ିଛି ।

 

ଦୀନା ବର୍ଷକ ଆଗର ପଧାନପଲ୍ଲୀର ଦୀନବନ୍ଧୁ ହୋଇ ଆଉ ନାହିଁ; ବର୍ଷକ ପୂର୍ବେ ତାକୁ ଯେ ଦେଖିଥିବ, ସେ ଆଜି ତାକୁ ଚିହ୍ନି ପାରିବାର ସମ୍ଭାବନା ଅଳ୍ପ । ତାର ଆଗ ଚେହେରା ନାହିଁ; ଆଗ ଦେହ ନାହିଁ । ବାଟରେ ଘାଟରେ ବୁଲି ବୁଲୁଥିବା ହା-ଅନ୍ନ ଗୋଷ୍ଠୀ ଭିତରେ ସେ ମଧ୍ୟ ଗୋଟାଏ ନରକଙ୍କାଳ ଜାତୀୟ ଜୀବ । ତାର କୋଟରଗତ ଚକ୍ଷୁ, ନୁଖୁରାଶୁଖୁରା କେଶ; ମୁହଁରେ ଦାଢ଼ୀ, ଦେହରେ ସବୁତକ ଗଣି ହେଉଥିବା ହାଡ଼ ଉପରେ ପରସ୍ତେ ଶୁଖିଲା ଚମଡ଼ା, ଆଉ ଏସବୁ ଉପରେ ଦୁର୍ଭିକ୍ଷ ତାର ନିର୍ଦ୍ଦୟ ହାତରେ ବୋଳି ଦେଇଥିବା ଧୂଳିମଳି ଦୀନାକୁ ଏକ ଅଦ୍‌ଭୂତ ଜନ୍ତୁରେ ପରିଣତ କରିଛି । ତାର ଗୃହ ନାହିଁ, ସଂସାର ନାହିଁ, ଦୁଇଖଣ୍ଡ ଛିଣ୍ଡାକନା ଖଣ୍ଡେ ଫୁଟା ଆଲୁମିନିୟମ୍‌ ତାଟିଆ ଛଡ଼ା ଏ ପୃଥିବୀରେ ତାର ବୋଲନ୍ତେ ଆଉ କିଛି ସମ୍ୱଳ ନାହିଁ । ସେ ମଣିଷ ନୁହେଁ । ସେ ମଣିଷପରି ଚାଲି ପାରୁ ନାହିଁ; ସେ ସିଧା ହୋଇ ଛିଡ଼ା ହୋଇପାରୁ ନାହିଁ–ଯୁଗଯୁଗାନ୍ତର ମହାକ୍ଷୁଧା ମହାଅଭାବ ଅନଟନ ଯେପରି ପୁଞ୍ଜୀଭୂତ ହୋଇ ତା ମୁଣ୍ଡ ଉପରେ ଦୁର୍ବହ ବୋଝ ପରି ଲଦି ହୋଇପଡ଼ିଛି ।

 

କେତେ ଯାତ୍ରୀ ଯାଉଛନ୍ତି, କେତେ ଯାତ୍ରୀ ଆସୁଛନ୍ତି; କେତେ ମୋଟର ଯାଉଛି, କେତେ ମୋଟର ଆସୁଛି । ସକାଳ ଯାଇ ସଞ୍ଜ ହେଲା । ଦୀନା ସେହି ମୋଟର ଷ୍ଟେଣ୍ଡର ଗୋଟାଏ କଣରେ ପଡ଼ିଛି । କିଏ ବା ତା ଆଡ଼କୁ ଚାହୁଁ ଛନ୍ତି, କିଏ ବା ସେ ଆଡ଼କୁ ଦୃଷ୍ଟି ଦେଉଛି । ଚାରିଆଡ଼େ ତ ଏହି ଦୃଶ୍ୟ, ଏପରି ନରକଙ୍କାଳ; ଏଠାରେ ପଡ଼ିଥିବା ନରକଙ୍କାଳଟି ବା କାହିଁକି କାହାର ବିଶେଷ ଦୃଷ୍ଟି ରେ ପଡ଼ିବ ?

 

ଦୀନା ପଡ଼ିଛି । ସେ ଠିକ୍‌ କରିଛି, ସେଠାରୁ ଆଉ ଉଠିବ ନାହିଁ । ଜୀବନଟା ରଖିବାପାଇଁ ବହୁତ ଚେଷ୍ଟା କଲା; ଆଉ ସେ ପାରିବ ନାହିଁ । କେତେ ସେ ମାଗିବ କାହାକୁ ? କିଏ ବା କାହିଁକି ଦେବ ତାକୁ ? ସହରରେ ତ ତାରି ପରି ଶହ ଶହ ବୁଲୁଛନ୍ତି; କାହାକୁ କିଏ ଦେବ ? ନା, ଆଉ ସେ ମାଗିବ ନାହିଁ । ଏପରି ମାଗିଲେ ବା ସେ କେତେ ଦିନ ବଞ୍ଚିବ ? ବଞ୍ଚିଲେ ବା ଲାଭ କଅଣ ? ତାର ସାରିଆ, ତାର ପୁଅଟି ତ କେବେଠୁଁ ମରି ଯିବେଣି; ସେ ବଞ୍ଚି ଆଉ ଅଧିକ କଅଣ କରିବ ?

 

ଗତି କାଲି ଦି’ପହର ବେଳେ ବିଜିପୁର ବଜାର ମୋଡ଼ରେ ଥିବା ହୋଟଲଟା ପାଖ ନଳାରେ ପଡ଼ିଥିବା ଆଠ ଦଶ ଖଣ୍ଡ ଅଇଁଠା ପତ୍ରରୁ ଗୋଟିଗୋଟି କରି ସାଉଁଟି ମୁଠାଏଖଣ୍ଡେ ଭାତ ଖାଇ ବିଜିପୁର ବନ୍ଧରୁ ସେ ପାଣି ପିଉଥିଲା । ଦି ଚଳ ପାଣି ପିଇ ହଠାତ୍‌ କାହିଁକି ମନେ ପଡ଼ିଗଲା ତା ପୁଅ । ତା ମୁଣ୍ଡଟା କେମିତି ହୋଇଗଲା; ସେ ପାଣି ତୁଠରୁ ଉଠି ପାରିଲା ନାହିଁ । ଆଜିକୁ ଚାରିମାସ ହେବ ଭୋକ ଉପାସ ସହିତ ସେ ଲଢ଼ି ଆସୁଛି; ଉପାସଟା ତାର ଦେହସହା ହୋଇ ଯାଇଛି; ଭୋକିଲା ପେଟର ଯେ ଯନ୍ତ୍ରଣା ତାହା ସହିତ ଦୀନାର ଘନିଷ୍ଠ ପରିଚୟ ହୋଇ ସାରିଛି । ସେ ବୁଝି ସାରିଛି, ଜୀବନଟାଯାକ ତାକୁ ଏମିତି ଭୋକ ଏମିତି ଉପାସ ସହିବାକୁ ହେବ । ନ ସହି ବା ତାର ଚାରା କଅଣ ? ଏକଥା ନେଇ ଭାବିଲେ କିଛି ଲାଭ ନାହିଁ । ଏ କଥା ଉପରେ ଦୁଃଖ କଲେ ପେଟ ପୂରିବ ନାହିଁ । ଏକଥା ଉପରେ ମୁଣ୍ଡ ପିଟିଦେଲେ ମଧ୍ୟ ତାର ପୂର୍ବ ଅବସ୍ଥା ଫେରି ଆସିବ ନାହିଁ । ସେ ଭୋକରେ ରହୁଛି, ଉପାସରେ ରହୁଛି, ଭୋକ ଦାଉରେ ଗାଆଁ ଛାଡ଼ି, ନିଜର ସ୍ତ୍ରୀ ପିଲାଙ୍କୁ ଛାଡ଼ି ପଳାଇ ଆସିଛି । ମୁଠାଏ ଭାତ ତାକୁ ମିଳୁ ନାହିଁ, ମୁଠାଏ ଭାତ ଉପରେ ତାର ଅଧିକାର ନାହିଁ । ଏକଥା ଗୁହାରି କଲେ କେହି ଶୁଣିବାକୁ ନାହାନ୍ତି, ନାଲିସ କଲେ କେହି ବିଚାର କରିବାକୁ ନାହାନ୍ତି । ସେ ଖାଇବାକୁ ପାଉ ନାହିଁ, ଖାଇବାକୁ ନ ପାଇ ତାର ଅସ୍ଥି ଚର୍ମ ରହିଲାଣି, ହୁଏତ ଆଉ କେତେଟା ଦିନ ଏପରି ଚଳିଲେ ତାକୁ ମରିବାକୁ ହେବ; ଅଥଚ ଦେଶରେ ଏପରି କୌଣସି ଆଇନ ନାହିଁ, ତା ମୁହଁକୁ ଦିନାନ୍ତେ ମୁଠାଏ ଭାତ–ଖାଲି ଭାତ–ଯୋଗାଇ ଦେବ; ଏପରି କେହି ଲୋକ ନାହିଁ, ଏ ଲୋକଟା ଖାଇବାକୁ ନ ପାଇ ମରିବାକୁ ବସିଛି ବୋଲି ଭାବିବ । ଅଥଚ ସେ ବି ଜଣେ ମନୁଷ୍ୟ । ନା, ଭୋକିଲା ଲୋକର କେହି ସାହା ନାହାନ୍ତି, କେହି ସହାୟ ନାହାନ୍ତି; ଏପରି ସାହାସହାୟ ଦାବୀ କରିବା ଅଧିକାର ମଧ୍ୟ ତାର ନାହିଁ । ମଶାଣିର ଏକୁଟିଆ ପ୍ରେତ ପରି ସେ ଯେଉଁଆଡ଼େ ମନ ସେ ଆଡ଼େ ବୁଲିବ, ଯେଉଁଠି ମରିବ, ସେଇଠି ପଡ଼ିବ । ଡଙ୍ଗା ଯେତେ ଦିନ ଚାଲିଛି ଚାଲୁ; ଯେଉଁଦିନ ବୁଡ଼ିବ ସେ ଦିନ ଶେଷ ।

 

ଏ ସବୁ କଥା ସେ ଏହି ଚାରିମାସ ଭିତରେ ବହୁତ ଭାବିଛି । ସେ ବୁଝିଛି, ବଞ୍ଚିବା ଉପରେ ତାର ଦାବୀ ସରି ଯାଇଛି, ମରିବାଟା ତା ପକ୍ଷରେ ସ୍ୱାଭାବିକ ଆଉ ନିଶ୍ଚିନ୍ତ । ସେଥିପାଇଁ ତାର ଦୁଃଖ ନ ଥିଲା । ହଠାତ୍‌ ଆଜି ତା ପୁଅ କଥା ମନେ ପଡ଼ିଗଲା । ତାର ମନେ ହେଲା, ସେ ପିଲାଟା ଏମିତି ଭୋକରେ, ଏମିତି ଉପାସରେ, ଏମିତି ଶୁଖି ଶୁଖି, ଏମିତି କଷ୍ଟ ସହି ସହି ମରିଥିବ-। ତାର ଛାତିର ହାଡ଼ କେତେଖଣ୍ଡକୁ ହୋହଲାଇ, ତାର ଶୁଖିଲା କୁଣ୍ଠକୁ ଭେଦ କରି ଗୋଟାଏ ଅସ୍ପଷ୍ଟ ଶବ୍ଦ ଉଠିଲା । ତାପରେ ତାର ଆଉ ଉଠିବା ଶକ୍ତି ରହିଲା ନାହିଁ–ଯେପରି ତାର ସମୁଦାୟ ଦୁଃଖ, ସମୁଦାୟ ଯନ୍ତ୍ରଣା, ଏକ ମୁହୂର୍ତ୍ତ ମଧ୍ୟରେ ଏକତ୍ରିତ ହୋଇ ତାକୁ ଅଭିଭୂତ କରି ପକାଇଲା । ସେ ମୂକ ପରି ଶୂନ୍ୟ ଦୃଷ୍ଟିରେ ବନ୍ଧର ପାଣି ଆଡ଼କୁ ଚାହିଁ ରହିଲା ।

 

ଘଣ୍ଟାଏ ଗଲା; ଦୁଇଘଣ୍ଟା ଗଲା; ସେ ସେହି ପାଣି ଆଡ଼କୁ ଚାହିଁ ରହିଛି । ତାର ଚିନ୍ତା ଶକ୍ତି କ୍ରମେ କ୍ରମେ ଫେରି ଆସିଲା । ସେହି ପାଣି ଭିତରେ ଦିଶିଗଲା ସାରିଆର ନୁଖୁରା କେଶ, ଶୁଖିଲା ମୁହଁ, କୋଟରଗତ ଚକ୍ଷୁ । ତା ଛାତି ଭିତରଟା ଡାକି ଉଠିଲା–‘ସାରିଆ ! ତୁ ବଞ୍ଚିଛୁ ?’ ନା, ସମ୍ଭବ ନୁହେଁ । ସାରିଆ ଆଜିଯାଏ ବଞ୍ଚିରହି ନାହିଁ । ସାରିଆ ଉପାସ ରହିଛି, ଦୀନା ଉପାସ ରହିଛି-। ଯଦି କିଛି ମିଳେ ସାରିଆ ତାହା ଫୁଟାଇ ଦୀନା ଆଗରେ ଥୋଇ ଦିଏ, ପଚାରିଲେ କହେ, ‘ମୋ ପାଇଁ ଅଛି ।’ ଭୋକ–ତୀବ୍ର, ପେଟଜ୍ୱଳା ଭୋକ–ଦୀନା ହୁଏତ ସବୁ ଖାଇଦିଏ; ସାରିଆ ସେହିପରି ପେଟର ଜ୍ଜ୍ୱାଳାକୁ ପେଟରେ ମାରି ଶୋଇପଡ଼େ; ପଚାରିଲେ କହେ, ‘ଖାଇଛି ଯେ, ଦେହଟା କେମିତି ଭଲ ଲାଗୁ ନାହିଁ ।’ ଭୁଲିଯାଇ ଥିବା କେଉଁ ପୁରୁଣା କାଳର ଭରା ଘର ଭିତରେ ସାରିଆ ମୁହଁରେ ସମୟ ସମୟରେ ଯେଉଁ ହସ ଫୁଟି ଉଠୁଥିଲା, ସେହି ହସ, ତାରି ଗୋଟାଏ ଇଙ୍ଗିତ, ତାରି ଗୋଟାଏ ଅଶରୀରୀ ପ୍ରେତର ଚିହ୍ନ ସାରିଆର ଶୁଖିଲା ମୁହଁରେ ଫୁଟି ଉଠେ । ସେହି ସାରିଆ, ସେ ଆଉ ଅଛି ? ନା, ନାହିଁ । ଅସମ୍ଭବ, ଥିବା ଅସମ୍ଭବ । ସାରିଆ ଯାଇଛି–ଯାଉ; ସରିଛି–ସବୁ ସରିଛି । ଦୀନାର ଶୁଖିଲା ଆଖିର ଚମଡ଼ା ପତା ଦି ଟାକୁ ଠେଲି କେତେ ବୁନ୍ଦା ଲୁହ ଗଡ଼ିଆସିଲା ପରି ହେଲା; ଆସି ପାରିଲା ନାହିଁ–ଦୀନା ଆଖିରେ ଜଳି ଉଠିଲା ଖରାଦିନର ଦି’ପହରିଆ ନିଆଁ ପରି ଗୋଟାଏ ଅସ୍ୱାଭାବିକ ଜ୍ୟୋତି ।

 

ଦୀନା ସେଇ ତୁଠ ଉପରେ ବସି ରହିଲା ।

 

ଜଣେ ଲୋକ ବନ୍ଧଘାଟକୁ ଆସି ଦେଖିଲା, ପାଣି ତୁଠରେ ଗୋଟାଏ ନରକଙ୍କାଳ ନିଶୂନ ଭାବରେ ବସିଛି । ଭାବିଲା, ଏଉଟା ସମ୍ଭରତଃ ମରିଗଲାଣି । ପାଖକୁ ଯାଇ ଚାହିଁଲା; ଛାତି ହାଡ଼ ଉପରେ ଥିବା ଚମଡ଼ା ଖଣ୍ଡକ ଉଠୁଛି ପଡ଼ୁଛି । ଲୋକଟି ବୁଝିଲା, ବଞ୍ଚିଛି । ଡାକିଲା, ‘ହେ, ଏଠି କାହିଁକି ବସିଛୁ ?’

 

ଦୀନା ତା ଆଡ଼କୁ ଚାହିଁଲା, ଧୀରେ ଧୀରେ ଉଠିଲା । ମନେମନେ ଠିକ୍‌ କଲା–ଆଉ କାହିଁକି ? ନା, ଆଉ ନୁହେଁ ।’

 

ଅନିଶ୍ଚିତ ପଦକ୍ଷେପରେ ସେ ଚାଲିଲା ।

 

ଦଶ

 

ଦେଢ଼ମାସ ତଳେ ଦୀନା ଘରୁ ଚାଲି ଆସିଥିଲା ।

ଜମି ବଦଳରେ ପଧାନ ଘରୁ ଚାଉଳ ନେଇ ଦିନକୁ ଥରେ ଦି’ଦିନରେ ଥରେ ଫୁଟାଇ ଖାଇ ସେ କିଛିଦିନ ଚଳିଲା । ତା’ମଧ୍ୟ ସରିଲା । ସେତେବେଳକୁ ଗାଆଁ ଚାରିଆଡ଼ର ଶାଗ, ପତ୍ର, ଓଲୁଅ, ବଣସାରୁ, ବଣର ଟୁଙ୍ଗା, କଡ଼ବା, ଶଉପ ଗଛ, ପୋଖରୀର କଳମ ନଟା, ଶୂନୂଶୂନିଆ ପିତା ଶାଗ–ସବୁ ସରିଥିଲା । ଖାଇବାକୁ ନ ପାଇ ପୋକମାଛି ପରି ଲୋକେ ଝରି ପଡ଼ୁଥିଲେ । ଯେ ଯେଉଁଠି ପଡ଼ୁଥିଲା, ସେଇଠି ମରୁଥିଲା । ଅଧିକାଂଶ ଲୋକ ଗାଆଁ ଛାଡ଼ି କିଏ କୁଆଡ଼େ ପଳାଇ ଯାଇଥିଲେ । ଯେଉଁ କେତେ ଜଣ ମାଟି କାମୁଡ଼ି ପଡ଼ିଥିଲେ, ସେମାନେ ହୋଇ ଯାଇଥିଲେ ଅସ୍ଥିକଙ୍କାଳ ।

ଦୀନା, ତାର ସ୍ତ୍ରୀ ଓ ପିଲା ଚାରିଦିନ ଉପାସ । ଘରେ ବାହାରେ ଯେଉଁ ଆଡ଼କୁ ଚାହିଁଲେ କେଉଁ ଠାରେ ପୋଷେ ଚାଉଳ ମିଳିବାର ଆଶା ନ ଥିଲା । ସାରିଆ ଓ ତାର ପୁଅ କୁଡ଼ିଆ ଭିତରେ ପଡ଼ିଥାନ୍ତି । ଦୀନା ପଡ଼ିଥାଏ ବାହାର ପିଣ୍ଡାରେ । ପିଲାଟା ଟିକିଏ କାନ୍ଦୁଥାଏ, ବେଦମ ହୋଇ ଟିକିଏ ରହି ଯାଉଥାଏ । ସାରିଆ ତା ମୁହଁରେ ଶୁଖିଲା ସ୍ତନଟାକୁ ଧରାଇ ଦେଇ ଭାବୁଥାଏ, କ୍ଷିର ନ ଥାଉ, ପିଲାଟିର ପେଟ ତା ମାଂସରେ ପୂରି ଯାଆନ୍ତା କି !

ଚାରିଆଡ଼େ ଅନ୍ଧାର–ଯେପରି ଗୋଟାଏ ବିକଟ ପ୍ରେତ ସାରା ଦୁନିଆର ଛାତି ଉପରେ ମାଡ଼ି ବସିଛି, ଆଉ ଚିରଗୁଣୀ ଆଲୁଅ ପରି ତାରାଗୁଡ଼ାକ ଉପରେ ମିଟି ମିଟି ହେଉଛନ୍ତି । ଦୀନା ପିଣ୍ଡାରେ ପଡ଼ି ପଡ଼ି ଆକାଶକୁ ଚାହିଁ ରହିଥାଏ ।

ପିଲାଟା ଅତି କ୍ଷୀଣ ସ୍ୱରରେ କାନ୍ଦି ଉଠିଲା । କ୍ଷୁଧା ଓ ଯନ୍ତ୍ରଣାର ବୃଶ୍ଚିକଦଂଶନରେ ଦୀନାର ମସ୍ତିଷ୍କ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିଲା; ପିଲାର ଏ କ୍ଷୀଣ ସ୍ୱରଟା ବଜ୍ରାଘାତ ପରି ତାର ଶୁଷ୍କ ଶୀର୍ଣ୍ଣ ବକ୍ଷ ପଞ୍ଜରାକୁ ଆଲୋଡ଼ିତ କରି ପକାଇଲା । ସେ ଦ୍ୱାରମୁହଁକୁ ଚାହିଁଲା; ଘର ଭିତରକୁ ଦୃଷ୍ଟି ଦେଲା; ତା ଭିତରେ ମଧ୍ୟ ଅନ୍ଧାର–ସୂଚିଭେଦ୍ୟ ଅନ୍ଧାର । ଦୀନାକୁ କିଛି ଦିଶିଲା ନାହିଁ ।

ସେ ବାହାରକୁ ଆସିଲା । ଚାରିଆଡ଼କୁ ଚାହିଁଲା । ଚାରିଆଡ଼େ ଅନ୍ଧାର, ସେହିପରି ଅନ୍ଧାର । ପୃଥିବୀ ଉପରେ ଆଲୁଅର କ୍ଷୀଣ ରେଖାଟିଏ ମଧ୍ୟ ନାହିଁ । ଟିକିଏ ଛିଡ଼ା ହେଲା ଧୀର ନିଶ୍ଚଳ ଭାବରେ; ତା ପରେ ଟଳି ଟଳି ଚାଲିଲା ଅନ୍ଧାର ଭିତରକୁ ।

 

ହଠାତ୍‌ ତାର ମନେ ପଡ଼ିଲା–‘ମୋ ଘର ।’ ସେତେବେଳକୁ ସେ ଖଣ୍ଡେ ବାଟ ଚାଲି ଆସିଥିଲା । ଅନ୍ଧାର ଦେହରେ ପଧାନପଲ୍ଲୀର ଛାଇଟା ଜାଲଜାଲିଆ ଦିଶୁଥିଲା । ହେ ସେଇ–ସେଇ ଗେଡ଼ା ତାଳଗଛ ଛାଇ ସଳଖେ ତା ଘର । ଦୀନା ନିର୍ବେଦ ନିସ୍ତବ୍‌ଧ ହୋଇ ଛିଡ଼ାହୋଇ ରହିଲା ସେ ଆଡ଼କୁ ଚାହିଁ । ତା’ ପରେ ଧୀରେ ଧୀରେ ଆଗକୁ ଚାଲିଲା ।

 

ତା ଘର ? ହଁ, ଦିନେ ତାର ଘର ଥିଲା । ସେଥିରେ ସୁଖ ଥିଲା, ଶାନ୍ତି ଥିଲା, ଶତ ସ୍ମୃତି ବିଜଡ଼ିତ ହୋଇ ଦୁଃଖରେ ଅଭାବରେ ଅନାଟନରେ ତାହା ତାକୁ କୋଳକୁ ଟାଣି ନେଉଥିଲା । ଦୁନିଆରେ ଯେତେବେଳେ ସେ ପାଇଛି ଲାଞ୍ଛନା ଅପମାନ, ସେତେବେଳେ ଘର ତାକୁ ଆଶ୍ରୟ ଦେଇଛି, ରକ୍ଷା କରିଛି । ଦୁନିଆର ଆକ୍ରମଣ ମୁହଁରେ ଦୁର୍ଭେଦ୍ୟ ସୀମାରେଖା ଟାଣିଦେଇ; ଆଉ ଯେତେବେଳ ସେ ପାଇଛି ସମ୍ମାନ, ପାଇଛି ପ୍ରଶଂସା, ପାଇଛି ଜୟଟୀକା ତାର ପରିଶ୍ରାନ୍ତ ଲଲାଟରେ, ସେତେବେଳେ ତା ଘର ତାକୁ ଅଭିନନ୍ଦିତ କରିଛି, ସ୍ୱାଗତ କରି ନେଇଛି ଆନନ୍ଦ କୋଳାହଳ ଭିତରେ ଦୀପ ଜାଳି । ସମ୍ରାଟର ସାମ୍ରାଜ୍ୟ, ରାଜାର ରାଜ୍ୟ; ଜମିଦାରର ଜମିଦାରୀ–ସେମାନଙ୍କ ପକ୍ଷରେ ଗର୍ବର ସାମଗ୍ରୀ ହୋଇପାରେ; ତା ଘର ଖଣ୍ଡି କ, ତା କୁଡ଼ିଆ ଖଣ୍ଡକ, ତାର ଗର୍ବର ସାମଗ୍ରୀ–ତା ପକ୍ଷରେ ସାମ୍ରାଜ୍ୟ, ରାଜ୍ୟ, ଜମିଦାରୀ ଠାରୁ ମୂଲ୍ୟବାନ୍‌–ବହୁତ ବଡ଼ । ତା ଘର ଖଣ୍ଡିକ ପାଇଁତ ସେ ଗାଆଁ ତା ଗାଆଁ, ଦେଶଟା ତା ଦେଶ, ଏ ପୃଥିବୀଟା ତା ପୃଥିବୀ ।

 

ସେଇ ଘର–ସେଇ ତାର ଘର–ଆଜି ତା ପକ୍ଷରେ ଶ୍ମଶାନ ଠାରୁ ଭୀଷଣ ହୋଇ ପଡ଼ିଛି-। ସେଇ ଘର ଭିତରେ ଦୁଇ ଦୁଇଟା ମହାପ୍ରାଣୀ–ତାର ଅତି ଆପଣାର ଲୋକ–ଦଣ୍ଡେ ଦଣ୍ଡେ ପଳେ ପଳେ ମୃତ୍ୟୁ ଆଡ଼କୁ ଚାଲିଛନ୍ତି–ହୁଏତ ଏଇ ରାତିଟା ସେମାନଙ୍କର ଶେଷ ରାତି–ଆଉ ପଡ଼ିପଡ଼ି ସେ ଦୃଶ୍ୟ ଦେଖିବା ଛଡ଼ା ଅନ୍ୟ ଉପାୟ ନାହିଁ ତା ପକ୍ଷରେ । ଗଣ୍ଡାଏ ଭାତ, ମୁଠାଏ ଚାଉଳ ପାଇଁ ସାରିଆ ମରିବ, ତା ପୁଅଟି ମରିବ–ଆଉ ସେ ପଡ଼ିପଡ଼ି ସେ ଦୃଶ୍ୟ ଦେଖିବ ସ୍ୱାମୀ ହୋଇ, ବାପ ହୋଇ ସେ ଏହା ସହିବ କିପରି ? ଗଣ୍ଡାଏ ଭାତ ! ମୁଠାଏ ଚାଉଳ ! ! ବଣର ଚଢ଼େଇ, ବିଲର ମୂଷା, ଗାଆଁ ର ପିଲାଏ ତା କ୍ଷେତରୁ ଦିନକେ ଯାହା ନେଇ ଯାଆନ୍ତି–ଆଉ ସେଥିରେ ଦୀନା ଆନନ୍ଦ ଅନୁଭବ କରେ–ସେତକ ଧାନର ପାଞ୍ଚ ଭାଗରୁ ଭାଗେ ଚାଉଳ ଏ ବିଶ୍ୱବ୍ରହ୍ମାଣ୍ଡରୁ ଯଦି ଏ ମୁହୂର୍ତ୍ତରେ ତାକୁ ମିଳନ୍ତା, ତେବେ ତା ସାରିଆଟା, ତା ପୁଅଟା ଆହୁରି ଦୁଇ ତିନି ଦିନ ବଞ୍ଚି ଯାଆନ୍ତେ-। ନା ସେତେକ ତାକୁ ମିଳିବ ନାହିଁ–ମିଳିବାର ନୁହେଁ ।

 

ଅନ୍ଧାର ଗାଢ଼ତର ହୋଇଆସିଲା । ପଶ୍ଚିମ ଆକାଶ କୋଳରେ ଖଣ୍ଡେ ମେଘ ଧରି କ୍ରମେ କ୍ରମେ ଫୁଲି ଫୁଲି ଉଠିଲା । ରହି ରହି ବିଜୁଳି ଚମକି ଚମକି ଉଠିଲା । ଘଡ଼ଘଡ଼ିର ଗୁରୁଗମ୍ଭୀର ନିନାଦର ପ୍ରତିଧ୍ୱନି ପାହାଡ଼ କନ୍ଦରାରେ ଜାଗିଉଠିଲା । ଦୀନା ଚାଲିଛି–ଚାଲିଛି ଆଗକୁ-। କୁଆଡ଼କୁ ସେ ଯାଉଛି,ସେ ଜାଣେ ନା କାହିଁକି ଯାଉଛି, ତା ମଧ୍ୟ ସେ ଜାଣେ ନା । ସେ ଚାଲିଛି ।

 

ଟିପି ଟିପି ବର୍ଷା ଆରମ୍ଭ ହୋଇଗଲା । କଡ଼ କଡ଼ ଶବ୍ଦ କରି ତା ପାଖରୁ ଅଳ୍ପ ଦୂରରେ ବଜ୍ର ପଡ଼ିଲା । ପାଖରେ ଗୋଟାଏ ଗଛ । ତାରି ମୂଳରେ ଦୀନା ବସିପଡ଼ିଲା । ବିଜୁଳିର ଚମକ ପରି ଗୋଟାଏ କଥା ତା ମନେ ପଡ଼ିଲା–ସାରିଆ, ତାର ପିଲାଟି ପାଇଁ କଅଣ ଆଉ ସେ କିଛି କରିପାରିବ ନାହିଁ ? ହୁଏତ ପାରିବ; ହୁଏତ ସେମାନେ ବଞ୍ଚିଯିବେ । ତା ଛାତିର ଅନ୍ଧକାର ଭିତରେ ଆଶାର ଗୋଟାଏ କ୍ଷୀଣ ରଶ୍ମି ଫୁଟି ଉଠିଲା । ଭଲ ଦିନେ ତ ସେ ଦେଖିଛି ଶହ ଶହ ଲୋକ ଭିକ ମାଗି ବଞ୍ଚନ୍ତି । ସେ ଭିକ ମାଗିବ–ଭିକମାଗି ସେ ତାର ସ୍ତ୍ରୀକୁ, ତାର ପିଲାକୁ ବଞ୍ଚାଇବ । ହଁ, କେବଳ ସେଇ ଗୋଟାଏ ବାଟ ରହିଛି ତା ଆଗରେ । ସେତେବେଳକୁ ସେମାନେ ବଞ୍ଚିଥିବେ ତ ? ହଁ ବଞ୍ଚିଥିବେ–ନିଶ୍ଚୟ ବଞ୍ଚିଥିବେ । ସେ ଯାଉଛି ସେମାନଙ୍କ ଲାଗି ଭିକମାଗିବା ପାଇଁ; ଆଉ ସେମାନେ ବଞ୍ଚିବେ ନାହିଁ ? ସାରିଆ ତା ବାଟ ଚାହିଁ ରହିବ ନାହିଁ ? ରହିବ, ନିଶ୍ଚୟ ରହିବ ! ଏତେ ଦିନଧରି ଏତେ ଭୋକ, ଏତେ ଉପାସରେ, ହାଡ଼ଚମ ହୋଇ ଯଦି ସେମାନେ ବଞ୍ଚି ରହିଛନ୍ତି, ଆଉ ଦିନ ଦୁଇଟା ସେମାନେ ବଞ୍ଚିବେ ନାହିଁ ?

 

ଗଛ ମୂଳରୁ ସେ ଉଠିଲା । ସେତେବେଳକୁ ମେଘ ଉଡ଼ି ଯାଇଛି । ଧୀରେ ଧୀରେ ଆଗକୁ ଚାଲିଲା । ସେ ଦେଖିଛି, ବ୍ରହ୍ମପୁରରେ ବହୁତ କୋଠାବାଡ଼ି, ଖୁବ ବଡ଼ ବଡ଼ ଲୋକ ରହନ୍ତି; ବହୁତ ଗାଡ଼ି ମୋଟର ସେଠାରେ ଅଛି । ସହର ବଜାର, ସେଠାକୁ ଗଲେ ସେ ଦି’ ସେର ଚାଉଳ ପାଇବ–ହଁ, ଚାରି ସେରେ ଚାଉଳ ମଧ୍ୟ ମିଳିପାରିବ । ଦୁଇଟା ଦିନ ଆଦୌ, ଦୁଇଟାଦିନ–ତା ପରେ ସେ ଗାଆଁକୁ ଫେରିବ; ସାରିଆ ମୁହଁରେ ଭାତ ଦୁଇଟା–ତା ପୁଅ ମୁହଁରେ ପେଜ ମୁନ୍ଦାଏ ଦେବ । ସେ ସେମାନଙ୍କୁ ବଞ୍ଚାଇ ପାରିବ ।

 

ବୁଡ଼ି ଯାଉଥିବା ଲୋକ କୁଟା ଖିଅକୁ ଧରି ଭାସି ଉଠିବାକୁ ଆଶାକରେ; ଦୀନା ମଧ୍ୟ କୁଟାଖିଅ ଧରି ଆଗକୁ ଚାଲିଲା ।

 

ସେତେବେଳକୁ ଦୀନା ପରି ହଜାର ହଜାର ଲୋକ ଏହିପରି ଖିଏ ଖିଏ କୁଟା ଧରି ଓଡ଼ିଶାର ଚାରିଆଡ଼ୁ ସହରଗୁଡ଼ାକ ଅଭିମୁଖରେ ଚାଲିଥିଲେ । ସହର ବଜାର ଜୀଅନ୍ତା ନରକଙ୍କାଳଗୁଡ଼ାକରେ ପୂରି ଉଠୁଥିଲା; ଆଉ ସହର ଆଡ଼କୁ ଥିବା ବାଟ କଡ଼ଗୁଡ଼ାକ ପରି ଉଠିଥିଲା ଏମାନଙ୍କ ଶବରେ । ସାରା ଦେଶ କ୍ରମେ କ୍ରମେ ଗୋଟାଏ ବିରାଟ ଶ୍ମଶାନର ଆକାର ଧାରଣ କରିଥିଲା; ଆଉ ତା ଭିତରେ ନାଚୁଥିଲା ନୈରାଶ୍ୟର ନିର୍ମ୍ମମ କବନ୍ଧ ।

 

ଏଗାର

 

ବ୍ରହ୍ମପୁର ଲଞ୍ଜିପଲ୍ଲୀ ପାଖର ଖଣ୍ଡେ ଟାଙ୍ଗର ଭୂଇଁ । ତା ମଝିରେ ଖଣ୍ଡେ ତୋଟା । ପାଖରେ ଗୋଟାଏ ଖାଲରେ ଜମିଥିବା କିଛି ପାଣି । ସେଇଠି ଗୁଡ଼ାଏ ନରକଙ୍କାଳ ଥାଆନ୍ତି । ସକାଳ ହେଲେ ଏମାନେ ବ୍ରହ୍ମପୁର ଓ ତା ଆଖପାଖରେ ବୁଲନ୍ତି; ଦିନ ସାରା ଘୂରି ଘୂରି ଯେତେବେଳେ ଯାହା କାନିରେ ମୁଠାଏ ଚାଉଳ ହୁଏ, ସେ ଏଇ ତୋଟାକୁ ଫେରି ଆସେ । ଗଛମୂଳରେ ପଥର ତିନି ଖଣ୍ଡର ଚୁଲି; ତାରି ପାଖରେ ହୁଏତ ମଶାଣି ପଦାରୁ କି ଗାଆଁ ମୁଣ୍ଡରୁ ସାଉଁଟି ଆଣିଥିବା ଗୋଟାଏ ଦୁଇଟା ହାଣ୍ଡି । ସେଥିରେ ଚାଉଳ ମୁଠାଏ ଫୁଟାଇ ଗିଳି ଦିଅନ୍ତି । ନିତି କେତେ ନୂଆ ନରକଙ୍କାଳ ଏଠି ଆସି ପହଁଚନ୍ତି; କେତେ ପୁରୁଣା ନରକଙ୍କାଳ କୁଆଡ଼େ ଅଦୃଶ୍ୟ ହୋଇ ଯାଆନ୍ତି । ପୁଞ୍ଜୀଭୂତ ଦୁର୍ଭିକ୍ଷ, ଅନାହାର, ଯନ୍ତ୍ରଣାର ଏକ ବିକଟ ଛବି ଏଠାରେ ଫୁଟିଉଠି ଦୂରରେ ଦେଖା ଯାଉଥିବା ବ୍ରହ୍ମପୁର ସହରର କୋଠାବାଡ଼ି ପ୍ରତି ମୁହୂର୍ତ୍ତରେ ବ୍ୟଙ୍ଗ କରୁଥାଏ ।

 

ଦିନ ଦୁଇ ପ୍ରହର; ଦୀନା ଆସି ଏ ତୋଟାର ଗୋଟାଏ ଗଛ ଛାଇରେ ଲୋଟି ପଡ଼ିଲା । ବସିବା ପାଇଁ, ଆଉ ପାଦେ ଆଗକୁ ଯିବା ପାଇଁ ତାର ଶକ୍ତି ନ ଥିଲା । ସେ ସେଇଠି ପଡ଼ିରହିଲା ।

 

ଅଳ୍ପ ଦୂରରେ ଆଉ ଗୋଟାଏ ଗଛ ଛାଇରେ ଶୋଇ ଥିଲା ଗୋଟାଏ ବୁଢ଼ା–ଜୀଅନ୍ତା ଅସ୍ଥିକଙ୍କାଳ । କିଛି ସମୟପରେ ନିଜର ଛିଣ୍ଡା କନାର ଗଣ୍ଠରି ଗୁଡ଼େଇ ସହର ଆଡ଼କୁ ଯେତେବେଳେ ସେ ବାହାରିଲା, ଦେଖିଲା ଗଛମୂଳରେ ଗୋଟାଏ ନୂଆ ଜୀବ ପଡ଼ିଛି । ତା ଦେହର ହାଡ଼ଗୁଡ଼ାକ ତ ଗଣି ହେଉଛି–ଏଠି ସମସ୍ତଙ୍କର ତାହା ହିଁ; କିନ୍ତୁ ସିପି ଶୁଖିଲା ପରି ତା ପେଟର ଚମଟା ମେରୁହାଡ଼ ଦେହକୁ ଲାଗିଗଲାଣି । ହଉ, ଏ ଆଜି ରାତିରେ ଯିବେ । ସକାଳୁ ସରକାରୀ ହାଡ଼ି ଆସି ଘୋଷାରି ଘୋଷାରି ଏହାକୁ ପକାଇ ଦେବ । ଏଠାକୁ ଆସିଲା ଦିନୁଁ ଏମିତି ଦୃଶ୍ୟ ସେ ବହୁତ ଦେଖିଛି । ଚାଲ, ଦେଖିବା କୁଆଡ଼ୁ ଦି’ମୁଠା ଚାଉଳ ? ବୁଢ଼ା ଚାଲିଲା; ଖଣ୍ଡେ ବାଟରୁ ପଛକୁ ଫେରି ଦୀନା ଯେଉଁ ଠି ଶୋଇଥିଲା ସେ ଆଡ଼କୁ ଚାହିଁଲା; ପୁଣି ଚାଲିଲା ସହର ଆଡ଼କୁ ।

 

କେତେବେଳ ଯେ ଦୀନା ସେମିତି ଗଛମୂଳେ ପଡ଼ିଛି, ତା ସେ ଜାଣେ ନା ।

 

‘ହେ, ହେ, ଉଠ–’

 

ଦୀନା ଉଠି ଚାହିଁଲା । ଗଛତଳେ ଜଳୁଥିବା ଚୁଲି ଆଲୁଅରେ ଦେଖିଲା, ସାମନାରେ ଗୋଟାଏ ବୁଢ଼ା ।

 

ବୁଢ଼ାଟି କହିଲା–‘ଉଠ, ନେ–ଏତକ ପିଇ ଦେ । ଛେଲୁଆ ଫେଲୁଆ ଟିଣଫିଣ କିଛି ଅଛି-?’

 

ଛିଣ୍ଡାକନାରେ ଗୁରା ହୋଇଥିବା କଣା ଆଲୁମିନିୟମ୍‌ ତାଟିଆ ଖଣ୍ଡକ ଦୀନା ଦେଖାଇଲା ।

 

ବୁଢ଼ା ସେଥିରେ ଜାଉପରି ପେଜ ଘଣ୍ଟା ଭାତ ଦି ସଢ଼ାଇ ଖଣ୍ଡେ ଢାଳିଦେଇ କହିଲା, ‘ଦେ, ପିଇଦେ ।’

 

ଦୀନା ଏକ ନିଃଶ୍ୱାସରେ ସବୁ ପିଇଦେଲା ।

 

ବୁଢ଼ା କହିଲା, ‘ପାଖରେ-ହେଇଟି ସେ କଡ଼ରେ ପାଣି ଅଛି; ଯା, ପିଇ ମୁହଁ ଧୋଇବୁ !’

 

ବୁଢ଼ା ଦୀନା ପାଖରୁ ତା ଗଛ ମୂଳକୁ ଚାଲିଗଲା ।

 

ଦୀନା କିଛି ସମୟ ସେ ଆଡ଼କୁ ଚାହିଁ ବସି ରହିଲା; ଧୀରେ ଧୀରେ ଉଠି ପାଣି ପାଖକୁ ଯାଇ ପେଟେ ପାଣି ପିଇଲା; ପୁଣି ଆସି ଗଛ ମୂଳରେ ବସିଲା ।

 

ବୁଢ଼ା ଗଛମୂଳରେ ଖଣ୍ଡେ, ଛିଣ୍ଡା ଅଖା ପାରି, କନା ବୁଜୁଳାକୁ ମୁଣ୍ଡ ପାଖରେ ରଖି ପୁଣି ଆସିଲା ଦୀନା ପାଖକୁ; କହିଲା, ‘ତୋ ଗାଆଁ କୁଆଡ଼େ ? ଘର, ଘ...ର କେଉଁ ଠି ?’

 

‘ପଧାନପଲ୍ଲୀ ।’

 

‘ଆଜି ଆସିଲୁ, ନା । ମୁଁ, ଗଲାବେଳେ ଦେଖିଲି ତୁ ଏଠି ପଡ଼ିଛୁ । ଭାବିଲି, ଆଜି ରାତିରେ ତୁ ଖସିବୁ । ସହରକୁ ଗଲି । ଗୋଟାଏ କେହି ପଇସାବାଲାର ପିଣ୍ଡ କି ଶ୍ରାଦ୍ଧ । ରାମଲିଙ୍ଗା ବନ୍ଧକଡ଼ ବାଟରେ ଚାଲୁଛି; ଦେଖିଲି, ଗୋଟାଏ ହାଣ୍ଡିରେ ସେରେ ଖଣ୍ଡେ ଅରୁଆ ଚାଉଳ ଆଣି ବନ୍ଧପାଖରେ ଥିବା ବରଗଛ ମୂଳରେ ଥୋଇ ଦେଇଗଲେ । ଚାରିଆଡ଼କୁ ଚାହିଁଲି; କେହି କୁଆଡ଼େ ନାହାନ୍ତି । ଦୁଇଟା କୁକୁର ହାଣ୍ଡିଆଡ଼କୁ ଧାଇଁ ଆସୁଥିଲେ, ବୋଲୁଅ ଦି’ଟା ପକାଇଲି, ସେମାନେ ହଟିଗଲେ । ଚାରିଆଡ଼କୁ ଚାହିଁ ସେତକ କାନିରେ ଢାଳିନେଇ ହାଣ୍ଡିଟାକୁ ଗଡ଼େଇ ଦେଲି । ବୁଝିଲୁ, ସେରେ ଚାଉଳ । ମୋର କଅଣ ହବ ? ସବୁତକ ଫୁଟାଇ ଦେଲି, ନିଜେ ଖାଇଲି, କାଲି ପାଇଁ ରଖିଲି । ହେଇଟି ହେଇ ସେ ଗଛ ମୂଳରେ ସାଧବୀର ସାନ ଝିଅଟା–ବୁଝିଲୁ, କଅଁ ଳା ପିଲା–ସେଇଟା ଆଉ ଦିନେ କି ଦି’ଦିନରେ ଖସିଯିବ, ତାକୁ ମୁନ୍ଦାଏ ଦେଇ ଆସିଲି । ମନେ ପଡ଼ିଗଲା ତୋ କଥା । ତୋତେ ମୁନ୍ଦାଏ ଦେଲେ ତୁ ଆଜି ରାତିଟା ଟପିଯିବୁ, ତେଣିକି ସକାଳ ହେଲେ ଚରିବୁଲି ତୋ ବାଟ ତୁ ଖୋଜିବୁ, ତତେ ମୁନ୍ଦାଏ ଦେଲି–ବୁଝଲୁ ।’

 

Unknown

ବୁଢ଼ା ଅଣ୍ଟିରୁ ଖଣ୍ଡେ ଦରପୋଡ଼ା ବିଡ଼ି କାଢ଼ି ଆର ଗଛ ମୂଳ ଚୁଲିରେ ଥିବା ନିଆଁ ରେ ଲଗାଇବାକୁ ଗଲା । ସଡ଼କରେ ଯାଉ ଯାଉ ଏ ପୋଡ଼ା ବିଡ଼ିଖଣ୍ଡକ ଜଣେ ଲୋକ ପକାଇ ଦେବାର ଦେଖି ସେ ସାଉଁଟି ଆଣିଥିଲା ।

 

ବିଡ଼ି ଖଣ୍ଡକ ଲଗାଇ ବୁଢ଼ା ପୁଣି ଦୀନା ପାଖକୁ ଆସିଲା, ତା ପାଖରେ ବସିପଡ଼ି ପଚାରିଲା, ‘ତୋର ପୁଅ ଝିଅ କେତୋଟି ?’

 

–‘ଗୋଟିଏ ।’

 

–‘ଅଛି ନା, ଯାଇଛି ?’

 

‘ଏଁ ?’

 

ଦୀନା ଆଉ କିଛି କହିପାରିଲା ନାହିଁ । ତା ଛାତି ଭିତରୁ ଗୋଟାଏ କଅଣ ଉଠିଆସି ତାର ନିଃଶ୍ୱାସ ରୁଦ୍ଧ କରିବାକୁ ବସିଲା ।

 

ବୁଢ଼ା ତା ଆଡ଼କୁ ଚାହିଁ ଲା, ଉଠି ଛିଡ଼ା ହୋଇପଡ଼ି କହିଲା, ‘ହୁଁ ବୁଝିଲି ବୁଝିଲି । ହଉ, ଶୋଇ ପଡ଼, ଗଡ଼ି ପଡ଼ ।’

 

ଦୀନା ସେହିପରି ଗଛକୁ ଆଉଜି ବସି ରହିଲା ।

 

ବୁଢ଼ା ଯାଇ ବିଛା ହୋଇଥିବା ଛିଣ୍ଡା ଅଖାରେ ବସି ଉଚ୍ଚ ସ୍ୱରରେ ହସିଉଠି ଲା; ତା ପରେ ସେ ଅତି ଧୀରେ ଧୀରେ ଉଚ୍ଚାରଣ କଲାପରି କହିଲା, ‘ପୁଅ, ପୁଅ ।’ ତା ପରେ ପୁଣି ବୁଢ଼ାର ଉଚ୍ଚ ହାସ୍ୟରେ ତୋଟା ଭିତରଟା ଥରି ଉଠି ଲା ।

 

ଛାଏଁ ଛାଏଁ ସମସ୍ତଙ୍କର ଦୃଷ୍ଟି ସେ ଆଡ଼କୁ ଟାଣି ହୋଇଗଲା । ଦୀନା ସେ ଆଡ଼କୁ ମୂକପରି ଚାହିଁ ରହିଲା ।

 

ବାର

 

ସକାଳ ହେଲା । ସେ ତୋଟାରେ ଯେଉଁ ନରକଙ୍କାଳମାନେ ବସା ବାନ୍ଧି ଥିଲେ, ସେମାନେ ଚାଲିଲେ ସହର ଆଡ଼କୁ । ଦୀନା ମଧ୍ୟ ଗଲା ।

 

ବ୍ରହ୍ମପୁର ବଡ଼ ସହର; ବଡ଼ ବଡ଼ କୋଠାବାଡ଼ି; ଏଠି ବଡ଼ ବଡ଼ ଲୋକେ ଥାଆନ୍ତି । ଭିକ ଏଠି ମିଳିବ, ସେମାନେ ବଞ୍ଚିବେ ବୋଲି ଆଶା ପୋଷି ଚାରିଆଡ଼ୁ ଯେଉଁ ନରକଙ୍କାଳଗୁଡ଼ାକ ସହର ଆଡ଼କୁ ଧାଇଁ ଆସିଥିଲେ, ସେମାନଙ୍କର ସେ ଆଶା ଅନେକ ଦିନରୁ ଲୋପ ପାଇଛି । ଆଉ ଯିବେ ବା କେଉଁ ଠାକୁ ? ସେମାନଙ୍କ ପାଇଁ କେଉଁ ଠବା ସ୍ଥାନ ଅଛି ? ସେମାନେ ପଡ଼ି ରହିଛନ୍ତି ସହର ପାଖରେ । ଏହି ସହରରେ ସେମାନଙ୍କର ବଞ୍ଚିବା ଆଶା ଶେଷ ହୋଇଛି । ସେମାନେ ମଧ୍ୟ ଏଇଠି ଶେଷ ହେବାକୁ ଅପେକ୍ଷା କରିଛନ୍ତି । ସହରରେ ଖୁବ୍‌ ବଡ଼ ବଡ଼ ଲୋକ ଅଛନ୍ତି; ସେମାନଙ୍କର ପେଟ ମଧ୍ୟ ଖୁବ୍‌ ବଡ଼ ବଡ଼; କିନ୍ତୁ ମନଟା, ହୃଦୟଟା ଅତି କ୍ଷୁଦ୍ର–ନିହାତି ସାନ । ଏଡ଼େ ବଡ଼ ହାତୀର ଆଖି ଦୁଇଟା ଯେପରି ଏଡ଼େ ଟିକିଏ ଟିକିଏ, ସେଇପରି ଏମାନଙ୍କର ଏଡ଼େ ଏଡ଼େ ପେଟ ଉପରେ ଏଡ଼େ ଟିକିଏ ଟିକିଏ କଲିଜା ରହିଥାଏ । ଏମାନେ ବଡ଼ ମଣିଷ–ଧନରେ ବଡ଼; ତେଣୁ ଏମାନଙ୍କର କ୍ଷୁଧା ମଧ୍ୟ ଖୁବ୍‌ ବଡ଼, ବୁଭୁକ୍ଷୁ ନରକଙ୍କାଳଗୁଡ଼ିକ–ଦିନକୁ ଓଜନି ଅଧସେର ଚାଉଳ ହେଲେ, ଏମାନଙ୍କର ଭୋକ ମେଣ୍ଟିବ;ଏଇ ଯେଉଁ ବଡ଼ଲୋକଗୁଡ଼ାକ–ଦିନକୁ ଅଧସେର ରୂପା, ଅଧସେର ସୁନା ହେଲେ ମଧ୍ୟ ଏମାନଙ୍କର ଭୋକ ମେଣ୍ଟିବ ନାହିଁ । ଏମାନଙ୍କର ଭୋକ ପେଟର ନୁହେଁ–ମନର । ତାହା ଅନ୍ନଗ୍ରାସରେ ପୂର୍ଣ୍ଣ ହୁଏ ନାହିଁ; ବିଶ୍ୱଗ୍ରାସ କରିବାକୁ ସବୁବେଳେ ଉଦ୍ୟତ । ଏମାନେ ଯେତିକି ପାଆନ୍ତି–ସେତିକି ହା ହା ହୁଅନ୍ତି । ଧନରେ ଏମାନେ ଯେତିକି ବଡ଼, ଅଭାବ ତାଙ୍କର ସେତିକି ବେଶି । ଅଭାବର ତାଡ଼ନାରେ ନରକଙ୍କାଳଗୁଡ଼ିକ କାଙ୍ଗାଳ–ଅଥଚ ଏମାନଙ୍କର ଅଭାବ କେତେ କମ୍‌ ? ଦିନକୁ ଅଧସେର ଚାଉଳ । ଆଉ ବଡ଼ ଲୋକଗୁଡ଼ାକ–ସେମାନେ ମଧ୍ୟ ଅଭାବର ତାଡ଼ନାରେ କାଙ୍ଗାଳ; ସେମାନଙ୍କର ଅଭାବ ଅତି ବଡ଼–ହଜାର ହଜାର ଟଙ୍କା, ଲକ୍ଷ ଲକ୍ଷ ଭରଣ ଧାନ । ଏମାନେ ଯେତିକି ପାଇବେ ଅଭାବ ସେତିକି ବଢ଼ି ଯିବ । ନରକଙ୍କାଳଗୁଡ଼ିକ କାଙ୍ଗାଳ ପେଟପାଇଁ; କିନ୍ତୁ ସେମାନେ ମନୁଷ୍ୟ । ବଡ଼ଲୋକଗୁଡ଼ାକ କାଙ୍ଗାଳ ଲୋଭପାଇଁ; ଲାଭପାଇଁ, ତେଣୁ ସେମାନେ ପଶୁ । ନରକଙ୍କାଳଗୁଡ଼ିକ ଏହି ପଶୁମାନଙ୍କ ମନୁଷ୍ୟତା ଉପରେ ବିଶ୍ୱାସବାନ୍ଧି ସହର ଅଭିମୁଖରେ ଧାଇଁ ଆସିଥିଲେ । ସେମାନଙ୍କର ଭ୍ରମ ଅତି ତୀବ୍ର ଭାବରେ ଦୂରୀଭୂତ ହେଲା । ପଶୁପାଖରେ ମନୁଷ୍ୟତ୍ୱ ଖୋଜିବା ବିଡ଼ମ୍ୱନାର ପୂଜାବେଦୀରେ ଏମାନଙ୍କ ମଧ୍ୟରୁ ଶହ ଶହ ନରକଙ୍କାଳ ଜୀବନ ଉତ୍ସର୍ଗିତ କରି ତାହାର ପ୍ରାୟଶ୍ଚିତ୍ତ କରିଥିଲେ ।

 

ଦୀନା ବଜାର ଭିତରେ ବୁଲିଲା । ଅନେକ ବଡ଼ଲୋକର ବଡ଼ ବଡ଼ କୋଠାବାଡ଼ି ଟପି ଚାଲିଲା । ସହର–ଏଠି କେଉଁଠି ମାଗିବ, କାହାକୁ ମାଗିବ, କିଏ ଦେବ ସେ କିଛି ସ୍ଥିର କରି ପାରିଲା ନାହିଁ । ବାଟରେ ଚାଲେ, ଦେଖେ ବଡ଼ଲୋକର ଘର, ଭାବେ ଏଠି ମାଗିଲେ ମିଳିବ ପରା ! ସାହସ ହୁଏ ନାହିଁ, ବିଶ୍ୱାସ ହୁଏନାହିଁ, ତାର ଡାକ ବଡ଼ ଲୋକର କାନରେ ପହଞ୍ଚିବ । ଆଗକୁ ଚାଲେ । ଭିକ ମାଗିବାର ଅଭ୍ୟାସ ତାର ଏ ପର୍ଯ୍ୟନ୍ତ ହୋଇ ନାହିଁ, ଭୋକଉପାସର ତାଡ଼ନା ଏ ପର୍ଯନ୍ତ ତା ଭିତରେ ଥିବା ନିଜ ପ୍ରତି ସମ୍ମାନଜ୍ଞାନ ଟିକକୁ ମାରି ପକାଇ ନାହିଁ । ସେ ଥିଲା ଚାଷୀ, ତା ହାତର ସ୍ପର୍ଶରେ ଭରଣ ଭରଣ ଧାନ ଫଳି ଉଠୁଥିଲା । ତାର ଏ ଜ୍ଞାନ ଏପର୍ଯ୍ୟନ୍ତ ଲୁପ୍ତ ହୋଇ ନାହିଁ । ସେ ମାଗି ପାରୁ ନ ଥିଲା; ମାଗିବାରେ ଭୋକଜ୍ୱାଳାଠାରୁ ତାକୁ ବେଶି ଦୁଃଖ ହେଉଥିଲା ।

 

ପଧାନପଲ୍ଲୀରୁ ବ୍ରହ୍ମପୁର–ଏତେ ବାଟ । କେତେ ଗାଆଁ ଗଣ୍ଡା ସେ ଟପି ଆସିଛି । ଭୋକରେ ତା ପେଟ ଜଳି ଯାଉଥିଲେ ମଧ୍ୟ ମୁହଁ ଫିଟାଇ ସେ ମାଗିପାରୁ ନ ଥିଲା ପହିଲୁ ପହିଲୁ ।

 

ଘରଛାଡ଼ି ଆସିବା ପରଦିନ । ଗୋଟାଏ ଗାଆଁ ଭିତରେ ଯାଉ ଯାଉ ଆଉ ସେ ଚାଲିପାରିଲା ନାହିଁ । ଆଗରୁ ଚାରି ଦିନର ଉପାସ; ତା ଉପରେ ବାଟଚଲାର ପରିଶ୍ରମ, ଦୁଶ୍ଚିନ୍ତା । ସବୁଆଡ଼ ଅନ୍ଧାର ହୋଇଗଲା, ବାଟ କଡ଼ରେ ଥିବା ଗୋଟାଏ ପିଣ୍ଡାତଳେ ସେ ପଡ଼ିଗଲା । କେତେବେଳେ ସେ ସେମିତି ପଡ଼ିଥିଲା ତାକୁ ଜଣା ନାହିଁ । ତାର ଜ୍ଞାନ ହେଲାକ୍ଷଣି ସେ ଦେଖିଲା, ତା ମୁହଁ ପାଖରେ ଗୋଟିଏ ବୁଢ଼ା ବେଲାଏ ତୋରାଣି ମିଶା ଭାତ ଧରିଛି । ଏକା ନିଃଶ୍ୱାସକେ ସେତକ ପିଇଦେଇ ସେ ଚାରିଆଡ଼କୁ ଚାହିଁ ଲା; ଦେଖିଲା ତାକୁ କେତେଜଣ ଲୋକ ଘେରି ରହିଛନ୍ତି-। ଦେହରେ ହାତମାରି ଦେଖିଲା, ତାର କନାପଟାତକ ଓଦା ହୋଇଯାଇଛି । ବୁଝିଲା, ଏମାନେ ତା ମୁଣ୍ଡରେ, ମୁହଁରେ ପାଣିମାରି ତାକୁ ଚେତା କରାଇଛନ୍ତି, ଏମାନେ ତାକୁ ଖାଇବାକୁ ଦେଇଛନ୍ତି, ଏମାନେ ତାକୁ ବଞ୍ଚାଇଛନ୍ତି । ମୂକପରି ସେ ସେଠାରେ ବସି ରହିଲା । ରାତିରେ ଆଉ ଜଣେ ତାକୁ ମେଞ୍ଚାଏ କୋଳଥଜାଉ ଦେଇଗଲା । ସେତକ ଖାଇ ସେ ସେଇଠି ଶୋଇ ରହିଲା । ଦୀନା ଦେଖିଲା, ଏ ଗାଆଁ ରେ ମଧ୍ୟ ଦୁର୍ଭିକ୍ଷ ତାର ମରଣ ହାତ ବୁଲାଇ ଦେଇଛି; ଶହ ଶହ ଲୋକ ଏ ଗାଆଁ ଛାଡ଼ି ଚାଲି ଯାଇଛନ୍ତି; ବହୁତ ଘରଦ୍ୱାର ଖାଲି ପଡ଼ିଛି; ଯେଉଁ ମାନେ ଅଛନ୍ତି, ସେମାନେ ବଡ଼ କଷ୍ଟରେ, ଅତି ଦୁଃଖରେ ଚଳୁଛନ୍ତି; ତଥାପି ନିଜେ ନ ଖାଇ ଏମାନେ ତା ପରି ଅପରିଚିତ ବାଟୋଇକୁ ଖାଇବାକୁ ଦେଇ ପାରନ୍ତି; ତା ପରି ଲୋକର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତି । ଏମାନେ ଗରିବ, ଏମାନେ ଦୁଃଖୀ କି ନା, ଏମାନେ ଦୁଃଖୀର ଦୁଃଖ ବୁଝନ୍ତି, ଭୋକ ସହିତ ଏମାନଙ୍କର ଘନିଷ୍ଠ ପରିଚୟ କି ନା, ସେଥିପାଇଁ ଏମାନେ ନ ଖାଇ ଭୋକୀକୁ ଖୁଆଇ ପାରନ୍ତି । ସେ ପିଣ୍ଡାଟାରେ ପଡ଼ି ପଡ଼ି ରାତିରେ ଦୀନା ଏସବୁ ଭାବିଲା; ରାତି ପାହିବା ଆଗରୁ ସେ ଗାଆଁ ଛାଡ଼ି ବ୍ରହ୍ମପୁର ଆଡ଼କୁ ଚାଲିଲା ।

 

ବାଟୋଇଠୁଁ ସେ ମୁଢ଼ି ମାଗି ଖାଇଛି । ମଶାଣିରୁ ପିଣ୍ଡ ଭାତ ସାଉଁ ଟି ଖାଇଚି । ଆଉ ଯେ କୌଣସି ମତେ ନିଜର ଜୀବନଟାକୁ ରଖି ସେ ବ୍ରହ୍ମପୁରରେ ପହଁଚିଛି ।

 

ସହର ଭିତରେ ବୁଲୁ ବୁଲୁ ସକାଳ ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲେ, ସେ ଥକାମରା ହୋଇ ଗୋଟାଏ ପିଣ୍ଡାରେ ବସିପଡ଼ିଲା ।

 

କିଛି ସମୟ ପରେ ସେ ଘରୁ ଜଣେ ଲୋକ ବାହାରି ଆସି କହିଲା, ‘ହେ ତୁ ଏଠି କାହିଁ କି ବସିଛୁ, ବାହାର–ପଳା–ପଳା ?’

 

ଦୀନା ବହୁ କଷ୍ଟରେ ଉଠି ସେଠାରୁ ଚାଲିଲା । ତା ମୁଣ୍ଡ ଭିତରଟାରେ କୁହୁଡ଼ି ମାଡ଼ି ଯାଉଛି ବୋଲି ତାର ମନେହେଲା ।

 

ବାଟରେ ପଡ଼ିଲା ରାଜା ନଅର ପରି ଗୋଟିଏ ବଡ଼ ଘର । ତା ଦ୍ୱାର ଆଗରେ ବାଜା ବାଜୁଛି–ବୋଧହୁଏ ଏ ଘରେ ବାହାଘର । ବାହାଘର–ଶହ ଶହ ଲୋକ ଖାଇବେ । ଏଠି ମାଗିଲେ ମୁଠାଏ ତାକୁ ଖାଇବାକୁ ମିଳିବ । ଦୀନା ତଳ ପାହାଚ ପାଖରେ ଛିଡ଼ାହୋଇ ଦୁଆରେ ଗୋଟିଏ ଟୁଲ ଉପରେ ବସିଥିବା ଲୋକକୁ କହିଲା, ‘ବାବୁ, ମୁଁ କାଲିଠୁଁ କିଛି ଖାଇ ନାହିଁ ।’’

 

ସେ ଲୋକଟା ଚିଡ଼ି ଉଠି ଲା । କହିଲା, ‘କାଲିଠୁଁ ଖାଇ ନାହୁଁ । କାଲିଠୁ ତୁ ନ ଖାଇଛୁ ତ ମୋ ବାପର କଅଣ ଗଲା ? ପଳା–ଏଠୁ ପଳା । ଆଖି ନାହିଁ–ଦିଶୁ ନାହିଁ । ଏଟା ଅନ୍ନଛତ୍ର ନୁହେଁ ।’

 

ପାଖରେ ଥିବା ଆଉ ଜଣେ ଲୋକକୁ ସେ ଲୋକଟା କହିଲା, ‘ଏ ଗୁଡ଼ାକ ଯୋଗୁଁ ସହରରେ ହଇଜା ଦେଖା ଦେଲାଣି । ଏଗୁଡ଼ାକ ଚାରିଆଡ଼େ ରୋଗ ଲଗାଇ ଦେଉଛନ୍ତି । ସହର ଭିତରକୁ ଏଗୁଡ଼ାକ ମାଡ଼ି ଆସୁଛନ୍ତି ନିଜେ ମରିବାକୁ ଆଉ ଆମମାନଙ୍କୁ ମାରିବାକୁ । ଏଗୁଡ଼ାଙ୍କୁ ନ ତଡ଼ିଲେ ରକ୍ଷା ନାହିଁ ।’

 

ଦୀନା ମୂକପରି ଲୋକଟା ଆଡ଼କୁ ଚାହିଁ ରହିଥାଏ ।

 

କାଙ୍ଗାଳଟାଏ ଛିଡ଼ା ହୋଇଥିବାର ଦେଖି ଲୋକଟା ରାଗିଗଲା । ତା ପାଖକୁ ଉଠି ଆସି ତା ଉପରକୁ ନୋଟାଏ ଖଣ୍ଡେ ପାଣି ଛାଟିଦେଇ କହିଲା, ‘ପଳା–ପଳା–ଯା ।’

 

ଦୀନାର ଆଖିରେ ଚଳେ ପାଣି ପଶିଗଲା । ତାର ସାରା ଦେହ, ପିନ୍ଧିଥିବା କନା ସବୁ ଭିଜିଗଲା ।

 

ସେ ଆଖି ମଳିମଳି ଟଳିଟଳି ସେଠାରୁ ଚାଲିଗଲା ।

 

ତେର

 

ଚପ୍‌ରୁ ଖଣ୍ଡେ କାମୁଡ଼ିଦେଇ ପ୍ରମୋଦ କହିଲା, ‘ହେ ପୂଜାରୀ ମଷ୍ଟାର୍ଡ଼ କାହିଁ ?’

 

ଆର ପାଖରୁ ପୂଜାରୀ କହିଲା–‘ନେଉଛି ବାବୁ ।’

 

ପ୍ରମୋଦ ବିରକ୍ତ ହୋଇ କହିଲା, ‘ତମର ଏମିତି ସବୁ ସର୍ଭିସ୍‌ ଯୋଗୁଁ ଏ ହୋଟେଲକୁ ଆସିବା ପାଇଁ ମନ ହୁଏ ନାହିଁ । ହଁ, ମୁଁ କଅଣ କହୁଥିଲି କ୍ଷି ତୀଶ ବାବୁ, ଏଇ ରୋମେନ୍‌ସଟା । ରୋମେନ୍‌ସଟା ନ ଥିଲେ ଲୋକ ବଞ୍ଚିପାରନ୍ତା ନାହିଁ । ଏ କଥା ଠିକ୍‌ । ବୁଝିଲ, ଜୀବନଟା ଦୁର୍ବହ ହୋଇ ପଡ଼ନ୍ତା, ଲୋକ ବେଦମ ହୋଇ ପଡ଼ନ୍ତେ, ଜୀବନ ଉପରୁ ସେମାନଙ୍କର ମମତା ଛାଡ଼ିଯାଆନ୍ତା । ଆଉ........’

 

ପୂଜାରୀ ତିନିଖଣ୍ଡ ସାନ ସାନ ଚୀନା ଥାଳିଆରେ ଟିକିଏ ଟିକିଏ ମଷ୍ଟାର୍ଡ଼ ଆଣି ଥୋଇଦେଲା ।

 

‘ହଁ, ଏଇଠି ଏଇଠି । ଏଗୁଡ଼ାକ ଦେଶୀ ମଷ୍ଟାର୍ଡ଼ ପରି ଦିଶୁଛି ନା, ପୂଜାରୀ ?’ ପ୍ରମୋଦ କହିଲା ।

 

କଟକର ଗୋଟିଏ ବଡ଼ ହୋଟେଲ । ଉପରେ ବିଜୁଳି ଆଲୁଅ, ତଳେ ମର୍ମର ପଥର ବିଛା ହୋଇଥିବା ଟେବୁଲ; ଟେବୁଲକୁ ଘେରି ବସିଛନ୍ତି ପ୍ରମୋଦ, କ୍ଷିତୀଶ ଓ ବନମାଳୀ ।

 

ସେମାନଙ୍କ ସାମନାରେ ରଖା ହୋଇଛି ଚୀନା ଥାଳିଆରେ ଲୋଫ, ଟୋଷ୍ଟ୍‌, ମଟନ୍‌ଚପ୍‌; କଟଲେଟ୍‌, ଓମଲେଟ୍‌ ଆଉ ବଡ଼ ବଡ଼ କ୍ଷୀରମୋହନ ଦୁଇଟା ଲେଖାଏଁ ।

 

ନଈକୂଳରେ ବୁଲି ବୁଲି ଏମାନେ ଗଳ୍ପ କରୁଥିଲେ । ପ୍ରମୋଦର ମନେ ହେଲା, ଚାହା ଟେବୁଲ ଉପରେ ଗଳ୍ପଟା ଭଲ ଜମିବ । ବିଷୟଟା ଯେତେବେଳେ ଲୀଳା ସଂପର୍କରେ, ସେତେବେଳେ ପ୍ରମୋଦ ଆଡ଼ୁ ସହଜରେ ଗଳ୍ପଟା ସରିବା ଉଚିତ ହେବ ନାହିଁ । କଲେଜର ଛାତ୍ରମହଲରେ ପ୍ରମୋଦ ଗୋଟାଏ ହିରୋ–ଅର୍ଥାତ୍‌ ନାୟକ, କାରଣ ଲୀଳା ସହିତ ତାର ଏକପ୍ରକାର ଘନିଷ୍ଠତା ଥିବା କଥା ଦୂରରୁ ସମ୍ମାନଦୃଷ୍ଟିରେ ଛାତ୍ରମାନେ ଲକ୍ଷ୍ୟ କରନ୍ତି । ଆଉ ପ୍ରମୋଦ ଏ ପ୍ରସଙ୍ଗ ଉପରେ ପ୍ରେମର ଟିକିଏ ଗୋଲାପୀ ଅଭା–ରୋମାନ୍‌ସର ଟିକିଏ ମଧୁର ରଶ୍ମି–ଲେପିଦେଇ ତାକୁ ଅଧିକ ଆକର୍ଷଣଶୀଳ–ଅର୍ଥାତ୍‌, ଗ୍ଳାମେରସ୍‌ କରିବାକୁ ଚେଷ୍ଟା କରିବାର କୌଣସି ତ୍ରୁଟି କରେନାହିଁ ବା ଏ ଦିଗରେ କୌଣସି ସୁବିଧା ଛାଡ଼େ ନାହିଁ ।

 

ପ୍ରମୋଦ କହିଲା, ‘ବୁଝିଲେ, ଆମର ଏ ଓଡ଼ିଆ ଭାଷାରେ ଏଇ ଲଭ୍‌–ଅର୍ଥାତ୍‌ ପ୍ରେମର ସମର୍ଥକ, ପରିପୂରକ ବା ଭାବବ୍ୟଞ୍ଜକ ଶବ୍ଦ ନାହିଁ; ଅର୍ଥାତ୍‌ କି ନା ଏସବୁ ବିଷୟରେ ମନୋଭାବର ଟ୍ରୁସେଡ଼–ଠିକ୍‌ ରଙ୍ଗ–ବ୍ୟକ୍ତ କରିବା ଏକ ଭୀଷଣ ବ୍ୟାପାର । ଚଷାମୂଲିଆର ଦେଶ କି ନା ଏଠି ଫାଇନ୍‌ର ଫଲିଙ୍ଗସ୍–ସୂକ୍ଷ୍ମତର ଅନୁଭୂତି–ପାଇଁ ସ୍ଥାନ କାହିଁ ?’

 

ବନମାଳୀ ପ୍ରମୋଦର ଏ ମତକୁ ସମର୍ଥନ କରି କହିଲା, ‘ସତ, ନିତାନ୍ତ ସତ କଥା । ଡିୟର୍‌ କହିଲେ ତାହା କେଡ଼େ ମଧୁର ଭାବର ଅଭିବ୍ୟକ୍ତ କରେ–ଆଉ ପ୍ରିୟେ, ପ୍ରେୟସୀ, ପ୍ରାଣପ୍ରିୟେ, ପ୍ରାଣବଲ୍ଲଭୀ–ଦୁତ୍ତେରୀ, ଏଗୁଡ଼ାକ ନିତାନ୍ତ ବାଜେ ଶବ୍ଦ । ଆଉ ଗୋଟିଏ ଦୃଷ୍ଟାନ୍ତ ଦେଖାଯାଉ । ଏଇ କିସ୍‌–କି ସୁନ୍ଦର ଶବ୍ଦ,କାମଟା ଯେମିତି ମଧୁର, ଶବ୍ଦଟା ମଧ୍ୟ ସେହିପରି ମଧୁର–ଠିକ୍‌ ଯେପରି କି ସମୁଦାୟ ଯୁଗର କବିଙ୍କର ସମୁଦାୟ କବିତାର ଏସେନ୍‌ସ–ଅର୍ଥାତ୍‌ ନିର୍ଯ୍ୟାସ ସେଥିରେ ରହିଛି; ଆଉ ଏଇ ଅତି ବଢ଼ିଆ ଶବ୍ଦଟିକୁ ଓଡ଼ିଆରେ କହିଲେ ହେବ ଚୁ-ମ୍ୱ-ନ–ବା ଘୋର ଗର୍ଜ୍ଜନ ପରି ଗୋଟାଏ ଗୁରୁଗମ୍ଭୀର ନିନାଦ । ମୁଁ ରାଣ ପକାଇ କହୁଛି, ଯେଉଁମାନଙ୍କ ମନରେ ଫାଇନର ଫିଲଙ୍ଗସ୍‌ ନାହିଁ, ସେହିମାନେ ହିଁ କେବଳ ଓଡ଼ିଆ ଭାଷାରେ ଲଭକୁ ଏକ୍‌ସପ୍ରେସ କରିବାର ଚେଷ୍ଟା କରନ୍ତି ।’

 

ପୂରାପୂରି ଏ ମତଟାକୁ ମାନିଯିବା ଠିକ୍‌ ହେବ ବୋଲି କ୍ଷିତୀଶ ମନେକଲା ନାହିଁ । ସେ କହିଲା, ‘ଓଡ଼ିଆ ଭାଷାରେ ଯେତେବେଳେ ପ୍ରେମକୁ ବ୍ୟକ୍ତ କରିବାର ଠିକ୍‌ ଠିକ୍‌ ଶବ୍ଦ ନାହିଁ ବୋଲି ତମେ କହୁଛ, ସେତେବେଳେ ତମେ କହୁଛ ଯେ, ହୁଏତ ପ୍ରେମ ସହିତ ଓଡ଼ିଆ ଜାତିର ପରିଚୟ ବଡ଼ ଘନିଷ୍ଠ ନୁହେଁ; କିମ୍ୱା ପ୍ରେମ ବିଷୟରେ ସେମାନଙ୍କର ଭାବ ସେତେ ଗଭୀର ନୁହେଁ । ମନରେ ଭାବ ଆସିଲେ ତାକୁ ଠିକ୍ ରୂପ ଦେଇ ବ୍ୟକ୍ତ କରିବାର ଚେଷ୍ଟାରୁ ହିଁ ତ ଭାଷାର ସୃଷ୍ଟି ।’

 

ବନମାଳୀ ବିରକ୍ତ ହୋଇ କହିଲା ‘ଆପଣ କଥାଟାକୁ ନ ବୁଝି, ଖାଲି ତର୍କ ଆରମ୍ଭ କରୁଛନ୍ତି । ଆମର ଏ ହତଭାଗ୍ୟ ଦେଶରେ ରୋମେନ୍‌ସ କାହିଁ ଯେ ଠିକ୍‌ ଲଭ୍‌–ଲଭ୍‌ ବୋଲି ଯାହାକୁ କୁହାଯାଏ,ସେ ଜିନିଷର ପରିଚୟ ଏ ଦେଶର ଲୋକେ ପାଇବେ ? ଠିକ୍‌ ଲଭ୍‌ର ପରିଚୟ ମିଳିବା ଯେତେବେଳେ ଅସମ୍ଭବ, ସେତେବେଳେ ଭାବ ବା ତାର ଭାଷା ଆସିବ କୁଆଡ଼ୁ ? ଏ ଦେଶର ଲୋକଗୁଡ଼ାକ ତ ସାଧାରଣତଃ ହଳିଆ, ମୂଲିଆ, ସ୍ତ୍ରୀ ଗୁଡ଼ାକ ସାଧାରଣତଃ ଧାନକୁଟୁଣୀ ବା ମୂଲିଆଣୀ, ସେଥିରେ ପୁଣି ଲଭ୍‌ର ଅଙ୍କୁରୋଦ୍‌ଗମ ହେବା ପୂର୍ବରୁ ଗୋଟାକୁ ଗୋଟା ଛନ୍ଦି ଦିଆଯାଏ । ତା ପରେ ପୁରୁଷ ହୋଇପଡ଼େ, ଗୋଟାଏ ଡ୍ରାଇ ଅବଜେକ୍ଟ–ପଣ୍ଡିତଙ୍କ ଭାଷାରେ କହିଲେ ଶୁଷ୍କଂ କାଷ୍ଠଂ, ଆଉ ସ୍ତ୍ରୀ ଉପରେ ଲେବୁଲ୍‌ ମାରିଦିଆ ହୁଏ–ରିଜର୍ଭଡ଼ ସବ୍‌ଜେକ୍ଟ–ଅର୍ଥାତ୍‌ ସ୍ୱତନ୍ତ୍ର ସୁରକ୍ଷିତ ପଦାର୍ଥ । ସ୍ତ୍ରୀ ୧୪-୧୫ ବର୍ଷରେ ମାଆ ହୋଇ କୋଡ଼ି ନ ଟପୁଣୁ ବୁଢ଼ୀ ହୋଇଯାଏ; ପୁରୁଷ ଥାର୍ଡ଼ କ୍ଳାସ ବଗିଘୋଡ଼ା ପରି ବା ହଡ଼ା ବଳଦ ପରି ବୋଝବୋହି ଚାଲେ । କହିଲ ଭଲା, ଲଭ୍‌ର ସ୍ଥାନ ଏଥିରେ କଉଁଠି ରହିଲା ? ସେଥିପାଇଁ ଆପଣ ଭାବି ଦେଖନ୍ତୁ, ଏ ଜାତିଟା ଶିକ୍ଷାଲାଭ କରୁଛି କଲେଜରେ କିଟ୍‌ସ୍, ସେଲି, ବାଇରନ୍‌ଙ୍କ କବିତା ପଢ଼ି–ପାଉଛି ଲଭ୍‌ର ଥିଓରେଟିକେ୍‌ଲ ଶିକ୍ଷା, ଆଉ ତା ସଙ୍ଗେ ସଙ୍ଗେ ଏହାର ପ୍ରାକ୍‌ଟିକେଲ ଶିକ୍ଷା ସୁବିଧା ମଧ୍ୟ ଏହି କଲେଜ୍‌ ଯୋଗାଇ ଦେଉଛି । କି ପ୍ରମୋଦ ବାବୁ, ମୁଁ କଣ ଭୁଲ କହିଲି ? କଲେଜ୍‌ଟା ନ ଥିଲେ ଲିଲୀ ଆଉ ଆପଣଙ୍କ ଭିତରେ ଯେ ଗୋଟାଏ ଉଚ୍ଚ ଧରଣର ଲଭ୍‌ ରୋମାନ୍‌ସ୍‌ର ଆଶ୍ରୟ ଧରି ଅଭିବ୍ୟକ୍ତି ଲାଭ କରୁଛି, ସେଟା ସମ୍ଭବ ହୁଅନ୍ତା କି ?’

 

ମଷ୍ଟାର୍ଡ଼ ଦେହରେ ଚପ୍‌ ମଡ଼ାଉ ମଡ଼ାଉ ପ୍ରମୋଦ କହିଲା, ‘ଆଉ ମଣିଷ କଅଣ ଖାଇବା ପିନ୍ଧିବାଦ୍ୱାରା ବଞ୍ଚିପାରେ ? ଖାଇବା, ପିନ୍ଧିବା, ଘରକରି ରହିବା ଏଗୁଡ଼ାକ ତା ପକ୍ଷରେ ନିତାନ୍ତ ବେଦରକାରୀ କଥା ବୋଲି ମୁଁ ମନେ କରେ । ଘର ସଜାଇବ କାହିଁକି ? ଏଇ ଧର ଲିଲୀ । ମୋତେ ଦେଖିବାକୁ ସେ ଯଦି ଭଲ ନ ପାଆନ୍ତା, ମୁଁ ମୋର ଦେହର ଯତ୍ନ ନିଅନ୍ତି କାହିଁକି ? ତମେ ତ ଜାଣ ମୋର ସବୁ ଲୁଗା ପଟା–ଏପରିକି ଏ ଚପଲ୍‌ ଯୋଡ଼ାକ–ଲିଲୀର ଟେଷ୍ଟକୁ ସୁଟ୍‌ କରି–ଲିଲୀ ଏ ସବୁକୁ ଚାହେଁ ବୋଲି–ତିଆରି । ଆଉ ମୋର ଶୋଇବା ଘର ତ ତମେ ଦେଖିଛ । ସେ ସବୁ ଲିଲୀର ଟେଷ୍ଟ ଅନୁସାରେ ସଜା । ସେ ଘରର ପଶ୍ଚିମ ପାଖ କାନ୍ଥରେ ଯେଉଁ ଛବି ଖଣ୍ଡ–ପ୍ରଦର୍ଶନୀରେ ଲିଲୀ ତାକୁ ପ୍ରଶଂସା କରିଥିଲା ବୋଲି ଦେଢ଼ଶହ ଟଙ୍କା ଦେଇ ମୁଁ ତାକୁ କିଣିଥିଲି ।’

 

ବନମାଳୀ କଟଲେଟ ଖଣ୍ଡେ ଭାଙ୍ଗୁ ଭାଙ୍ଗୁ କହିଲା, ‘ଆଚ୍ଛା, ପ୍ରମୋଦ ବାବୁ, ଆପଣଙ୍କର ଏ ଏକାଗ୍ର ସାଧନାର ଉତ୍ତର ଲିଲୀ କିପରି ଭାବରେ ଦେଇଛି ? ଆପଣଙ୍କର ଏହି ଯେ ବିରାଟ ପ୍ରେମ, ତାର କି ପ୍ରତିଦାନ ଆପଣ ଲିଲୀଠାରୁ ପାଇଛନ୍ତି ?’

 

କ୍ଷିତୀଶ କଲେଜରେ ପ୍ରବେଶ କଲାପରେ ସାହିତ୍ୟସାଧନା ଆରମ୍ଭ କରିଛି । ସେ ନୂଆ ଧରଣର ଖୁବ୍‌ ଭଲ ଗଳ୍ପ ଲେଖିପାରେ ବୋଲି ତାର ବିଶ୍ୱାସ । ଏପର୍ଯ୍ୟନ୍ତ ଯେଉଁ ୯ । ୧୦ ଟା ଗଳ୍ପ ସେ ଲେଖିଛି; ତାହାର ପ୍ରତ୍ୟେକର ୫ । ୬ଟା ଲେଖାଏଁ ନକଲ କରି ଓଡ଼ିଶାର କି ବିଖ୍ୟାତ କି ଅଖ୍ୟାତ ସବୁ ମାସିକ ପତ୍ରିକାକୁ ସେ ପଠାଇଥିଲା; କିନ୍ତୁ ସମ୍ପାଦକଗୁଡ଼ାକ ଏଡ଼େ ମୂର୍ଖ ସେମାନେ କ୍ଷିତୀଶର ପ୍ରତିଭା ବୁଝିପାରିଲେ ନାହିଁ । ଖଣ୍ଡେ ମାସିକ ପତ୍ରିକା । ସେଥିରେ ସେ ମାସରେ ଗଳ୍ପର ଏକାନ୍ତ ଅଭାବ ଘଟିବାରୁ ପଠାଇବାର ୬ ମାସ ପରେ କ୍ଷିତୀଶର ଗୋଟାଏ ଗଳ୍ପ ପ୍ରକାଶିତ ହୋଇଗଲା । ସେଥିରେ କ୍ଷିତୀଶର ନାମ ଥିଲା ସତ୍ୟ; କିନ୍ତୁ ଗଳ୍ପଟା ଯେ ନିଜର ଲେଖା, କ୍ଷିତୀଶ ମଧ୍ୟ ତାହା ଚିହ୍ନି ପାରିଲା ନାହିଁ–କିନ୍ତୁ ସମ୍ପାଦକୀୟ କାଟଛାଣ୍ଟରେ ଏପରି ଭାବରେ ତାହାର ଚେହେରା ବଦଳି ଯାଇଥିଲା । ତଥାପି ତାହା ଏକ ପ୍ରକାର ମାଷ୍ଟରପିସ୍‌–ଅର୍ଥାତ୍‌ ଶ୍ରେଷ୍ଠଶ୍ରେଣୀର ଲେଖା ବୋଲି କ୍ଷତୀଶ ନିଜର ପ୍ରଶଂସା ଚାରିଆଡ଼େ ଗାଇ ବୁଲିଲା ଓ ଏହାର ଇଂରାଜୀ ଓ ବଙ୍ଗଳା ଅନୁବାଦ କରିବ ବୋଲି ସେ ପ୍ରଚାର କରିଦେଲା । ପ୍ରମୋଦ ଭାବେ, କ୍ଷିତୀଶ ଯଦି ତାର ଓ ଲିଲୀର ରୋମାନ୍‌ସକୁ ଗଳ୍ପରେ ରୂପ ପ୍ରଦାନ କରେ, ଆଉ ତାହା କୌଣସି ପତ୍ରି କାରେ ପ୍ରକାଶିତ ହୋଇ ପଡ଼େ, ତେବେ କି ଚମତ୍କାର ନ ହେବ ! ଆଉ କ୍ଷିତୀଶ ଭାବିଲା, ତାର କଥାସାହିତ୍ୟ ସୃଷ୍ଟିର ଏ ଜୀବନ୍ତ ଜାଗ୍ରତ ଉପାଦାନ ପ୍ରମୋଦ ଓ ଲିଲୀକୁ ଅବଲମ୍ୱନ କରି ତା ସମ୍ମୁଖରେ ଉପସ୍ଥିତ ହୋଇଛି-। ସେଥିପାଇଁ କ୍ଷିତୀଶର ପ୍ରମୋଦ ପ୍ରତି ଯେପରି ଆକର୍ଷଣ, ପ୍ରମୋଦର ମଧ୍ୟ କ୍ଷିତୀଶ ପ୍ରତି ଆକର୍ଷଣର ମାତ୍ରା ସେହିପରି-ବା ତାଠାରୁ କିଞ୍ଚିତ୍‌ ଅଧିକ । ତେଣୁ ଯେତେବେଳେ ପ୍ରମୋଦ ଓ ଲିଲୀର ପ୍ରେମ ବିଷୟରେ କିଛି ତଥ୍ୟ ପଡ଼େ, ଉପସ୍ଥିତ ଥିଲେ କ୍ଷିତୀଶ ତା ଉପରେ ଗୋଟାଏ ସାହିତ୍ୟିକ ସୁଲଭ ମନ ଦେଇଥାଏ ।

 

ବନମାଳୀର ପ୍ରଶ୍ନର ଉତ୍ତରରେ କ୍ଷିତୀଶ କହିଲା, ‘ସାଧନାର ସିଦ୍ଧି ସାଧନାରେ ହିଁ ନିହିତ ଅଛି । ସାଧନା କୌଣସି ଉତ୍ତରର, ଅପେକ୍ଷା ରଖେ ନାହିଁ । ନିଜ ଭିତରେ ତାହା ନିଜେ ପୂର୍ଣ୍ଣ । ସାଧନାର ଫଳ ଲାଭ ହେଲେ ସାଧନା ଶେଷ ହୋଇଯାଏ । ତା ସହିତ ସରିଯାଏ ସାଧନାର ଗୌରବ । ଠିକ୍‌ ସେହିପରି, ପ୍ରେମ ନିଜ ଗୌରବରେ ନିଜେ ମହାନ୍‌, ନିଜେ ବିରାଟ, ତାହା ପ୍ରତିଦାନର ଅପେକ୍ଷା ରଖେ ନା । ଯେଉଁ ପ୍ରେମ ପ୍ରତିଦାନର ଅପେକ୍ଷା ରଖେ, ତାହା ପ୍ରେମ ନୁହେଁ । ତାହା ବଜାର ସଉଦା-ମୁଁ ଏତେ ପଇସା ଦେଲି, ଏତେ ପଇସାର ଜିନିଷ ପାଇବି । ଦୁଇ ଅଣା ଦେଲି ପ୍ରତିଦାନରେ କପେ ଚା’ ପାଇବି–ଏହିପରି ଧରଣର ହୋଇଯାଏ । ପ୍ରତିଦାନର ଆଶା, ଲାଭର ହିସାବ ଥାଏ, ବ୍ୟବସାୟରେ । ପ୍ରେମ ତ ବ୍ୟବସାୟ ନୁହେ ପ୍ରେମଟା ବିତରଣ । ନିଜକୁ ବାଣ୍ଟିଦେବା, ମନଇଚ୍ଛା ହରିଲୁଟ କରିଦେବା, ପ୍ରେମଟା ବ୍ୟବସାୟର ଜିନିଷ ହୋଇଥିଲେ ତାହା ଏକ ଚପ, କଟଲେଟ୍‌ ପରି ବଜାରରେ ବିକ୍ରି ହେଉଥାଆନ୍ତା । ଏ କଥା ଠିକ୍‌ ନୁହେଁ ପ୍ରମୋଦ ବାବୁ-?’

 

ପ୍ରମୋଦ ଗମ୍ଭୀର ଭାବରେ କହିଲା, ‘ନିଶ୍ଚୟ ଠିକ୍‌ । ଏଥିରେ ସନ୍ଦେହ ନାହିଁ । ଏଇ ଧରନ୍ତୁ ନା ମୋ କଥା ! ମୁଁ କଅଣ ଲିଲିର କୌଣସି ପ୍ରତିଦାନର ଆଶା ରଖିଛି ? ଅନେକ ସମୟରେ ବିରାଟ ଆକାଂକ୍ଷା ହୃଦୟରେ ଧରି ଧାଇଁ ଯାଏ ଲିଲି ପାଖକୁ । ସେଠୁ ନିଷ୍ଠୁର ଆଘାତ ପାଇ ଫେରିଆସେ । ତାର ଓଠ କୋଣରେ ସାମାନ୍ୟ ଟିକିଏ ହସର ରେଖା, ଆଖି କୋଣରେ ଟିକିଏ ସ୍ମୀତରେଖାର ସୂଚନା ତାର ପାଦ ଦୁଇଟିରେ ଟିକିଏ ଲୀଳା ଭଙ୍ଗି ଦେଖିବା ପାଇଁ ମରୁ ଭିତରେ ଚାଲୁଥିବା ତୃଷାର୍ତ୍ତ ପଥିକ ପରି ମୁଁ ତା ପାଖକୁ ଧାଇଁ ଯାଏ ଆଉ ଦେଖେ ତାରମୁହଁ ଆଷାଢ଼ ଆକାଶ ପରି ଗମ୍ଭୀର, ତାର ଓଠ ଦୁଇଟି ହିମାଳୟ ପରି ସ୍ଥିର ନିଷ୍କମ୍ପ । ତାର ଦୃଷ୍ଟି ପ୍ରଶାନ୍ତ ମହାସାଗର ପରି ଉଦାସ । ଏ ସବୁ କଅଣ କମ ଆଘାତ ଦିଏ କ୍ଷିତୀଶ ବାବୁ ମୋର ଏଇ ହୃଦୟରେ ? ଥରେ ନୁହେଁ, ଦୁଇଥର ନୁହେଁ, ଶତ ଶତ ଥର ଏପରି ଘଟିଛି; କିନ୍ତୁ ଏସବୁ କ’ଣ ମୋର ସାଧନାକୁ ଟଳାଇ ପାରିଛି ? ଏ ସବୁରେ କଅଣ ମୋର ପ୍ରେମ ଊଣାପଡ଼ିଯାଇଛି ? ନୁହେଁ–ନୁହେଁ କଦାପି ନୁହେଁ । ସେ ଦିନ ଟେଷ୍ଟରେ ସେଣ୍ଟଅପ୍‌ ହେବା ଉପଲକ୍ଷରେ ମୁଁ ଲିଲି ପାଇଁ ‘ଯୌନ ଓ ଯୌବନ’ ବୋଲି ଖଣ୍ଡେ ବହି ତା ପାଖକୁ ନିଜ ହାତରେ ଉପହାର ନେଇ ଯାଇଥିଲି; ଲଲୀ ତାକୁ ଫିଙ୍ଗି ଦେଲା ।

 

ବନମାଳୀ କ୍ଷୀରମୋହନରୁ ଫାଳେ ପାଟିରେ ପୂରାଇ କହିଲା, ଫିଙ୍ଗି ଦେଲା ?

 

ପ୍ରମୋଦ ଉଦାରଭାବରେ କହିଲା, ‘ଖାଲି ଫିଙ୍ଗି ଦେଲା ନାହିଁ । କହିଲା, ଇଉ ଆର ଏନ୍‌ଇଡ଼ିଏଟ–ଗେଟ ଆଉଟ, ତମେ ଗୋଟାଏ ନିର୍ବୋଧ । ବାହାରି ଯାଅ ।’’

 

ବନମାଳୀ କ୍ଷୀରମୋହନରୁ ଆରଖଣ୍ଡିକ ପାଟିରେ ପୂରାଇ କହିଲା–ଏଁ ?

 

ପ୍ରମୋଦ ଡାକିଲା । ତିନିଟା ଆମ୍‌ଲେଟ ଆଣ ତ, ପୂଜାରୀ ।

 

କ୍ଷିତୀଶ କହିଲା, ଆଶ୍ଚର୍ଯ୍ୟ ହେଲେ ବନମାଳୀ ବାବୁ !

 

ବନମାଳୀ କହିଲା, କେଉଁଥିରେ ? ଏ ସବୁ ଉପରେ ଏଇ ଆମଲେଟ୍‌ ଯୋଗୁଁ ?

 

କ୍ଷିତୀଶ କହିଲା, ‘ନା ଆମଲେଟ୍‌ ଯୋଗୁ ନୁହେଁ; ଲିଲିର ଏଇ ପ୍ରତ୍ୟାଖ୍ୟାନ ଯୋଗୁ ।’

 

ବନମାଳୀ କହିଲା, ‘ଓଃ, ବୁଝିଲି । ବାବୁ ମୋ ଦେହରେ ଏ ସବୁ ହଜମ ହେବ ନାହିଁ ।’

 

ପ୍ରମୋଦ କହିଲା, ହେବ,ହେବ । ତୁମେ ଯୁବକ, ଆଉ ଗୋଟାଏ ଅଧିକା ଆମଲେଟ୍‌ ।

 

ବନମାଳୀ କହି ଉଠିଲା, ‘ଆପଣ ଭୁଲ ବୁଝୁଛନ୍ତି ପ୍ରମୋଦ ବାବୁ, ଆମ୍‌ଲେଟ୍‌ ପରି ପାଞ୍ଚଗଣ୍ଡା ନିତାନ୍ତ ସାଧାରଣ ଜିନିଷ ମୁଁ ହଜମ କରିପାରେ । ଏ ଗୁଡ଼ାକ ନିତାନ୍ତ ପାର୍ଥିବ କଥା । ପେଟ ସହିତ ଏହାର ସମ୍ୱନ୍ଧ; କିନ୍ତୁ ଲିଲି ଆପଣଙ୍କୁ ଯେପରି ଭାବରେ ପ୍ରତ୍ୟାଖ୍ୟାନ କଲା–ଆପଣଙ୍କର ଉପହାର ବହି ଫୋପାଡ଼ି ଦେଲା, ଇଡ଼ିଏଟ ଓ ଗେଟଆଉଟ୍‌ କହିଲା, ସେତକ ମୁଁ ହଜମ କରି ପାରିବି ନାହିଁ । ଏ ଗୁଡ଼ାକ ହୃଦୟର ଜିନିଷ କି ନା !’

 

କ୍ଷିତୀଶ କହିଲା, ‘ଏହିଠାରେ ହିଁ ତ ପ୍ରମୋଦ ବାବୁଙ୍କ ସହିତ ଆପଣଙ୍କର ପ୍ରଭେଦ । ପ୍ରମୋଦ ବାବୁ ବୁଝିଛନ୍ତି । ଏହି ପ୍ରତ୍ୟାଖ୍ୟାନ ଭିତରେ ପ୍ରେମର ଯେଉଁ ମହାନ୍‌ ଅଭିବ୍ୟକ୍ତି ରହିଛି, ତାହାର ମୂଲ୍ୟ ପ୍ରେମିକା ହୃଦୟର କି ଗଭୀର ଆବେଗ ଏହି ପ୍ରତ୍ୟାଖାନଦ୍ୱାରା ପରିସ୍ଫୁଟିତ ହୋଇଉଠଛି, ଭାବନ୍ତୁ ତ । ପ୍ରେମର ସର୍ବଶ୍ରେଷ୍ଠ ଅଭିବ୍ୟକ୍ତି ମିଳନରେ ନୁହେଁ, ଏହି ପ୍ରତ୍ୟାଖ୍ୟାନରେ-। ପ୍ରମୋଦବାବୁ ନିଜର ଅନ୍ତରର ଅନ୍ତରତମ ସ୍ଥଳରେ ଏହା ଅନୁଭବ କରୁଥିବେ । ସେଥିପାଇଁ ସେ ପ୍ରେମିକ, ସେଥିପାଇଁ ତାଙ୍କ ଆସନ ଆମଠାରୁ ଉଚ୍ଚରେ, ସେଥିପାଇଁ ସେ ଆମର ପ୍ରଶଂସାର ପାତ୍ର, ପ୍ରେମ-ଜୀବନରେ ଆମର ଆଦର୍ଶ । ପ୍ରମୋଦବାବୁ ଏହାକୁ ହିଁ ଅବଲମ୍ୱନ କରି ମୁଁ ଗୋଟାଏ ଗଳ୍ପ ଲେଖିବି, ମୁଁ ଜାଣେ ତାହା ଖୁବ୍‌ ସୁନ୍ଦର ହେବ । ପ୍ରେମର ଏପରି ସାକ୍ଷାତ୍‌ ଚିତ୍ରକୁ ଅଙ୍କନ କରିବା ବା କେତେଜଣ ଲେଖକଙ୍କ ଭାଗ୍ୟରେ ଘଟେ ?’’

 

ବନମାଳୀ ଆମ୍‌ଲେଟର ଶେଷ ଖଣ୍ଡକ ଗିଳି କହିଲା, ‘ନିଶ୍ଚୟ, ନିଶ୍ଚୟ ।’

 

ପୂଜାରୀ ତିନିକପ୍‌ ଚା’ ଦେଇଗଲା । ଚା’ ଶେଷ କରି, ସିଗାରେଟ୍‌ ତିନିଖଣ୍ଡ ଲଗାଇ ଏ ତିନିହେଁ ଉଠିଲେ ।

 

ପୂଜାରୀ ଆସି କହିଲା, ‘ବାବୁ, ସାତଟଙ୍କା ତେରଅଣା ।’

 

ପ୍ରମୋଦ ପୂଜାରୀ ହାତକୁ ଟଙ୍କାକିଆ ନୋଟ ଆଠଖଣ୍ଡ ବଢ଼ାଇ କହିଲା, ‘ରେଜାତକ ତମର ।’

 

ହୋଟେଲ ଦ୍ୱାରମୁହଁରେ ଖୁବ୍‌ବଡ଼ ସାଇନ୍ ବୋର୍ଡ଼; ତା’ଉପରେ ଦୁଇଟି ବିଜୁଳି ଆଲୁଅ । ବ୍ଳେକ୍‌ ଆଉଟ୍‌ର ମୁଖା ପିନ୍ଧିଲେ ମଧ୍ୟ ତାର ତେଜରେ ହୋଟେଲ ସାମନାରେ ଥିବା ନଳାର କାଳିଆ କାଳିଆ ପଚା ପଙ୍କ ଭଲ ଭାବରେ ଦିଶୁଥିଲା ।

 

ହୋଟେଲ ସାମନାରେ ଦଶ ବାରଟି ନରକଙ୍କାଳ ଏଣେତେଣେ ବୁଲୁଥାନ୍ତି; ଗୋଟାଏ ନରକଙ୍କାଳ ସେହି ନଳା ଭିତରେ ପଡ଼ିଥିବା ଖଣ୍ଡେ ଅଇଣ୍ଠା ପତ୍ରକୁ ଧରି ଚାଟୁଥାଏ ।

 

ସାମନାରେ ଆବର୍ଜନା ପକାଇବାପାଇଁ ଡଷ୍ଟବିନ୍‌ । ତାକୁ ଆଉଜି କୋଳରେ ଗୋଟିଏ ଛୁଆକୁ ଧରି ପଡ଼ିଥାଏ ଗୋଟିଏ ନରକଙ୍କାଳ ସ୍ତ୍ରୀ ଲୋକ । ଦିନେ ଯୁବତୀ ଥିଲା ବୋଲି ଅନୁମାନ ହୁଏ ସେ ମୁଖାପିନ୍ଧା ବିଜୁଳି ଆଲୁଅର ତେଜରେ ।

 

ସିଗାରେଟ ଫୁଙ୍କି ଫୁଙ୍କି ତିନିବନ୍ଧୁ ଚାଲିଲେ ବଜାର ଆଡ଼କୁ ।

 

ଚଉଦ

 

ଭୋକିଲା ପେଟ ହାଇ ଏକ୍‌ସପ୍ଳୋସିଭ ବୋମାଠାରୁ ଅଧିକ ବିସ୍ଫୋରକ, ମାଷ୍ଟାର୍ଡ଼ ଗ୍ୟାସଠାରୁ ଅଧିକ ମାରାତ୍ମକ, ଟର୍ପେଡ଼ୋଠାରୁ ଭୟଙ୍କର, ଟ୍ୟାଙ୍କ ପରି ଏହା ସାମନାରେ ଯାହା ପଡ଼େ ତାହା ଚୂର୍ଣ୍ଣୀଭୂତ ହୋଇଯାଏ । ସବ୍‌ମେରିନ୍‌ ପରି ଏହାର ଅଲକ୍ଷିତ ଗତି ବିପଜ୍ଜନକ, ଡାଇଭ ବୋମ୍ୱ ପରି ଏହାର ଲକ୍ଷୀଭୂତ ସ୍ଥାନ ଉପରେ ଧ୍ୱଂସର ଅଗ୍ନିରେ ରଙ୍ଗ ଖେଳାଇ ଦିଏ । ପ୍ରଳୟ ଦେବତାର ରୁଦ୍ର ନିଃଶ୍ୱାସ ସମ୍ଭୁତ ଅଗ୍ନିକଣା ଏହି ଭୋକିଲା ପେଟ ଭିତରେ ସବୁବେଳେ ଚେଇଁ ରହିଥାଏ । ଭୋକିଲା ପେଟର ଦୁର୍ବଳତା ଭିତରେ ବିପ୍ଳବର ପ୍ରଳୟଙ୍କର ଶକ୍ତି ଜନ୍ମଲାଭ କରେ । କ୍ଷୁଧିତ ସିଂହ ଭୟଙ୍କର । କ୍ଷୁଧିତ ବ୍ୟାଘ୍ର ତତୋଽଧିକ ଭୟଙ୍କର; କିନ୍ତୁ କ୍ଷୁଧିତ ମନୁଷ୍ୟ ଏମାନଙ୍କ ଠାରୁ ଶତଗୁଣ ଭୀଷଣ । ୧୯୪୨-୪୩ ରେ ଓଡ଼ିଶାର ପଲ୍ଲୀଗ୍ରାମମାନଙ୍କରେ ତ ଭୋକ ଏକ ସଂକ୍ରାମକ ବ୍ୟାଧିରୂପେ ହଜାର ହଜାର ଲୋକର ଜୀବନ ନାଶ କରୁଥିଲା; କିନ୍ତୁ ସହରର ଲୋକେ ତାହାର ମାରାତ୍ମକତାର ପୂର୍ଣ୍ଣ ପରିଚୟ ପାଇ ନ ଥିଲେ । ଯେତେବେଳେ ଓଡ଼ିଶାର ସହରମାନଙ୍କରେ ନରକଙ୍କାଳଗୁଡ଼ାକ ଘୂରିବୁଲି ସହରକୁ–ବଜାର ଭିତରକୁ ଶ୍ମଶାନର ଦୃଶ୍ୟ ଆବାହନ କରି ଆଣିଲେ, ଯେତେବେଳେ ଚାରିଆଡ଼େ ‘ଭୋକ, ବାବୁ ଦିଅ । ତିନିଦିନ ହେଲା ଖାଇନାହିଁ । ସବୁବେଳେ ଶୁଭିଲା ଯେତେବେଳେ ସହରର ସାଧାରଣ ଲୋକେ ଚାଉଳ ମୁଠାକ ମଧ୍ୟ ସୁବିଧାରେ ପାଇଲେ ନାହିଁ, ସେତେବେଳେ କର୍ତ୍ତାମାନଙ୍କ ଇଙ୍ଗି ତରେ ବେସରକାରୀ ଉଦ୍ୟମରେ ଭୋକିଲା ଲୋକମାନଙ୍କୁ ବଞ୍ଚାଇବା ଉଦ୍ୟମର ଗୋଟାଏ ଅଭିନୟ କରିବା ପାଇଁ–ଅନ୍ନଚ୍ଛତ୍ର ଖୋଲାଗଲା । ଏହି ଅନ୍ନଚ୍ଛତ୍ର ମନୁଷ୍ୟତା ପ୍ରତି ଏକ ବିରାଟ ବ୍ୟଙ୍ଗ–ଚରମ ପରିହାସ ।

 

କଟକ ସହରରେ ତିନି ଚାରି ସ୍ଥାନରେ ଏହିପରି ଅନ୍ନଚ୍ଛତ୍ର ଖୋଲା ଯିବାର ବ୍ୟବସ୍ଥା ହେଲା । କମିଟି ବିନା ଏଡ଼େ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ହେବ କିପରି ? ସେଥିପାଇଁ ଗୋଟାଏ ଶକ୍ତିଶାଳୀ କମିଟି ଗଠନ କରାଗଲା । ସେଥିରେ ସଭାପତି ହେଲେ ସ୍ୱୟଂ ଶେଠ ମୂଳଚନ୍ଦ ଲାଲ ଓ ସମ୍ପାଦକ ହେଲେ ରାୟସାହେବ ଧରଣୀଧର ସେନାପତି । ସରକାରଙ୍କଦ୍ୱାରା ପୃଷ୍ଠପୋଷିତ ଆଉ କେତେଜଣ ରାୟବାହାଦୂର ଓ ଶଏର ଖାଁ ଏଥିରେ ସଭ୍ୟରୂପେ ରହିଲେ । ଏମାନଙ୍କର ପ୍ରଧାନ କାମ ହେଲା ଚାନ୍ଦା ସଂଗ୍ରହ କରି ଅନ୍ନଚ୍ଛତ୍ରକୁ ଚଳାଇବା । ଏମାନେ ଧନୀଙ୍କ ପାଖକୁ ଗଲେ କାଳେ ସରକାରଙ୍କ ବିରାଗଭାଜନ ହୋଇଯିବେ ବୋଲି ସେମାନେ କିଛି କିଛି ଦେଲେ; ଆଉ କେତେକ ଜମିଦାର ମେଜେଷ୍ଟର ସାହେବଙ୍କ ଅନୁଗ୍ରହ ଆଡ଼କୁ ଦୃଷ୍ଟିରଖି ଧାନ ଅମାରରୁ ୮ । ୧୦ ଗୌଣୀ ଧାନ ବିକି ଚାନ୍ଦା ଖାତାରେ ନିଜର ଧନ୍ୟାବାଦାର୍ହ ନାମଗୁଡ଼ାକୁ ଲେଖାଇ ଦେଲେ । ଯେଉଁ ବେପାରୀମାନେ ଲୋକଙ୍କ ତଣ୍ଟିଚିପି ବେଶି ଲାଭ କରିଥିଲେ ସେମାନେ ସରକାରୀ ଧରପଗଡ଼ରୁ ରକ୍ଷାପାଇବା ଆଶାରେ ବେଶି ବେଶି ଚାନ୍ଦା ଦେଲେ, ଆଉ ଦେଲେ ଉଡ଼ାଜାହାଜ ପଡ଼ିଆର କଣ୍ଟ୍ରାକ୍ଟରମାନେ, ଯେଉଁମାନଙ୍କ ବାକ୍‌ସ ସିନ୍ଦୁକ ଭିତରକୁ ରାତି ରାତି ଅର୍ଥ ଭିଡ଼ି ଆସୁଥିଲା, ହଠାତ୍‌ ଯେଉଁ ମାନେ ଧନୀ ହୋଇପଡ଼ିଥିଲେ ।

 

ଏହି ସଂଗୃହୀତ ଅର୍ଥରେ ପଶୁଯୋଗ୍ୟ ଖାଦ୍ୟ ତିଆରିହୋଇ ଦିନାନ୍ତରେ ଥରେ ବୁଭୁକ୍ଷିତ, ନିଃସ୍ୱ, ନିଃସମ୍ୱଳ, କଙ୍କାଳ ମାତ୍ରା ବିଶିଷ୍ଟ ହଜାର ହଜାର ମନୁଷ୍ୟ ଆଗରେ ରଖାଯାଏ । ଏତେ କମ୍‌ ପରିମାଣରେ ଏହା ସେମାନଙ୍କୁ ଦିଆଯାଏ ଯେ, ଏଥିରେ ସେମାନଙ୍କର କ୍ଷୁଧା ଶାନ୍ତ ହେବାର ତ କୌଣସି ସମ୍ଭାବନା ନ ଥାଏ, ତାହା ସେମାନଙ୍କର ଭୋକର ଜ୍ୱାଳାକୁ ଅଧିକ କଢ଼ାଇ ଦିଏ । ଅନ୍ନଚ୍ଛତ୍ରର ଏହି ତଥାକଥିତ ଅନ୍ନ ମୃତ୍ୟୁ ମୁଖକୁ ଚାଲିଥିବା ଏହି ନରକଙ୍କାଳଗୁଡ଼ିକୁ ମୃତ୍ୟୁ ମୁଖରୁ ବଞ୍ଚାଏ ନାହିଁ; ମୃତ୍ୟୁର ପଥକୁ କଣ୍ଟକିତ କରି ପକାଏ–ତା-ସହିତ ଯନ୍ତ୍ରଣାର ସମୟ ବଢ଼ାଇ ଦିଏ । ଭୋକ ସହିତ ଯେଉଁମାନଙ୍କର ଚାକ୍ଷୁଷ ପରିଚୟ ନାହିଁ, ଉପାଦେୟ ଖାଦ୍ୟ ଖାଇବା ନିମିତ୍ତ ଯେଉଁ ମାନେ ଭୋକକୁ ଖୋଜନ୍ତି; ଭୋକ ହେବାପାଇଁ ଯେଉଁ ମାନେ ଔଷଧ ଖାଆନ୍ତି–ସେମାନେ ଜାଣିବେ କେମିତି ସେପରି ଭୋକର ଜ୍ୱାଳା–ଯେଉଁଠି ଦିନପରେ ଦିନ ଭୋକ ଅଛି, ଅଥଚ ଖାଦ୍ୟ ନାହିଁ–ଖାଦ୍ୟ ପାଇବାର ଆଶା ନାହିଁ, ଯେଉଁ ଭୋକ ମନୁଷ୍ୟକୁ ଦଣ୍ଡେ ଦଣ୍ଡେ ପଳେ ପଳେ ମୃତ୍ୟୁ ମୁଖକୁ ଠେଲି ନେଇ ଚାଲେ । ଧନୀର ସୌଖିନ ଭୋକ ଓ ନିଃସ୍ୱର ଜ୍ୱାଳାମୟ ବୁଭୁକ୍ଷା ମଧ୍ୟରେ ଯେ ବିରାଟ ବ୍ୟବଧାନ ଅଛି, ଅଭାବ ସହିତ ଯେଉଁମାନଙ୍କର ପରିଚୟ ଅଳ୍ପ, ତାହା ସେମାନେ ବୁଝିବେ କିପରି ? ସେଥିପାଇଁ ଏସବୁ ଅନ୍ନଚ୍ଛତ୍ରରେ ଯେପରି ଖାଦ୍ୟର ବ୍ୟବସ୍ଥା ହୋଇଥିଲା, ତାହା ଖାଦ୍ୟ ନୁହେଁ, ଖାଦ୍ୟ ରୂପେ ଏହି ନିଃସ୍ୱ ନରକଙ୍କାଳଗୁଡ଼ାକ ପ୍ରତି ସେମାନଙ୍କ ଏହି ଅବସ୍ଥା ପ୍ରତି ବ୍ୟଙ୍ଗ–ବିଦ୍ରୂପ ମାତ୍ର ।

 

କଟକ ଅନ୍ନଚ୍ଛତ୍ର କମିଟିର ସଭାପତି ଶେଠ୍‌ ମୂଳଚନ୍ଦ ଚନ୍ଦନଲାଲ ସେଦିନ ମ୍ୟୁନିସପାଲିଟି ହତାରେ ଥିବା ଅନ୍ନଚ୍ଛତ୍ର ପରିଦର୍ଶନ କରିବାକୁ ଆସିଥିଲେ । ପତ୍ର ପାଖରେ ଦୁଇ ହଜାର ଖଣ୍ଡେ ଭୋକିଲା ନରକଙ୍କାଳ ବସିଥିବା ବେଳେ ସେ ଆସି ପହଞ୍ଚିଲେ । ଏମାନଙ୍କୁ ଯେଉଁ ଜାଉ ଦିଆ ଯାଉଥିଲା, ତାହା ଦେଖି ସେ ବଡ଼ ସନ୍ତୁଷ୍ଟ ହେଲେ । ଏ ମଣିଷଗୁଡ଼ାକ ଯେପରି ଭାବରେ ଏ ସ୍ୱାଦୁ ବିହୀନ ଅଖାଦ୍ୟକୁ ଗିଳି ଯାଉଛନ୍ତି, ତାହା ଦେଖି ମନେ ମନେ ଶେଠଜୀଙ୍କର ଏମାନଙ୍କ ପ୍ରତି ଈର୍ଷାହେଲା । ପୁରି, ଆଳୁ ତରକାରୀ, ଦହିକଡ଼ି, ପାଁ ପଡ଼ ଲଙ୍କାମରିଚ-ଆମ୍ୱ-କାଗିଜିର ଆଚାର, ପେଡ଼ା ମିଠାଇ, ରସଗୋଲା- ଏ ସବୁ ଜିନିଷ ତାଙ୍କ ପାଖରେ ନିତି ନିତି ବଢ଼ାଯାଏ, ଶେଠାଣୀ ନିତି ତାଙ୍କ ଖାଇବା ପାଖରେ ବସି ଏଇଟା ଖାଅ, ସେଇଟା ଖାଅ ବୋଲି ବରାବର ବରାଦ କରନ୍ତି, କିନ୍ତୁ ଭାଗ୍ୟର ଦୋଷ ଏପରି ଯେ, ବେଶି ସେ ଖାଇ ପାରନ୍ତି ନାହିଁ, ଖାଇଲେ ପେଟ ଗଡ଼ବଡ଼ ହୁଏ, ଅଜୀର୍ଣ୍ଣ ହୁଏ, ବାୟୁଦୋଷ ଘଟେ ପେଟକୁ ମାରେ । ସେଥିପାଇଁ ଶେଠଜୀ ଖାଇ ବସିବାବେଳେ ଥାଳିରେ ବଢ଼ା ହୋଇଥିବା ଖାଦ୍ୟ ଦେଖି ଡରି ଯାଆନ୍ତି, ଖଣ୍ଡେ କିଛି ପାଟିକୁ ନେଲେ ଦେହ ଖରାପ ହେବ ବୋଲି ଚମକି ପଡ଼ନ୍ତି । ଏ ଅଜୀର୍ଣ୍ଣ ରୋଗ ଦୂର ହୋଇ କିପରି ବେଶି ଭୋକ ହେବ, ସେଥିପାଇଁ ସେ ବହୁତ ଔଷଧି ମୌଷଧି ଖାଇ ସାରିଛନ୍ତି । ବୈଦ୍ୟରାଜ ଗୋପୀଚନ୍ଦ ପାଞ୍ଚଶହ ଟଙ୍କା ନେଇ ଶଙ୍ଖଦ୍ରାବକ ଓ ସ୍ୱର୍ଣ୍ଣଭସ୍ମ ଦେଇ ଯେଉଁ ହଜମୀ ଚୂରଣ କରି ଦେଇଥିଲା, ତାହାମଧ୍ୟ କିଛି କାମ ଦେଲା ନାହିଁ; କବିରାଜ ସିଦ୍ଧାନନ୍ଦ ମିଶ୍ର ଯେଉଁ ମୋଦକ ଦେଲେ ତାହା ବିଫଳ ହେଲା, ହାକିମ ନସ୍‌କର ଖାଁଙ୍କ ଅଓଲ୍‌ ନମ୍ୱର ବାଦସାହୀ ହଜମୀ ଦବା ମଧ୍ୟ କିଛି କାମ ଦେଲା ନାହିଁ, ହୋମିଓପାଥ ଆନନ୍ଦ ଦାସ ବହୁତ ଚେଷ୍ଟା କରି ଦୁଗଧ ଶର୍କରାରେ ନାନା ରକମ ଔଷଧର ପୁଡ଼ିଆ ବାନ୍ଧି ଶେଠଜୀଙ୍କୁ ନାନା ଭାବରେ ସେବନ କରାଇ ବେଦମ କରାଇ ଦେଲେ; ଶେଷରେ ଡାକ୍ତର ଏସ. ଏନ. ପଟ୍ଟନାୟକ ଏମ.ବି.ଏସ (କାଲ) ନାନା ପ୍ରକାର ପରୀକ୍ଷାର; ଭେଳକି ବାଜି ପରେ ନାନା ପ୍ରକାର ବୋତଲରେ ଥିବା ନାନା ପ୍ରକାର ଦେଶୀ ଓ ବିଲାତୀ ଡାକ୍ତରୀ ଔଷଧ ସେବନ କରାଇ ମଧ୍ୟ ଶେଠଜୀଙ୍କ ଜଠର ଦେଶକୁ ବାଗକୁ ଆଣି ପାରିଲେ ନାହିଁ । ଏସବୁରେ ହଜାର ହଜାର ଟଙ୍କା ଖରଚ କରି ଔଷଧ ଖାଇ ଖାଇ ବିରକ୍ତି ହୋଇ ଶେଠଜୀ କଟକ ଚଣ୍ଡି ଙ୍କର ଆଶ୍ରାଧରିଛନ୍ତି । ମାସକୁ ୩୦ଟଙ୍କା ବେତନରେ ଜଣେ ବ୍ରାହ୍ମଣ ମୁତୟନ ହୋଇଛନ୍ତି । ସେ ପ୍ରତିଦିନ ମନ୍ଦିରର ପାଖରେ ଚଣ୍ଡୀ ଗୁଣନ୍ତି; ଶେଠଜୀ ପ୍ରତିଦିନ ଯାଇ ବଡ଼ି ସକାଳୁ ଚଣ୍ଡୀଙ୍କ ଦର୍ଶନ କରି ଆସନ୍ତି । ଏତେ ସାଧନାର ଧନ ଯେଉଁ ଭୋକ ତାଙ୍କ ପକ୍ଷରେ ଦୁର୍ଲ୍ଲଭ, ଏ ଗରିବ ଏ କାଙ୍ଗାଳ ଗୁଡ଼ାକ ଠାରେ ତାହା ଏତେ ବେଶି ପରିମାଣରେ ଅଛି; ଏଥିରେ ଈର୍ଷା କାହାର ନ ହେବ ? ସେ ଶେଠ, ତାଙ୍କ ପକ୍ଷରେ ଖାଦ୍ୟର ଅଭାବ ନାହିଁ - ଅଥଚ ତାଙ୍କର ଭୋକ ନାହିଁ ବୋଲି ସେ ଏସବୁରୁ ବଞ୍ଚିତ । ଆଉ ତାଙ୍କ ସାମନାରେ ଏହି ଲୋକଗୁଡ଼ାକୁ ମିଳୁନାହିଁ ଅଥଚ ଷୋଳକଣ୍ଟା ଭୋକ ଅଛି । ଏ ଗୁଡ଼ାକ ଦୈବର ବିଡ଼ମ୍ୱନା; ଗ୍ରହଣ ଫେର ବୋଳି ଶେଠଜୀ ମନକୁ ମନ ସାନ୍ତ୍ୱନା ଦେଲେ ।

ଅନ୍ନଛତ୍ର ପରିଦର୍ଶନ କରି ଫେରି ଯାଇ ଶେଠଜୀ ମାଲ ଗୋଦାମରେ ଥିବା ଗଦିରେ ବଡ଼ ତକିଆକୁ ଆଉଜି ଅର୍ଦ୍ଧ ଶାୟୀତ ଅବସ୍ଥାରେ ବସିଛନ୍ତି; ତାଙ୍କ କଡ଼ରେ ଥିବା ଗୁମାସ୍ତାମାନେ କିଏ ଖାତା ଲେଖୁଛି; କିଏ ନୋଟ ଗଣୁଛି; କିଏ ମାଲର ତାଲିକା କରୁଛି । ଦୁଇଜଣ କଣ୍ଟାବାଲା ପ୍ରାୟ ୫୦ ଜଣ କୁଲି ଧାନ ବସ୍ତା ଓଜନ କରିବାରେ ଲାଗିଛନ୍ତି, ଦୁଇଜଣ ଗୁମାସ୍ତା ବସି ଓଜନର ହିସାବ ଲେଖୁଛନ୍ତି । ଧାନ ବସ୍ତା ବାହାରୁ ଆସୁଛି ଓଜନ ହେଉଛି; ଗୋଦାମ ଭିତରକୁ ନିଆ ହେଉଛି-

କଣ୍ଟାବାଲା ବିରକ୍ତ ହୋଇ କହିଲା, ‘ଆଉ କେତେ ବସ୍ତା ଅଛି ?’

କୁଲି ସରଦାର କହିଲା; ‘ଆଉ ଦୁଇ ହଜାର ଭଳି ବସ୍ତା ହେବ ?’’

କଣ୍ଟାବାଲା ଗୁମାସ୍ତାକୁ କହିଲା, ‘ବାବୁ; ଆଜି ଓଜନ ସରିବା ପରି ଲାଗୁ ନାହିଁ ?’

ମାରଆଡ଼ି ଗୁମାସ୍ତା କହିଲା, ‘ରାତି ବାରା ବାଜୁ; ଦୋ ବାଜୁ ଅଲବତ୍‌ ଧାନର କାଣ୍ଟା ସରିବ; ନାହିଁ ତୋ ଶେଠଜୀ ବହୁତ୍‌ ଖପ୍‌ପା ହେବ ବୁଝିଲ ।’

କଣ୍ଟାବାଲା ବିରକ୍ତ ହୋଇ କହିଲା, ହଁ ହଁ-ମହଣେ ତେଇଶ ସେର ତିନି ଛଟାଙ୍କୀ ।’

ଏହି ସମୟରେ ଖଣ୍ଡେ ରିକ୍‌ସା ଶେଠଜୀଙ୍କ ଗୋଦାମ ସାମନାରେ ଛିଡ଼ାହେଲା; ସେଥିରୁ ଓହ୍ଲାଇ ଆସିଲେ ରାୟ ସାହେବ ଧରଣୀ ଧର ସେନାପତି । ତାଙ୍କୁ ଦେଖି ଶେଠଜୀ କହି ଉଠିଲେ; ‘ଆଇୟେ; ବାବୁଜୀ ।’

ରାୟ ସାହେବ ଗଦି ପାଖକୁ ଯାଇ କହିଲେ; ‘ରାମ ରାମ ଶେଠଜୀ ।’ ଗଦିର ଗୋଟାଏ କଡ଼ରେ ବସିପଡ଼ି କହିଲେ, ‘ଶୁଣିଲି ଆପଣ ଆଜି ଅନ୍ନଛତ୍ର ପରିଦର୍ଶନ କରିବାକୁ ଯାଇଥିଲେ ।’

 

ଶେଠଜୀ ‘ହଁ-ହଁ ଟିକିଏ ସେ ଆଡ଼େ ବୁଲି ଆସିଲି । ବୁଝିଲେ ବାବୁଜୀ; ଏ ସବୁ ବଡ଼ ଦାୟିତ୍ୱ କାମ । ଗରିବ ଦୁଃଖୀମାନଙ୍କ ଖାଇବା କଥା ଟିକିଏ ସେ ଆଡ଼କୁ ଦୃଷ୍ଟି ନ ଦେଲେ ଛତ୍ରର ଚାକର ନୌକରମାନେ ବହୁତ ଗଫଲତ କରିବେ । ସେଥିପାଇଁ ମଝିରେ ମଝିରେ ମୁଁ ଟିକିଏ ଟିକିଏ ଖବର ନିଏ; ନିଜେ ବି କେବେ ଚାଲି ଯାଏ ।’

 

ରାୟ ସାହେବ; ଉତ୍ସାହରେ କହିଲେ; ସେଇଥିପାଇଁ ତ ଆପଣଙ୍କ ପରି ସଚ୍ଚା ଆଉ ଧାର୍ମିକ ଲୋକ ଉପରେ ଏ କାମର ପୂରା ଭାର ମେଜେଷ୍ଟର ସାହେବ ଦେଇଛନ୍ତି । ମୁଁ ବରାବର ଅନ୍ନଛତ୍ର ଦେଖିବାକୁ ଯାଏ; କିନ୍ତୁ ମଝିଆଁ ଝିଅର ବିଭାଘର ପାଇଁ ଟିକିଏ ବ୍ୟସ୍ତ ହୋଇ ପଡ଼ିଛି; ସେଥିପାଇଁ ସେ ଆଡ଼କୁ ଆଦୌ ଯାଇ ପାରିନାହିଁ । ମୁଁ ମୂଳରୁ ବୁଝିଛି, ଆପଣ ଯେଉଠି ଅଛନ୍ତି ସେଠି ମୋ ଭଳି ଲୋକର କିଛି ଦରକାର ନାହିଁ; କିଛି କାମ ନାହିଁ; କିନ୍ତୁ ମାଜିଷ୍ଟ୍ରେଟ ସାହେବଙ୍କ କଥା ନ ମାନି ଚାରା କଅଣ ? ମୁଁ ଗୋଟାଏ କାମ ପାଇଁ ଆପଣଙ୍କ ପାଖକୁ ଆସିଥିଲି ।’

 

ଶେଠଜୀ ବ୍ୟସ୍ତହୋଇ କହି ଉଠିଲେ, ‘କହନ୍ତୁ; କହନ୍ତୁ’ ରାୟ ସାହେବ; ‘ଏଇ ଗୋଟାଏ ଅତି ସାମାନ୍ୟ କଥା; ବୁଝିଲେ ଆଜି କାଲିତ କଟକ ବଜାରରେ କେତେବେଳେ ଚାଉଳ ମିଳୁଛି ତ କେତେବେଳେ ମିଳୁନାହିଁ । ଗତ ତିନି ଦିନ ହେଲା ବଜାରରେ ଆଉ ଚାଉଳ ନାହିଁ । ଗରିବ ଦୁଃଖୀମାନେ ବା ଯେ କୌଣସି ମତେ ଚଳିଯିବେ; ପିଲା ପିଲି ଧରି ଆମେମାନେ ଚଳିବୁ କିମିତି ? ଆମ ଘରେ ଯେଉଁ ୩ । ୪ ବସ୍ତା ଚାଉଳ ଥିଲା ତାହା ସରିଲା; ଭାବୁଛି ଆପଣ ଯଦି ୮। ୧୦ ବସ୍ତା ଚାଉଳ ଅନୁଗ୍ରହ......

 

ଶେଠଜୀ ତାଙ୍କୁ ବାଧାଦେଇ କହିଲେ, ‘ବାବୁଜୀ ଆପଣ ଏହି କଥାପାଇଁ ବ୍ୟସ୍ତ ହେଉଛନ୍ତି ? କୁଛ ପରବାୟ ନାହିଁ; କୁଛ ପରବାୟ ନାହିଁ, ଆପଣଙ୍କ ଆମ ଭିତରେ ଯେତେବେଳେ କଥା, ସେତେବେଳେ କିଛି ଅଭାବ ପଡ଼ିବ ନାହିଁ, କିଛି ଅସୁବିଧା ହେବ ନାହିଁ ।’

 

ତା ପରେ ଶେଠଜୀ ଗୁମାସ୍ତାକୁ ହୁକୁମ ଦେଲେ ‘ଧିଆନ ରାମ, ବାବୁଜୀକା ମକାନ କୋ ୧୦ ବସ୍ତା ସଫେଦ ଚାଓଲ ଭେଜ ଦୋ’ ।

 

ରାୟ ସାହେବ କହିଲେ, ‘ଏକାଠି ୧୦ ବସ୍ତା ନ ଦେଇ ବର୍ତ୍ତମାନ ୫ ବସ୍ତା ଦେଲେ ଚଳିବ । ବୁଝିଲେ ବର୍ତ୍ତମାନ ଟିକିଏ ଟଣା ଟଣୀ.............

 

ଶେଠଜୀ ହସି ହସି କହିଲେ, ‘କୁଛ ପରବାୟ ନେହିଁ କୁଛ ପରବାୟ ନେହିଁ ।’

 

ଟିକିଏ ରହି ଶେଠଜୀ କହିଲେ ବାବୁଜୀ ଆପଣଙ୍କ ସାଙ୍ଗରେ ଗୋଟାଏ ବିଶେଷ କଥା ଅଛି । ଟିକିଏ ଆରପାଖ ଘରକୁ ଗଲେ ନିରୋଳାରେ ବସି ବାତ୍‌ ଚିତ୍‌ ହୁଅନ୍ତେ ।’

 

ପାଖରେ ଶେଠଜୀଙ୍କ ଖାସ ବୈଠକ ଖାନା । ସେଠାରେ ମଧ୍ୟ ଗଦି ଓ ବଡ଼ ବଡ଼ ତକିଆର ସମାରୋହ । ଶେଠଜୀ ଓ ରାୟସାହେବ ସେ ଘରେ ବସିଲା ପରେ ଶେଠଜୀ କହିଲେ, ‘ଆଜି କଲିକତାରୁ ଏକ ଫୋନ ଆସିଲା, ବଙ୍ଗାଲକୁ ଓଡ଼ିଶାରୁ ଚାରି ଲକ୍ଷ ବସ୍ତାଧାନ ପଠାଯିବ ।

 

ଏ ଚାରିଲକ୍ଷ ବସ୍ତା ମାସକ ଭିତରେ ପଠାଯିବ ବୋଲି କଲିକତାରେ ଚୁକ୍ତି ହୋଇସାରିଛି ବୋଲି ଫୋନ ଖବର ମିଳିଲା । ଆଗରୁ ଏ ବିଷୟରେ ଯେଉଁ ସବୁ କଥାବାର୍ତ୍ତା ଚାଲିଥିଲା ତାର ଖବର ବରାବର ମୁଁ ରଖୁଥିଲି । ଓଡ଼ିଶାରୁ କିଏ ଏ ଚାରିଲକ୍ଷ ବସ୍ତା ପଠାଇବ ତାହା ଠିକ ହୋଇନାହିଁ । ଏଇ ଦିନେ ଦୁଇ ଦିନ ଭିତରେ ଠିକ ହୋଇଯିବ । ବର୍ତ୍ତମାନ ଆମକୁ ଟିକିଏ ଏ ବିଷୟରେ ଖବର ନେବାକୁ ହେବ । ଆପଣଙ୍କର ତ ହାକିମ ହୁକୁମାଙ୍କ ସହିତ ଭଲ ଆଳାପ ପରିଚୟ ଅଛି । ଆପଣ ଏ ବିଷୟରେ ମୋତେ ସାହାଯ୍ୟ କରିବେ ।’

 

ରାୟ ସାହେବ ଉତ୍ସାହ ସହିତ କହି ଉଠିଲେ; ‘ନିଶ୍ଚୟ ! ଆପଣ ଏତେ ପରୋପକାରୀ; ଆପଣ ଲୋକଙ୍କ ପାଇଁ ଏତେ କାମ କରୁଛନ୍ତି; ସରକାର ଆପଣଙ୍କ କାମକୁ ବହୁତ ପସନ୍ଦ କରନ୍ତି; ଏ ଅବସ୍ଥାରେ ସରକାର ଏହି ୪ ଲକ୍ଷ ବସ୍ତା ଧାନ ବଙ୍ଗଳାକୁ ପଠାଇବା ଭାର ଆପଣଙ୍କ ଉପରେ ନ ଦେଇ ଆପଣଙ୍କୁ ସରକାରୀ ଏଜେଣ୍ଟ ନିଯୁକ୍ତ ନ କରି ଆଉ କାହାକୁ କରିବେ ’?

 

ଶେଠଜୀ କହିଲେ, ‘ସେ ସବୁ ଠିକ୍‌ ବାତ୍‌, ସେ ସବୁ ଠିକ୍‌ କଥା, ଲେକିନ କାମ ବଖତ୍‌ରେ ସରକାରଙ୍କ ଢଙ୍ଗ୍‌ ଦୁସରା ହୋଇଯାଏ । ସବ୍‌ ପୂଜାପୂଜି ଉପରେ ନିର୍ଭର କରେ । ବୁଝିଲେ, ପୂଜାପୂଜି ତୋ ଅସଲ ଚିଜ୍‌ । ସରକାର ହମାରା ସବ୍‌ କଥା ପସନ୍ଦ କରନ୍ତି ପ୍ରଶଂସା କରନ୍ତି–ଠିକ୍‌; ମଗର ଅର କୋଇ ଠିକ୍‌ ଦେବତାକୁ ପକଡ଼ଲିଆ ତୋ କୁଲ କାମ ଓଲଟ ହୋଇଯିବ-। ବୁଝିଲେ ବାବୁଜୀ, ଆପଣ ଟିକେ ମୋତେ ଏ ବିଷୟରେ ସାହାଯ୍ୟ କରିବେ ।

 

ରାୟ ସାହେବ କହିଲେ ‘ନିଶ୍ଚୟ, ନିଶ୍ଚୟ ! ଏଥିରେ ସନ୍ଦେହ ଅଛି ? ମୋ ଦ୍ୱାରା ଯାହା ହେବ କରିବାକୁ ତିଆର ।’

 

ଶେଠଜୀ, ତବ୍‌ ବାତ୍‌ ପକ୍‌କା ହେଲା ? କାଲି ସକାଳେ ମୁଁ ମୋଟରରେ ଯାଇ ଆପଣଙ୍କ ଘରେ ପହଞ୍ଚିବି । ସେଠାରୁ ଆମ କାମରେ ବାହାରିବା ।

 

ରାୟ ସାହେବ କହିଲେ ‘ହଁ, ତାହାହିଁ କରାଯିବ ।’

 

ଶେଠଜୀ ପକେଟରୁ ଶହେ ଟଙ୍କିଆ ନୋଟ ୪ ଖଣ୍ଡ କାଢ଼ି ରାୟ ସାହେବଙ୍କ ହାତକୁ ବଢ଼ାଇ ଦେଇ କହିଲେ, ଏଟା ଆପଣଙ୍କ ସଲାମି !

 

ରାୟ ସାହେବଙ୍କ ହାତ ୫ଶହ ଟଙ୍କା ଧରି ପକେଟ ଆଡ଼କୁ ଚାଲିଲା । ଏଣେ ରାୟ ସାହେବ କହିଲେ, ‘ଏ କଅଣ ହେବ ଶେଠଜୀ ! ଆପଣଙ୍କଠୁଁ ଏ ସାମାନ୍ୟ କାମ ପାଇ ଟଙ୍କା ନେବି-?’

 

ଶେଠଜୀ କହିଲେ, ବାସ୍‌ ବାସ୍‌ ମୁଁ ତ କହିଛି ଏ ଆପକ ସଲାମୀ । କାମ ହୋଇଗଲେ ମିଠାଇଖିଆ ଆପଣଙ୍କର ଅଛି ।

 

ଏହା କହି ଶେଠଜୀ ଉଠିଲେ । ରାୟ ସାହେବ ଧରଣୀଧର ସେନାପତି ଏକମୁହାଁ ହୋଇ ରିକ୍‌ସାକୁ ଚାଲିଲେ ।

 

ଗଦି ବାହାରେ ଅସ୍ଥି ଚର୍ମ ସାର ଗୁଡ଼ାଏ ପିଲା ଛିଡ଼ାହୋଇ ଥିଲେ । ସେମାନଙ୍କ ଆଖି, ମୁହଁ, ଦେହର ସର୍ବାଙ୍ଗରେ ଫୁଟି ଉଠୁଥିଲା ତୀବ୍ର ବୁଭୁକ୍ଷା ।

 

ଶେଠଜୀଙ୍କର ଦୃଷ୍ଟି ସେ ଆଡ଼କୁ ପଡ଼ିଲା; ଗଦିରେ ପୁରୁଖା ପହରା ବାଲାକୁ ଡାକି କହିଲେ, ‘ଜଙ୍ଗ ବାହାଦୂର; ଏ ସବ୍‌କୋ ନିକାଲ ଦୋ’ ।

 

ସେମାନଙ୍କ ଆଡ଼କୁ ଯାଉ ଯାଉ ଜଙ୍ଗବାହାଦୂର ପାଟିକଲା ‘ଏ, ଭାଗୋ ଭାଗୋ ।’

 

ଅସ୍ଥି ଚର୍ମସାର ପିଲାଗୁଡ଼ିକ ଗଦି ଆଗରୁ ପଳାଇଗଲେ । ମାଡ଼ ଡରରେ ଧାଇଁ ଯାଉ ଯାଉ ଗୋଟିଏ ସାନପିଲା ପଡ଼ିଗଲା । ତା’ ଓଠ ଫାଟି ରକ୍ତ ଦେଖାଦେଲା । ପୁଣି ସେ ଉଠି କାନ୍ଦି କାନ୍ଦି ପଳାଇଲା ।

 

ପନ୍ଦର

 

‘ଏ ଝିଅ, ଖାଉନାହୁଁ କାହିଁ କି ବା !’ ପାଖରେ ବସିଥିବା ବୁଢ଼ୀଟି କହିଲା । ମ୍ୟୁନିସପାଲଟି ଅଫିସ ପାଖରେ ଅନ୍ନଛତ୍ର । ସବୁ ଅନ୍ନଛତ୍ର ପରି ଏଠି ମଧ୍ୟ ହାଡ଼ ଚମର ଭୋକିଲା ମଣିଷଗୁଡ଼ାକ ପତ୍ର ପାଖରେ ଧାଡ଼ି ଧାଡ଼ି ହୋଇ ବସିଛନ୍ତି । ସାରିଆ ତା ପୁଅକୁ ଧରି ଖଣ୍ଡେ ପତ୍ର ପାଖରେ ବସିଛି । ଜାଉ ଦିଆ ସରିଲା–ଦିଆ ସରି ଖାଇବା ମଧ୍ୟ ସରିଲା; କିନ୍ତୁ ସାରିଆ ପତ୍ରରେ ତାହା ସେହିପରି ରହିଥିଲା । ଆଜି ତାର ଖାଇବାକୁ ଇଚ୍ଛା ନାହିଁ । ଖାଇ କି ଲାଭ ତାହା ଯେପରି ସେ ଆଜି ବୁଝିପାରୁ ନାହିଁ । ଅଥଚ ଗତକାଲି ଏତିକିବେଳେ ସେ ଆଉ ଏକ ଛତ୍ରରେ ଏଇପରି ଡଙ୍କାଏ ଜାଉରୁ କିଛି ଖାଇଥିଲା–ସେଥିରୁ କିଛି ତା’ ପିଲାଟି ପାଇଁ ରଖିଥିଲା ।

 

ଛତ୍ରର ସବୁ ଧାଡ଼ି ଉପରେ ତାର ଆଖି ଖୋଜି ବୁଲିଲା । ପୁଣି ହତାଶ ହୋଇ ଫେରି ଆସିଲା । ସାରିଆ ନିର୍ବେଦ ହୋଇ ବସି ରହିଲା । କେତେବେଳେ ଯେ ତା ପତ୍ରରେ ଜାଉ ଦିଆ ହୋଇଛି କେତେବେଳେ ଯେ ତା ପାଖରେ ବସିଥିବା କାଙ୍ଗାଳଗୁଡ଼ିକ ତାକୁ ଚାଟି ଦେଇଛନ୍ତି, ଗିଳି ପକାଇଛନ୍ତି, ସେ ଆଡ଼କୁ ତାର ଦୃଷ୍ଟି ନାହିଁ, ସେ ଆଡ଼କୁ ତାର ଲକ୍ଷ୍ୟ ନାହିଁ । ବାହାର ଦୁନିଆ ସହିତ ଯେପରି ତାର କିଛି ସମ୍ୱନ୍ଧ ନାହିଁ, ସମ୍ୱନ୍ଧ ରଖିବାକୁ ମଧ୍ୟ ତାର ଇଚ୍ଛା ନାହିଁ ।

 

ସେ ଭାବିଲା, ଆଜି ତାର ଖୋଜିବାର ଶେଷ ଦିନ । ପଧାନପଲ୍ଲୀଠାରୁ କଟକର ଏକ ଅନ୍ନଛତ୍ର ପର୍ଯ୍ୟନ୍ତ ଗୋଟାଏ ଆଶା । ଗୋଟାଏ ବିଶ୍ୱାସ ଧରି ସେ ଖୋଜି ଆସିଛି–ଦୀନାକୁ । ଏ ସହରର ପ୍ରତ୍ୟେକ ଅନ୍ନଛତ୍ରକୁ ସେ ଯାଇଛି–ଖାଇବା ପାଇଁ ନୁହେଁ, ତାର ସ୍ୱାମୀକୁ ଖୋଜିବା ପାଇଁ; ଏ ସହରର ଯେତେ ସ୍ଥାନରେ କାଙ୍ଗାଳମାନେ ରହନ୍ତି ବା ଯେଉଁ ସ୍ଥାନକୁ ଖାଦ୍ୟ ଅନ୍ୱେଷଣରେ ଯାଆନ୍ତି ସେ ସବୁ ସ୍ଥାନକୁ ସେ ଯାଇଛି; ଖୋଜିଛି । କ୍ଷୁଧା, ଯନ୍ତ୍ରଣା ଭିତରେ ଦେଢ଼ମାସ ଧରି ସେ ଏକାଗ୍ର ଦୃଷ୍ଟି ରେ ଅନ୍ୱେଷଣ କରି ଆସିଛି ତାକୁ । ଆଜି ଏ ଛତ୍ରର ପତ୍ର ପାଖରେ ବସି ସେ ମନେକଲା ଆଜି ତାର ଖୋଜିବାର ଶେଷ ଦିନ । ଆଉ ସେ ପାରିବ ନାହିଁ । ଆଉ ଦୀନା ସହିତ ତାର ଦେଖା ହୋଇ ପାରିବନାହିଁ । ଭୋକ, ଉପାସ ନିରବଚ୍ଛିନ୍ନ ଯନ୍ତ୍ରଣା ତାର ହାଡ଼ ଚମ ଭିତରେ ବଞ୍ଚି ରହିବା ଯେଉଁ ଶକ୍ତିର ଉତ୍ସଟିକୁ ଶୁଖାଇ ଦେଇପାରି ନ ଥିଲା । ସାରିଆର ମନେ ହେଲା ମୁହୂର୍ତ୍ତକେ ସେ ଶକ୍ତି କୁଆଡ଼େ ଉଭେଇ ଯାଇଛି, ତାର ବଞ୍ଚିବାର କ୍ଷମତା ଶେଷ ହୋଇଛି, ତାର ବଞ୍ଚିବାର ଆଶା ମଧ୍ୟ ସରିଛି ।

 

ଦେଢ଼ମାସ ତଳର କଥା । ସେ ରାତିରେ କୁହୁକାଟ ଅନ୍ଧାର, ସେମାନଙ୍କର ତିନିଦିନ ଖାଡ଼ାଖାଡ଼ା ଉପାସ । ତା ପିଲାଟିକୁ ପାଖରେ ଧରି ସାରିଆ ତାଙ୍କର କୁଡ଼ିଆ ଭିତରେ ପଡ଼ିଗଲା । ତାର ସ୍ୱାମୀ ଦୀନା ବାହାର ପିଣ୍ଡାରେ ଥିଲା । ଭୋକ ଉପାସର ଶାନ୍ତି କ୍ଳାନ୍ତି ଭିତରେ ତାକୁ ଝୋଲାମାରିଲା ପରି ଗୋଟାଏ ତନ୍ଦ୍ରା ଆସିଯାଇ ଥିଲା । ଗୋଟାଏ ବଡ଼ ବିଜୁଳୀ ଚମକି ଉଠିଲା । ସେ ଆଲୁଅରେ ତା କୁଡ଼ିଆ ଭିତରଟା ଭୟଙ୍କର ରୂପେ ଆଲୋକିତ ହୋଇଗଲା । ତା ପରେ ଗୋଟାଏ ବଡ଼ ଘଡ଼ଘଡ଼ିର ଶବ୍ଦ ହେଲା–ସାରିଆର ମନେ ହେଲା, ଯେପରି ତାଙ୍କ ଘର ପାଖରେ ଚଡ଼ଚଡ଼ିଟା ପଡ଼ିଲା । ସେ ଡାକିଲା, ‘ଶୁଣୁଛ; ଶୁଣୁଛ–କେହି ତା କଥା ଶୁଣିଲେ ନାହିଁ । ପିଲାଟି କାନ୍ଦି ଉଠିଲା ।

 

ସାରିଆ ଉଠିଯାଇ ପିଣ୍ଡାକୁ ଚାହିଁଲା, ଆଉ ଗୋଟାଏ ବିଜୁଳି ଆଲୁଅରେ ପିଣ୍ଡଟା ଆଲୋକିତ ହୋଇଗଲା; ସାରିଆ ଦେଖିଲା, କେହି ନାହିଁ । ପିଲାଟିକୁ ପାଖକୁ ଟାଣିଆଣି ସେ ସେଇଠି ବସି ପଡ଼ିଲା ।

 

ସବୁ ରାତି ପାହେ, ସେ ରାତିଟା ପାହିଲା, ସକାଳ ହେଲା । ସାରିଆ ଦୀନାକୁ ଚାହିଁ ଚାହିଁ ବସି ରହିଲା । ଭାବିଲା, ସମସ୍ତେ ତ ତିନିଦିନ ଉପାସ, ପେଟକୁ ଦାନା ଯାଇନାହିଁ; ସେ ବୋଧହୁଏ କେଉଁଠୁ କଅଣ ମାଗିଯାଚି ଆଣିବା ପାଇଁ ଗାଆଁ ବାହାରକୁ ଯାଇଥିବ ।

 

ଦିନ ବଢ଼ିଲା । ପିଲାଟା ସେତେବେଳକୁ ଭୋକରେ ଆଲିଜା ହୋଇ ପଡ଼ିଲାଣି; ଦୀନାର ଦେଖା ନାହିଁ । ସାରିଆ ପିଲାଟିକୁ ଧରି ପଧାନ ଘରକୁ ଗଲା । ସୀମାଦ୍ରି ପଧାନକୁ ସବୁକଥା କହିଲା-

 

ପଧାନେ କହିଲେ, ‘ହଉ, ସେ କୁଆଡ଼େ ଯାଇଥିବ ମାଗିଯାଚି ଆଣିବା ପାଇଁ । ଆମ ଘରେ ତ ଚାଉଳ ନାହିଁ, ଆମେ ଦିନକୁ ଥରେ ପେଜତୋରାଣୀ ପିଇ ଚଳୁଛୁଁ । ଅଧସେର ଖଣ୍ଡେ ଚାଉଳ ନେଇ ଯା । ଫୁଟାଇ ତୁ ମୁହଁରେ ଦେ, ପିଲାଟା ମୁହଁରେ ଦେ ପିଲାଟା ତ ଆଉ ବଞ୍ଚିବ ନାହିଁ-।’

 

ସାରିଆ ସେ ଚାଉଳ ଆଣି ଫୁଟାଇ ପେଜଟିକ ପିଲା ମୁହଁରେ ଦେଲା । ନିଜେ ନ ଖାଇ ଦୀନାର ବାଟ ଚାହିଁ ରହିଲା ।

 

ଦିନ ଗଲା, ରାତି ଆସିଲା । ସାରିଆ ସେ ଭାତରୁ ମୁଠାଏ ମୁହଁରେ ଦେଇ ବାକିତକ ଦୀନା ପାଇଁ ସାଇତି ରଖିଲା ।

 

ଦିନ ଯାଏ, ରାତି ଆସେ; ରାତି ଯାଏ, ଦିନ ଆସେ; କିନ୍ତୁ ଦୀନା ଆସିଲା ନାହିଁ । ତାର କିଛି ଖବର ମିଳିଲା ନାହିଁ । ସାରିଆ ପୁଣି ପଧାନ ଘରକୁ ଗଲା । ପଧାନେ କହିଲେ, ‘ପେଟ ବିକଳରେ ସେ କଟକ ପଳାଇଛି । ବିଚାରା କେତେ ଉପାସ ରହିବ ? ତମେ ଉପାସ ରହିବା ଦେଖି କେତେ ଦିନ ସହିବ ? ତାର ମୁଣ୍ଡ ଖରାପ ହୋଇଗଲା । ସେ କଟକ ପଳାଇଛି ।’

 

ସାରିଆ ଫେରିଲା । ରାତିଟା ସାରା କୁଡ଼ିଆରେ ପଡ଼ିପଡ଼ି ଭାବିଲା, ନା, ତାର ସ୍ୱାମୀ ଭୋକ ବିକଳରେ କଟକ ପଳାଇ ନାହିଁ, ପଳାଇଛି ତାଙ୍କର ବିକଳ ସହି ନ ପାରି । ଘର ଯାଇଥିଲା, ଦ୍ୱାର ଯାଇଥିଲା, ଜମିବାଡ଼ି ସବୁ ଯାଇଥିଲା; ଭୋକ ଉପାସ ନିତିଦିନର ଘଟଣା ହୋଇଥିଲା; କିନ୍ତୁ ସେଥିରେ ସାରିଆର ଚିନ୍ତା ନ ଥିଲା । ଅନେକ ସମୟରେ ନିଜେ ନ ଖାଇ ଖାଇବା ଜିନିଷ–ଏଇ ଶାଗ ସିଝା, ବଣସାରୁ ସିଝା–ଦୀନାପାଇଁ ରଖିଦିଏ । ସେ ବଞ୍ଚିଲେ ଲାଭ କଅଣ ? ତାର ସ୍ୱାମୀ ବଞ୍ଚିବର୍ତ୍ତୀ ରହିଥିଲେ ତାର ସବୁ ଅଛି । ଦୀନା ଭିକ ମାଗୁ, ଦୁଃଖ କରୁ, ଦି’ଦିନରେ ବେଳାଏ ଖାଇବାକୁ ପାଉ; କିନ୍ତୁ ବଞ୍ଚିଥାଉ, ଏଇ କଥାଟାକୁ ସାର କରି ସିନା ସାରିଆ ଆନନ୍ଦରେ ପେଟର ଜ୍ୱଳା ସହି ଯାଉଥିଲା । ଆଜି ସେ କରିବ କଅଣ ? ଯିବ କୁଆଡ଼େ ?

 

ଏକା ହୋଇଥିଲେ ତ ତାର କିଛି ଚିନ୍ତା ନ ଥିଲା । ସେ ଏଇ କୁଡ଼ିଆରେ ପଡ଼ନ୍ତା–ପଡ଼ି ପଡ଼ି ମରନ୍ତା । ଏ ପିଲାଟିକୁ ଧରି କରିବ ସେ କଅଣ ? ମରିବ କିମିତି ? ଏଠି ପଡ଼ି ରହିଲେ ବା ପିଲାଟା ବଞ୍ଚିବ କିମିତି ?

 

ରାତି ପାହିଲା, ସକାଳ ହେଲା । ସାରିଆ ତା ପୁଅଟିକୁ କାଖରେ ଧରି ଗାଆଁ ଛାଡ଼ି କଟକ ଆଡ଼କୁ ଚାଲିଲା ଦୀନକୁ ଖୋଜିବା ପାଇଁ । ତା ଗାଆଁ ଠାରୁ କଟକ କେତେ ବାଟ, ସେ ଯିବ କେମିତି, ଦୀନାକୁ ପାଇବ କେମିତି, ଏ ସବୁ କଥା ତା ମନରେ ଉଠିଲା ନାହିଁ ମୁହୂର୍ତ୍ତକ ପାଇଁ ହାବିଳୀବାଣକୁ ଯେପରି ଗୋଟାଏ ଅଗ୍ନ ଶିଖା ଉପରକୁ ଊର୍ଦ୍ଧ୍ୱଶ୍ୱାସରେ ଠେଲି ନେଇ ଚାଲେ, ଠିକ୍‌ ସେହିପରି ତା ମନ ଭିତରର ଗୋଟାଏ କଥା ତାକୁ କଟକ ଅଭିମୁଖରେ ଠେଲି ନେଇ ଚାଲିଲା ।

 

ପଧାନପଲ୍ଲୀ ଆଉ କଟକ-ପୃଥିବୀର ଉତ୍ତର ମେରୁଠାରୁ ଦକ୍ଷିଣ ମେରୁ ନୁହେଁ; ବଡ଼ଲୋକର ମୋଟର ଗାଡ଼ି ଏକା ଦିନକେ ଚାରି ଥର ଯାଇ ଚାରି ଥର ଆସି ପାରେ; କିନ୍ତୁ ନିଃସ୍ୱ, ବୁଭୁକ୍ଷୁ କାଙ୍ଗାଳ ପକ୍ଷରେ ଏ ବାଟ ବହୁତ ଦୂର; ଏ ବାଟ ମୃତ୍ୟୁ-କଣ୍ଟକିତ; ଏ ବାଟ ଅସରନ୍ତି । ଯାହାର ଏରୋପ୍ଳେନ ଅଛି, ବାୟବୀୟ ଯାନ ଯାହାର ଅଜ୍ଞାବହ, ଦୁଇଶହ ମାଇଲ ତା ପକ୍ଷରେ ଘଣ୍ଟାକର ବାଟ; କିନ୍ତୁ ଭୋକ ଉପାସ ସହି ସହି ଯେଉଁମାନଙ୍କର ଦେହର ସବୁ ଶକ୍ତି ଶେଷ ହୋଇଛି, ଖାଇବାକୁ ନ ପାଇ ଯେଉଁ ମାନେ ମରଣର ସିଂହଦ୍ୱାରରେ ପହଞ୍ଚି ଯାଇଛନ୍ତି, ଦୁଇଶହ ପାଦ ଚାଲିବା ତାଙ୍କ ପକ୍ଷରେ ଦୁଇ ହଜାର ମାଇଲ ଠାରୁ ବେଶି ।

 

ଷୋଳ

 

ସାରିଆ ତା ପିଲାଟିକୁ କାଖରେ ଧରି ଚାଲେ ଆଉ ଦୀନାକୁ ଖୋଜେ । ବାଟରେ କେଉଁଠି କେତେବେଳେ କିଛି ମିଳିଲେ ପୁଅଟି ମୁହଁରେ ଦିଏ, ନିଜ ମୁହଁରେ ଦିଏ–ଚାଲେ । ବାଟରେ ଗାଆଁ ପରେ ଗାଆଁ ପଡ଼େ; ସବୁଗୁଡ଼ାକ ଶ୍ରୀହୀନ ।

 

ବାଟରେ ସାରିଆ ଶୁଣିଥିଲା, ରମ୍ଭାରେ ଗାନ୍ଧୀଙ୍କ ପକ୍ଷରୁ ଗୋଟାଏ ଛତ୍ର ଫିଟିଛି; ସେଥିରେ କାଙ୍ଗାଳମାନଙ୍କୁ ଖାଇବାକୁ ଦିଆ ଯାଉଛି । ସାରିଆ ମନରେ ଗୋଟାଏ ଆଶା ହେଲା, ଦୀନା ସେଇଠି ଥାଇପାରେ !

 

ରମ୍ଭାର ଅନ୍ନଛତ୍ର ନିକଟରେ ହଜାର ହଜାର କାଙ୍ଗାଳ ରୁଣ୍ଡ ହୋଇଥାନ୍ତି । ସେମାନଙ୍କ ଭିତରୁ ଦୀନାକୁ ଖୋଜି ବାହାର କରିବା ଏକା ଦିନର କାମ ନୁହେଁ । ସାରିଆ ଛତ୍ରର ଅନ୍ନରୁ ମୁଠାଏ ପିଲାଟିକୁ ଖୁଆଇ, ନିଜେ ମୁଠାଏ ଖାଇ ସେଇଠି ପଡ଼ିରହିଲା । ଦିନେ ଗଲା, ଦୁଇ ଦିନ ଗଲା । ପଧାନପଲ୍ଲୀର ଜଗୁ ଜେନା, ମୂଷା ଭୋଇ, ଆଦି କେତେ ଲୋକଙ୍କୁ ସେ ସେଠାରେ ଦେଖିଲା । ସେମାନେ ମଧ୍ୟ ହାଡ଼ଚମରେ ରହିଛନ୍ତି । ସେମାନେ ମଧ୍ୟ ଏ ଛତ୍ରକୁ ଆଶ୍ରା କରି ପଡ଼ିଛନ୍ତି । ସାରିଆ ସେମାନଙ୍କୁ ଦୀନାର ଖବର ପଚାରିଲା, ସେମାନେ କେହି ତାକୁ ଦେଖି ନାହାନ୍ତି ବୋଲି କହିଲେ ।

 

ରମ୍ଭା ରେଳଷ୍ଟେସନ ପାଖରେ ଗୋଟାଏ ଗଛ । ତାର କିଛି ଦୂରରେ ରେଳବାଇ ପଏଣ୍ଟସ୍‌ମ୍ୟାନ ନାରାୟଣ ପାତ୍ରର ଖୋଲି ଘର । ସେଇ ଗଛ ତଳେ ସାରିଆ ପଡ଼ିରହିଲା । ତାର ନିଜ ପାଇଁ କିଛି ଚିନ୍ତା ନାହିଁ; ପିଲାଟ ହିଁ ତାର ପ୍ରଧାନ ଜଞ୍ଜାଳ ।

 

ସେଦିନ ସକାଳୁ ସାରିଆ ଗଛମୂଳରେ ଯେ ବସିଛି ଯେ ବେଳ ଆସି ଗଡ଼ିବା ଉପରେ ହେଲାଣି । ଆଗ ଦିନର ଖାଦ୍ୟରୁ ଯେଉଁ ମୁଠାକ ଛିଣ୍ଡା ଲୁଗା କାନିରେ ବାନ୍ଧି ରଖିଥିଲା, ଷ୍ଟେସନ ପାଖରେ ଥିବା ପୋଖରୀରୁ ମୁନ୍ଦାଏ ପାଣି ଆଣି ସେଥିରେ ତାକୁ ଚକଟି ପିଲାଟାକୁ ପିଆଇ ଦେଇଛି-। ଦିନ ଗଡ଼ିଲା; ପିଲାଟି ବାରମ୍ୱାର କାନ୍ଦି ଉଠିଲା; କିନ୍ତୁ ସାରିଆ ସେ ଗଛତଳୁ ଉଠିଲା ନାହିଁ । ନାରଣ ପାତ୍ର ସକାଳେ ଷ୍ଟେସନକୁ ଡିଉଟିରେ ଯିବାବେଳେ ସାରିଆ ଓ ତାର ପୁଅଟିକୁ ଗଛମୂଳେ ଦେଖି ଯାଇଥିଲା । ବାରଟା ବେଳେ ଫେରି ଦେଖିଲା, ସେ ସେଇଠି ବସିଛି । ଏ ମାଆପୁଅ ଦୁହିଁଙ୍କୁ ଦେଖିଲା ବେଳୁ ତା ମନ ଭିତରେ ଅନେକ ଦିନର ଅନେକ କଥା କେଜାଣି କାହିଁକି ଚେଇଁ ଉଠି ଥିଲା । ମାଲଗାଡ଼ି ପାଇଁ ପଏଣ୍ଟ ପକାଉ ପକାଉ ତା ଘର କଥା ମନେ ପଡ଼ିଲା-। ଘର୍‌ ଘର୍‌ ଧଡ଼୍ ଧଡ଼୍‍ ଶବ୍ଦ କରି ତା ସାମନାରେ ଗାଡ଼ି ଷ୍ଟେସନ ଆଡ଼କୁ ଚାଲିଗଲା-। ନାରାୟଣ ପାତ୍ର ବାଁ ହାତ କୁରୁତା କାନିରେ ତା ଆଖି ଦୁଇଟାକୁ ପୋଛିଲା ।

 

ତା ଘର ପାଲୁର । ଗତ ବତାସରେ ଚିଲିକା ମାଡ଼ିଆସି ତା ଘରଦ୍ୱାର ସବୁକୁ ଗିଳିଦେଲା; ସେଇଦିନୁଁ ତାର ସ୍ତ୍ରୀ ଚମ୍ପା, ତା କୋଳରେ ଏମିତି ଛୁଆଟିଏ କାହ୍ନୁଆ ଯେ କୁଆଡ଼େ ଗଲେ ତାର ସେ ପତ୍ତା ପାଉ ନାହିଁ । ନାରାୟଣ ପାତ୍ର ବହୁତ ଖୋଜିଲା, ବହୁତ ଖବର ନେଲା; ଶେଷରେ ଠିକ କଲା ତାର ସ୍ତ୍ରୀ ଓ ପିଲା ଚିଲିକା ଗର୍ଭରେ ଚିରକାଳ ପାଇଁ ବିଲୀନ ହୋଇ ଯାଇଛନ୍ତି-

 

ସକାଳୁ ସାରିଆ ଆଉ ତା ପୁଅଟିକୁ ଦେଖିଲା ବେଳୁ ତା ମନରେ ଚମ୍ପା ଓ କାହ୍ନୁଆ କଥା ବରାବର ଚେଇଁ ରହିଛି ।

 

ବାରଟା ବେଳେ ବସାକୁ ଫେରି ସେ ଚୁଲ୍ଲୀ ଲଗାଇଲା; ନିତି ନିଜ ପାଇଁ ପୋଷେ ଚାଉଳ ପକାଏ, ଆଜି ଦି’ପୋଷ ଚାଉଳ ପକାଇଲା । ସାରିଆ ପାଖକୁ ଯାଇ ସେ ପଚାରିଲା, ‘ଏ ଝିଅ ତୁ ଏଠି ବସିଛୁ କାହିଁକି ? ଛତ୍ରକୁ ଯାଉ ନାହୁଁ ।’

 

ସାରିଆ ତାକୁ କିଛି ଉତ୍ତର ଦେଲା ନାହିଁ; ପିଲାଟିକୁ କୋଳରେ ଧରି ସେମିତି ବସି ରହିଲା ।

 

ନାରାୟଣ ପାତ୍ର ଆଉ କିଛି କହିଲା ନାହିଁ–ଖୋଲିକୁ ଫେରିଗଲା । ଖାଇବା ଆଗରୁ ସେ ଗୋଟାଏ ପତ୍ରରେ କିଛି ଭାତ ଓ ତରକାରୀ ଧରି ଗଛମୂଳେ ପହଞ୍ଚି କହିଲା, ‘ନେ, ଏତକ ଖାଇ ଦେ-।’

 

ସାରିଆ ତାର ସିଲିଭରର ଫଟା ବେଲାଟା ଦେଖାଇଲା; ଭାତ ନେଇ ପିଲାଟାକୁ ଦିଟା ଖୁଆଇ ଦେଲା; ବେଲା ଉପରେ ଖଣ୍ଡେ ଛିଣ୍ଡା କନା ଢଙ୍କାଇ ଗଛ ମୂଳରେ ଗୋଟାଏ କଡ଼କୁ ଥୋଇ ଦେଲା ।

 

ଦିନ ପାଞ୍ଚଟା ବାଜିଲା । ନାରାୟଣ ପାତ୍ର ପୁଣି ଷ୍ଟେସନକୁ ଡିଉଟି କରିବା ପାଇଁ ଆସି ଦେଖେ ସେ ବେଲାରେ କାନି ଘୋଡ଼ା ହୋଇ ଭାତ ଦୁଇଟା ସେମିତି ପଡ଼ିଛି ।

 

ସାରିଆକୁ ପଚାରିଲା, ‘ତୁ ଏଠି ବସିଛୁ କାହିଁ କି ? କୁଆଡ଼େ ଯିବୁ ?

 

ସାରିଆ କହିଲା, ‘କଟକ ଯିବି ।’

 

ନାରାୟଣ ପାତ୍ର ପଚାରିଲା ‘କଟକରେ ତୋର କିଏ ଅଛି ?’

 

ସାରିଆ କହିହିଲା, ‘ଖୋଜୁଛି ।’

 

ଟିକିଏ ରହି କହିଲା ‘କଟକରେ ସେ ଅଛନ୍ତି ।’

 

ନାରାୟଣ ପାତ୍ର ଷ୍ଟେସନ ଭିତରକୁ ଗଲା । ଖାଲି ତାର ମନେ ହେଉଥାଏ, ଏ ସ୍ତ୍ରୀଲୋକଟାର ଏ ଅବସ୍ଥା, ତା ଉପରେ ପିଲାଟାଏ ତଥାପି ଖୋଜୁଛି, ଖୋଜିବା ପାଇଁ କଟକ ଯାଏ ଯିବ । ତାର ସ୍ୱାମୀ ନା ? ସେ କଅଣ ତାକୁ ସ୍ୱର୍ଗକୁ ନେବ ? ହୁଏତ ବାଟରେ ଏ ସ୍ତ୍ରୀଲୋକଟି ମରିବ, ହୁଏତ ଏ ପିଲାଟା ମରିବ; ଅଥଚ ସେମାନେ ରମ୍ଭାରେ ରହି ଗଲେ ହୁଏତ ଛତ୍ର ଆଶ୍ରାରେ କିଛିଦିନ ବଞ୍ଚି ଯାଅନ୍ତେ । କି ଏ ଆକର୍ଷଣ ? ଏହାର କାରଣ କଅଣ ? ନାରାୟଣ ପାତ୍ରର ମନେ ପଡ଼ିଗଲା, ତା ଚମ୍ପାର କଥା । ସେ ଘରେ ଥାଏ; ସେ ମଧ୍ୟ ଘରେ ଥାଇ ତାକୁ ଖୋଜେ । ଆଉ ଯେଉଁଦିନ ବାଆବତାସରେ ଚିଲିକା ମାଡ଼ି ଆସିଥିଲା, ସେତେବେଳେ ବୁଡ଼ି ଯାଉ ଯାଉ କଅଣ ଚମ୍ପା ତାକୁ ଖୋଜି ନ ଥିବ ମନେ ମନେ–ବିକଳ ହୋଇ ? ତା ଛାତି ଭିତରୁ କିମିତି ପୁଳାଏ ପବନ ଉଠି ଆସି ତା କଣ୍ଠକୁ ରୁନ୍ଧି ପକାଇଲା ।

 

ନାରାୟଣ ପାତ୍ର ପଏଣ୍ଟ ପକାଇଲା । ବ୍ରହ୍ମପୁର ଆଡ଼ୁ ପ୍ୟାସେଞ୍ଜର ଆସି ରମ୍ଭା ଷ୍ଟେସନରେ ଛିଡ଼ାହେଲା । ସେ ଗାଡ଼ି ଆଡ଼କୁ ଧାଇଁ ଲା ଊର୍ଦ୍ଧ୍ୱ ଶ୍ୱାସରେ । ଗାଡ଼ିରେ ଗଞ୍ଜା ଷ୍ଟେସନର ଜମାଦାର ସୁକେୟା ଯାଉଥିଲା । ପାତ୍ର ତାକୁ ପଚାରିଲା, ‘ଜମାଦାର କେତେ ବାଟ ଯିବ କି ?’

 

ସୁକେୟା କହିଲା, ‘କଟକ ଯାଏ ଯିବାର ଅଛି ।’

 

ପାତ୍ର ଧାଇଁ ଲା ଷ୍ଟେସନ ବାହାରେ ଥିବା ଗଛ ଆଡ଼କୁ । ଗଛ ପାଖରେ ପହଞ୍ଚି ସାରିଆକୁ ଡାକିଲା, ‘ହେ, ହେ–ତୁ କଟକ ଯିବୁ ପରା ? ଚଞ୍ଚଳ ଆସେ । ଧାଇଁ ଆସେ ।’

 

ସାରିଆ ତା କନାପଟା ଗୋଟେଇ ନାରାୟଣ ପାତ୍ର ପଛେ ପଛେ ଗଲା ।

 

ରେଳ ଡବା ଉପରକୁ ସାରିଆ ଆଉ ତା ପୁଅକୁ ଉଠାଦେଇ ନାରାୟଣ ପାତ୍ର ଜମାଦାରକୁ କହିଲା, ‘ଏ ଦୁଇ କାଙ୍ଗାଳକୁ କଟକ ଯାଏ ସାଙ୍ଗରେ ନେଇଯିବ । ବହୁତ ଧର୍ମ ହେବ ତମର ।’

 

ତା ପର ସାରିଆ ଆଡ଼କୁ ଗୋଟାଏ ଦି’ଅଣି ପକାଇ ଦେଇ କହିଲା, ‘ନେ, ଏତକ ନେ ! ଯେତେବେଳେ କିଛି ନ ମିଳିବ ଏଥିରେ କିଛି କିଣି ତୋ ପିଲାଟିକୁ ଦେବୁ ।’

 

ଷ୍ଟେସନରେ ଘଣ୍ଟା ବାଜିଲା, ଗାଡ଼ି ସିଟି ଦେଲା, ସୁବ୍ବେୟା କିଛି କହିବା ଆଗରୁ ଗାଡ଼ି ଛାଡ଼ି ଦେଲା । ନାରାୟଣ ପାତ୍ର ରେଳଗାଡ଼ିର ସେଇ ଡବା ଆଡ଼କୁ ଚାହିଁ ପ୍ଳାଟଫର୍ମରେ ଛିଡ଼ାହୋଇ ରହିଲା ।

 

ଗୋଟିଏ ଦୀର୍ଘଶ୍ୱାସ ଛାଡ଼ିବା ସଙ୍ଗେ ସଙ୍ଗେ ସେ କହିପକାଇଲା ‘ଚମ୍ପା ।’

 

ଧୀରେ ଧୀରେ ଷ୍ଟେସନ ଘର ଆଡ଼କୁ ସେ ଫେରିଲା ।

 

ସତର

 

କଟକ ରେଳ ଷ୍ଟେସନ । ଚାହା ଷ୍ଟଲରେ ଚାହା ଅଛି; କିନ୍ତୁ କେକ୍‌ ବିସ୍କୁଟ ନାହିଁ–ମଇଦା କୁଆଡ଼େ ଉଭେଇ ଯାଇଛି; କେକ୍‌ବିସ୍କୁଟ ହେବ କାହିଁରେ ? ଚଣାଚୂରବାଲାର ଖୁମଚା କୁଆଡ଼େ ଅଦୃଶ୍ୟ ହୋଇଛି–ଚଣା ବା ବୁଟ ତ ମିଳୁ ନାହିଁ; ଚଣାଚୁର ହେବ କେମିତି ? ମିଠାଇବାଲାର କାଚଖଞ୍ଜା ଠେଲାଗାଡ଼ି ଗୋଟାଏ କଡ଼ରେ ନିଷ୍କର୍ମା ପରି ପଡ଼ିଛି; ତାର ତିନିଟା ଚକର ଗୋଟାଏ କୁଆଡ଼େ ଯାଇଛି । ଅଟା ମିଳୁ ନାହିଁ, ବେଷନ ମିଳୁ ନାହିଁ–ପୁରୀ ମିଠାଇ ହେବ କାହିଁ ରେ ? ସେ ରାତିରେ ବ୍ରହ୍ମପୁର ଆଡ଼ୁ ପ୍ୟାସେଞ୍ଜର ଗାଡ଼ି ପହଞ୍ଚିବା ସଙ୍ଗେ ସଙ୍ଗେ ଦୁଇତିନିଟା ପାନବାଲା ପେଟ ଆଗରେ ଡାଲା ଲଟକାଇ ଡାକ ଛାଡ଼ିଛନ୍ତି–ପାନ, ବିଡ଼ି, ସିଗାରେଟ ।

 

କଟକ ଷ୍ଟେସନକୁ ମଧ୍ୟ ଓଡ଼ିଶା ଦୁର୍ଭିକ୍ଷ ଆକ୍ରମଣ କରିଛି । ଏହାର ପ୍ଳାଟଫର୍ମ ଭିତରେ ଖାକୀ ପୋଷାକ ପିନ୍ଧିଥିବା ମିଲିଟାରୀଙ୍କ ଭିଡ଼–ସେମାନେ ବସିଛନ୍ତି, ବୁଲୁଛନ୍ତି, ପକେଟରୁ ବିସ୍କୁଟ ବା ଆଉ କିଛି ଫଳ ବାହାର କରି ଖାଉଛନ୍ତି, ସିଗାରେଟରୁ ଧୂଆଁ ଛାଡ଼ୁଛନ୍ତି । ଆଉ ଷ୍ଟେସନ ପ୍ଳାଟଫର୍ମ ବାହାରେ ଭିଡ଼–ଦୁର୍ଭିକ୍ଷ ଆକ୍ରାନ୍ତ ନରକଙ୍କାଳ କାଙ୍ଗାଳମାନଙ୍କର । ସେମାନେ ସତୁରିଗଣ୍ଠିଆ ଛିଣ୍ଡାଲୁଗା ଖଣ୍ଡେ ଖଣ୍ଡେ ପିନ୍ଧି ବାହାରେ ଥିବା ଗଛଗୁଡ଼ାକ ମୂଳରେ ପଞ୍ଝାପଞ୍ଝା ହୋଇ ଗଡ଼ି ପଡ଼ିଛନ୍ତି । ଷ୍ଟେସନର ବିଜୁଳି ବତୀର ଛାଇଛାଇକିଆ ଆଲୁଅରେ ଦେଖିଲ ଷ୍ଟେସନର ଏହି ଅଂଶ ଜୀଅନ୍ତା ଶବପର୍ଣ୍ଣ ଗୋଟାଏ ବିରାଟ ଶ୍ମଶାନ ପରି ଦେଖାଯାଉଛି । ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କୁ ୧୯୪୨-୪୩ର ଓଡ଼ିଶା ଦୁର୍ଭିକ୍ଷର ମୂକ ପ୍ରତିନିଧିରୂପେ ଏହି ସହସ୍ର କାଙ୍ଗାଳହିଁ ପ୍ରଥମେ ସ୍ୱାଗତ ସମ୍ଭାଷଣ ଜଣାଉଛନ୍ତି କଟକ ଷ୍ଟେସନ ବାହାରେ ।

 

ଦୁର୍ଭିକ୍ଷ ଆକ୍ରମଣରେ କଟକ ସହର ଗୋଟାଏ ବିଚିତ୍ର ସ୍ଥାନରେ ପରିଣତ ହୋଇଛି । ସହର ବାହାରୁ ଖାଦ୍ୟ ଜିନିଷ ନ ଆସିଲେ ସହରର ଲୋକେ ଭୋକରେ ମରିବେ, ଅଥଚ ସହରକୁ ସେସବୁ ଆସୁ ନାହିଁ । ମୁଦୀ ଦୋକାନ ଖାଲି ପଡ଼ିଛି–ଚାଉଳ ନାହିଁ, ଗହମ ନାହିଁ, ମୁଗ ବିରୀ କିଛି ନାହିଁ । ଗୁଡ଼ିଆ ଦୋକାନ ଖାଲି ପଡ଼ିଛି–ଅଟା ନାହିଁ, ଘିଅ ନାହିଁ, ଚିନି ନାହିଁ । ହୋଟେଲ ଖାଲିପଡ଼ିଛି–ଚାଉଳ ନାହିଁ, ପରିବା ଭରିମୂଲ୍ୟରେ ବିକ୍ରି ହେଉଛି । ଲୁଗା ଦୋକାନରେ ଲୁଗା ନାହିଁ । ତେଜରାତି ଦୋକାନରେ ତେଲ ମଶଲାର ଦୁର୍ଭିକ୍ଷ । ମନୋହରୀ ଦୋକାନରେ ଛୁଞ୍ଚି ସୂତା ମିଳୁ ନାହିଁ । ରାତିରେ ଆଲୁଅ ଜାଳି ମୁନ୍ଦାଏ କାଠଯୋଡ଼ୀ ପାଣି ପିଇବ, ତା’ ମଧ୍ୟ ସହଜ ନୁହେଁ–କିରାସିନୀ ନାହିଁ, ଦିଆସିଲି ନାହିଁ । ସହରର ଗୃହସ୍ଥଙ୍କ ଘରେ ଟଙ୍କାକିଆ ନୋଟ ଯଥେଷ୍ଟ ଅଛି; କିନ୍ତୁ ଚାଉଳ ମିଳୁ ନାହିଁ । ପରିବାରର ଲୋକେ ଦିନେ ଦୁଇଦିନ ଉପବାସ ରହିବାକୁ ବାଧ୍ୟ ହେଉଛନ୍ତି । ଗୃହସ୍ଥ ଟଙ୍କାକିଆ ନୋଟ ଧରି ପରିବା କିଣିବା ପାଇଁ ବଜାରକୁ ଗଲା । ହତାଶ ହୋଇ ଶୂନ୍ୟ ହାତରେ ପୁଣି ଘରକୁ ଫେରି ଆସିଲା–ରେଜା କୁଆଡ଼େ ଲୁପ୍ତ ହୋଇଛି, ପଇସା ଅଧଲା ଶୂନ୍ୟରେ ମିଶି ଯାଇଛି । ଗୃହସ୍ଥର ପିଲାଟି ପଢ଼େ; ବଜାରରେ ବହି ନାହି, କାଗଜ କଲମ ପେନ୍‌ସିଲ କିଛି ନାହିଁ । ଟଙ୍କା ଦେଇ ଦଶ ମୁଣ୍ଡିଆ ମାରିଲେ ମଧ୍ୟ ଏ ସବୁ ଜିନିଷରୁ କିଛି ହେଲେ ମିଳିବାର ସମ୍ଭାବନା ନାହିଁ । ୧୯୪୨-୪୩ର ଦୁର୍ଭିକ୍ଷ ? ଏପରି ସର୍ବବ୍ୟାପୀ ଦୁର୍ଭିକ୍ଷ କେବେ ହୋଇଥିବାର ତ ଇତିହାସରେ ଦେଖାଯାଏ ନାହିଁ । ଏହା ଖାଦ୍ୟର ଦୁର୍ଭିକ୍ଷ, ବସ୍ତ୍ରର ଦୁର୍ଭିକ୍ଷ, କାଗଜକଲମ ଛୁଞ୍ଚିସୂତାର ଦୁର୍ଭିକ୍ଷ–ରେଜା ପଇସାର ଦୁର୍ଭିକ୍ଷ । ଏ ଦୁର୍ଭିକ୍ଷ ଭିତରେ ବାହୁଲ୍ୟ କେବଳ ନରକଙ୍କାଳ, ଖାକୀ ପୋଷାକ ଓ ଟଙ୍କାକିଆ ନୋଟର ।

 

ସାରିଆ ତା ପିଲାଟିକୁ କାଖରେ ଧରି ରେଲଗାଡ଼ିରୁ ଓହ୍ଲାଇ ପ୍ଳାଟଫର୍ମର ଗୋଟାଏ କଡ଼ରେ ଛିଡ଼ା ହୋଇରହିଲା । କଟକ ସହର । କୌଣସି ଦିନ ସେ ତା ଘର ଛାଡ଼ି କୁଆଡ଼କୁ ବାହାରି ନାହିଁ । ସେ ଶୁଣିଛି,କଟକ ଖୁବ୍‌ ବଡ଼ ସହର । ଏଡ଼େ ସହରରେ–ସେ ଯିବ କେଉଁ ଠାକୁ ? ଖୋଜିବ କୁଆଡ଼େ ? ନା, ତାକୁ ଖୋଜିବାକୁହିଁ ହେବ, ଦୀନାକୁ ପାଇବାକୁହିଁ ହେବ । ତା ପର ତା ହାତରେ ଏ ପିଲାଟିକୁ ଛାଡ଼ି ଦେଇ ସେ ନିଶ୍ଚିନ୍ତ ହୋଇ ଆଖି ବୁଜିବ ।

 

ଗହଳି କମିଗଲା । କଟକ ଷ୍ଟେସନରୁ ପ୍ୟାସେଞ୍ଜର ଗାଡ଼ି ସିଟି ମାରି ସର୍ଚ୍ଚ ଲାଇଟ ଜଳାଇ କଲିକତା ଅଭିମୁଖରେ ଯାତ୍ରା କଲା । ସାରିଆ ଧୀରେ ଧୀରେ ଷ୍ଟେସନ ଭିତରୁ ବାହାରିଲା-। ରାଣୀହାଟ ଆଡ଼କୁ ଯେଉଁ ବାଟ ପଡ଼ିଛି ସେଥିରେ ଚାଲିଲା ।

 

ବାଟର ଦୁଇକଡ଼ରେ କାଙ୍ଗାଳଗୁଡ଼ିକ ପଡ଼ିଛନ୍ତି । ସାରିଆର ମନେ ହେଲା, ଏଇଠି ବା ଦୀନା ଥାଇପାରେ । ରାତିଟା; ସେ ଖୋଜିବ କେମିତି ? ବାଟ କଡ଼ରେ ଗୋଟାଏ ବରଗଛ । ତା’ ମୂଳରେ ଦଶବାର ଜଣ କାଙ୍ଗାଳ ଶୋଇଥିଲେ । ସେ ତାର ପିଲାଟିକୁ ଧରି ସେଇ ଗଛମୂଳେ ବସିଲା ।

 

ସକାଳ ହେଲା । ଦିନର ଆଲୁଅ ପଡ଼ିଲା । ସାରିଆ ଏହି କାଙ୍ଗାଳମାନଙ୍କ ଆଡ଼କୁ ଚାହିଁ ଚାହିଁ ଚାଲିଲା ହଜାର ହଜାର କାଙ୍ଗାଳ; ଏମାନଙ୍କ ଭିତରେ ସେ ପାଉଛି କେମିତି ଦୀନାକୁ ?

 

‘ଏ ସାରିଆ, ଏ’–ପଛଆଡ଼ୁ କିଏ ଡାକିଲା । ସାରିଆ ଚାହିଁ ଦେଖେ, ଗୋଟିଏ ବୁଢ଼ୀ । ଦୂରରୁ ତାକୁ ସେ ଚିହ୍ନି ପାରିଲା ନାହିଁ । ପାଖକୁ ଗଲା ।

 

ବୁଢ଼ୀ ତା ଆଡ଼କୁ ଚାହିଁ କହିଲା, ‘ତୁ ସାରିଆ ନା ? ହଁ ହଁ–ମୁଁ ସାବୀ ।’

 

ସାରିଆ ଚିହ୍ନିପାରିଲା, ଏ ତାର ବାପଘର ଗାଆଁ ର ମାଳୀଘର ବୁଢ଼ୀ ସାବୀ । ସାରିଆ ତା ଆଡ଼କୁ ଚାହି ରହିଲା ।

 

ବୁଢ଼ୀ କହିଲା, ‘ତୁ କେବେ ଆସିଲୁ ? ଦୀନବନ୍ଧୁ କାହିଁ ?

 

ସାରିଆ କିଛି କହିପାରିଲା ନାହିଁ, ତା ଆଖିରୁ ଲୁହ ବାହାରିବା ପରି ମନେ ହେଲା; କିନ୍ତୁ ବାହାରିଲା ନାହିଁ । ସେ ଧୀରେ ଧୀରେ କହିଲା, ‘ମୁଁ ତାଙ୍କୁ ଖୋଜିବାକୁ ଆସିଛି !’

 

ବୁଢ଼ୀ କହିଲା, ‘କୁଆଡ଼େ ଚାଲିଯାଇଛି ? ପେଟ ଜ୍ୱାଳାରେ ଯେ ଯେଉଁ ଆଡ଼େ ପଳାଉଛନ୍ତି, ସେ ପଳାଇଲା । ହେଲେ, ତମ ଦୁହିଙ୍କୁ ସାଙ୍ଗରେ ନେଇଥିଲେ ଭଲ ହୋଇଥାନ୍ତା । ହଉ ରହ, ସାଙ୍ଗହୋଇ ସହର ଭିତରକୁ ଯିବା ।’

 

ସାରିଆ ବୁଢ଼ୀର ଆଶ୍ରୟ ପାଇ ସେଇଠାରେ ବସିଲା । ଦିନ ବଢ଼ି ଲା, ବୁଢ଼ୀ ଓ ସାରିଆ ସହର ଭିତରକୁ ଚାଲିଲେ ।

 

ଅଠର

 

ଟେଲିଫୋନ ରିସିଭର ବାଆଁ ହାତରେ ଧରି ‘ଯୁଗବାର୍ତ୍ତା’ର ସମ୍ପାଦକ ଶ୍ରୀଯୁକ୍ତ ନିଳମଣି ମିଶ୍ର କହିଲେ, ‘ହାଲୋ, ଯୁଗବାର୍ତ୍ତା ଅଫିସରୁ କହୁଛି । ଆମ ଫାଟକ ପାଖରେ ଗୋଟାଏ ଲୋକ ଖାଇବାକୁ ନ ପାଇ ପଡ଼ି ମରିଯାଇଛି ।’

 

ସାମନାରେ ପୁଳାଏ ଟାଇପ୍‌ ହୋଇଥିବା ରୟଟର୍‌ ଟେଲିଗ୍ରାମ । ମାଡ଼ାଗାସ୍କାର ଆକ୍ରମଣ, ନର୍ଥ କେପ୍‌ ରେ ଜଳଯୁଦ୍ଧ, ବେଙ୍ଗାଜୀରେ ବୀରତ୍ୱ ପୂର୍ଣ୍ଣ ପଛଘୁଞ୍ଚା, ଲେନିନ୍‌ଗ୍ରେଡ଼ର ଭୀଷଣ ସଂଘର୍ଷ, ସଲୋମନ ଦ୍ୱୀପପୁଞ୍ଜରେ ବୋମାବୃଷ୍ଟି, ଆଟଲାଣ୍ଟିକରେ ବୁଡ଼ାଜାହାଜ ଯୁଦ୍ଧ, ସଭାପତି ରୁଜ୍‌ଭେଲଟ୍‌ଙ୍କର ଓଜସ୍ୱିନୀ ବକ୍ତୃତାର ଓଜପୂର୍ଣ୍ଣ ସାରାଂଶ ଆଦି ନାନା ଗୁରୁତ୍ୱପୂର୍ଣ୍ଣ ସମ୍ୱାଦରେ ଏଗୁଡ଼ିକ ପର୍ଣ୍ଣ । ସଂପାଦକ ବିଚାରର ମସ୍ତିଷ୍କ ଭିତରେ ସାରା ପୃଥିବୀର ମାନଚିତ୍ର ଉପରେ ନାନାରକମର ଅଭିନୟ ବିକଶିତ କରାଇ ଏଗୁଡ଼ିକ ତାକୁ ବ୍ୟତିବ୍ୟସ୍ତ କରି ପକାଇଛି । ସମ୍ୱାଦ ପତ୍ର ସ୍ତମ୍ଭରେ ଏଗୁଡ଼ିକ ଯେ କିପରି ଭାବରେ, କିଏ କେଉଁ ମହିମାରେ, ରୂପ ଗ୍ରହଣ କରିବେ ତାହାର ବିଚାର ସମ୍ପାଦକ ପକ୍ଷରେ ବିରାଟ ବିଡ଼ମ୍ୱନାମୟ ବିକ୍ଷୋଭଯୁକ୍ତ ଭାବନା । ଏଗୁଡ଼ିକ ପ୍ରକାଶ କରିବାରେ ତା ପକ୍ଷରେ ବିଶେଷ କୌଣସି ବାଧା ନାହିଁ; ରାୟଟର୍‌ ସମ୍ୱାଦ; ସେଥିରେ କି ଆପତ୍ତି ଥାଇପାରେ ? କିନ୍ତୁ ଫାଟକ, ପାଖର କଥା; ବିଚାର ସମ୍ପାଦକ ନିଜେ ଅଫିସକୁ ଆସିବା ସମୟରେ ନରକଙ୍କାଳଟାର ଶବ ପଡ଼ିଥିବାର ଦେଖି ଆସିଛି; ଫଟୋଗ୍ରାଫରର ଡକାଇ ତାର ଫଟୋ ନେବା ପାଇଁ ମଧ୍ୟ ବ୍ୟବସ୍ଥା କରିଛି । ସମ୍ୱାଦପତ୍ର ଅଫିସ ସାମନାରେ ଏ ଘଟଣା । ଓଡ଼ିଶା ଦୁର୍ଭିକ୍ଷର ପ୍ରତିନିଧି ରୂପେ ସମ୍ପାଦକଙ୍କୁ ବ୍ୟଙ୍ଗ କରି ଯେପରି ଏ ଲୋକଟି ଏଠାରେ ମରିଛି । ନୀଳମଣି ବାବୁ ମନେକଲେ, ଏ ସମ୍ୱାଦ ପ୍ରକାଶ ନ କଲେ ତାଙ୍କର ମାନସମ୍ମାନ ରହିବ ନାହିଁ ।

 

ମାନସମ୍ମାନ ? କି ମାନସମ୍ମାନ ତାଙ୍କର ଅଛି ? ସରକାର ଘରର ଗୋଟାଏ ବେସରକାରୀ କିରାନୀ ରୂପେ ସରକାରଙ୍କ ହୁକୁମ ତାଲିମ କରିବାହିଁ ଯେତେବେଳେ ସମ୍ୱାଦପତ୍ର ସମ୍ପାଦକର କାମ, ସେତେବେଳେ କି ମାନସମ୍ମାନ ତାଙ୍କର ଥାଇପାରେ ? ଓଡ଼ିଶାରେ ଦୁର୍ଭିକ୍ଷ–ଭୀଷଣ ଦୁର୍ଭିକ୍ଷ । ପ୍ରତିଦିନ ଶହ ଶହ ଲୋକ ମରିବା ସମ୍ୱାଦ ତାଙ୍କ ପାଖରେ ଆସି ପହଁଚୁଛି; ଉତ୍କଟ ଯନ୍ତ୍ରଣାର ଭୟାବହ ବର୍ଣ୍ଣନା ଥାଇ ଅସଂଖ୍ୟ ପତ୍ର ତାଙ୍କ ପାଖକୁ ଆସୁଛି । ସରକାର ହୁକୁମ ଜାରୀ କରିଛନ୍ତି, ଏ ବିଷୟରେ ସରକାରୀ ସ୍ୱୀକୃତି ଛଡ଼ା ଅନ୍ୟ କୌଣସି ସମ୍ୱାଦ କୌଣସି ସମ୍ୱାଦପତ୍ରରେ ଛାପା ହୋଇପାରିବ ନାହିଁ । ଏ ପର୍ଯ୍ୟନ୍ତ ହଜାର ହଜାର ଲୋକ ଦୁର୍ଭିକ୍ଷରେ ମରିଛନ୍ତି; ସେ ସମ୍ୱାଦ ଓଡ଼ିଶାର ସମ୍ପାଦପତ୍ରମାନଙ୍କରେ ସ୍ଥାନ ପାଇ ନାହିଁ । ଅଥଚ ସରକାର କର୍ତ୍ତାମାନେ ପ୍ରଚାର କରି ବୁଲୁଛନ୍ତି ଯେ, ଓଡ଼ିଶା ଧାନଚାଉଳରେ ପୂର୍ଣ୍ଣ ହୋଇ ରହିଛି, ଲୋକେ ସୁଖରେ, ଆନନ୍ଦରେ ଅଛନ୍ତି, ଓଡ଼ିଶାରେ ଏତେ ଧାନ ଚାଉଳ ବଳି ପଡ଼ିଛି ଯେ, ସେଥିରୁ ଲକ୍ଷ ଲକ୍ଷ ମହଣ ବାହାରକୁ ପଠାଯାଇ ପାରିବ । ଏକଆଡ଼େ ଦେଶରେ ଦୁର୍ଭିକ୍ଷର ମହାମାରୀ, ଅନ୍ୟଆଡ଼େ ସରକାରଙ୍କ ବିପରୀତ ଉକ୍ତି; ଏହାଫଳରେ ସମ୍ପାଦକ ବିଚାରାର ଅନ୍ତରାତ୍ମା ଶୁଷ୍କ ହୋଇ ଯାଇଛି; କିନ୍ତୁ ତାର ଚାରା କଅଣ ? ଦେଶର ଲୋକେ ଏସବୁ ସମ୍ୱାଦ ପଢ଼ନ୍ତି, ଆଉ ବିଷ୍ମୟ ବିସ୍ଫାରିତ ନେତ୍ରରେ ଚାରିଆଡ଼କୁ ଚାହାନ୍ତି; ଭାବନ୍ତି, ସରକାର ଆଲ୍ଲାଉଦ୍ଦୀନ ଗଳ୍ପ ସୃଷ୍ଟି କରିବାର ନୂତନ ଦାୟିତ୍ୱ ନିଜ ଉପରକୁ ନେଇଛନ୍ତି । ଭାବନ୍ତି, ମିଛ କହିବାଟା ବୋଧହୁଏ ଏ ଦେଶ ସରକାରର ଏକଚାଟିଆ ଅଧିକାର ।

 

ନୀଳମଣି ବାବୁ ଟେଲିଫୋନରେ ଡାକି ତାଙ୍କ ଅଫିସ ଫାଟକ ଆଗରେ ମରିଥିବା ଲୋକଟିର ଖବର ପ୍ରକାଶିତ କରିବାପାଇଁ ସରକାରଙ୍କ ଅନୁମତି ପ୍ରାର୍ଥନା କଲେ ।

 

ସତକୁ ମିଛ, ମିଛକୁ ସତ କରି ସମ୍ୱାଦପତ୍ରକୁ ଯୋଗାଇବାର ଅଦ୍ୱିତୀୟ କ୍ଷମତା ଯେଉଁ ହାକିମଙ୍କଠାରେ ନିହିତ, ସେ ହୁକୁମ ଦେଲେ ଏପରି ସମ୍ୱାଦ ପ୍ରକାଶ କରିବା ଠିକ୍‌ ହେବ ନାହିଁ ।

 

ନୀଳମଣି ବାବୁ ଆପତ୍ତି କରି କହିଲେ, ଲୋକଟା ଆମରି ଫାଟକ ସାମନାରେ ମରିଛି ।’

 

ଟେଲିଫୋନ ଆର ପାଖରୁ ହାକିମ କହିଲେ, ‘ଠିକ୍‌; କିନ୍ତୁ ସେ ଖାଇବାକୁ ନ ପାଇ ମରିଛି କି ଦୁର୍ବଳତାରୁ ହାର୍ଟଫେଲ୍‌ କରି ମରିଛି, ଆପଣ କହି ପାରିବେ କି ?’

 

ନୀଳମଣି ବାବୁ ଜୋର ଦେଇ କହିଲେ, ‘ମୁଁ ନିଜେ ଦେଖିଛି ଲୋକଟାର ପେଟ ପିଠିରେ ଲାଗି ଯାଇଛି । ଖାଇବାକୁ ନ ପାଇ ମରିଛି ।’

 

ହାକିମ କହିଲେ, ‘ଠିକ୍‌, ତାହା ଆପଣଙ୍କର ମତ; କିନ୍ତୁ ଆପଣ ତ ଡାକ୍ତର ନୁହନ୍ତି । ପୁଣି ପୋଷ୍ଟମର୍ଟମ୍‌ ଦ୍ୱାରା ସେ କାହିଁ ରେ ମରିଛି ତାହା ଠିକ୍‌ ହୋଇନାହିଁ । ମୁଁ ଅନୁମାନ କରୁଛି, ଖାଦ୍ୟାଭାବରୁ ସେ ମରି ନାହିଁ; ରକ୍ତାଭାବରୁ ତାର ହୃଦଯନ୍ତ୍ରର କ୍ରିୟା ବନ୍ଦ ହୋଇ ସେ ମରିଛି ବୋଲି ସରକାରୀ ମତ ହୋଇ ପାରିବା ସମ୍ଭବ । ତେଣୁ ଆପଣ ଏ ସମ୍ୱାଦ ପ୍ରକାଶ ନ କଲେ ଭଲ ହେବ-।’

 

ନୀଳମଣି ବାବୁ ବିରକ୍ତ ହୋଇ ଟେଲିଫୋନ ରିସିଭରକୁ ଥୋଇ ଦେଲେ । ତାଙ୍କରି ଫାଟକ ପାଖରେ ଖାଇବାକୁ ନ ପାଇ ଗୋଟାଏ ଲୋକ ମରିଛି, ସେ ନିଜେ ଆଖିରେ ତାକୁ ଦେଖିଛନ୍ତି, ତଥାପି ତାକୁ ସେ ପ୍ରକାଶିତ କରି ପାରିବେ ନାହି; ଅଥଚ ମାଡ଼ାଗାସ୍କାର, ଲିବିଆର ମରୂଭୂମି, ଭୂମଧ୍ୟ ସାଗରରେ ଥିବା କ୍ଷୁଦ୍ର ଓ ଅନାମଧେୟ ଦ୍ୱୀପ ବିଷୟରେ ବିସ୍ତୃତ ବର୍ଣ୍ଣନା ପ୍ରକାଶ କରିବାକୁ ପଡ଼ିବ । ବିଡ଼ମ୍ୱନାର ବୋଝକୁ ମୁଣ୍ଡରେ ଧରି ସମ୍ୱାଦପତ୍ରର ସମ୍ପାଦକ ହେବାଠାରୁ ଦୁର୍ଭାଗ୍ୟ ବୋଧହୁଏ ଦୁନିଆରେ ନ ଥିବ ବୋଲି ସେ ଭାବିଲେ; ବିରକ୍ତ ହୋଇ ଟେବୁଲ ଉପରେ ଥିବା ରାୟଟାର ଟେଲିଗ୍ରାମଗୁଡ଼ାକୁ ତଳକୁ ଫିଙ୍ଗି ଦେଲେ ।

 

ନୀଳମଣି ବାବୁ ଜାଣନ୍ତି, ସ୍ୱାଧୀନତା–ମତ ପ୍ରକାଶର ସ୍ୱାଧୀନତା, ସମ୍ୱାଦପ୍ରକାଶର ସ୍ୱାଧୀନତା–ବିନା ସମ୍ୱାଦପତ୍ରର ଅସ୍ତିତ୍ୱ ବିରାଟ ପ୍ରହେଳିକାରେ ପରିଣତ ହୋଇଥାଏ; କିନ୍ତୁ ଏହି ସ୍ୱାଧୀନତାକୁ ସମୂଳେ କାଢ଼ି ନେବାପାଇଁ ଯେତେ ପ୍ରକାର ସମ୍ଭବ ଆଇନ ଓ ନିୟମ ଗଢ଼ା ଯାଇଛି । ଫଳ ଏହାହିଁ ହୋଇଛି ଯେ, ଓଡ଼ିଶାରେ ଯେତୋଟି ଖବର କାଗଜ ଅଛି, ତାହା କାର୍ଯ୍ୟତଃ ସରକାରଙ୍କ ପ୍ରଚାରପତ୍ରରେ ପରିଣତ ହୋଇଛି । ନୀଳମଣି ବାବୁ ନିଜେ ଏ ଅବସ୍ଥା ବିରୁଦ୍ଧରେ ମୁଣ୍ଡଟେକି ଉଠିବାପାଇଁ ବରାବର ଚେଷ୍ଟା କରିଛନ୍ତି; କିନ୍ତୁ ସରକାରୀ ବନ୍ଧନ ଏଡ଼େ ଦୃଢ଼ ଯେ, ତା ବିପକ୍ଷରେ ଛିଡ଼ାହେବା ପ୍ରତି କଥାରେ, ପ୍ରତି କାର୍ଯ୍ୟରେ ଅସମ୍ଭବ । ଓଡ଼ିଶାରେ ଏ ଭୀଷଣ ଦୁର୍ଭିକ୍ଷ; ଏ ବିଷୟରେ ଠିକ୍‌ ଖବର ପ୍ରକାଶ ପାଇଲେ ଲୋକେ ଦୁର୍ଭିକ୍ଷର ଉତ୍କଟତା ବିଷୟରେ ସାବଧାନ ହୋଇ ପାରନ୍ତେ, ସରକାର ଦୁର୍ଭିକ୍ଷ ବିଷୟରେ ଜନସାଧାରଣଙ୍କ ମତାମତ ଜାଣି ପାରନ୍ତେ, ଓଡ଼ିଶା ପ୍ରଦେଶ ବାହାରେ ଥିବା ଦୁନିଆରେ ଏ ସବୁ ଖବର ଜଣା ପଡ଼ିଲେ ବାହାରର ଲୋକେ ଦୁର୍ଭିକ୍ଷପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତେ । କିନ୍ତୁ ନା, ତାହା ହେବ ନାହିଁ । ଖାଦ୍ୟବିନା ନିତି ନିତି ଶହ ଶହ ଲୋକ ମରୁଛନ୍ତି । ସେ ସମ୍ୱାଦ ମଧ୍ୟ ପ୍ରକାଶ କରାଯିବ ନାହିଁ । ଫଳରେ ପ୍ରଦେଶର ଲୋକ ସେମାନଙ୍କ ଉପରେ ପଡ଼ିଥିବା ବିପଦ ବିଷୟରେ ଧାରଣା କରି ପାରିଲେ ନାହିଁ; ତାହାର ପ୍ରତିକାର ପାଇଁ ନିଜେ କିଛି ସଂଘବଦ୍ଧ ଉଦ୍ୟମ କରି ପାରିଲେ ନାହିଁ; ପ୍ରଦେଶ ବାହାରେ ଥିବା ଲୋକେ ଓଡ଼ିଶାର ପ୍ରକୃତ ଘଟଣା ଜାଣି ପାରିଲେ ନାହିଁ, ସେମାନଙ୍କ ସାହାଯ୍ୟରୁ ଦୁର୍ଭିକ୍ଷଗ୍ରସ୍ତ ଲୋକେ ବଞ୍ଚିତ ହେଲେ । ତା ଉପରେ ସରକାର ବରାବର ପ୍ରଚାର କରିଦେଲେ–ଆଉ ସେ ସବୁ ପ୍ରଚାରକୁ ସମ୍ୱାଦ ପତ୍ରରେ ପ୍ରକାଶିତ କରିବା ପାଇଁ ସମ୍ପାଦକମାନଙ୍କୁ ବାଧ୍ୟ କଲେ ଯେ, ଓଡ଼ିଶା ପ୍ରଦେଶରେ ଧାନଚାଉଳ ପୂରିରହିଛି । ଲୋକେ ଖାଇପିନ୍ଧି ଆନନ୍ଦରେ ଅଛନ୍ତି, ଅଭାବ ଅନାଟନ ଏ ପ୍ରଦେଶକୁ ଛୁଇଁ ନାହିଁ–ଓଡ଼ିଶା ପ୍ରଦେଶରେ ଏତେ ଧାନ ଚାଉଳ ବଳକା ପଡ଼ିଛି ଯେ, ଲକ୍ଷ ଲକ୍ଷ ମହଣ ଧାନ ବାହାରକୁ ପଠାଇଦେଲେ ମଧ୍ୟ ଓଡ଼ିଶା ଲୋକେ ଭାତ ଖାଇ ଭାତ ପାରି ଶୋଇଲେ ମଧ୍ୟ ବର୍ଷ ଶେଷକୁ ଆହୁରି କେତେ ଲକ୍ଷ ମହଣ ବଳକା ରହିଯିବ । ଫଳ ଏହାହିଁ ହେଲା ଯେ, ଲୋକ ମୁଠାଏମୁଠାଏ ଚାଉଳ ନ ପାଇଁ ପୋକମାଛି ପରି ମଲେ; ଅଥଚ ବାହାରକୁ ପ୍ରତିଦିନ ହଜାର ହଜାର ମହଣ ଚାଉଳ ଚାଲିଲା । ଯେଉଁ ମାନଙ୍କର ଟିକିଏ ବୁଦ୍ଧି ଥିଲା, ଟିକିଏ ବିବେକ ଥିଲା, ଟିକିଏ ମନୁଷ୍ୟତା ଥିଲା, ଏ ବିଷୟରେ ସେମାନେ ଉତ୍ୟକ୍ତ ହୋଇ ଉଠିଲେ; କିନ୍ତୁ କହିବାର ଉପାୟ ନାହିଁ । କହିଲେ ମଧ୍ୟ କେହି ଶୁଣିବ ନାହିଁ । ଅନାହାରରେ ସତ୍ୟ କଥା କୌଣସି କ୍ରମେ ପଦାକୁ ଫିଟି ପଡ଼ିଲେ ସରକାରୀ ଗାଲୁ ଭୁରୁଡ଼ଦ୍ୱାରା ତାକୁ ଦବାଇଦେବାର ଧାରାବାହିକ ଉଦ୍ୟମ ଚଳାଇଲେ । ଏ ସବୁ ମିଶି ଓଡ଼ିଶାରେ ଗୋଟାଏ ରାକ୍ଷସୀଲୀଳାର ମାରାତ୍ମକ ଅଭିନୟ ଚାଲିଲା ।

 

ନୀଳମଣି ବାବୁ ଟେବୁଲ ଉପରେ କହୁଣି ଭରାଦେଇ ଏସବୁ କଥା ଭାବି ଭାବି ବିରକ୍ତ ହୋଇ ପଡ଼ିଲେ । ବାହାରୁ ଚପରାସୀ ଆସି କହିଲା, ‘ଶରତ୍‌ବାବୁ ଆସିଛନ୍ତି ।’

 

କାହାରି ସହିତ କଥା କହିବା ଅବସ୍ଥାରେ ନୀଳମଣି ବାବୁଙ୍କ ମନ ନ ଥିଲା; ଆଉ କୌଣସି ଲୋକ ହୋଇଥିଲେ ଦେଖାହୋଇ ପାରିବନାହିଁ ବୋଲି ସେ ମନାକରି ଦେଇ ଥାନ୍ତେ; କିନ୍ତୁ ଶରତ୍‌କୁ ନୀଳମଣି ବାବୁ ସମ୍ମାନ ଦୃଷ୍ଟିରେ ଦେଖନ୍ତି । ତାଙ୍କ ସହୃଦୟତାସ୍ୱାଥହୀନତା ଯୋଗୁଁ ଚପରାସୀକୁ କହିଲେ, ‘ଡାକି ଦେ ।’

 

ଶରତ୍‌ ଅଫିସ ଭିତରକୁ ପଶି ଖଣ୍ଡେ ଚୌକିରେ ବସିପଡ଼ି କହିଲା, ବାଙ୍କା ବଜାର ଗଳିରେ ଗୋଟାଏ ଲୋକ କାଲି ରାତିରେ ଖାଇବାକୁ ନ ପାଇ ମରିଯାଇଛି । ଆଜି ସକାଳେ ମ୍ୟୁନିସପାଲିଟ ହାଡ଼ିଗାଡ଼ି ତାକୁ ଉଠାଇ ନେଇଗଲା । ଲୋକଟାର ଫଟୋ ନିଆଯାଇଛି । କଟକ ସହର ଗଳି କନ୍ଦିରେ ଲୋକ ମରିବା ଆରମ୍ଭ ହେଲା । ଉପାୟ କଅଣ ? ଏ ଖବର ଟିକିଏ କାଗଜରେ ପ୍ରକାଶ କରି ଦିଅନ୍ତୁ, ସରକାରଙ୍କ ଆସନ ଏବେ ମଧ୍ୟ ଟଳୁ ।

 

ନୀଳମଣି ବାବୁ ହସି ପକାଇ କହିଲେ, ‘ଆମରି ଫାଟକ ସାମନାରେ ସେହିପରି ଜଣେ ଲୋକ ମରି ପଡ଼ିଥିଲା । ସେ ଖବର ଛପାଇବା ପାଇଁ ସରକାରୀ ହାକିମଙ୍କ ଅନୁମତି ଲୋଡ଼ିଥିଲି । କଅଣ କହିଲେ ସେ ଜାଣନ୍ତି, ଶରତ ବାବୁ ? କହିଲେ, ଲୋକଟା ଖାଇବାକୁ ନ ପାଇ ମରିଛି କି ତାର ହୃଦଯନ୍ତ୍ରର କ୍ରୀୟା ବନ୍ଦହୋଇ ଯିବାରୁ ସେ ମରିଛି ଏ କଥା ନିଧାର୍ଯ୍ୟ ଭାବରେ କହି ହେବନାହିଁ-। ଅର୍ଥାତ୍‌ ଲୋକଟାକୁ ପରପାରକୁ ଡାକିଆଣି ତା ଠାରୁ ସଠିକ ଖବରଟା ବୁଝି ତା ପରେ ହାକିମ ପ୍ରବରଙ୍କ ଗୋଚରକୁ ସେ ତଥ୍ୟ ଆଣି ତା ଉପରେ ତାଙ୍କ ହୁକୁମ ଗ୍ରହଣ କରି ପାରିଲେ ବା ସେ କଥା ପ୍ରକାଶିତ କରାଯାଇ ପାରିବ । ପ୍ରଶ୍ନ ହେଉଛି, ବର୍ତ୍ତମାନ ଏହି ମୁହୂର୍ତ୍ତରେ ପରପାରକୁ ଯାଇ ଫେରିବାର ଶକ୍ତି ସରକାରୀ କର୍ତ୍ତାମାନଙ୍କର ବା ଥାଇପାରେ; କିନ୍ତୁ ମୋର ତ ନାହିଁ । ତା ପରେ ସରକାରୀ କର୍ତ୍ତାମାନଙ୍କ ସଦୟ ଅନୁଗ୍ରହ ଫଳରେ ପ୍ରତି ଦିନର ପ୍ରତି ମୁହୂର୍ତ୍ତରେ ଏତେ ବେଶି ସଂଖ୍ୟାରେ ଏ ଦେଶ ଲୋକଙ୍କ ଆତ୍ମା ପରପାରକୁ ଯାଉଛି ଯେ; ସେଠାରେ ଭୀଷଣ ଗହଳି ଲାଗିଥିବ ବୋଲି ଅନୁମାନ କରିବା କଷ୍ଟକର ହେବ ନାହିଁ । ସେ ଗହଳି ଭିତରେ ଆଜି ସକାଳେ ଆମ ଫାଟକ ଆଗରେ ମରି ପଡ଼ିଥିବା ଲୋକଟିର ଆତ୍ମାକୁ ଖୋଜି ପାଇବା କଷ୍ଟକର । ତେଣୁ ଯେଉଁ ଲୋକଟି ବାଙ୍କା ବଜାରରେ ମରି ପଡ଼ିଥିବା କଥା ପ୍ରକାଶ କରିବା ପାଇଁ ଆପଣ କହୁଛନ୍ତି, ହାକିମଙ୍କ ହୁକୁମ ଅନୁସାରେ ଆପଣ ପ୍ରଥମେ ଠିକ କରନ୍ତୁ ଯେ, ସେ ଲୋକଟି ପେଟ ମରାରେ ମରିଛି କି ଖାଇବାକୁ ନ ପାଇ ମରିଛି ?

 

ଶରତ ସ୍ତମ୍ଭୀଭୂତ ହୋଇ ବସି ରହିଲା ।

 

ନୀଳମଣି ବାବୁ କହିଲେ, ‘କାଠ ପାଲଟି ଗଲେ କି ଶରତ ବାବୁ ? ଏ ଓଡ଼ିଶା ପ୍ରଦେଶ, ଏଠିକା ସରକାର ଓଡ଼ଶୀ ସରକାର, ଓଡ଼ଶୀ ରାଗିଣୀ ପରି ଏ ସରକାରଙ୍କ ଗତି ବିଚିତ୍ର’ ।

 

ଟେଲିଫୋନ ବାଜି ଉଠିଲା । ନୀଳମଣିବାବୁ ରିସିଭରଟିକୁ କାନରେ ଦେଇ କହିଲେ ‘ହଁ, ରାଣୀହାଟ ଛକରେ ମରି ପଡ଼ିଛି ହଁ, ବୁଝିଲି, ସରକାରୀ ହୁକୁମ, ପ୍ରକାଶିତ କରାଯାଇ ପାରିବନାହିଁ । ହଉ, ନମସ୍କାର; ଶରତ ଆଡ଼କୁ ଫେରି କହିଲେ, ‘ରାଣୀହାଟ ଛକ ପାଖରେ ଆଉ ଗୋଟାଏ କାଙ୍ଗାଳ ମରିଛି । ତାର ବୋଧହୁଏ ମୁଣ୍ଡବ୍ୟଥା ହୋଇଥିଲା ।’

 

ଶରତର ମୁଖମଣ୍ଡଳ ସେତେବେଳେ ଆଷାଢ଼ ଆକାଶ ପରି ଗମ୍ଭୀରହୋଇ ଯାଇଥିଲା । ସେ କହିଲା, ‘ନୀଳମଣି ବାବୁ, ଏଡ଼େ ବିରାଟ ସରକାରୀ ବିଭତ୍ସତଟାକୁ ଆପଣ ହସି ଉଡ଼ାଇ ଦେବାକୁ ଚାହୁଁ ଛନ୍ତି; କିନ୍ତୁ ଏ କଥା ଶୁଣି ଆମମାନଙ୍କର ଛାତି ଭିତରଟା ରାଗରେ ଜଳିଯାଉଛି । ଗୁଡ଼ାଏ ଅଯୋଗ୍ୟ ନରରାକ୍ଷସ

 

ପୁଣି ଟେଲିଫୋନ୍‌ ବାଜିଉଠିଲା । ନୀଳମଣି ବାବୁ ରିସିଭର ଧରି କହିଲେ ‘ଓଃ ଦାସ...ନମସ୍କାର...ସଞ୍ଜବେଳେ ଚର୍ଚ୍ଚିଲଙ୍କ ବକ୍ତୃତା, ଆସିବ ?...ହଉ, ନମସ୍କାର ।’

 

ତାପରେ ଶରତ୍‌ ଆଡ଼କୁ ଫେରି କହିଲେ ‘ଆପଣ ବିଶାଳ ବ୍ରିଟିଶ ସାମ୍ରାଜ୍ୟର ବାସିନ୍ଦା ଚର୍ଚ୍ଚିଲଙ୍କ ପରି ମହାପୁରୁଷଙ୍କ ବକ୍ତୃତା ଆଜି ରାତିରେ ପଢ଼ିବେ; ପ୍ରସ୍ତୁତ ହୁଅନ୍ତୁ । ଭୁଲିଯାଆନ୍ତୁ ଓଡ଼ିଶାର ଦୁର୍ଭିକ୍ଷ; ଭୁଲିଯାଆନ୍ତୁ ବାଙ୍କାବଜାରର ଅନାହାରରେ ମରିଥିବା ଲୋକଟିକୁ । ଭୁଲିଯାଆନ୍ତୁ, ଭୋକ ଶୋଷ, ଅଭାବ ଅନଟନ । ଚର୍ଚ୍ଚିଲଙ୍କ ବକ୍ତୃତା ଆଜି ପଢ଼ିବେ । ଆଉ କାହିଁ ର ଦୁଃଖ, କାହିଁ ର ଯନ୍ତ୍ରଣା ?

 

ଶରତ ଧୀରେ ଧୀରେ ଚଉକିରୁ ଉଠି ବାହାରିଗଲା ।

 

ଉଣେଇଶ

 

ଲିଲିର ବଡ଼ଭାଇ ବୀରେଶ୍ୱର ଡେପ୍ୟୁଟି ମାଜିଷ୍ଟ୍ରେଟ । ଗଞ୍ଜାମ ଜିଲ୍ଲାର ସଦର କଚେରୀକୁ ସେ ଦୁଇବର୍ଷ ହେଲା ବଦଳିହୋଇ ଯାଇଛନ୍ତି । ଏକା ଦେଶରେ ବର୍ଷେକାଳ ସରକାରୀ ଘଣା ଠେଲି ସେ ମାସକ ଛୁଟୀରେ ଆସିଛନ୍ତି ।

 

ଶରତ୍‌ ବୀରେଶ୍ୱରଙ୍କ ଅନ୍ତରଙ୍ଗ ବନ୍ଧୁ । ସ୍କୁଲର ଖେଳ ପଡ଼ିଆ ଠାରୁ କଲେଜ ଜୀବନର ତର୍କ ସଭା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏ ଦୁହେଁ ଏକତ୍ର ୬।୮ ବର୍ଷ କଟାଇଥିଲେ । ଉଭୟଙ୍କ ମନ ଭିତରେ ଉଭୟଙ୍କ ପ୍ରତି ଉଭୟେ ଗୋଟାଏ ଲେଖା ବିଶିଷ୍ଟ ସ୍ଥାନ ତିଆରି କରି ନେଇଥିଲେ । ଏମାନଙ୍କ ବନ୍ଧୁତା, ମଉଜ ମଜଲିସ, ଆରାମ ବିଳାସର ଭିତ୍ତି ଉପରେ ପ୍ରତିଷ୍ଠିତ ନ ଥିଲା; ଥିଲା ଉଚ୍ଚତର ପ୍ରବୃତ୍ତି ଉପରେ । କେ ଜାଣେ କାହିଁ କି ଦେଶଟା ସେମାନଙ୍କ ପକ୍ଷରେ ଗୋଟାଏ ସାକ୍ଷାତ ସତ୍ୟ, ଜୀବନ୍ତ ଜାଗ୍ରତ ଦେବୀରୂପେ ଦେଖା ଦେଇଥିଲା ସ୍କୁଲରେ ପାଠପଢ଼ିବା ସମୟରୁ । ଏହି ଦେଶଟା ଉପରେ ଦୃଷ୍ଟ ରଖି ସେମାନେ ନିଜର ଜୀବନ ଗଢ଼ିଥିଲେ । ଦିନେ ଏ ଦେଶର ଉପଯୁକ୍ତ ସେବକ ହେବାର ଆଦର୍ଶ ସେମାନଙ୍କ ଜୀବନକୁ ମୂଳରୁ ପ୍ରଭାବିତ କରିଥିଲା ।

 

ପଢ଼ାପଢ଼ି ପରେ ଯେତେବେଳେ ଦୁହେଁ କର୍ମ ଜୀବନ ଭିତରକୁ ପଶିଲେ, ସେତେବେଳେ ଦୁହିଙ୍କ ପଥ ଅଲଗା ହୋଇଗଲା; କିନ୍ତୁ ମତ ଭିନ୍ନ ହେଲାନାହିଁ । ବୀରେଶ୍ୱର ବାବୁଙ୍କ ପିତାଥିଲେ ବଡ଼ ହାକିମ । ସେ ପୁଅକୁ ଡେପ୍ୟୁଟି ମାଜିଷ୍ଟ୍ରେଟ କାମରେ ନିଯୁକ୍ତ କରିବା ଉଦ୍‌ଯୋଗ କଲେ । ଏହାନେଇ ଦୁଇବନ୍ଧୁଙ୍କ ମଧ୍ୟରେ ତୁମୁଳ ଆଲୋଚନା ଲାଗିଗଲା । ରାତି ପରେ ରାତି ତର୍କ ଯୁକ୍ତି ଚାଲିଲା । ଶେଷରେ ଦୁହେଁ ଏକମତ ହେଲେ ଯେ, ଡେପ୍ୟୁଟି ଚାକିରୀ ହେଉ ମେଜେଷ୍ଟରୀ ଚାକିରୀ ହେଉ, ଯେ କୌଣସି ସରକାରୀ ଚାକିରୀ ଅର୍ଥ ସମ୍ପୂର୍ଣ୍ଣ ଗୋଲାମୀ । ଅଖଣ୍ଡ ଦାସତ୍ୱ, ଏଥିରେ ବୁଦ୍ଧି ର ସ୍ଥାନ ଅଳ୍ପ, ବିବେକର ସ୍ଥାନ ନାହିଁ; ମନୁଷ୍ୟତାର ସମାଧି ଉପରେ ଏହା ପ୍ରତିଷ୍ଠିତ; କିନ୍ତୁ ସେମାନେ ସ୍ଥିର କରି ନେଲେ, ପରିସ୍ଥିତିରେ ଆଉ ସେ ଦେଶକୁ ସମ୍ମୁଖରେ ରଖି କାମ କରିବ, ଦେଶର ସ୍ୱାର୍ଥକୁ ନିଜ ସ୍ଵାର୍ଥ ଉପରେ ସ୍ଥାନ ଦେବ ।

 

ବୀରେଶ୍ୱର ଯେଉଁ ଦିନ ଡେପୁଟି କାମରେ ନିଯୁକ୍ତ ହେଲା; ସେ ଦିନ ସେ ଶରତକୁ କହିଥିଲା, ‘ଦେଖ ଶରତ୍‌; ଦାସତ୍ୱ ଯେତେବେଳେ କରିବାକୁ ହିଁ ହେବ ସେତେବେଳେ ନିଜକୁ କ୍ରୀତଦାସ ବୋଲି ମାନି ନ ନେବା, କ୍ରୀତଦାସ ବୋଲି ଅସ୍ୱୀକାର କରିବା, ନିଜକୁ କ୍ରୀତଦାସ ଅପେକ୍ଷା ବଡ଼ ମନେ କରିବା ଭଳି କାପୁରୁଷତା ମୋର ନାହିଁ; କିନ୍ତୁ ତୁ ଏ କଥା ଜାଣିରଖ । ହାତ ଗୋଡ଼ରେ କଡ଼ି ବେଢ଼ୀ ଲାଗିଥିଲେ ମଧ୍ୟ ଯେଉଁ କଇଦୀ ମୁକ୍ତିର ସ୍ୱପ୍ନ ଦେଖେ, ମୁକ୍ତି ପାଇ ଚେଷ୍ଟା କରେ, ତାର ସେହି ସ୍ୱପ୍ନ ଯେ ସତ୍ୟ ନୁହେଁ, ତାର ସେ ଚେଷ୍ଟା ଯେ ମୂଲ୍ୟହୀନ, ଏପରି ମନେକରିବା ଠିକ୍‌ ହେବ ନାହିଁ । ବନ୍ଧନର ଆଘାତ ଯାହାକୁ ଯେତେ ବେଶି ଉତ୍‌ପୀଡ଼ିତ କରେ, ମୁକ୍ତିର ଆଶା ତାର ସେତେ ବେଶି ଆନ୍ତରିକ । ମୁକ୍ତିର ଚେଷ୍ଟା ତା ପକ୍ଷରେ ସେତେ ବେଶି ତୀବ୍ର । ଗୋଲାମୀକୁ ଯେଉଁ ମାନେ ସମ୍ମାନଜନକ ବୋଲି ମନେ କରନ୍ତି, ତୋର ବନ୍ଧୁ ହିସାବରେ ସେତେ ହୀନ ମୁଁ ହୋଇପାରିବି ନାହିଁ । ମୁଁ କ୍ରୀତଦାସର ଶୃଙ୍ଖଳ ସ୍ୱୀକାର କରିଛି ସତ; କିନ୍ତୁ ସ୍ୱାଧୀନ ଭାରତର ଦୀନତମ ସେବକ ହେବାର ଆଶା ହିଁ ମୋର ଜୀବନକୁ ପରିଚାଳିତ କରିବ ।

 

ତା ପରେ ଅନେକ ଦିନ ଗଡ଼ି ଯାଇଛି; କିନ୍ତୁ ଶରତ ଜାଣେ ବୀରେଶ୍ୱର କୌଣସି ଦିନ ତାର ଏ ଉଦ୍ଦେଶ୍ୟରୁ ବିଚଳିତ ହୋଇନାହିଁ ।

 

ଲିଲି ଘରେ ଗୋଟାଏ ଟେବୁଲର ତିନିଆଡ଼େ ବସିଛନ୍ତି ବୀରେଶ୍ୱର, ଶରତ୍‌ ଓ ଲିଲି । କଥାବାର୍ତ୍ତା ଚାଲିଛି ।

 

ବୀରେଶ୍ୱର କହିଲା ‘ଦେଖ ଶରତ୍‌ ଏଇଟା ତୋର ଭାରି ଅନ୍ୟାୟ !’

 

ଶରତ୍‌ ହସି ହସି କହିଲା ‘ନ୍ୟାୟ ବୋଲି ମୁଁ କହୁନାହିଁ । କିନ୍ତୁ ସମୟ ତ ମିଳୁ ନାହିଁ, କରେ କଅଣ ଏଇ ଧର, ମୁଠାଏ ଖାଇବାକୁ ହେବ ତ, ତା ପାଇଁ ରୋଷେଇ ବ୍ୟାପାର; ଖଣ୍ଡେ ପିନ୍ଧିବାକୁ ହେବ ତ, ତା ପାଇଁ ଏଇ ଲୁଗା ଧୋଇବା ବ୍ୟାପାର, ଘରେ ରହିବାକୁ ହେବ ତ, ତାପାଇଁ ଘର ସଫା ରଖିବା କର୍ତ୍ତବ୍ୟ । ଏଗୁଡ଼ାକ ସାରିଲେ ପୁଣି ଖାଇବା, ପିନ୍ଧିବା, ରହିବାର ସଂସ୍ଥାନ ନିମିତ୍ତ କାମ କରିବା ଦରକାର । ଏ ତ ଗଲା ଗୋଟାଏ ଆଡ଼ । ଆଉ ଗୋଟାଏ ଆଡ଼ର କ୍ଷେତ୍ରଟା ଏତେ ବ୍ୟାପକ ଯେ ବାକୀ ଯେଉଁ ତକ ସମୟ ମିଳିଲା ସେତକ ତାକୁ ନଅଣ୍ଟ । ଏ ଅବସ୍ଥାରେ କହତ ସମୟ ରହିଲା କେଉଁଠି ଯେ ତୋ ଚାକିରୀ ସ୍ଥାନକୁ ଯାଇ ଡିପୋଟି ବାବୁଙ୍କ ଅତିଥି ହୋଇ ମଉଜ ମଜଲିସରେ ଦିନ କଟାଇ ଆସିବି ।

 

ଲିଲି କହିଲା ‘ଆପଣ ନିଜେ ରୋଷେଇ କରନ୍ତି ? ନିଜେ ଲୁଗା ଧୁଅନ୍ତି ? ନିଜେ ଘର ଝାଡ଼ନ୍ତି ?

 

ଶରତ୍‌ ହସି ହସି କହିଲା, ତା ଛଡ଼ା ଉପାୟ ? ମୁଁ ତ ଆଉ ତୋ ଭାଇ ପରି ନୁହେଁ ଯେ; ଚାକର ପୂଜାରୀ ରଖି ଚଳି ପାରିବି ?

 

ବୀରେଶ୍ୱର କହିଲା, ତୋ ପାଖରେ ଗୋଟାଏ ପିଲା ଥିଲା, ସେ କଅଣ କରୁଛି ?’

 

ଶରତ୍‌ ହସି ହସି କହିଲା ‘ଜାଣିଛୁ ତ ତାର ମାଆ ବାପ କେହି ନାହିଁ । ଫେର ଏ ଦୁନିଆରେ ତ ତା ପାଇଁ ଗୋଟାଏ ମାଆ ବାପ ଦରକାର ? ସେ ପାଠ ପଢ଼ଛି, ସ୍କୁଲରେ ନାମ ଲେଖାଇଛି । ତୋ ଭଳି ବାବୁ ହେବାକୁ ଚାଲିଛି । ସେ ପାଠ ପଢ଼ିବ ନା ମୋ ଘର ସମ୍ଭାଳିବ ?

 

ବୀରେଶ୍ୱର ହସି ପକାଇଲା ।

 

ଲିଲି କହିଲା, ‘ଆପଣଙ୍କ ଚାକର ଟୋକାଟା ପାଠପଢ଼ୁଛି ?

 

‘ହଁ ପଢ଼ୁଛି, ଖୁବ୍‌ ଭଲ ପଢ଼ୁଛି; କିନ୍ତୁ ତୁ ଭୁଲକରି ଭାବ ନାହିଁ ଲିଲି ଯେ, ସେ ମୋର ଚାକର ଟୋକା । ସେ ମୋର ସାନ ଭାଇ, ସେ ମୋର ପୁଅ । ଅନାଥ ପିଲାଟିକୁ ବାଟ କଡ଼ରୁ ସାଉଣ୍ଟି ନେଇଥିଲି ବୋଲି ତାକୁ ଚାକର କରି ରଖିବି, ଏଡ଼େ ବିଭତ୍ସ ରାକ୍ଷସ ହୋଇ ପାରିବିନାହିଁ ।

 

ଲିଲି ଏ ଲୋକଟାର କଥା ଶୁଣି ଅବାକ ହୋଇଗଲା । ଲିଲି ଜାଣେ ସେ ତା ବଡ଼ ଭାଇଙ୍କର ଘନିଷ୍ଠ ବନ୍ଧୁ । ସେ ତାଙ୍କୁ ଅନେକ ଥର ଦୂରରୁ ଦେଖିଛି; କିନ୍ତୁ ଏ ଲୋକଟାର ବେଶ ପୋଷାକ, ଚାଲିଚଳଣ ଏପରି ଖାପଛଡ଼ା ଯେ ଲିଲି କୌଣସି ଦିନ ତା ସହିତ ବ୍ୟକ୍ତିଗତ ପରିଚୟ କାମନା କରିନାହିଁ । ଏହାର ଆଉ ଗୋଟାଏ କାରଣ ମଧ୍ୟ ଥିଲା । ଶରତ୍‌ ବଡ଼ ଲୋକ ନୁହେଁ । ଅନ୍ତତଃ ତାର ବଡ଼ଲୋକୀ ଢଙ୍ଗ କେବେ ଦେଖାପଡ଼ି ନାହିଁ । ଲିଲିର ସାଙ୍ଗ ସାଥୀ ସମସ୍ତେ ବଡ଼ଲୋକ । ତାର ବାପ ପେନ୍‌ସନ୍‌ ପ୍ରାପ୍ତ ବଡ଼ ହାକିମ । ଭାଇ ଡେପୁଟି ମାଜିଷ୍ଟ୍ରେଟ । ଏ ଅବସ୍ଥାରେ ସେ ଶରତ ପରି ଗୋଟାଏ ଖାପଛଡ଼ା ଅଚିହ୍ନା ଲୋକ ସହିତ ମିଶିବ କିପରି ? ମିଶିଲେ ତାର କଲେଜ ସାଙ୍ଗମାନେ ତାକୁ କହିବେ କଅଣ ?

 

ବୀରେଶ୍ୱର କହିଲା, ନା ତୋର ଶରତ ଭାଇ ବିଭତ୍ସ ରାକ୍ଷସ ନୁହେଁ, ନିରୂପମ ଦେବତା-। ସେବାଗ୍ରାମର ଗୋଟାଏ ଶାରଦୀୟ ସଂସ୍କରଣ ରୂପେ ତା ଘରଟାକୁ ସେ ତିଆରି କରିବାକୁ ଯାଇ ଗାନ୍ଧୀ ବୁଢ଼ାଟାକୁ ଖତେଇ ହୋଇଛି କି ନା, ସେଥିପାଇଁ ସେ ଗୋଟାଏ ଅତିମାନବ, ଗୋଟାଏ ଅଜ୍ଞାତ ଅପରିଚିତ ମହାପୁରୁଷ । ଆହା, ଏ ମହାତ୍ମା ବିଚାରା ବଣର ମାଳତୀ ପରି ବା ସହରର ଗଇସ ଫୁଲ ପରି ନିଜ ଛାଏଁ ନିଜେ ଫୁଟି ମଉଳି ଯାଉଛି ଲିଲି । ତା ମହିମା କେହି ବୁଝୁ ନ ହ ନ୍ତି ।

 

ଶରତ୍‌ ଗମ୍ଭୀର ଭାବରେ କହିଲା ‘ଦେଖ ବୀର; ବୁଢ଼ାଟାକୁ ଆମ କଥା ଭିତରକୁ ଟାଣିଆଣ ନାହିଁ । ବିଚାରାକୁ ଆଗାଖାଁ ପ୍ରାସାଦ ଭିତରେ ଜୀବନ୍ତ ସମାଧି ଦିଆଯାଇଛି । ତା କଥା ମନେ ପଡ଼ିଲେ ଦେଶର ଏ ଦୁର୍ଦ୍ଦିନ କଥା ମନେ ପଡ଼ିଯାଏ । ଆଉ ସବୁ ହସ, ସବୁ ଆନନ୍ଦ ଶୁଖିଯାଏ । ଖାଲି ମନେ ହୁଏ, ବୁଢ଼ାଟା ଯଦି ବାହାରେ ଥାଆନ୍ତା ତେବେ ଖାଇବାକୁ ନ ପାଇ ଲୋକେ ହୁଏ ତ ମରନ୍ତେ; କିନ୍ତୁ ହତାଶ ହୁଅନ୍ତେ ନାହିଁ । ବୁଢ଼ାଟା ଏ ଦେଶର ଆତ୍ମାରେ ବୀର–ବୁଢ଼ାଟା ଏ ଦେଶର ଜୀଅନ୍ତା ଆତ୍ମା ।’

 

ବୀରେଶ୍ୱର ମଧ୍ୟ ଗମ୍ଭୀର ହୋଇ ପଡ଼ିଲା । ସେ ଘରଟା ଭିତରର ହସ ଓ ହାଲୁକା ବାୟୁମଣ୍ଡଳ ହଠାତ୍‌ ଯେପରି ଗାମ୍ଭୀର୍ଯ୍ୟର ଗୁରୁ ଭାରରେ ରୁଦ୍ଧହୋଇ ପଡ଼ିଲା । ବୀରେଶ୍ୱର କହିଲା, ଖାଇବାକୁ ନ ପାଇ ନିରାଶ ହୋଇ ନିଃସହାୟ ହୋଇ ଶହ ଶହ ଲୋକ କିପରି ମରନ୍ତି ଦେଖିଛୁ ? ସେହି ଦୃଶ୍ୟ ଦେଖିବା ପାଇ ତ ତୋତେ ଗଞ୍ଜାମକୁ ଡାକିଥିଲି ।

 

ଶରତ କହିଲା, ଏହି କଟକ ସହରର ସଦର ବଜାର କଡ଼ରେ ଖାଇବା ବିନା ଯେପରି ଲୋକ ମରି ପଡ଼ୁଛନ୍ତି, ତାହାଦେଖି ମୁଁ ଗଞ୍ଜାମର କଥା ଅନୁମାନ କରୁଛି । କଟକର ଏହି ଦୃଶ୍ୟ ମତେ ବିଚଳିତ କରି ଦେଇଛି, ସମୟ ସମୟରେ ଭାବୁଛି, ପାଗଳ ହୋଇ ଯିବି ।

 

ବୀରେଶ୍ୱର, ଆହୁରି ଗମ୍ଭୀର ଭାବରେ କହିଲା, ଗଞ୍ଜାମର ଦୃଶ୍ୟ ତାହା ନୁହେଁରେ ଶରତ, ଗୋଟାଏ ବିରାଟ ଶ୍ମଶାନରେ ପରିଣତ ହୋଇଛି । ଏ ଦେଶର ଲୋକେ ଖାଇବାକୁ ନ ପାଇ କେମିତି ମରନ୍ତି; ଅନ୍ତତଃ ସେ ଦୃଶ୍ୟଟା ଦେଖି ଆସିବା ପାଇଁ ତୁ ମୋ ସାଙ୍ଗରେ ଚାଲ । ମଫସଲ ଭିତରକୁ ଗସ୍ତରେ ଯାଏ; ଯେଉଁ ଗାଁରେ ଦେଖ ସେ ଗାଁଆରେ ଲୋକେ ଖାଇବାକୁ ନ ପାଇ ହାଡ଼ ଚମରେ ପରିଣତ ହୋଇଛନ୍ତି । ଏହି ହାଡ଼ ଚମର ମଣିଷ ଯେତେବେଳେ କିଛିଦିନ ଖାଇବାକୁ ନ ପାଉଛି, ବସୁ ବସୁ ଟଳି ପଡ଼ୁଛି ବାଟ କଡ଼ରେ । ଗାଁ ଭିତରେ ବିଲୁଆ, କୁକୁର, ଶାଗୁଣା ଏହି ମଲା ଲୋକଗୁଡ଼ାକର ହାଡ଼କୁ ଧରି ଟଣାଟଣି ଲଗାଇଛନ୍ତି । ଆଚ୍ଛା ଶରତ, ଏ ଦେଶ ଲୋକଙ୍କ ଜୀବନର କଅଣ କୌଣସି ମୂଲ୍ୟ ନାହିଁ ? ସେମାନଙ୍କର ବଞ୍ଚିବାର ଅଧିକାରକୁ କଅଣ କେହି ସ୍ୱୀକାର କରନ୍ତି ନାହିଁ ? ତୁ ଚାଲ ମୋ ସାଙ୍ଗରେ । ଦେଖିବୁ ଏ ଦେଶଟା କେଡ଼େ ନିରକ୍ଷ, ଏ ଦେଶ ଲୋକ କେଡ଼େ ନିଃସହାୟ, ତାହା ବୁଝ ପାରିବୁ ।

 

ଶରତ ନିସ୍ତବ୍‌ଧ ହୋଇ ବସି ରହିଲା ।

 

ବୀରେଶ୍ୱର ପୁଣି କହିଲା, ‘ଏ ଅବସ୍ଥା ଦେଖି ତୁ କଣ ବାୟା ହୋଇଯିବୁ ବୋଲି ଭାବୁଛୁ-? ମୁଁ ଦେଖୁଛି, ଏକ ଆଡ଼େ ମୃତ୍ୟୁର ବିଭୀଷିକା, ଅନ୍ୟଆଡ଼େ ପୈଶାଚିକ ହୃଦୟହୀନତା । ସରକାରୀ କାମ କରେ; ଯେଉଁ ସବୁ ସରକାରୀ ଗୁପ୍ତ ଚିଠିପତ୍ର ମୋ ହାତରେ ପଡ଼େ ତାକୁ ଦେଖି ମୋର ଅନ୍ତରାତ୍ମା ଶୁଖିଯାଏ, ମସ୍ତିଷ୍କ ଠିକରହେ ନାହିଁ, ଭାବେ ମୁଁ ପାଗଳ ହୋଇଯିବି । ଏ ଦୁର୍ଭିକ୍ଷକୁ ଲୁଚାଇବା ପାଇଁ ସରକାର କେଉଁ ଉପର କର୍ମଚାରୀର ଉର୍ବର ମସ୍ତିଷ୍କରୁ ଫନ୍ଦି ବାହାରି ଥିଲା କେଜାଣି; କର୍ମଚାରୀଙ୍କ ଉପରେ ହୁକୁମ ଜାରି ହେଲା ଯେ, ଦେଶରେ ଦୁର୍ଭିକ୍ଷପଡ଼ିଛି, ଏ କଥା କୌଣସି କାଗଜ ପତ୍ରରେ ଦେଖାଇବାକୁ ହେବନାହିଁ; ଦୁର୍ଭିକ୍ଷ ଶବ୍ଦଟା ବ୍ୟବହାର କରିବାକୁ ହେବ ନାହିଁ; କେହି ଲୋକ ଖାଇବାକୁ ନ ପାଇ ମରିଛନ୍ତି–ତାହା ଲେଖିବାକୁ ହେବ ନାହିଁ । ଏ ସବୁ ଦେଖି ନିଶ୍ୱାସରୁଦ୍ଧ ହୋଇ ଆସେ; ଆଖିରୁ ରକ୍ତ ଝରିପଡ଼େ ।

ଶରତ ଧୀରେ ଧୀରେ କହିଲା, ଏ ସବୁ ସହ୍ୟକରି ତୁ ରହିଛୁ କେମିତି ?

ବୀରେଶ୍ୱର କହିଲା, ‘କେମିତି ରହିଛି, ତା ଜାଣେ ନା । କାମ ଛାଡ଼ିଦେବି, ଇସ୍ତଫା ଦେବି, ସବୁବେଳେ ଏ କଥା ଭାବେ; ମନର ଆବେଗରେ ଅନେକଥର ଇସ୍ତଫା ଚିଠି ଲେଖି ପକାଏ-। ପରେ ଭାବେ; ଏଥିରେ ଲାଭ କଣ ? ମୁଁ ଯିବି, କିନ୍ତୁ ତାଦ୍ୱାରା ସରକାରର ନୀତି ବଦଳିବ ନାହିଁ । ମୋ ସ୍ଥାନରେ ଆଉ ଜଣେ କେହି ଆସିବ; ହୁଏତ ସେ ଅର୍ଥର ଦାସ; ସେ ଲୋକଙ୍କ ପ୍ରତି ଚାହିଁ ବ ନାହିଁ । ମୋର ଚେଷ୍ଟାରେ ଯଦି ଜଣେ ଲୋକର ଜୀବନ ରହିଯାଏ, ତେବେ ତାହାହିଁ ମୋ ପକ୍ଷରେ ଯଥେଷ୍ଟ ।

‘ତୁ ଏ ସବୁ କଥା ସରକାରକୁ ଲେଖୁନାହୁଁ ?

‘ତୁ ଭାବୁଛୁ ଯେ, ଆମର ଯାହା ଖୁସି ତାହା ସରକାରକୁ ଲେଖିବାର ଅଧିକାର ଆମର ଅଛି ? ନା ତାହା ନାହିଁ, ସେ ଅଧିକାର ତୋର ଅଛି, ସେ ଅଧିକାର ରିକ୍‌ସାବାଲାର ଅଛି, ସେ ଅଧିକାର ଦାଣ୍ଡରେ ବୁଲୁଥିବା କାଙ୍ଗାଳାମାନଙ୍କର ଅଛି; କିନ୍ତୁ ଆମର ନାହିଁ । ନାଲି ଫିତାର ଧରାବନ୍ଧା ଗତ ଛାଡ଼ି ବାହାରକୁ ଯିବା ପାଇଁ ଆମର ଉପାୟ ନାହିଁ । ଆମର ସବୁକାମ ଗୁପ୍ତ ହୁକୁମ ଦ୍ୱାରା ନିୟନ୍ତ୍ରିତ । ତୁ ବୁଝ ନାହୁ, ଆମେ ମାସରେ ଟଙ୍କା କେଇଟାପାଇଁ ମୁଣ୍ଡବିକି ଗୋଲାମ ହୋଇଛୁଁ । ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟାକରି ପ୍ରଥମେ ପ୍ରଥମେ ସରକାରଙ୍କୁ ଲେଖିଥିଲି; ହୁକୁମ ଆସିଲା, ତୁମେ କ୍ଷମତାର ଅପବ୍ୟବହାର କରୁଛ; ତା ପରେ ଆସିଲା, ତୁମକୁ ସତର୍କ କରାଗଲା, ତା ପରେ ଆସିଲା, ତମର ପ୍ରମୋସନ ୩ ବର୍ଷ ପାଇଁ ବନ୍ଦ କରାଗଲା । ମୋର ଚାକିରୀ ଗଲେ ମଧ୍ୟ ଦୁଃଖ ନ ଥିଲା; କିନ୍ତୁ ମୋ ଲେଖାଦ୍ୱାରା କିଛି ଫଳ ହେଲା ନାହିଁ । ସେ ବାଟ ଛାଡ଼ିଲି ।’

‘ତା ପର ?’

‘ତା ପର ଆଉ କଣ ? ମୋ ନିଜ ଚେଷ୍ଟାରେ ଯାହା କରିବାର କଥା ତାହା ହିଁ କରୁଛି । କିଏ ପ୍ରମୋଦ; ଆସ, ଆସ ।

ପ୍ରମୋଦ ଘର ଭିତରକୁ ଆସି ଖଣ୍ଡେ ଚଉକୀରେ ବସି ପଡ଼ିଲା ।

ବୀରେଶ୍ୱର କହିଲା, ‘ଶରତ, ତୁ ପ୍ରମୋଦକୁ ଚିହ୍ନି ନାହୁଁ ? ସେ ରାୟ ବାହାଦୂର ଧରାଧର ନନ୍ଦଙ୍କ ପୁଅ । ଆମ ଲିଲି ସଙ୍ଗରେ କଲେଜରେ ପଢ଼େ ।’

ପ୍ରମୋଦ କହିଲା, ‘ନମସ୍କାର ।’

ଶରତ ତାକୁ ପ୍ରତି ନମସ୍କାର କରି ବୀରେଶ୍ୱରକୁ କହିଲା, ‘ତା ହେଲେ କଅଣ ଏ ଲୋକଗୁଡ଼ାଙ୍କୁ ମାରି ପକାଇବା ପାଇଁ ସରକାର ଗୋଟାଏ ଷଡ଼ଯନ୍ତ୍ର କରିଛି ?

ବୀରେଶ୍ୱର କହିଲା, ‘ଷଡ଼ଯନ୍ତ୍ର ନୁହେଁ; ଲୋକଗୁଡ଼ାକ ଗଲେ ସରକାରର ଲାଭ କଅଣ-? କିନ୍ତୁ ଏ କଥା ଠିକ ଯେ, ଏମାନଙ୍କୁ ରକ୍ଷାକରିବା ପାଇଁ ସରକାର ଯାହା କରି ପାରନ୍ତେ, ତାହା କରିବାର ଶକ୍ତି, ସାମର୍ଥ ବା ସମ୍ୱଳ ତାଙ୍କର ନାହିଁ । କଥାଟା ମାନିଲେ ତ ସେ ବିଷୟରେ କିଛି କରିବାକୁ ହେବ, ନ ମାନିଲେ ଗଲା । ଏହି ନୀତି ସରକାର ଧରିଛି । ଉପର ପାହିଆରେ କେତେ ଜଣଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଏ ନୀତିକୁ ଆହୁରି ଉତ୍କଟ କରି ପକାଇଛି । ତାହାରି ଫଳରେ ଏ ମହାମାରୀ, ସେହି କାରଣରୁ ଏହି ମହାମାରୀର ପ୍ରତିକାର ମଧ୍ୟ ଠିକ୍‌ ବାଟରେ ହେଉନାହିଁ ।

ଶରତ ବ୍ୟସ୍ତ ହୋଇ ପଡ଼ିଲା, କହିଲା; ତେବେ ଉପାୟ ? ଲୋକଗୁଡ଼ାକ ଆମ ଆଖି ଆଗରେ ମରୁଥିବେ, ଆଉ ଆମେ ବସି ବସି ଦେଖୁ ଥୁବୁଁ । ଏହା ତ ହୋଇ ପାରିବ ନାହିଁ ।

 

ବୀରେଶ୍ୱର ଗମ୍ଭୀରଭାବରେ କହିଲା, ଉପାୟ ? ଉପାୟ ତୋର ଚେଷ୍ଟା, ମୋର ଚେଷ୍ଟା, ଆମପରି ଆଉ ଯେଉଁ ମାନେ ଅଛନ୍ତି,ତାଙ୍କର ଚେଷ୍ଟା ସେଥିରେ ଯେତିକି ହେବ; ସେତିକି ବର୍ତ୍ତମାନ ଅବସ୍ଥାରେ ସମ୍ଭବ । ତା ଛଡ଼ା ଉପାୟ ଅଛି କଅଣ ? ମୁଁ କଅଣ କରିଛି ଜାଣୁ ? ତୋ ଭଳି ମୋ ଘରେ ସେବାଗ୍ରାମ ଫିଟିନାହିଁ । ମୋ ଘରେ ଗୋଟାଏ ଅନ୍ନଛତ୍ର ଖୋଲିଛି । ୪୦୦ ଟଙ୍କା ଯାଏ, ସେତକ ଅଣ୍ଟଛି କୁଆଡ଼ୁ । ବୁଝିଲୁ ଲିଲି, ତୁ ଯେଉଁ ବ୍ରହ୍ମପୁରୀ ଜରି ଲୁଗା ପାଇଁ ଲେଖିଥିଲୁ, ସେହି କାରଣରୁ ତାହା ଆଣିପାରିଲି ନାହିଁ । ମୁଁ ଠିକ କରିଛି କଅଣ ଜାଣୁ ? ମୋର ଦରମା ଟଙ୍କା ତକ ମୋର ନୁହେଁ; ତାହା କାଙ୍ଗାଳମାନଙ୍କର; ସେଥିରେ ମୋର କିଛି ଅଧିକାର ନାହିଁ । ପଇସା ପାଇବି କୁଆଡ଼ୁ ଯେ ତୋ ପାଇଁ ଜରି ଲୁଗା ଆଣିବି ? ଲିଲି ତା ଭାଇ ଆଡ଼କୁ ଚାହିଁ ରହିଲା; ତାପରେ ଧୀରେ ଧୀରେ କହିଲା ‘ଭାଇ, ତମେ କଅଣ ସେଇଥିପାଇଁ ଦିନକୁ ବେଳାଏ ଖାଉଛ; ତା ପୁଣି ଫଳ ସିଝା ଆଉ ଭାତ ।

 

ବୀରେଶ୍ୱର ଅପ୍ରତିଭ ହୋଇପଡ଼ିଲା । କହିଲା, ‘ଦୂର । ତାହା ନୁହେଁ–ଏଇମତେ ପେଟମରା ପରି କଅଣ ଗୋଟାଏ ରୋଗର ଲକ୍ଷଣ ଦେଖାଦେବାରୁ ଖାଦ୍ୟଟାକୁ ଯେତେ ସାଧା ସିଧା କରିବାର କରି ନେଉଛି, ବୁଝି ଲୁ ? ଏଇଟା ଡାକ୍ତରର ପରାମର୍ଶ ।’’

 

ଶରତ୍‌ର ଚକ୍ଷୁ ବାଷ୍ପାକୁଳ ହୋଇ ପଡ଼ିଲା । ସେ କହିଲା, ‘ତୋ ଭିତରେ ଜଳୁଥିବା ପୁରୁଣା ନିଆଁ ଲିଭି ନାହିଁ ରେ ବୀର ! ସେ ନିଆଁ ଲିଭି ନାହିଁ ।’

 

ବୀରେଶ୍ୱର ହସି ହସି କହିଲା, ‘ନିଆଁ ଜଳୁଛି ଠିକ୍‌; କିନ୍ତୁ ସେଥିରେ ଆମ ପ୍ରମୋଦ ବାବୁଙ୍କ ପରି ଯୁବକମାନଙ୍କର ସିଗାରେଟ ସୁଦ୍ଧା ଲାଗିବ ନାହିଁ, ବୁଝିଲୁ ।

 

ପ୍ରମୋଦ ପକ୍ଷରେ ଏ ସବୁ ବଡ଼ ବଡ଼ କଥା ସହ୍ୟ ହୁଏ ନାହିଁ । ସେ ଆସିଥିଲା ଲିଲି ସାଙ୍ଗରେ ଟିକିଏ ଖୁସିଗପ କରିବ ବୋଲି । ଯେତେବେଳେ ଘର ଭିତରକୁ ପଶି ଆସିଛି ସେତେବେଳେ ତୁନି ହୋଇ ବସି ଏମାନଙ୍କ କଥା ଶୁଣିବା ଛଡ଼ା ତା ପକ୍ଷରେ ଅନ୍ୟ ଉପାୟ ନ ଥିଲା-। ମନେ ମନେ ସେ ବିରକ୍ତ ହୋଇ ପଡ଼ିଥିଲା ।

 

ବୀରେଶ୍ୱର ବାବୁ ତା ନାଆଁ ଟାକୁ କଥାବାର୍ତ୍ତାରେ ଯୋଡ଼ି ଦେବାରୁ ସେ ସୁବିଧା ପାଇ ବୀରେଶ୍ୱର ବାବୁଙ୍କୁ କହିଲା; କିନ୍ତୁ ଆପଣ ନିଜେ ନିଜ ପ୍ରତି ଅବିଚାର କରୁ ନାହାନ୍ତି କି ? ଦିନାନ୍ତରେ ବେଳାଏ ଓ ତାହା ଅତି ସାଧାରଣ ଧରଣର ଖାଦ୍ୟ ଦ୍ୱାରା ଆପଣଙ୍କ ଜୀବନୀଶକ୍ତି କମିଯାଉ ନାହିଁ କି ?

 

ବୀରେଶ୍ୱର କହିଲେ, କାହିଁ ? କାମ କରିବା ଶକ୍ତି ମୋର ଠିକ୍‌ ରହିଛି; ହେଇଟି ତମ ଆଗରେ ମୁଁ ଜୀଅନ୍ତା ମଣିଷଟାଏ ତ ବସିଛି ?

 

ପ୍ରମୋଦ ଛାଡ଼ିବାର ପାତ୍ର ନୁହେଁ, କହିଲା ଯଥେଷ୍ଟ ଖାଦ୍ୟ ନ ଖାଇଲେ ଜୀବନୀଶକ୍ତି ନଷ୍ଟ ହୁଏ, ଏକଥା ତ ଆପଣ ମାନିବାକୁ ବାଧ୍ୟ ।’

Unknown

 

‘ତା ମାନଛି କିନ୍ତୁ ପଚାରୁଛି, ଏ ଦେଶର କେତେକ ଲୋକ ଯଥେଷ୍ଟ ଖାଦ୍ୟ ପାଆନ୍ତି ? ଆଜି କେତେ ଜଣ ପାଉଛନ୍ତି ?

 

ସେମାନଙ୍କ କଥା ଛାଡ଼ିଦିଅନ୍ତୁ । ସେମାନେ ଗରିବ, ସେମାନେ ଦୁଃଖୀ, ହୁଏତ ସେମାନଙ୍କ ଯୋଗ୍ୟତାରୁ ବା ଆଳସ୍ୟରୁ ସେମାନେ ଦୁଃଖୀ ରଙ୍କୀ । ସେମାନେ ଖାଇବାକୁ ପାଇବେ କୁଆଡ଼ୁ ? ସେମାନେ ସବୁଦିନେ, ପୃଥିବୀର ସବୁ ଦେଶରେ ଖାଇବାକୁ ନ ପାଇ ମରନ୍ତି; ଆଜି ହୁଏତ ଏ ଦେଶରେ ସେମାନେ ଟିକିଏ ବେଶି ପରିମାଣରେ ମରୁଛନ୍ତି, କିନ୍ତୁ ଆପଣମାନଙ୍କ ପରି ଯୋଗ୍ୟ ଲୋକର ମୂଲ୍ୟ ସମାଜ ପକ୍ଷରେ ଯଥେଷ୍ଟ ବେଶି । ଆପଣମାନଙ୍କ ଜୀବନ ଦେଶର ମୂଲ୍ୟବାନ ସମ୍ପତ୍ତି ।’

 

ବୀରେଶ୍ୱର ବାବୁ ହସିଲେ; କହିଲେ, ଆଜି ଏ ୧୯୪୩ରେ ତୁମେ ଏକଥା କହୁଛ ? ମନେ ହେଉଛି, ତୁମେ ଯେପରି ମହାରାଣୀ ଭିକ୍ଟୋରିୟାଙ୍କ ଯୁଗର ଲୋକ । ଆଚ୍ଛା ଗୋଟାଏ କଥା ଧର–ମୁଁ କିଏ ? ତୁମେ କିଏ ? ଏ ସମାଜ କଣ ? ସମାଜରେ–ଦେଶର ଶତକଡ଼ା ୯୯ ଜଣ ଲୋକ ଗରିବ, ଦୁଃଖୀ ନିଃସ୍ୱ ଶ୍ରେଣୀର ଲୋକ । ସମାଜ ତାଙ୍କରି । ସେମାନେ ପରିଶ୍ରମ କରନ୍ତି, ଅର୍ଜ୍ଜନ କରନ୍ତି, ଜମିବାଡ଼ିରେ ଫସଲ କରନ୍ତି, ପୃଥିବୀ ପେଟରୁ ସୁନା ବାହାର କରନ୍ତି, କଳ କାରଖାନାରେ ଜିନିଷ ତିଆରି କରନ୍ତି ସେମାନେ । ଆଉ ଆମେ ମଲାଙ୍ଗ ପରି, ଚୋରୀ କରି, ଡକାୟତି କରି ତାଙ୍କର ଧନ କାଢ଼ି ନେଉ, ତା ସଙ୍ଗେ ସଙ୍ଗେ ତାଙ୍କର ମୁହଁର ଗ୍ରାସ ମଧ୍ୟ ଛଡ଼ାଇ ଆଣୁ । ଏ ଚୋରୀ ଡକାୟତି ସମର୍ଥନ କରିବା ପାଇଁ ସହଜ କରିବା ପାଇଁ; ଚିରସ୍ଥାୟୀ କରିବା ପାଇଁ ଆମେମାନେ ଆଇନ ଗଢ଼ିଛୁ । ଆଉ ସେ ଆଇନ୍‌ ପଛରେ ରହିଛି ପୁଲିସ, ଆମଭଳି ହାକିମ, ଜେଲ ପଲ୍‌ ଟଣ, ଫୌଜ; ଟ୍ୟାଙ୍କ, ଟର୍ପେଡ଼ୋ, ଡାଇଭ୍‌ବୋମ୍ୱର । ଚୋରିଟାକୁ ଆଇନସଙ୍ଗତ କଲେ ମଧ୍ୟ ତାହା ଚିରକାଳ ଚୋରି ହୋଇ ରହିବ; ସେହିପରି ଡକାୟତି-ଡକାୟତି ହିଁ ରହିଥିବ । ଆଇନ କଳରେ ଚୋରୀକୁ ସ୍ୱାର୍ଥ ତ୍ୟାଗ, ବା ଡକାଇତିକୁ ସେବା କାର୍ଯ୍ୟରେ ପରିଣତ କରାଯାଇ ପାରିବ ନାହିଁ । ମୋଟ କଥା ହେଉଛି, ଏ ଯେଉଁ ଗରିବଗୁଡ଼ିକ, ଏ ଯେଉଁ ଦୁଖୀଗୁଡ଼ିକ, ଆଜି ଯେଉଁ ମାନେ ନିଃସହାୟ ପରି ମୁଠାଏ ଖାଇବାକୁ ନ ପାଇ ଶହ ଶହ ସଂଖ୍ୟାରେ ମରୁଅଛନ୍ତି । ସେମାନେ ଯଦି ଚାଷ ନ କରନ୍ତି, ମୂଲ ନ ଲାଗନ୍ତି, ତେବେ ଆମପରି ‘ଯୋଗ୍ୟ ଲୋକକୁ ନେଇ ସମାଜ ଦିନେ ହେଲେ ଚଳି ପାରିବତ ? ସେ ସମାଜରେ ଆମପରି ଯେତେଲୋକ ପୃଥିବୀରେ ଅଛନ୍ତି–ଏଇ ଚର୍ଚ୍ଚିଲ, ରୁଜଭେଲଟ ଠାରୁ ତୁମେ ଆଉ ଲିଲି ପର୍ଯ୍ୟନ୍ତ ସମସ୍ତେ–ଚାରିଦିନ ବଞ୍ଚିପାରିବେ ତ ? ନା, ଏପରି ବଞ୍ଚିବା ଅସମ୍ଭବ । ତେବେ ଜୀବନର ଦାମ କାହାର ବେଶି ? ଏଇ ଗରିବ ଚାଷୀଗୁଡ଼ିକର ମୁଲିଆଗୁଡ଼ିକର ନା ତମର, ଲିଲିର ମୋର ?

 

ଶରତ୍‌ କୁତ୍ରିମ ଭୟର ଅଭିନୟ କରି କହିଲା; ବୀର, ! ବୀର, କମ୍ୟୁନିଜ୍ମ ! କମ୍ୟୁନିଜ୍ମ !! ବିପ୍ଳବ, ଅଗ୍ନି, ହତ୍ୟା !! ସରକାରୀ ହାକିମ, ଧଡ଼ା ଚୂଡ଼ା ମଣ୍ଡିତ ଡେପୁଟି ମେଜେଷ୍ଟର ମୁହଁରେ କମ୍ୟୁନିଜ୍ମ !’

 

ଶରତର ଏ ଅଭିନୟ ଦେଖି ସମସ୍ତେ ହସି ପକାଇଲେ ।

 

ବୀରେଶ୍ୱର କହିଲା, ‘ମୁଁ ସରକାରୀ ଚାକିରିଆ ବୋଲି କମ୍ୟୁନିଜ୍ମର ନାଲିକନା ହଲାଇ ତୁ ମତେ ଡରାଇ ଦେବୁ ? ତା ହୋଇପାରିବ ନାହିଁ । ମୁଁ ଯାହା କହୁଛି ତାହା ମୋର ମନର କଥା, ହୃଦୟର କଥା । ଯେ କୌଣସି ଲୋକର ଚିନ୍ତା କରିବାର ଶକ୍ତି ଅଛି, ଭାବିବାର କ୍ଷମତା ଅଛି, ସେ ଠିକ୍‌ ଏହି କଥା ଦେଖିବ, ଏହି କଥା କହିବ । କାରଣ ଏ କଥାଟା ହିଁ ନିରାଟ ସତ୍ୟ, ସୂର୍ଯ୍ୟପରି ତାହା ସ୍ୱତଃ ପ୍ରକାଶିତ । ମାର୍କସ,ଏଞ୍ଜେଲ ବା ଲେନିନ୍‌ ଏ କଥାଟାକୁ ପ୍ରଥମେ କହିଥିଲେ, ଏ କଥାଟାକୁ ଧୁରନ୍ଧର ବୈଜ୍ଞାନିକ ପରି ବିଶ୍ଳେଷଣ କରି ଦେଖାଇଥିଲେ ବୋଲି ଯେ ଏହା ବେଆଇନ ହୋଇଯିବ, ଦୋଷାବହ ହୋଇଯିବ, କମ୍ୟୁନିଜ୍ମ କହିଲେ ଲୋକେ ଆତଙ୍କରେ ଥରି ଉଠିବେ, ଏପରି କୌଣସି କଥା ଅଛି କି ?

 

ପ୍ରମୋଦ କହିଲା, ‘କମ୍ୟୁନିଜ୍ମଟା ତ ଅତି ମାରାତ୍ମକ କଥା ବୋଲି ମୋର ଧାରଣା ।’

 

ବୀରେଶ୍ୱର ହସି ହସି କହିଲା ଠିକ୍‌, ତୁମମାନଙ୍କ ପରି ଯୁବକ ପକ୍ଷରେ କମ୍ୟୁନିଜ କଥାଟା ମାରାତ୍ମକ, କାରଣ ଏ ବିଷୟରେ କିଛି ଧାରଣା କରିବାକୁ ହେଲେ ବହୁତ ପଢ଼ିବାକୁ ପଡ଼ିବ, ବହୁତ ଭାବିବାକୁ ପଡ଼ିବ; ବହୁତ ପରିଶ୍ରମ କରିବାକୁ ପଡ଼ିବ, ନିଜ ଜୀବନର ବହୁତ ବିଷୟକୁ କଠୋର ହସ୍ତର ନିୟନ୍ତ୍ରିତ କରିବାକୁ ପଡ଼ିବ; କିନ୍ତୁ କମ୍ୟୁନିଜ୍ମ ଯେଉଁ ମୂଳନୀତି ଉପରେ ପ୍ରତିଷ୍ଠିତ; ତା ଯେ ପର୍ଯ୍ୟନ୍ତ ପୃଥିବୀର ସବୁ ଦେଶରେ–ବିଶେଷତଃ ଆମ ଭାରତବର୍ଷରେ–ନ ଚଳିଛି ସେ ପର୍ଯ୍ୟନ୍ତ ଏହିପରି ଦୁର୍ଭିକ୍ଷର ମୂଳକାରଣ ଚିରଦିନ ରହିଥିବ; ଚିରକାଳ ଲୋକେ ଖାଇବାକୁ ନ ପାଇ ମରୁଥିବେ, ଆଉ ସେ ଅବସ୍ଥା ଯେ କୌଣସି କାରଣରୁ ଟିକିଏ ଉତ୍କଟ ହୋଇ ପଡ଼ିଲେ ଏହିପରି ମହାମାରୀ ଘଟୁଥିବ ।’

 

ଲିଲି ଏ ପର୍ଯ୍ୟନ୍ତ ନୀରବ ହୋଇ ଶୁଣୁଥିଲା, ସେ କହିଲା, ଭାଇ ତମେ କଅଣ କମ୍ୟୁନିଷ୍ଟ ।’

 

ବୀରେଶ୍ୱର ହସି ହସି କହିଲା, ‘ନା ରେ ନା, ମୁଁ ଖାସ ସରକାରଙ୍କ ନିମକ ସଚା ଗୋଲାମ ।

 

‘‘ଆଉ ତମେ କମ୍ୟୁନିଜ୍ମ କଥା ଭାବୁଛ ?

 

‘ନ ଭାବି ରହିପାରିବି କିମିତି କହ ତ ? ଚାରିଆଡ଼େ ଦେଖଛ ଦୁର୍ଭିକ୍ଷର ଭୀଷଣ ମଡ଼କ-। ଏହାର ପ୍ରତିକାର କଥା ଭାବୁଛି । ଭାବିଲା ବେଳେ କମ୍ୟୁନିଷ୍ଟମାନେ ଯେଉଁ ଧରଣର କଥା କହନ୍ତି, ସେଇଠି ଯାଇ ପହଞ୍ଚିଯାଉଛି । କରିବି କଅଣ ? ଭାବର ବ୍ୟାପକତାକୁ ବେଆଇନ କରିବା, ମସ୍ତି ଷ୍କକୁ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ଅର୍ଡ଼ିନେନ୍‌ସ ଜାରି କରିବା କଥାଟା ଆମ ସରକାର ବାହାଦୂର ଏ ପର୍ଯ୍ୟନ୍ତ ସ୍ଥିର କରି ପାରି ନାହାନ୍ତି । ଅବଶ୍ୟ ମନୁଷ୍ୟର ଭାବ ଜଗତରେ ଗୋଳମାଳ ଲଗାଇ ଦେବାପାଇଁ ସରକାରଙ୍କ ପକ୍ଷରୁ ମୂର୍ଖତା ସୁଲଭ ଚେଷ୍ଟାର ଅଭାବ ନାହିଁ । ଏଥିପାଇଁ ପବ୍ଳିସିଟି ଡିପାର୍ଟମେଣ୍ଟ ଅଛି । ନାନା ପ୍ରକାରେ ନାନା ଭାବରେ, ନାନା କଥା ପ୍ରକାଶିତ ହେଉଛି, ପ୍ରଚାର କରା ଯାଉଛି, ଟଙ୍କା ଲୋଭରେ ଲୋକେ ନିଜ ମସ୍ତି ଷ୍କଟାକୁ ମଧ୍ୟ ବେଶ୍ୟା ବ୍ୟବସାୟରେ ଲଗାଇ ଦେଉଛନ୍ତି, ପାଣି ସୁଅପରି କୋଟି କୋଟି ଟଙ୍କା ଏ ଦିଗରେ ଖରଚ କରାଯାଉଛି । ଗରିବପିଲା ହସ୍ତାକ୍ଷର ଲେଖିବା ପାଇଁ ଯେତେବେଳେ ଖଣ୍ଡେ କାଗଜ ପାଉନାହିଁ, ସେତେବେଳେ ଲକ୍ଷ ଲକ୍ଷ ବହି ଛପାହୋଇ କଣ୍ଟା ହେଉଛି । ତଥାପି ଯେଉଁଟା ଠିକ, ଯେଉଁଟା ସତ୍ୟ, ଯେଉଁ ଭାବଟା ଜାତି ପକ୍ଷରେ ଉପଯୁକ୍ତ, ତାହାର ହିଁ ପ୍ରଚାର ଛାଏଁ ଛାଏଁ ହୋଇ ଯାଉଛି, ଆଉ ଏ ବାଧା ଦ୍ୱାରା ତାହାର ଗତି ବଢ଼ି ଯାଉଛି । ଆଚ୍ଛା ତୁ ତ ଜାଣୁ ଲିଲି, କମ୍ୟୁନିଷ୍ଟ ହୋଇଥିବାରୁ ଜଣେ ଯୁବକର ବିଚାର କରି ମୁଁ ତାକୁ ତିନିବର୍ଷ ଜେଲ ଦେଇଥିଲି ।

 

ଶରତ କହିଲା, ‘ଠିକ ତୋର ସେହିରାୟ ଅନୁସାରେ ତୋର ମଧ୍ୟ ତିନି ବର୍ଷ ଜେଲ ହେବା ଉଚିତ । ମୁଁ ବର୍ତ୍ତମାନ ଉଠିଲି ବହୁତ କାମଅଛି ।’

 

ବୀରେଶ୍ୱର ହସି ହସି କହିଲା, ‘କେତେବେଳେ ତୋର କାମ ନ ଥାଏ ? ପୁଣି ତୁ ଆସିବୁ କେତେବେଳେ ?’

 

‘ସେ ଜବାବ ଆଗରୁ ଦେଇ ପାରୁନାହିଁ ’

 

ଏହା କହି ଶରତ ଉଠି ଲା, ବୀରେଶ୍ୱର ମଧ୍ୟ ଉଠି ଲା । ଦୁଇବନ୍ଧୁ ଘରୁ ବାହାରି ଗଲେ ।

 

ଟେବୁଲ ଆର ପାଖରେ ପ୍ରମୋଦ ବସି ବସି କହିଲା; ‘ଦେଖ ମିସ୍‌ ମହାନ୍ତି, ତମ ଭାଇ ମଧ୍ୟ ଏ ଶରତ ପାଲରେ ପଡ଼ିଛି ?’

 

ଲିଲି କହିଲା, ସେ ଦୁହେଁ ପିଲାଦିନର ବନ୍ଧୁ ।’

 

‘ଓଃ ଭାରି ବନ୍ଧୁତ ! ଭଲ କଥା ନାହି, ମନ୍ଦ କଥା ନାହିଁ ଦେଶ, ଦୁର୍ଭିକ୍ଷ କମ୍ୟୁନିଜ୍ମ, ମଡ଼କ–ଏ ସବୁ କଥା । ଏ କି ଧରଣର ବନ୍ଧୁତା ମୁଁ ବୁଝିପାରୁ ନାହିଁ ।’

 

ଲିଲି ବିରକ୍ତ ହୋଇ ଉଠିଲା, କେଜାଣି କାହିଁ କି ଭାଇ ପ୍ରତି ତାର ସମ୍ମାନ ଆଜି ଅଧିକ ବଢ଼ି ଯାଇଛି, ଶରତବାବୁ ତା ହୃଦୟରେ ଏକ ବିଶିଷ୍ଟ ଆସନ ଲାଭ କରିଛି ।

 

ଲିଲି ଧୀରେ ଧୀରେ କହିଲା; ସେ ଧରଣର ବନ୍ଧୁତାର ମର୍ମ ବୁଝି ପାରିବା ଭଳି ମସ୍ତିଷ୍କ ଆପଣଙ୍କର ନାହିଁ ପ୍ରମୋଦ ବାବୁ !’

 

ଲିଲି ଉଠି ଚାଲିଗଲା; ପ୍ରମୋଦ ବୋକା ପରି ବସି ରହିଲା ।

 

କୋଡ଼ିଏ

 

ଲାଞ୍ଜିପଲ୍ଲୀ ପାଖର ସେହି ତୋଟା । ସଞ୍ଜ ଅନ୍ଧାର ଯେପରି ତାହା ଭିତରେ ଜମାଟ ବାନ୍ଧି ଯାଇଛି । ଗୋଟାଏ ଗୋଟାଏ ଗଛ ମୂଳେ ଧୂଆଁ ର କୁହେଳି ଭିତରେ ଜଳୁଛି କାଙ୍ଗାଳମାନଙ୍କର ଗୋଟାଏ ଗୋଟାଏ ଢେଣୁଆ ତିଆରି ଚୁଲ୍ଲୀ । ରେଳଲାଇନ ଆର ପାଖରେ ଛିଡ଼ାହେଲେ ଅନ୍ଧାରିଆ ତୋଟା ଭିତରେ ଚିରଗୁଣୀ ମାନଙ୍କର ସଭା ଲାଗିଥିବା ପରି ଦେଖା ଯାଉଛି-

 

ଆମ୍ୱଗଛ ମୂଳରେ ଗୋଟାଏ ଢେଣୁଆ ଚୁହ୍ଲିରେ ହାଣ୍ଡି ବସାଇ ଦେଇ ବୁଢ଼ୀଟାଏ କାନିରୁ ଚାଉଳ ଝାଡ଼ୁଛି । ଚୁଲ୍ଲୀ ଆଲୁଅରେ ଆଉ ଗୋଟାଏ କାଙ୍ଗାଳ ଆସି ବୁଢ଼ା ପାଖରୁ କିଛି ଦୂରରେ ବସି କହିଲା, ‘ମାଷ୍ଟ୍ରେ, ଦୀନାଟା ଆଉ ରହି ପାରିବ ନାହିଁ ।

 

‘ଦୀନା ? ଦୀନା ?? କେଉଁଠି ପଡ଼ିଛି ସେ ? ଚାଉଳ ଦିଟା ହାଣ୍ଡିରେ ପକାଇ ମାଷ୍ଟ୍ରେ ପଚାରିଲେ । ତାଙ୍କର ଏହି ପ୍ରଶ୍ନ ଭିତରେ ଥିଲା ଆଶଙ୍କା ଓ ବ୍ୟଗ୍ରତାର ଗୋଟାଏ ସୂକ୍ଷ୍ମ ସୂଚନା ।

 

କାଙ୍ଗାଳଟି କହିଲା, ‘ବଡ଼ ବଜାରରୁ ଭିକମାଗି ଭାପୁର ବାଟେ ଫେରୁଥିଲି । ଦେଖିଲି ବାରାକ୍‌ ପାଖ ଟିଣ ଘରର ଗୋଟାଏ କୋଣରେ ପଡ଼ିଛି ଗୋଟାଏ ଲୋକ । ପାଖକୁ ଯାଇ ଦେଖିଲି-ଦୀନା । ଡାକିଲି ଦୀନା, ଦୀନା । ଚାରି ଡାକରେ ଜବାବ, ଦେଲା, ହୁଁ । ଉଠିଲା ନାହିଁ କି ହଲଚଲ ହେଲାନାହିଁ । ଆଜି ରାତି ଯାଏ କି ନ ଯାଏ । ଲୋକଟି କଥା ଶୁଣୁ ଶୁଣୁ ବୁଢ଼ା ଚୁହ୍ଲିରେ ଜଳୁଥିବା ନିଆଁ ଆଡ଼କୁ ଏକ ଦୃଷ୍ଟରେ ଚାହିଁ ଚାହିଁ ଅନ୍ୟ ମନସ୍କ ଭାବରେ କହିଲା, ହୁଁ’ ।

 

ଆଜିକୁ ସାତ ଦିନ ହେବ ବୁଢ଼ା ଭିକ ମାଗି ମାଗି ଗୋପାଳପୁର ପର୍ଯ୍ୟନ୍ତ ଚାଲି ଯାଇଥିଲା । ସେହି ଦିନୁ ଦୀନାକୁ ସେ ଦେଖି ନାହିଁ ।

 

ତୋଟାରେ ଥିବା ସବୁ କାଙ୍ଗାଳଗୁଡ଼ିକ ବୁଢ଼ାକୁ ମାନନ୍ତି, ବୁଢ଼ାକୁ ମାଷ୍ଟ୍ରେ ବୋଲି ଡାକନ୍ତି । କାଙ୍ଗାଳଙ୍କ ଭିତରେ ଥରେ ବୁଢ଼ାର ଗୋଟାଏ ଚିହ୍ନାଲୋକ ଆସିଥିଲା; ସେ ଯେ କୁଆଡ଼େ ଗଲା କି ମଲା, କିଏ ତାର ଖବର ରଖିଛି ? ସେହି ଲୋକଟି ବୁଢ଼ାର ଘର କଥା କହୁଥିଲା ।

 

ଗଞ୍ଜାମ ଜିଲା ସୀମାନ୍ତ ଦେହରେ ପୁରୀ ଜିଲାର ସରହଦ ଯେଉଁଠି ମିଶି ଯାଇଛି, ସେହି ଅଞ୍ଚଳର ଗୋଟାଏ ଗାଁରେ ବୁଢ଼ାର ଘର । ବୟସ ଥିଲା ବେଳେ ସେ ଅନେକ ବର୍ଷ ଧରି ଖଣ୍ଡେ ଗାଁ ଚାହାଳୀରେ ପାଠ ପଢ଼ାଉଥିଲା । ସେହି ଦିନୁଁ ସମସ୍ତେ ତାକୁ ମାଷ୍ଟ୍ରେ ବୋଲି ଡାକନ୍ତି ।

 

ମାଷ୍ଟ୍ରଙ୍କ ଧନୁର୍ଦ୍ଧର ତିନିଟା ପୁଅ ଥିଲେ; ତିନି ତିନିଟା ବୋହୂ ଥିଲେ, ବଡ଼ ପୁଅର ଦୁଇଟି ପୁଅ, ଗୋଟିଏ ଝଅ ଥିଲା, ହଳ ହଡ଼ା ଥିଲା, ବର୍ଷକ ଚଳିବା ମାଫିକ ଚାଷବାସ ଥିଲା ।

 

ସେ ବର୍ଷ ଗାଁରେ ଲାଗିଲା ଭୀଷଣ ହଇଜା । ଘରକୁ ଘର ପଦା ହୋଇଗଲା । ବୁଢ଼ାର ତିନି ପୁଅ ଗଲେ, ଦୁଇ ବୋହୂ ଗଲେ, ବଡ଼ ନାତିଟା ମଧ୍ୟ ଗଲା; ରହିଲା କେବଳ ବିଧବା ସାନ ବୋହୂ ଆଉ ସାନ ନାତି ନାତୁଣୀ ଦୁଇଟା । ବୋହୂଟି ବୁଢ଼ାକୁ ଫୁଟାଇ ଦିଏ, ନାତି ନାତୁଣୀଙ୍କୁ ଚଳାଏ-। ଚାଷ କରିବ କିଏ ? ବୁଢ଼ା ହଳହଡ଼ା ବିକି ଦେଲା । ଯେଉଁ ବର୍ଷ ଜ୍ୱର ଭୋଗି ଭୋଗି ବୋହୂଟା ଆଉ ତା ସାଙ୍ଗେ ସାଙ୍ଗେ ନାତିଟା ମଲା, ସେହି ବର୍ଷ ମଧ୍ୟ ଖଜଣା ବାକୀରେ ବୁଢ଼ାର ଜମିଜମା ନିଲାମ ହୋଇଗଲା । ବୁଢ଼ା ଗୋଟାଏ ଦୀର୍ଘ ନିଶ୍ୱାସ ପକାଇ ନାତୁଣୀଟାକୁ ପାଖକୁ ଟାଣି ଆଣିଲା । ଏହି ପିଲା ଖଣ୍ଡିକ ରହିଲା ଏଡ଼େ ବଡ଼ ସଂସାରରେ ତାର ସମ୍ବଳ । ଏହି ପିଲାଟି ଭିତରେ ଜଗି ରହିଲା ତାର ଲୁପ୍ତ ପ୍ରାୟ ସଂସାରର ସ୍ମୃତି ।

 

ଗାଆଁ ରେ ପୁଣି ବୁଢ଼ା ଚାଟଶାଳୀ ଫିଟାଇଲା । ସେଥିରୁ ଯାହା ମିଳେ ସେଥିରେ ବୁଢ଼ାଟି ଆଉ ତାରି ଚାରି ବର୍ଷର ନାତୁଣୀଟି ବେଳାଏ ଖାଇ ବେଳାଏ ଉପାସ ରହି ଚଳି ଯାଉଥିଲେ ।

 

ତା ପରେ ଆସିଲା ଝଡ଼, ତାପରେ ଅକାଳ ଦୁର୍ଭିକ୍ଷ, ଝଡ଼ରେ ବୁଢ଼ାର ଘର ଭାଙ୍ଗି ଗଲା; ତା ତଳେ ପଡ଼ି ନାତୁଣୀଟି ମଲା । ତା ଜୀବନର ଶେଷ ଦୀପଶିଖାଟି ଲିଭିଗଲା । ସଂସାରର ସବୁ ସମ୍ବଳ ସରିଲା । ବୁଢ଼ା କିଛି ଦିନ ମାଟି କାମୁଡ଼ି ଗାଆଁ ରେ ପଡ଼ି ରହିଲା । ତା’ ପରେ ଆସିଲା ନିର୍ମମ ଅନ୍ନଭାବ । ଓଡ଼ିଶାର ହଜାର ହଜାର ଲୋକଙ୍କ ପରି ବୁଢ଼ାକୁ ମଧ୍ୟ ଦାଣ୍ଡର କାଙ୍ଗାଳରେ ପରିଣତ କଲା ।

 

ବୁଢ଼ା ଭିକମାଗି ବୁଲେ । ଯେଉଁ ଦିନ ମିଳେ ସେ ଦିନ ଖାଏ । ଯେଉଁ ଦିନ ନ ମିଳେ ସବୁ କାଙ୍ଗାଳଙ୍କ ପରି ସେ ଦିନ ସେ ମୁହଁ ବୁଜି ପଡ଼ିରହେ; କିନ୍ତୁ ସବୁବେଳେ ତା ଛାତି ଭିତରେ ଜୀଇଁ ରହିଥାଏ ଗୋଟାଏ ବିରାଟ କ୍ଷୁଧା, ଗୋଟାଏ ତୀବ୍ର ହାହାକାର । କାଙ୍ଗାଳ ପିଲାଗୁଡ଼ିଙ୍କୁ ଦେଖିଲେ ସେ ଚାହିଁ ରହେ–ସେହିମାନଙ୍କ ଭିତରେ ଯେପରି କି ସେ ତାର ହଜି ଯାଇଥିବା ଆପଣା ଲୋକ ଗୁଡ଼ିକୁ ଖୋଜୁଛି । ସେ ତା ପାଖରେ ଥିବା କାଙ୍ଗାଳ ଗୁଡ଼ିକର ସେ ଖବର ନିଏ; ସେମାନଙ୍କର ଘର କେଉଁଠି, ସେମାନଙ୍କର ଅଛି, କିଏ ସେମାନେ ଥିଲେ କେମିତି–ଏସବୁ କଥା ପଚାରେ; ଆଉ ସେମାନଙ୍କ ଭିତରୁ ଯେ ପଡ଼ିଗଲା, ଯେ ଅକ୍ଷମ ହୋଇଗଲା; ଯେ ମରଣ ଦ୍ୱାରରେ ପହଞ୍ଚିଗଲା, ତା ପାଇଁ ବୁଢ଼ାର ଖାଇବା ହାଣ୍ଡିରୁ ମୁଠାଏ ଭାତ, ମୁହଁରୁ ପଦେ କଥା ସବୁବେଳେ ଥାଏ । ବୁଢ଼ା ମନେକରେ ଏ କାଙ୍ଗାଳ ଗୁଡ଼ିକ ଯେପରି ତାର ଆପଣାର, ତା ଚାରି ପାଖରେ ଥିବା ସବୁ ଭୋକିଲା ଯାକ ଯେପରି ଗୋଟାଏ ପରିବାରର ଲୋକ ଏହି ମହାମାରୀରେ କେତେ ପିଲା ତାରି କୋଳରେ ଶେଷ ନିଃଶ୍ୱାସ ଛାଡ଼ିଛନ୍ତି, କେତେ ଲୋକ ତାରି ମୁହଁକୁ ଚାହୁଁ ଚାହୁଁ ଆଖି ବୁଜିଛନ୍ତି-। ବୁଢ଼ା ତାର ହିସାବ ରଖି ନାହିଁ; କିନ୍ତୁ ମୃତ୍ୟୁର ଚେହେରା ସହିତ ତାର ଘନିଷ୍ଠ ପରିଚୟ, ଶେଷ ମୁହୂର୍ତ୍ତ ସହିତ ତାର ଏକ ପ୍ରକାର ଆତ୍ମୀୟତା ହୋଇ ସାରିଛି; ସେଥିପାଇଁ ଜୀବନ୍ତ ପ୍ରତି ତାର ମାୟା, ମମତା ଓ ସମବେଦନାର ସୀମା ନ ଥାଏ ।

 

ଲାଞିପଲ୍ଲୀ ତୋଟାରେ ବୁଢ଼ା ରହିବା ଦିନଠାରୁ ତାର ଏକ ନୂଆ ସଂସାର ସୃଷ୍ଟି ହୋଇଛି-। ବୁଢ଼ା ସହର ଭିତରୁ ଚାଲି ବୁଲି ଭିକ ମାଗି ଆଣେ । ତାର ଗୁଡ଼ିଆ ଦୋକାନଗୁଡ଼ାକ ପ୍ରତି ବେଶି ଦୃଷ୍ଟି, କେଉଁଠୁ ଦିଟା ପକୋଡ଼ି, କେଉଁଠୁ ପୁଞ୍ଜାଏ ଉଖୁଡ଼ା, କେଉଠୁଁ ଖଣ୍ଡେ ଗଜା ସଂଗ୍ରହ କରିବାରେ ତାର ବେଶି ତତ୍‌ ପରତା । ଯାହା ଚାଉଳ ପାଏ, ତାହା ଫୁଟାଏ–ନିଜେ କିଛି ଖାଏ–ଆଉ ସେଦିନ ଯାହାକୁ ଭିକ ନ ମିଳେ ଯେ ଅକ୍ଷମ ହେବାରୁ ଭିକ ମାଗି ଯାଇ ପାରିନାହିଁ, ଏପରି ଲୋକ ଦେଖି ମୁଠାଏ ମୁଠାଏ ଦିଏ । ବୁଢ଼ା ତୋଟାକୁ ଫେରିବା ସଙ୍ଗେ ସଙ୍ଗେ ତା ଚାରି ପାଖରେ ହାଡ଼ ଚମ ବାକୀ ରହିଥିବା ମଣିଷ ପିଲା ଗୁଡ଼ିକର ଭିଡ଼ ଲାଗିଯାଏ, ବୁଢ଼ା କାହା ହାତରେ ଦିଏ ଖଣ୍ଡେ ପକୋଡ଼ି, କାହା ହାତରେ ଅଧ ଖଣ୍ଡେ ଗଜା; କାହା ହାତରେ ବା ଦୁଇଟା ଉଖୁଡ଼ା । ପିଲା ଗୁଡ଼ିକ ସେ ସବୁକୁ ଧରି ଗିଳି ପକାନ୍ତି । ବୁଢ଼ା ଏକ ଦୃଷ୍ଟିରେ ସେମାନଙ୍କୁ ଚାହିଁ ରହିଥାଏ ।

 

ରାତିରେ ଦୁଇ ଚାରିଟା କାଙ୍ଗାଳ ବୁଢ଼ାର ଶୋଇବା ସ୍ଥାନ ପାଖକୁ ଆସି ବସନ୍ତି, ବୁଢ଼ା; ସହିତ ଗଳ୍ପ ଆରମ୍ଭ କରନ୍ତି । ବଡ଼ ବଜାରର ଜଣେ ଗାନ ଦେକାନୀ, ସେ ନୀତି ଖବର କାଗଜ ପଢ଼େ, ବୁଢ଼ା ତାରି ଦୋକାନରେ ନିତି ପହଁଚି ସବୁ ଖବର ପୁଣି ଆସେ । ଏହି କାଙ୍ଗାଳମାନଙ୍କର ଏ ଅବସ୍ଥା ପାଇଁ ଦାୟୀ କିଏ, ବୁଢ଼ା ସେ କଥା ମନେ ମନେ ଠିକ୍‌ କରି ନେଇଛି । ତା ମନ କଥା ସମୟ ସମୟରେ ସେ କାଙ୍ଗାଳମାନଙ୍କୁ କହେ ।

 

ସେ ଦିନ ମୂଳିଆ କାଙ୍ଗାଳ ବୁଢ଼ାକୁ କହିଲା, ଗାଁଆ ଛାଡ଼ିଲୁ, ଗଣ୍ଡା ଛାଡ଼ିଲୁ; ଘର ଗଲା ଦ୍ୱାର ଗଲା; ପିଲା କବିଲା ବାଟ କଡ଼ରେ ପଡ଼ି ମଲେ । ଏମିତି ଘଟଣା କେତେଦିନ ଲାଗିଥିବ ? ଆମର ଭାଗ୍ୟ କଅଣ ଆଉ ଫେରିବ ନାହିଁ ମାଷ୍ଟ୍ରେ ?

 

ମାଷ୍ଟ୍ରେ ଛିଣ୍ଡା କନାରେ ଗଣ୍ଠି ପକାଉ ପକାଉ କହିଲେ, ଫେରିବ ଫେରିବ–ତୁ ଯେତେବେଳେ ମରିବୁ ସେତେବେଳେ ତୋ ଭାଗ୍ୟ ଫେରିବ । ବଞ୍ଚିଲେ ନୁହେଁ–ବଞ୍ଚିଲେ ନୁହେଁ । ଆରେ ତୋ ବଞ୍ଚିବାଟା ବିରୁଦ୍ଧରେ ଖୁବ ବଡ଼ ବଡ଼ ଲୋକେ ଲାଗ ପଡ଼ିଛନ୍ତି ଖୁବ ବଡ଼ ବଡ଼ ଲୋକେ ତୋ ତଣ୍ଟି ଚିପି ତୋ ମୁହରୁ, ଖାଇବା ଗଣ୍ଡାକ କାଢ଼ି ନେଉଛନ୍ତି । ତେବେ, ତୁ ଚାହିଁ ଥିବୁ–ଏମିତି ଜଳ ଜଳ କରି ଚାହିଁ ଥିବୁ । ସେମାନେ ନେଉଥିବେ, ବାଣ୍ଟୁଥିବେ ବଳିଲେ ଫିଙ୍ଗୁ ଥିବେ । ତାଙ୍କ ଇଚ୍ଛା, ତାଙ୍କ ଖୁସି, ତାଙ୍କ ମନ । ତୁ କିଏ ? ତୁ ବଞ୍ଚିବୁ କାହିଁ କି ?

 

ବୁଢ଼ା ତୁନୀ ହୋଇଗଲା ।

 

ମୂଳିଆ କିଛି ବୁଝି ପାରିଲା ନାହିଁ । ସେ ଜାଣେ ବୁଢ଼ା ଅନେକ ସମୟରେ ବାୟାପରି ବକେ, ସେମିତି ବକୁଛି । ସେ ଦେଖୁଛି ବୁଢ଼ା ବଡ଼ ବଜାରର ସେ ପାନ ଦୋକାନ ପାଖରେ ଛିଡ଼ା ହୋଇ ସେଦିନ ଖବର କାଗଜ ଶୁଣି ଥିଲା । ବୁଢ଼ା ତ କଣ ଏମିତି ବକିଲା । ମୂଳିଆ ଟିକିଏ ରହିଯାଇ ପୁଣି କହିଲା, ଆମେ ଖାଇବାକୁ ନ ପାଇ କଣ ଏମିତି ମରୁଥିବା ।

 

ମାଷ୍ଟ୍ରେ ଛିଣ୍ଡାକନାକୁ ସଜାଡ଼ୁ ସଜାଡ଼ୁ କହିଲେ, ‘ହଁ ମରୁ ଥିବ, ଅଲବତ୍‌ ମରୁଥିବ, ମରିବାକୁ ବାଧ୍ୟ । ତମ ବାପ ଏମିତି ମରି ଛନ୍ତି, ଗୋସାଇଁ ବାପ ମରିଛନ୍ତି, ତମରି ପିଲା କବିଲା ସେମିତି ମଲେ–ତମେ ମରିବ । ତମେ ? ତମେ କିଏ ହୋ ତମେ ଖାଇବାକୁ ପାଇବ ? ତମର ବଳ ଅଛି; ତମର ଜୋର ଅଛି, ତମର ଛାତିରେ ସାହସ ଅଛି ? ତମ ମୁହଁର ଭାତ ମୁଠାକ ସେମାନେ ଯେମିତି କାଢ଼ି ନେଉଛନ୍ତି, ସେମିତି ତମେ ତାଙ୍କ ହାତମୁଠାରୁ ତାହା ଛଡ଼ାଇ ଆଣି ପାରିବ ? ନା, ପାରିବ ନାହିଁ–ସେ କଥା ତମ ଦିହାତି ହେବନାହିଁ । ତମେ ଗରିବ, ଅଲବତ୍‌ ମରିବ । ନ ଖାଇ ମରିବାକୁ ଜନ୍ମ ହୋଇଛ; ମରିବ ନାହିଁ ?

 

ସେତେବେକୁ ଦୁଇ ଚାରି ଜଣ କାଙ୍ଗାଳ ବୁଢ଼ା ପାଖରେ ଆସି ପହଁଚି ଯାଇଥିଲେ । ସେମାନଙ୍କ ଭିତରୁ ଜଣେ କହିଲା; ମାଷ୍ଟ୍ରେ କଣ ଖବର ଆସିଛି ?

 

‘ହଁ ଆସିଛି, ଖବର ଆସିଛି । ଖବର ଆସିଛି, ଯାହାର ଧନ ଅଛି, ଯାହାର ବଳ ଅଛି, ସେ ତମର ତଣ୍ଟି ଉପରେ ଆହୁରି ଦମ୍ଭରେ ଛିଡ଼ା ହେବେ, ତମର ଏହି ଛାତିର ପିଞ୍ଜରା ହାଡ଼ ଚାରି ଖଣ୍ଡ ଉପରେ ନାଚିବେ । ତୁମେ ରକ୍ତ ବାନ୍ତିକରିବ–ମରିବ, ଆଉ ସେମାନେ ତମରି ମଲା ମୁର୍ଦ୍ଦାର ଉପରେ ବସି ମଉଜ କରିବେ, ବୁଝିଲୁ ।’

 

ସେତେବେଳକୁ ବୁଢ଼ା ମୂଳିଆ ମୁହଁକୁ ଚାହିଁ ରହିଛି; କୋରଡ଼ ଭିତରେ ପଶି ରହିଥିବା ତା ଆଖି ଦୁଇଟାରୁ ଯେପରି କି ନିଆଁ ବାହାରି ପଡ଼ୁଛି । ମୂଲିଆ ତା ଆଡ଼କୁ ଚାହିଁ ଡରିଗଲା ।

 

ବୁଢ଼ା ନିଜ ମନକୁ ନିଜେ କହିଲା ପରି କହି ଚାଲିଲା, ହଁ ସେମାନେ ତମ ଛାତି ଉପରେ ନାଚିବେ–ନାଚିଛନ୍ତି-ନାଚି ଆସିଛନ୍ତି–ତମେ ? ତମେ ଗୁଡ଼ାକ କିଏ ? ତମକୁ ପଚାରେ କିଏ ? ତୁମେ ମୂଲିଆ ଗୁଡ଼ାକ । ତମେ ଚାଷ କରି ଫସଲ କର; ଖାଏ କିଏ ? ତୁମେ ? ନା ନା; ଖାଇବାବାଲା ତମେ ନୁହ, ଖାଇବାବାଲା ଡକେଇତ, ଚୋର, ପାଜି–ଯେ ତୁମଠାରୁ କଳେ ବଳେ କୌଶଳେ ଫସଲ ଛଡ଼ାଇ ନିଏ, ଆଉ ତମେ ଭୋକିଲା ରହି ଶୁଖି ଶୁଖି ମର; ଆଜି ଯେମିତି ଝଡ଼ିଆ ପୋକପରି ମରୁଛ ସେମିତି ମର । ମୂଳିଆ ନିଜ ଦେହର ରକ୍ତକୁ ଝାଳକରି କୋଠା ଗଢ଼େ, ଦୋତାଲା ଗଢ଼େ;–ରହେ କିଏ ? ରହିବାବାଲା ସେହି ଡକାଇତ, ଚୋର, ଦଗାବାଜ । ଆଉ ମୂଲିଆ ବିଚାରାର କୁଡ଼ିଆ ଖଣ୍ଡିକ ମଧ୍ୟ ରହେ ନାହିଁ; ସେ ବାଟ କଡ଼ରେ ଥିବା ଗଛତଳେ ପଡ଼ି ମରେ–ଆଜି ମରୁଛି । ତମେ ମରିବ ନାହିଁ–ତମେ ସାଦା ସିଧା ଲୋକ, ଡକାଇତି କରିବାକୁ ତମର ବଳନାହିଁ, ଚୋରି କରିବାକୁ ତମର ଡର ଅଛି, ଦଗାବାଜି କରିବାଟାକୁ ତମେ ଘୃଣାକର; ତମେ ମରିବ ନାହିଁ, ମରିବ କିଏ ?

 

ମୂଳିଆ ମନେ କଲା ବୁଢ଼ାର ମୁଣ୍ଡ ଆଜି ବେଶି ଖରାପ ହୋଇଛି, ସେ ସେଠୁ ଉଠି ପଳାଇଲା । ପାଖ ଗଛତଳେ ମାଆ ପାଖରେ ଶୋଇଥିବା ଗୋଟାଏ କାଙ୍ଗାଳପିଲା ବୁଢ଼ା ପାଟିରେ ନିଦରୁ ଉଠି ଆଖି ମଳି ମଳି ତା ପାଖରେ ଆସି ପହଞ୍ଚିଲା । ବୁଢ଼ା ତାକୁ ଡାକି ନେଇ ନିଜ ପାଖରେ ବସାଇ ତାର ନୁଖୁରା ମୁଣ୍ଡଟାକୁ ଆଉଁ ଷି ଦେଉ ଦେଉ କହିଲା, ‘ଏହି ମରଣ, ଏହି ମଡ଼କ, ଏହି ମଣିଷ ମରୁଡ଼ି–ଏହାରି ଭିତରେ ରହିଛି ତମର ଜୀଇବାର ମନ୍ତ୍ର । ଏହାରି ଭିତରେ ରହିଛି ଏ ରୋଗର ମହୋଷଧି । ତମେ ମର, ଯେତେ ପାରୁଛ ସେତେ ମର କ୍ଷତି ନାହିଁ, ଖାଲି ଜାଣିରଖ ତମେ ହେଉଛ ଦେଶର ଶହକେ ୯୯ ଜଣ । ତମ ଭିତରୁ ସମସ୍ତେ ଅନ୍ନର କାଙ୍ଗାଳ; କିଏ ବର୍ଷରେ ମାସେ, କିଏ ଦୁଇ ମାସ, କିଏ ଛ ମାସର କାଙ୍ଗାଳ ପ୍ରଭେଦ ଏତିକି । କାଙ୍ଗାଳ ସମସ୍ତେ କିନ୍ତୁ କାଙ୍ଗାଳ ହୋଇଯିବା ଡର ସମସ୍ତଙ୍କର । ସେଇଥିପାଇଁ କାଙ୍ଗାଳମାନଙ୍କ ଭିତରେ ମାଡ଼ ପିଟା । ବଳୁଆ କାଙ୍ଗାଳ ଦୁର୍ବଳିଆ କାଙ୍ଗାଳଠାରୁ ମୁହଁର ଗ୍ରାସ ଛଡ଼ାଇ ନେବାକୁ ଚେଷ୍ଟା କରୁଛି; ଦୁହିଁଙ୍କ ଭିତରେ ମାରପିଟ ଲାଗିଛି; ଦୁହେଁ ଦୁର୍ବଳ ହୋଇ ପଡ଼ୁଛନ୍ତି; ଆଉ ଶାଗୁଣା ପରି ଉପରେ ବସିଛି ଧନୀ–ସେ ଦୁହିଙ୍କ ମାଉଁ ସ ଖାଉଛି । ତମେ ଗୁଡ଼ାକ ମୂର୍ଖ, ତମେ ଗୁଡ଼ାକ ବୋକା, ତମେ ଗୁଡ଼ାକ ବୁଦ୍ଧିହୀନ । ଏ ସବୁ ଦେଖୁଛ, ଜଳକା ପରି ଚାହିଁ ରହିଛ । କିଛି ବୁଝି ପାରୁନା; ବୁଢ଼ା ହେଲିଣି, ଦେହରେ ରକ୍ତ ନାହିଁ । ଚମ ଶୁଖି ଶୁଖୁଆ ହୋଇ ଗଲାଣି, ତଥାପି ଏ ସବୁ ଦେଖି ଦେଖି ମୋର ହାଡ଼ ଗୁଡ଼ାକ କଡ଼ କଡ଼ ଡାକ ଦିଏ, ଛାତି ଭିତରୁ କିଏ ଗୋଟାଏ ହୁଙ୍କାର ମାରେ; ଅଙ୍ଗୁ ଳିର ହାଡ଼ଗୁଡ଼ାକ ମୁଠା ହୋଇ ଯାଏ ।’

 

ବୁଢ଼ା ତୁନୀ ହୋଇଗଲା, ତା ପାଖରେ ବସିଥିବା କାଙ୍ଗାଳମାନେ ମନେକଲେ ବୁଢ଼ାଟାର ମୁଣ୍ଡ ଆଜି ବେଶି ଗରମ ହୋଇ ଯାଇଛି; ସେଇଥିପାଇଁ ସେ ବେଶି ବକୁଛି ।

 

ବୁଢ଼ା ତାକୁ ଆଉଜି ବସିଥିବା ପିଲାଟାର ଛାତି ହାଡ଼ ଉପରେ ହାତ ବୁଲାଉ ବୁଲାଉ କହି ଚାଲିଲା, ‘ପିଲାର ଏହି ଛାତିହାଡ଼ ଗୁଡ଼ାକ ଏ ଅନ୍ୟାୟ ବିରୁଦ୍ଧରେ ଡାକ ଛାଡ଼ୁଛି; ଏ ଅତ୍ୟାଚାରର ବିଚାର ପାଇଁ ଦାବୀ କରୁଛି । ଏହାର ବିଚାର ହେବ; ଏହି କାଙ୍ଗାଳମାନେ ଏହାର ବିଚାର କରିବେ । ଏମାନଙ୍କର ରକ୍ତ ଚୋରିକରି ଯେଉଁ ମାନେ ମୋଟ ହୋଇଛନ୍ତି, ସେମାନଙ୍କ ରକ୍ତ ଛାଏଁ ଛାଏଁ ଶୁଖି ଯିବ, ଏମାନଙ୍କ ଘର ଭାଙ୍ଗି ନେଇ, ଯେଉଁ ମାନେ ପକା ତୋଳିଛନ୍ତି ସେମାନଙ୍କ ଘର ଚୂନା ହୋଇଯିବ । ବୈଶାଖ ମାସର ବଣ–ନିଆଁ ପରି ପୃଥିବୀଟା ଉପରେ ନିଆଁ ର ଲହରୀ ଧାଇଁ ବୁଲିବ, ଆଉ ତା ଭିତରେ ଆନନ୍ଦରେ ତାଳିମାରି ନାଚ କରିବେ–ଏମିତି ପିଲା । ହେଇ ସିଦ୍ଧି ଆ, ଟିକିଏ ନାଚ–ଆରେ ଟିକିଏ ଭଲା ନାଚେ ।’

 

ବୁଢ଼ାକୁ ଆଉଜି ବସିଥିବା ପିଲାଟା କହିଲା, ‘ଏଁ’,–

 

‘ଆରେ ଉଠ, ଟିକିଏ ଠିଆ ହ, ଟିକିଏ ନାଚ ।’

 

‘ନାହିଁ ମାଷ୍ଟ୍ରେ, ନିଦ ଲାଗୁଛି ।’

 

‘ହଉ, ହଉ, ଶୁଅ, ମୋତେ ଆଉଜି ଶୋଇପଡ଼ । ଶୁଅ, ଶୁଅ; ମୁଁ ମଧ୍ୟ ସେତେବେଳକୁ ଶୋଇ ପଡ଼ିଥିବି–ମହାମଉଜରେ, ମହା ଆନନ୍ଦରେ, ସେ ନିଦରୁ ଉଠି ବା କଥା ନାହିଁ–ବୁଝିଲୁ । ଦୁଃଖ ରହିଲା ଏତିକି, କାଙ୍ଗାଳ ପିଲାଙ୍କ ଖୁସି ନାଚ ଦେଖି ପାରିବି ନାହିଁ, କାଙ୍ଗାଳମାନେ ଯେତେବେଳେ ତାଙ୍କ ହାଡ଼ୁ ଆ ହାତରେ ନୂଆ କରି ଦୁନିଆକୁ ଗଢ଼ିବେ, ସଜାଇବେ, ତାହା ଦେଖିବା ପାଇଁ ମୁଁ ନ ଥିବି । ହଉ, ଶୁଅ–ମୋରି ପାଖରେ ଶୁଅ ।’

 

ବୁଢ଼ା ତଳେ ବିଛାହୋଇଥିବା ଛିଣ୍ଡା ଅଖା ଉପରେ ଗଡ଼ି ପଡ଼ିଲା, ପିଲାଟି ତାରି ପାଖରେ ଶୋଇଲା ।

 

ଏକୋଇଶି

 

ବୁଢ଼ା ଭିକ ମାଗେ, ଖାଏ, ଖୁଆଏ, ନିଜ ମନକୁମନ ବକେ–ଏମିତି ଚାଲୁଥିଲା, ଲାଞ୍ଜି ପଲ୍ଲୀ ତୋଟାର ସେ ଗଛଟା ମୂଳରେ ଦୀନା ଆସି ପଡ଼ିବା ଦୀନରୁ ବୁଢ଼ାର ଆଉ ଗୋଟାଏ ଢଙ୍ଗ ଦେଖା ଦେଲା । ସବୁ କାଙ୍ଗାଳକୁ ବୁଢ଼ା ନିଜର ଲୋକପରି ଦେଖେ; କିନ୍ତୁ ଦୀନା ପାଇଁ ତା ହୃଦୟରେ ଯେପରି କି ଗୋଟାଏ ଅଲଗା ସ୍ଥାନ ଥିଲା । ବୁଢ଼ାର ବଡ଼ପୁଅର ଚେହେରାର ଗୋଟାଏ ଢାଞ୍ଚା ଦୀନାର ଚେହେରାରେ ଥିଲା,–ସେମିତି ପୃଥିବୀର ଅନେକ ଲୋକଙ୍କ ଚେହେରାର ଢଙ୍ଗ ଆଉ ଅନେକ ଲୋକଙ୍କ ଭିତରେ ଥାଏ; କିନ୍ତୁ ବୁଢ଼ା ତାରି ଭିତରେ ତାର ହଜି ଯାଇଥିବା ଅତୀତର ଗୋଟାଏ ସ୍ପର୍ଶ ଅନୁଭବ କରୁଥିଲା । ସେଥିପାଇଁ ସହସ୍ର କାଙ୍ଗାଳ ଭିତରେ ବୁଢ଼ା ଦୀନାକୁ ଆପଣାର ଲୋକ ବୋଲି ମନେ ମନେ ଧରି ନେଇଥିଲା । ତେଣୁ ବ୍ରହ୍ମପୁରର ବଡ଼ବଜାର ଠାରେ ଭିକମାଗି ଭାଆପୁର ବାଟେ ଫେରିଥିବା କାଙ୍ଗାଳଟି କଥା ଚୂଲ୍ଲୀ ପାଖରେ ଶୁଣୁ ଶୁଣୁ ବୁଢ଼ା ଅନ୍ୟମନସ୍କ ଭାବରେ କହିଲା–‘ହୁଁ !

 

ବୁଢ଼ା ପାଟିରୁ ଆଉ କଥା ବାହାରିଲା ନାହିଁ । ସାଉଣ୍ଟି ଆଣିଥିବା ଶୁଖିଲା ଡାଙ୍ଗି ରୁ ଖଣ୍ଡେ ଖଣ୍ଡେ କରି ଚୂଲ୍ଲୀରେ ମୁହାଁଇବାରେ ସେ ଲାଗିପଡ଼ିଲା ।

 

ଆଉ ଗୋଟାଏ କାଙ୍ଗାଳ ଆସିଲା ବୁଢ଼ା ପାଖକୁ । କହିଲା, ମାଷ୍ଟ୍ରେ, କାଲି ସକାଳୁ ମୁଁ ଇଚ୍ଛାପୁର ଆଡ଼କୁ ଯାଉଛି ।’

 

ଅନ୍ୟ ଦିନ ହୋଇଥିଲେ ବୁଢ଼ା ତାକୁ ଅନେକ କଥା କହିଥାନ୍ତା । ଆଜି ତା କଥା ଶୁଣି ସେ କେବଳ କହିଲା, ‘ହୁ, ଆଉ ଜଳନ୍ତା ଚୂଲ୍ଲୀ ଆଡ଼କୁ ଚାହିଁ ରହିଲା ।

 

କାଙ୍ଗାଳ ପିଲାଟିଏ ଆସିଲା, ଡାକିଲା, ‘ମାଷ୍ଟ୍ରେ, ମାଷ୍ଟ୍ରେ, ବୁଢ଼ା କହିଲା, ହୁଁ ।’

 

ତାପରେ ଚୁପ୍‌, ତାପରେ ଆଉ କିଛି କଥା ନାହିଁ ।

 

ମାଷ୍ଟ୍ରେ ସବୁଦିନେ ସବୁପିଲାକୁ ଆଦର କରନ୍ତି । ପାଖକୁ ଡାକି ନେଇ ବସାନ୍ତି । ସେମାନଙ୍କ ସଙ୍ଗରେ ଗଳ୍ପ କରନ୍ତି । ଏ ପିଲାଟି ମଧ୍ୟ ସବୁଦିନେ ବୁଢ଼ାଠାରୁ ଆଦର ଯତ୍ନ ପାଏ । ୧୦।୧୫ ଦିନକାଳ ବୁଢ଼ା ଏଠି ନଥିଲା; ଆଜି ଆସିଛି । ସେ ତା ପାଖକୁ ଆସିଲା, ତାକୁ ଡାକିଲା, ବୁଢ଼ା ତାକୁ କିଛି କହିଲା ନାହିଁ । ପିଲାଟି କେତେବେଳ ଯାଏ ସେଠାରେ ଛିଡ଼ାହୋଇ ରହିଲା । ତା ପରେ ଅଭିମାନରେ ଫେରିଗଲା ଆଉ ଗୋଟାଏ ଗଛମୂଳେ ବସିଥିବା ତା ବୋଉ ପାଖକୁ; ତା ପାଖରେ କାନ୍ଦିପକାଇଲା ।

 

ବୁଢ଼ା ମନ ଭିତରେ ବହୁଥିଲା ଗୋଟାଏ ଝଡ଼ । ଦୀନା–ଦୀନା ତାର କେହି ନୁହେଁ । ଲକ୍ଷ ଲକ୍ଷ କାଙ୍ଗାଳ ପରି ସେ ମଧ୍ୟ ଗୋଟାଏ କାଙ୍ଗାଳ । ସେ ପଡ଼ିଛି, ସେ ମରିଯିବ, ଏ କଥାରେ ତା ମନ ଭିତରଟାରେ ଏମିତି ଲେଉଟ ପାଲଟ ଲାଗିଛି କାହିଁକି ? କାଙ୍ଗାଳ ମରିବା ପଡ଼ିବା କିଛି ଗୋଟାଏ ନୂଆକଥା ନୁହେଁ । ତାହାରି ଆଖି ଆଗରେ ଶହ ଶହ କାଙ୍ଗାଳ ମରିଛନ୍ତି, ଏହି ବ୍ରହ୍ମପୁରରେ, ଏହି ତୋଟାରେ କେତେ ମରିଛନ୍ତି । ଗୋପାଳପୁର ଠାରୁ ବ୍ରହ୍ମପୁରକୁ ଫେରୁ ଫେରୁ ସେ ଦେଖିଥିଲା; ଗୋଟାଏ ତୋଟା କଡ଼ରେ ଗୋଟାଏ କାଙ୍ଗାଳର ଶବ ପଡ଼ିଥିଲା । ତାକୁ ବିଲୁଆ ଶାଗୁଣା ଖାଉଥିଲେ । ଆଉ କିଛି ଦୂର ନାଲି ଟାଙ୍ଗର ଭୂଇଁରେ ଥିବା ଏକୁଟିଆ ଗଛମୂଳେ ଆଉ ଗୋଟାଏ କାଙ୍ଗାଳ ଗଛକୁ ଆଉଜି ମରି ଯାଇଥିଲା । ତାପାଖରେ ଗୋଟାଏ କୁକୁର ବୁଲୁଥିଲା । ଏ ସବୁ ସେ ଅନେକ ଦେଖିଛି । କେତେ ମୁମୂର୍ଷୁ କାଙ୍ଗାଳ ମୁହଁରେ ସେ ଶେଷ ଢୋକ ପାଣି ଦେଇଛି । କାହିଁ, କାହାରି ପାଇଁ ତ ତା ମନ ଏମିତି ହୁଏ ନାହିଁ ? କାହିଁ କି ବା ହେବ ? ବୁଢ଼ା ତ ଭଲରୂପେ ଜାଣେ, ବଞ୍ଚିବା ଏମାନଙ୍କ ପକ୍ଷରେ ଅତି ଆଶ୍ଚର୍ଯ୍ୟର ବିଷୟ–ମରିବାଟା ନୁହେଁ, ବରଂ ମରିବାଟା ଏମାନଙ୍କ ପାଇଁ ଅତି ନିଶ୍ଚିତ ଘଟଣା । ଏମାନଙ୍କର ବଞ୍ଚିବାର ଅଧିକାର ଅଛି । ଏ କଥା ମାନି ନେବାକୁ କେହି ରାଜି ନୁହନ୍ତି । ଏମାନେ ବଞ୍ଚନ୍ତୁ ଏ କଥା ଭାବିବାଟା ଦୁନିଆରେ ଯେ କାହାରି କାମ ଏପରି ତ ଜଣାଯାଉ ନାହିଁ । ତେବେ ସେ ଦୀନାକଥା କାହିଁ କି ଭାବୁଛି ? ଦୀନା ବଞ୍ଚିଲେ କେତେ ନ ବଞ୍ଚିଲେ ବା କେତେ ?

 

ସେ ବିରକ୍ତ ହୋଇ ପାଖରେ ପଡ଼ିଥିବା ଛିଣ୍ଡା କନା ଖଣ୍ଡକୁ ଦୂରକୁ ପକାଇ ଦେଲା, ଚୂଲ୍ଲୀଟା ଲିଭାଇ ଦେଇ ତୁନି ହୋଇ ବସିପଡ଼ିଲା । ସେତେବେଳକୁ ଚୂଲ୍ଲୀ ଉପରେ ବସିଥିବା ହାଣ୍ଡିରେ ଚାଉଳ ଗଣ୍ଡାକ ଜାଉ ହୋଇ ସାରିଥିଲା ।

 

ବୁଢ଼ା ଖାଇବା ପାଇଁ କିଛି ଉଦ୍ୟମ କଲାନାହିଁ । ଗତ କାଲି ଏତିକିବେଳେ ମୁଠାଏ ଚୂଡ଼ା ଖାଇ ସେ ପାଣି ପିଇଥିଲା । ଚୂଲ୍ଲୀ ଲଗାଇଲାବେଳେ ସେ ଭାବିଥିଲା, ଚଞ୍ଚଳ ମୁଠାଏ ଖାଇ ଶୋଇ ପଡ଼ିବ, ଗୋଡ଼ ଦୁଇଟା ବିନ୍ଧୁଥିଲା; କିନ୍ତୁ କେଜାଣି କେମିତି ସବୁକଥା ଲେଉଟ ପାଉଟ ହୋଇଗଲା ।

 

ଫେର ସେହି ଦୀନା ? ସେ କିଏ ? ସେ ମଲେ ତାର କ୍ଷତି କଅଣ ? ତା ପୁଅ ମରିଥିଲା । ହଁ, ହଁ, ତା ପୁଅ ତା ବଡ଼ ପୁଅ ଯେ ଜନ୍ମ ହେଲାବେଳେ ତା ଘରେ ଆନନ୍ଦ ଉତ୍ସବ ଲାଗିଥିଲା: ଯାହାର ଏକୋଇଶା ଦିନ ସେ ବାହାବୁଡ଼ା ଶିରିଣୀ କରିଥିଲା, ଠିଆ ପାଲା କରିଥିଲା । ସେହି ପୁଅ ସେଉଟା ଦୀନା ପରିଥିଲା, ନା ? ଦୀନାକୁ ଦେଖିଲେ ସେ ଟୋକାଟା କଥା କାହଁ କି କେଜାଣେ ମନେ ପଡ଼ିଯାଏ; ଆଉ ତା ସଙ୍ଗରେ ମନେ ପଡ଼ିଯାଏ ଅନେକ ଦିନର ଅନେକ ପୁରୁଣା କଥା–ତା ଘର, ତା ସ୍ତ୍ରୀ, ତା ପୁଅ, ବୋହୂ, ନାତିନାତୁଣୀ ତା ହଳ ହଡ଼ା, ତା ଚାଷ ଜମି । ଏଗୁଡ଼ାକ ଆଜି ସ୍ୱପ୍ନର କଥା । ଦୀନାକୁ ଦେଖିଲେ କାହିଁକି କେଜାଣେ ଏ ସ୍ୱପ୍ନଗୁଡ଼ାକ ବେଳେବେଳେ ତା ମନରେ ଚେଇଁ ଉଠେ । ସେଇଥିପାଇଁ ବୋଧହୁଏ ଲକ୍ଷ ଲକ୍ଷ କାଙ୍ଗାଳ ଭିତରେ ଦୀନା କଥା ତାକୁ ବାଧୁଛି ।

 

ବୁଢ଼ା ତୁନୀହୋଇ କିଛି ସମୟ ବସିଲା । ଚୂଲ୍ଲୀ ଉପରେ ବସିଥିବା ହାଣ୍ଡି ଟିକୁ ଖଣ୍ଡେ ଛିଣ୍ଡା କନାରେ ବାନ୍ଧି ହାତରେ ଝୁଲାଇ ଧୀରେ ଧୀରେ ଅନ୍ଧାର ଭିତରକୁ ଚାଲିଲା ।

 

ବାଇଶି

 

‘ଦୀନା, ଦୀନା, ହେ ଦୀନା !

 

ବ୍ରହ୍ମପୁର ବାରାକ୍‌ସ ପଡ଼ିଆ ପାଖରେ ମୋଟର ଷ୍ଟେଣ୍ଡର ଟିଣ ଘର । ସାମନାରେ ଆଲୁଅ ଖୁଣ୍ଟ ବ୍ଳେକ୍‌ ଆଉଟ ମୁଖା ପିନ୍ଧା ପିନ୍ଧିଛି । ବିଜୁଳିବତୀ ଦ୍ୱାରା ଟିଣ ଘରର କେତେକ ଅଂଶରେ ଝାପ୍‌ସା ଆଲୁଅ ପଡ଼ିଛି । ସେ ଘର ପଛପାଖରୁ ଅନ୍ଧକାର ଘନୀଭୂତ ହୋଇ ତୋଟା, ପଡ଼ିଆ, ବିଲମାଳ ଟପି ପଶ୍ଚିମ ଦିଗର କେରାଣ୍ଡିମାଳ ପର୍ବତର କଳା ଦେହରେ ମିଶିଯାଇଛି ।

 

ଟିଣ ଘରର ସେପାଖର ଅନ୍ଧାରିଆ କଣରେ ଗୋଟାଏ ନରକଙ୍କାଳ ପଡ଼ିଛି । ତାରି ପାଖରେ ବସିପଡ଼ି ବୁଢ଼ା ଡାକିଲା, ‘ଦୀନା, ଦୀନା, ହେ ଦୀନା, ।’

 

‘ଦୀନା, ଦୀନା, ହେ ଦୀନା–ଦୁଇ ଡାକ, ଚାରି ଡାକ, ଛଅ ଡାକ ଜବାବ ନାହିଁ, ଉତ୍ତର ନାହିଁ ।

 

ତେବେ ଲୋକଟା କଅଣ ମରିଗଲା ? ବୁଢ଼ା ଦୀନା ଛାତିରେ ହାତ ଦେଲା, ଦେଖିଲା, ନା ମରି ନାହିଁ–ସେ ପର୍ଯ୍ୟନ୍ତ ଜୀବଟା ଅଛି ।

 

ପାଖରେ କଳା ପୋଷକରି ମୁନ୍ଦାଏ ପାଣି ଆଣି ବୁଢ଼ା ଦୀନା ମୁହଁ ରେ ଛିଞ୍ଚିଦେଇ ଡାକିଲା, ‘ଦୀନା, ଦୀନା, ହେ ଦୀନା ।’

 

ଦୀନା ଅତି କ୍ଷୀଣ ସ୍ୱରରେ କହିଲା; ‘ଏଁ’ ।

 

ସମୁଦ୍ରଲହରୀ ଆର ପାରିରେ ଥିବା ଚକ୍ରବାଳ କୋଳରେ ଭାସି ବୁଲୁଥିବା ଲୋକର ଉତ୍ତର ପରି ତାହା ଦୂରାଗତ ।

 

ବୁଢ଼ା ପୁଣି ଡାକିଲା ‘ଦୀନା, ଦୀନା, ହେ ଦୀନା ! ପାଣି ପିଇ ଦୀନା କିଛି କହିଲା ନାହିଁ; ସମ୍ଭବତଃ କହିପାରିଲା ନାହିଁ ।

 

ସାଙ୍ଗରେ ଆଣିଥିବା ଭଙ୍ଗା ଟିଣରେ ବୁଢ଼ା କଳରୁ ପାଣିଆଣି ଦୀନା ମୁହଁ ରେ ଧରିଲା । ଦୀନା ଅତି କଷ୍ଟରେ ଦି ଢୋକ ପିଇଲା ।

 

ବୁଢ଼ା ଛିଣ୍ଡାକନାରେ ବାନ୍ଧି ଆଣିଥିବା ହାଣ୍ଡିକୁ ଫିଟାଇଲା; ସେଥିରେ ଥିବା ଜାଉରୁ ମେଞ୍ଚାଏ ପାଣିରେ ଗୋଳାଇ ବସି ରହିଲା ।

 

ଘୋଡ଼ା ବେକର ଘାଗୁଡ଼ି ଶବ୍ଦ ସହିତ ଦୁଇଖଣ୍ଡ ଝଟକା ରେଳଷ୍ଟେସନ ଆଡ଼କୁ ଧାଇଁ ଗଲା, ତା ପରେ ଚାଲିଗଲା ଆଉ ଖଣ୍ଡେ ଝଟକା । ବାରାକ୍‌ସ ପଡ଼ିଆର ପଶ୍ଚିମରେ ଥିବା ଦଳୁଆ ସାହିର କୁକୁରଗୁଡ଼ାକ କେଜାଣି କାହିଁକି ଭୁକି ଉଠିଲେ; ବିଲ ମଝିରେ ଥିବା ନୀଳକଣ୍ଠେଶ୍ୱର ତୋଟା ଉପରକୁ ଧାଇଁ ଆସିଲା ଗୋଟାଏ କକ୍ଷଭ୍ରଷ୍ଟ ଉଲ୍‌କା ଅନ୍ଧାର ଆକାଶ କୋଳରେ କ୍ଷଣିକ ଆଲୋକରେଖା ଟାଣି ।

 

ବୁଢ଼ା ପୁଣି ଡାକିଲା, ‘ଦୀନା, ହେ ଦୀନା ।’

ଉତ୍ତର ମିଳିଲା ‘ଉଁ’,

‘ଉଠ, ବସ୍‌–ମୁଁ ତତେ ଧରୁଛି, ବସ୍‌ ।’

ଦୀନାଠାରୁ କିଛି ଉତ୍ତର ମିଳିଲା ନାହିଁ । ବୁଢ଼ା ତାକୁ ଧରି ଧୀରେ ଧୀରେ ଉଠାଇ ନିଜ ଦେହକୁ ଆଉଜାଇ ବସାଇଲା । ତା ପରେ ପାଣିରେ ଗୋଳା ହୋଇଥିବା ଜାଉ ଟିଣଟା ତା ମୁହଁପାଖରେ ଧରି କହିଲା, ‘ନେ ପିଇ ଦେ ।’

ଦୀନା ପିଇବାପାଇଁ ଚେଷ୍ଟା କଲା; କିନ୍ତୁ ପିଇ ପାରିଲା ନାହିଁ; ବୋଧହୁଏ ପିଇ ପାରିବାର ଶକ୍ତି ତାର ନ ଥିଲା ।

ବୁଢ଼ା କହିଲା, ‘ତଣ୍ଟି ଶୁଖି ଯାଇଛି ? ଗିଳି ପାରୁନାହୁଁ ? ନେ, ଧୀରେ ଧୀରେ, ଟିକିଏ ଟିକିଏ କରି ଗିଳି ଦେ ।’

ଦୀନା ଚେଷ୍ଟାକଲା; ଢୋକେ, ଦି’ ଢୋକ, ତିନି ଢୋକ, ତା ପରେ ଆଉ ପାରିଲା ନାହିଁ ।

ବିଛା ହୋଇଥିବା ଛିଣ୍ଡା ଅଖା ଖଣ୍ଡକରେ ବୁଢ଼ା ତାକୁ ଶୁଆଇ ଦେଲା । ଆଉ ଜାଉରୁ ଦି ମେଞ୍ଚା ନିଜେ ଗିଳିପକାଇ ପାଖ କଳରୁ ପେଟେ ପାଣି ପିଇଲା ।

ପାଖରେ ସଡ଼କ କଡ଼ରେ ରଖା ହୋଇଥିବା ଖଣ୍ଡେ ଝଟକାରେ ଜଣେ ଝଟକାବାଲା ଶୋଇ ପଡ଼ିଥିଲା । ବୁଢ଼ାର ଡକାଡକିରେ ତାର ନିଦ ଭାଙ୍ଗି ଯାଇଥିଲା । ବୁଢ଼ା ପାଣି ପିଇ ଦୀନା ପାଖକୁ ଯାଇ ସେଠାରେ ବସିପଡ଼ିଲା ।

ବୁଢ଼ା ନୀରବ ହୋଇ ସେଠାରେ ବସିଥାଏ । ଝଟକ ବାଲା କହିଲା, ‘ଲୋକଟା ତମ ପୁଅ କି ? ମୋର ମନେ ହେଲା, ସେଟା ମରି ଯାଇଛି ।’

ବୁଢ଼ା ତାକୁ ଟିକିଏ ନିଆଁ ମାଗିଲା । ଝଟକାବାଲା ତା ଅଣ୍ଟାରେ ଖୋସା ହୋଇଥିବା ଖଣ୍ଡେ ବିଡ଼ି ନିଜେ ଲଗାଇ ଖଣ୍ଡିଆ ବିଡ଼ିଖଣ୍ଡ ବୁଢ଼ା ହାତକୁ ଦେଲା, ବୁଢ଼ା ବସି ବସି ବିଡ଼ି ଟାଣିଲା । ଝଟକାବାଲା ସେହିପରି ଛିଡ଼ାହୋଇ ପୁଣି କହିଲା, ‘କାଲି ସଞ୍ଜବେଳେ ଜଣେ ଲୋକକୁ କୋଟପେଟାରେ ଛାଡ଼ି ଏଠାକୁ ଫେରି ଆସି ଦେଖିଲି ଏ ଲୋକଟା ଏଠି ପଡ଼ିଛି । କେତେ ଏମିତି ବାଟ କଡ଼ରେ ପଡ଼ିଛନ୍ତି । ପୁଣି ଆଜି ଚାରିଟାବେଳେ ଗାଡ଼ି ଲଗାଇ ସଞ୍ଜ ମୋଟରକୁ ଆସି ଦେଖେ, ଲୋକଟା ସେମିତି ପଡ଼ିଛି । ଭାବିଲି, ଏଉଟା ମରିଗଲା ।’

 

ବୁଢ଼ା କିଛି କହିଲା ନାହିଁ ।

 

ଝଟକାବାଲା କହି ଲାଗିଲା, ‘ଦିନକାଳ ଯେମିତି, ଏଥିରେ ଝରିଆ ପୋକ ପରି ବାଟ କଡ଼ରେ ପଡ଼ି ମଣିଷ ମରୁଛନ୍ତି । ଚାଉଳ ଟଙ୍କାକୁ ହେଲା ଦୁଇ ସେର; ତାହା ମଧ୍ୟ ମିଳୁ ନାହିଁ । ଦିନକୁ ଦଶଅଣା ବାରଅଣା ପଇସା ରୋଜଗାର କରୁଛି; ଦୁଇ ଦିନରେ ମୁଠାଏ ଭାତ ଖାଇବାର କଷ୍ଟ ହେଲାଣି । ଚାହା ଆଉ ଏଣ୍ଡୁରୀରେ ପ୍ରାଣ ବଞ୍ଚିଛି । ଏମିତି କାଳ କେବେ ହୋଇ ନ ଥିଲା ଏକା-।’

 

ବୁଢ଼ା କହିଲା, ‘ହଁ ।’

 

ଦୀନା ଧୀରେ ଧୀରେ କଡ଼ ମୋଡ଼ିଲା ।

 

ଝଟକାବାଲା କହିଲା, ‘ଆଉ କିଛି ଦିନ ଗଲେ ଆମେ ସମସ୍ତେ ତମର ଏଇ ପୁଅପରି ବାଟ କଡ଼ରେ ପଡ଼ି ମରିବା ।’

 

ପୁଅ ? –ବୁଢ଼ା ଦୀନାର ନୁଖୁରା ମୁଣ୍ଡରେ ହାତ ବୁଲାଇବାରେ ଲାଗିଲା ।

 

ବାଟ ଉପରୁ କିଏ ଜଣେ ଲୋକ ଡାକିଲା, ‘ହେ ଝଟକାବାଲା ।

 

‘ବାବୁ’ ବୋଲି କହି ସେ ଚାଲିଗଲା ।

 

ବୁଢ଼ା ଦୀନା ମୁଣ୍ଡ ପାଖରେ ସେମିତି ବସି ରହିଲା ।

 

ପୂର୍ବ ଦିଗରେ ପ୍ରଭାତର ପ୍ରଥମ ଜ୍ୟୋତି ଯେତେବେଳେ ଧୀରେ ଧୀରେ ଫୁଟି ଆସୁଥିଲା, ଦୀନାର ଚେତା ଫେରିଲା । ସେ କ୍ଷୀଣ ସ୍ୱରରେ କହିଲା, ‘ସାରିଆ ।’

 

ବୁଢ଼ା ଆଗ୍ରହ ସହକାରେ କହିଲା, ‘ନାହିଁ ମୁଁ–ମାଷ୍ଟ୍ରେ ।’

 

‘ମାଷ୍ଟ୍ରେ । ମୁଁ ଟିକିଏ ଉଠନ୍ତି ।’

 

ମାଷ୍ଟ୍ରେ ତାକୁ ଧରି ଉଠାଇଲେ । ସେ ଧୀରେ ଧୀରେ ଉଠି ବସିଲା ।

 

ମାଷ୍ଟ୍ରେ ତା ମୁହଁ ପାଖକୁ ସେ ଭଙ୍ଗା ଟିଣରେ ଥିବା ପାଣିରେ ଗୋଳା ଜାଉତକ ବଢ଼ାଇ ଦେଲେ । ଦୀନା ଏକା ନିଃଶ୍ୱାସରେ ତାହା ପିଇ ଦେଇ ମାଷ୍ଟରଙ୍କ ମୁହଁ ଆଡ଼କୁ ଏକ ଦୃଷ୍ଟିରେ ଚାହିଁ ରହିଲା ।

 

ନୀଳକଣ୍ଠେଶ୍ୱର ଆଡ଼େ ଥିବା ବିଲ ଭିତରୁ ଦଳେ ବିଲୁଆ ଭୁକି ଉଠିଲେ । ପାହାନ୍ତିଆ ଗାଡ଼ିକୁ ଆଗପଛ ହୋଇ ଦୁଇ ଖଣ୍ଡ ଝଟକା ଚାଲିଗଲା ।

 

ଖଣ୍ଡେ ଦୂରରେ ଥିବା ଗୋଟିଏ ଯାତ୍ରୀ ମୋଟରର କୋଇଲା ଇଞ୍ଜିନରେ କ୍ଳିନର ହାଉଆ ଦେଇ ତାଉ କରୁଥିବା ଶବ୍ଦ ଆରମ୍ଭ ହେଲା ।

 

ତେଇଶି

 

ସକାଳ ହେବା ସାଙ୍ଗେ ସାଙ୍ଗେ ବ୍ରହ୍ମପୁର ସଡ଼କରେ ପଞ୍ଝାକୁ ପଞ୍ଝା କାଙ୍ଗାଳ ଦେଖା ଦେଲେ । ଗଧ ଓ ଘୁଷୁରୀ ପରି ସେମାନେ ବ୍ରହ୍ମପୁର ସହରର ଗୋଟାଏ ଅତି ସାଧାରଣ ଦୃଶ୍ୟରେ ପରିଣତ ହୋଇଥିଲେ । ମନେ ହେଉଥିଲା ଯେପରି ବ୍ରହ୍ମପୁରର ରାଜପଥରେ ଦୁର୍ଭିକ୍ଷର ଅସଂଯତ ପଟୁଆର ଚାଲିଛି ।

 

ସକାଳୁ ବୁଢ଼ା ଭିକ ମାଗିବାକୁ ବାହାରିଲା; ଗଲାବେଳେ ଦୀନାକୁ କହିଗଲା, ‘ତୁ ଏଇଠି ଶୋଇଥିବୁ ।’

 

ଆଗରେ ଲାଗିଗଲା ମୋଟର ଷ୍ଟାଣ୍ଡର ଗହଳି । ସମସ୍ତେ ବ୍ୟସ୍ତ । ଖଣ୍ଡେ ଟିକଟ କିଣି, ମୋଟରରେ ଛିଡ଼ା ହେବାପାଇଁ ଚାଖଣ୍ଡେ ଜାଗା କରିନେବା ପାଇଁ ସମସ୍ତେ ଉଦ୍‌ ଗ୍ରୀବ । ସମସ୍ତଙ୍କ ହାତରେ ଟଙ୍କାକିଆ କାଗଜ ନୋଟ । ଅକାଳରେ ବାଉଁଶଧାନ ଫଳେ ବୋଲି ଲୋକେ କହନ୍ତି । ଏ ଭୀଷଣ ଅକାଳରେ ଟଙ୍କାକିଆ ନୋଟର ପ୍ରାଦୁର୍ଭାବ ଦେଖି ମନେ ହେଉଥିଲା ଏହାହିଁ ୧୯୪୨-୪୩ ଦୁର୍ଭିକ୍ଷର ବାଉଁଶ ଧାନ । ଧାନର ଚାଉଳ ପରିବର୍ତ୍ତେ ବାଉଁଶ ଧାନର ଚାଉଳ ଖାଇ ଲୋକେ କିଛିଦିନ ବଞ୍ଚିପାରୁଥିଲେ, ଟଙ୍କାକିଆ ନୋଟକୁ ଚୋବାଇ, ଗିଳି ତା ଉପରେ ମୁନ୍ଦାଏ ପାଣି ପିଇବା ଦ୍ୱାରା କାହାରି ଭୋକ ମେଣ୍ଟିଛି ବୋଲି ଶୁଣା ଯାଇ ନାହିଁ ।

 

ନୋଟ ନେଇ ବିଭ୍ରାଟ । ନୋଟ ଭଙ୍ଗାଇବାର ଉପାୟ ନାହିଁ, ରେଜା ଅଭାବ । ଟଙ୍କାକିଆ ନୋଟ ପାଖରେ ଥିଲେ ମଧ୍ୟ ହୋଟେଲବାଲା ଚାହା ଦେଉ ନାହିଁ, ପାନବାଲା ପାନ ଦେଉ ନାହି; ମୋଟରବାଲା ମୋଟରରେ ସ୍ଥାନ ଦେଉନାହିଁ । ଯେଉଁ ଠାରେ ଟଙ୍କା ପଇସା କାରବାର ସେଠାରେ ଆରମ୍ଭ ହୋଇଛି ଚରମ ବିଭ୍ରାଟ । ବ୍ରହ୍ମପୁର ମୋଟର ଷ୍ଟାଣ୍ଡରେ ଏ ସମୟରେ ସବୁଦିନ ଏପରି ବିଭ୍ରାଟ ଚାଲେ, ଉଚ୍ଚବାଚ ଲାଗେ, ଗଣ୍ଡଗୋଳ ସୃଷ୍ଟି ହୁଏ । ସେଦିନ ମଧ୍ୟ ସେହିପରି ହୋଇଥିଲା । ଏହା ସହିତ ମୋଟର ଷ୍ଟାଣ୍ଡରେ ରୁଣ୍ଡ ହୋଇଥିବା କାଙ୍ଗାଳମାନଙ୍କର ବାବୁ, ‘ପଇସାଟିଏ’ ‘ବାବୁ, ଖାଇ ନାହିଁ,’ ବାବୁ, ବାବୁ, ବାବୁ–ବୁଭୁକ୍ଷିତର ଆର୍ତ୍ତନାଦ ମିଶିବା ଫଳରେ ସ୍ଥାନଟାରୁ ଉଠୁଥିଲା ଗୋଟାଏ ବିକଟ ଗୁଞ୍ଜନ । ଏକ ଦିଗରେ ଫିଟଫାଟ ଲୁଗାକୁର୍ତ୍ତା; ଅପର ଦିଗରେ ମଇଳା ଛିଣ୍ଡା କନା । ଏକ ଦିଗରେ ବାବୁର ମୋଟା ପେଟର ଭାର, ଅନ୍ୟ ଦିଗରେ ବୁଭୁକ୍ଷିତ କାଙ୍ଗାଳର ନରକଙ୍କାଳ । ଏକ ଦିଗରେ କ୍ଷମତାପନ୍ନ ପଇସାବାଲାର ଔଦ୍ଧତ୍ୟ, ଅପର ଦିଗରେ ନିରନ୍ନ ନିଃସହାୟର କାର୍ପଣ୍ୟ । ଏସବୁ ମିଶି ସଜୀବ ଗୌରବର ଗୋଟାଏ ଜୀବନ୍ତ ଛବି ସେଠାରେ ସୃଷ୍ଟି ହୋଇଥିଲା ମନେ ହେଉଥିଲା, ଦୁନିଆର ସମସ୍ତେ ଯେପରି ପାଗଳ ହୋଇଯାଇଛନ୍ତି; ଦେଶଟା ଗୋଟାଏ ବିରାଟ ପାଗଳ ଖାନାରେ ପରିଣତ ହୋଇଛି; ବଡ଼ ଠାରୁ ସାନ ପର୍ଯ୍ୟନ୍ତ, ପଣ୍ଡିତ ଠାରୁ ମୂର୍ଖ ପର୍ଯ୍ୟନ୍ତ ସମସ୍ତଙ୍କର ମୁଣ୍ଡ ଗୋଳମାଳ ହୋଇଯାଇଛି । ସେମାନେ ଯାହା କହୁଛନ୍ତି, ତାର ଅର୍ଥ ନାହିଁ; ସେମାନେ ଯାହା କରୁଛନ୍ତି ତାର ଅର୍ଥ ନାହିଁ । ନିଜ ଘରେ ନିଆଁ ଲଗାଇବା ପାଇଁ ସମସ୍ତେ ଯେପରି କି ଉଦ୍ୟତ ସମସ୍ତେ ଯେପରି ବ୍ୟଗ୍ର, ଜଣେ ଆଉ ଜଣକର ତଣ୍ଟି କାଟିବା ପାଇଁ ଯେପରି ତତ୍ପର ।

ଦୀନା ମୋଟର ଷ୍ଟାଣ୍ଡର ଗୋଟିଏ କୋଣରେ ପଡ଼ିଥାଏ–ଉଠିବାର ଶକ୍ତି ନାହିଁ । ସେ ପଡ଼ି ପଡ଼ି ଭାବୁଥାଏ । ଭାବୁଥାଏ–ତାର ନିଜ କଥା । ସେ ଠିକ କରିଥିଲା, ମରିବ । ତାର ସେ ଅବସ୍ଥାରେ ବଞ୍ଚିବାଠାରୁ ମରିବା ଖୁବ ସହଜ । ବଞ୍ଚିବା ପାଇଁ ଚେଷ୍ଟା କରି କରି ଯେତେବେଳେ ସେ କ୍ଳାନ୍ତହୋଇ ପଡ଼ିଲା, ସେତେବେଳେ ତା ପକ୍ଷରେ ମରିବା ଛଡ଼ା ଆଉ ଉପାୟ ଅଛି କଅଣ ?

ବଞ୍ଚିବ ? ବଞ୍ଚିବ କାହିଁ କି ? କାହାପାଇଁ ? ସେ ତ ନିଜେ ବଞ୍ଚିବ ବୋଲି ସେହି ଅନ୍ଧାର ରାତିରେ ଘରଛାଡ଼ି ଆସି ନ ଥିଲା ? ସେ ଆସିଥିଲା, ଦୁଇଟା ପ୍ରାଣୀ–ତାର ସାରିଆ, ତାର ପୁଅକୁ ବଞ୍ଚାଇବା ପାଇଁ । ସେ ଆସିଥିଲା, ଆହାର ସଂଗ୍ରହ କରିନେଇ ସେମାନଙ୍କ ମୁହଁରେ ଦେବ, ସେମାନେ ବଞ୍ଚିବେ । ଦେଢ଼ ମାସରୁ ଉପର ହେଲାଣି । ସେମାନେ ବଞ୍ଚି ଥିବେ ତ ? ସେ ଭିକ ମାଗିଛି; ମୁଠାଏ ଚାଉଳ ଯେତେବେଳେ ପାଇଛି, ସେତେବେଳେ ତାହା ସାଇତି ରଖିବା ପାଇଁ ହୋଟେଲ ପାଖ ନଳାରେ ପଡ଼ିଥିବା ଅଇଁଠା ପତ୍ରରୁ ଗୋଟି ଗୋଟି ଭାତ ସାଉଁ ଟି ଖାଇଛି; ଆଉ କୁକୁର ଗୁଡ଼ାକ ତା ପାଖରେ ଛିଡ଼ାହୋଇ ତାକୁ ଚାହିଁ ରହିଛନ୍ତି । ସେଇ ମୁଠାକ ଚାଉଳ–ତାକୁ ସଞ୍ଚିରଖି ସେ ଭାବିଛି, କାଲି ପୁଣି ଆଉ ମୁଠାଏ ମିଳିବ; ପଅରି ଦିନ ଆଉ ମୁଠାଏ, ସେ ସବୁକୁ ସଞ୍ଚି ରଖିବ, ବେଶି ହୋଇ ଗଲେ ସେତକ ସାଙ୍ଗରେ ନେଇ ତା ଗାଆଁ କୁ ଯିବ, ସାରିଆ ମୁହଁରେ ତା ପୁଅ ମୁହଁରେ ମୁଠାଏଲେଖା ଭାତ ଦେଇ । ତା ପରେ ହୁଏତ ଦିନେ, ଦୁଇଦିନ, ତିନିଦିନ ତାକୁ ଭିକ ମିଳି ନାହିଁ, ସେ ଉପାସ ରହିଛି; କିନ୍ତୁ ସେ ଚାଉଳ ଗଣ୍ଡାକୁ ଖାଇ ନାହିଁ । ପୁଣି ଯେତେବେଳେ ଦେଖିଛି ଯେ, ନ ଖାଇଲେ ତାକୁ ମରିବାକୁ ହେବ ସେତିକିବେଳେ ସେତକକୁ ଫୁଟାଇ ଖାଇ ଦେଇଛି । ଏହିପରି ଶତ ଚେଷ୍ଟା ସତ୍ତ୍ୱେ ତାର ସ୍ତ୍ରୀ ପିଲାଙ୍କୁ ବଞ୍ଚାଇବା ପାଇଁ କିଛି ସଂଗ୍ରହ କରି ପାରି ନାହିଁ । ପୁଣି ସେ ଚେଷ୍ଟା କରିଛି ସଂଗ୍ରହ କରିବା ପାଇ, ପୁଣି ଆଶା କରିଛି ବଞ୍ଚିବା ପାଇଁ, ଦୂର ଗାଆଁରେ ପଡ଼ି ତା ଉପରେ ନିର୍ଭର କରି ରହିଥିବା ମଣିଷ ଦୁଇଟାକୁ ବଞ୍ଚାଇବା ପାଇଁ; କିନ୍ତୁ ତାର ସବୁ ଆଶା ଫେଲ ହୋଇଛି, ସବୁ ଚେଷ୍ଟା ପଣ୍ଡ ହୋଇଛି । ତା ସାରିଆ, ତା ପୁଅ–ଆଜିଯାଏ ସେମାନେ ବଞ୍ଚି ଥିବେ ?–ନା ଅସମ୍ଭବ । କିଏ ତାଙ୍କ ମୁହଁରେ ଆହାର ଦେବ ? କିଏ ତାଙ୍କୁ ବଞ୍ଚାଇବ ? ତେବେ ନିଜେ ବଞ୍ଚିବା ପାଇଁ ସେ ବା କାହିଁକି ଏତେ ଚେଷ୍ଟା କରିବ ? ସେ ବଞ୍ଚିବାରେ ଆଉ ଲାଭ କଅଣ ?

ସେଇଥିପାଇଁ ସେ କୁଆଡ଼େ ଗଲା ନାହିଁ, କିଛି ମାଗିଲା ନାହିଁ, କାହାରିକୁ ଚାହିଁ ଲା ନାହିଁ; ମୁହଁମାଡ଼ି ମୋଟର ଷ୍ଟାଣ୍ଡର ଗୋଟାଏ କଣରେ ପଡ଼ି ରହିଥିଲା । ଦିନେ ଗଲା, ଦୁଇଦିନ ଗଲା; କ୍ରମେ କ୍ରମେ ତା ଆଖି ଆଗରେ ଅନ୍ଧାର ମାଡ଼ି ଆସିଲା; ମୁଣ୍ଡ ଭିତରଟା ଶୂନ୍ୟ ପରି ଲାଗିଲା; ସେ ମନେକଲା, ତାର ବେଳ ହୋଇ ଆସିଲା । ସେଇତକ ହିଁ ଜାଣେ । ତା ପରେ ତାର ଜ୍ଞାନ ନ ଥିଲା ।

ତା ପରେ ଆଖି ମେଲାଇ ଦେଖେ–ମାଷ୍ଟ୍ରେ । ବୁଢ଼ା ତା ପାଖରେ ବସିଛି । ତା ମୁହଁରେ ସେ ଜାଉ ଟିକିଏ ଦେଉଛି, ତାକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛି । ସେ ଏଠାରେ ପଡ଼ିଥିଲା ବୋଲି ମାଷ୍ଟ୍ରେ ଜାଣିଲେ କିପରି ? ତାକୁ ବଞ୍ଚାଇବାକୁ ତାଙ୍କର ଏତେ ଚେଷ୍ଟା କାହିଁ କି ? ତା ଭଳି ହଜାର ହଜାର କାଙ୍ଗାଳ ତ ବାଟ କଡ଼ରେ ପଡ଼ି ମରୁଛନ୍ତି; କେହି ତାଙ୍କ ଖବର ରଖୁ ନାହାନ୍ତି, କେହି ତାଙ୍କୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରୁ ନାହାନ୍ତି । ଏ ବୁଢ଼ା ତା ପାଇଁ ଏତେ ବ୍ୟସ୍ତ କାହିଁ କି ? ସେ ବଞ୍ଚିଲେ ବା ବୁଢ଼ାର ଲାଭ କଅଣ ? ତା ମନେ ପଡ଼ିଲା, ଲାଞ୍ଜି ପଲ୍ଲୀ ତୋଟାରେ ସେ ପହଞ୍ଚିବା ଦିନ ଠାରୁ ବୁଢ଼ା ବରାବର ତାକୁ ସାହାଯ୍ୟ କରିଛି, ତା ଖବର ନେଇଛି, ତାକୁ ସାନ୍ତ୍ୱନା ଦେଇଛି । ବୁଢ଼ା ତାକୁ କହେ, ‘ହେଇ ପରା ତୋ ଆଖି ଆଗରେ ସାରିଆ ପରି ଶହଶହ ସ୍ତ୍ରୀ, ତୋ ପୁଅ ପରି ଶହଶହ ପୁଅ ମରି ଯାଉଛନ୍ତି । ସେମାନଙ୍କର କଅଣ କେହି ସ୍ଵାମୀ ନାହାନ୍ତି ? ସେ ପିଲାଗୁଡ଼ାକର କଅଣ କେହି ବାପ ନାହାନ୍ତି ? ସେ ସବୁ ଭାବ ନାହିଁ ଦୀନା, ସେ ସବୁ ଭାବିଲେ ବଞ୍ଚିବୁ ନାହିଁ । ଆମେ ନିଜେ ବଞ୍ଚି ପରେ ପର କଥା ଭାବିବୁ । ଏ ବେଳ ଏମିତି ପଡ଼ିଛି ।’

ବୁଢ଼ା ପୁଣି କହେ, ‘ସେମାନେ କଅଣ ଆଉ ତୋ ଗାଆଁ ରେ ଥିବେ ? ତୋ ଗାଆଁ ରେ କଅଣ ଅଛି ଯେ ଖାଇ ବଞ୍ଚିବେ । ଆମରି ପରି ଜୀବନ ବଞ୍ଚାଇବା ପାଇଁ ସେମାନେ କୁଆଡ଼େ ଚାଲି ଯାଇ ଥିବେ । ଯାଆନ୍ତୁ, ଯାଇ ଯଦି ଜୀବନରେ ବଞ୍ଚିଥାନ୍ତି ଭଲ । କେବେ ହେଲେ ତ ଘରକୁ ଫେରିବେ । କେବେହେଲେ ତ ଦେଖା ହେବ ।’

ଏ ବୁଢ଼ା ତାର କିଏ ? ଏତେ କଥା କହେ କାହିଁକି ? ଏତେ ବୁଝାଏ କାହିଁ କି ? ଦୀନାର ମନେ ପଡ଼ିଲା, ତା ବାପ କଥା । ସେ ମଧ୍ୟ ତାକୁ ଏହିପରି ଦେଖି ପାରୁଥିଲେ; ଏହିପରି ତା କଥା ବୁଝୁଥିଲେ । ଆର ଜନ୍ମରେ ବୁଢ଼ା ବୋଧହୁଏ ତା ବାପ ଥିଲା ।

ଦୀନା ପଡ଼ିପଡ଼ି ଭାବୁଛି । ଆର ଜନ୍ମ ? ମଲା ଉତ୍ତାରୁ ମଣିଷ କଅଣ ପୁଣି ଜନ୍ମ ହୁଅନ୍ତି-। ହୁଅନ୍ତୁ, ତାର ଆପତ୍ତି ନାହିଁ । କିନ୍ତୁ ଏ ଜନ୍ମରେ ତତଲା ବାଲିରେ ପଡ଼ି ଛଟପଟ ହେବା ପରି ଆର ଜନ୍ମରେ ଯଦି ଭୋକଉପାସ ନିଆଁ ରେ ଭାଜି ହେବାକୁ ହୁଏ, ତେବେ ଆଉ ଥରେ ଜନ୍ମ ହେବା ପାଇଁ ସେ ରାଜି ନୁହେଁ । ତାର ଏତେ ଦୁଃଖ, ଏତେ କଷ୍ଟ କଅଣ ଯଥେଷ୍ଟ ନୁହେଁ ଯେ ଆହୁରି ଦୁଃଖଯନ୍ତ୍ରଣା ଭୋଗ କରିବାପାଇ ପୁଣି ତାକୁ ଜନ୍ମ ହେବାକୁ ହେବ ?

ସେ–ଦୀନା । ସେ ତ କେବେହେଲେ କାହାରି କିଛି କ୍ଷତି କରିନାହିଁ, କାହାରିକୁ କଷ୍ଟ ଦେଇ ନାହିଁ । ତେବେ ତାକୁ ଏ ଦଣ୍ଡ କାହିଁ କି ? ସେ ଅସରନ୍ତି ଦୁଃଖକଷ୍ଟରେ ପଡ଼ି ପୋଡ଼ି ହୋଇ ଯାଉଛି କାହିଁ କି ? ସେ ତ ଏକା ନୁହେଁ; ତାହାରି ପରି ହଜାର ହଜାର ଲୋକ ମୁଠାଏ ଖାଇବାକୁ ନ ପାଇ ଘରଛଡ଼ା ହୋଇ ଭୂତ ପ୍ରେତ ପରି ବୁଲୁଛନ୍ତି କାହିଁ କି ? ଏମାନେ କାହାର କି ଦୋଷ କରିଛନ୍ତି-? ଏମାନେ କାହାର କି କ୍ଷତି କରିଛନ୍ତି ? ନା, ଏ ସବୁ କିଛି କଥା ନୁହେଁ । ମାଷ୍ଟ୍ରେ ଯାହା କହୁଥିଲା ଠିକ୍‌ । ଗୁଡ଼ାଏ ଲୋକ ମେଣ୍ଟ ବାନ୍ଧି, ଷଡ଼ଯନ୍ତ୍ର କରି ସେମାନଙ୍କ ମୁହଁରୁ ଆହାର କାଢ଼ି ନେଉଛନ୍ତି । ତାଙ୍କୁ ସାହାଯ୍ୟ କରିବାପାଇଁ ପୁଲିସ ଅଛି, ଫୌଜ ଅଛି । ସେଇ ବଳରେ ସେମାନେ ହଜାର ହଜାର ଲୋକର ଭାତ ଛଡ଼ାଇ ନେଇ ବିକି ଦେଉଛନ୍ତି; ନିଜେ ଲାଭ କରୁଛନ୍ତି । ଲୋକେ ମଲେ କେତେ, ସରିଲେ କେତେ ? ସେମାନଙ୍କର ଯାଏ କେତେ, ଆସେ କେତେ ? ଏ କଥା ସତ, ଏ କଥା ଠିକ୍‌ । ତା ନ ହେଲେ, ହଜାର ହଜାର ଲୋକ ଯେତେବେଳେ ଖାଇବାକୁ ପାଉ ନାହାନ୍ତି, ଗୁଡ଼ାଏ ଲୋକ ସେତେବେଳେ ମଉଜରେ ଅଛନ୍ତି କିପରି ? ହଜାର ହଜାର ଲୋକ ବାଟ କଡ଼ରେ ପଡ଼ିଛନ୍ତି; କୋଠା ତିଆରି ତ ଚାଲିଛି, ଥିଏଟର ବାଇସକୋପ ତ ଚାଲିଛି, ହୋଟେଲ ସବୁ ତ ଚାଲିଛି, ବଜାରରେ ଲୁଗା ଦୋକାନ, ମନୋହରି ଦୋକାନ ତ ବନ୍ଦ ହୋଇ ନାହିଁ; ବଡ଼ ଲୋକମାନେ ତ ମୋଟରରେ ଚଢ଼ି ବୁଲି ଯାଉଛନ୍ତି, ତାଙ୍କ ଘର ସ୍ତ୍ରୀ ଲୋକମାନଙ୍କ ବେଶ ତ କମି ନାହିଁ, ତାଙ୍କ ଦେହର ସୁନା ଅଳଙ୍କାର ତ ସେହିପରି ରହିଛି । ସେମାନେ କି ପାପ କରିଥିଲେ ଯେ ମୁଠାଏ ଭାତ ନ ପାଇ ମରିବେ ? ଆଉ ବଡ଼ ଲୋକମାନେ କି ପୁଣ୍ୟ କରିଥିଲେ ଯେ, ସେମାନେ ମଉଜ ମଜଲିସରେ ରହିବେ ? ଏ କଥା ତ କେହି ବୁଝୁ ନାହାନ୍ତି, ଏ କଥା ତ କେହି ବିଚାର କରୁ ନାହାନ୍ତି । ମାଷ୍ଟ୍ରେ କହୁଥିଲେ, ଦିନେ ଏହାର ନ୍ୟାୟ ବିଚାର ହେବ–ନିଶ୍ଚୟ ହେବ । ସେ କଥା ହୁଏତ ଠିକ୍‌; କିନ୍ତୁ ସେତେବେଳକୁ ସେ ନ ଥିବ, ସାରିଆ ନ ଥିବ, ତା ପୁଅ ନ ଥିବ ।

ଦେହ ଦୁର୍ବଳ, ମସ୍ତିଷ୍କ ତା ଅପେକ୍ଷା ଦୁର୍ବଳ । ଦୀନା ଆଉ କିଛି ଭାବି ପାରିଲା ନାହିଁ । ତାକୁ ତନ୍ଦ୍ରା ଲାଗି ଆସିଲା ।

ଗୋଟାଏ ପରେ ଗୋଟାଏ ମୋଟର ହର୍ଣ୍ଣ ଦେଇ ଛାଡ଼ିଲା, କ୍ରମେ କ୍ରମେ ଗହଳି କମି ଆସିଲା । ମଟର ଷ୍ଟାଣ୍ଡର କର୍ମଚାରୀମାନେ ପାନ ଦୋକାନରେ ବସି ପଇଡ଼ ପିଇବା ଆରମ୍ଭ କଲେ-। ଦି’ଚାରିଟା କାଙ୍ଗାଳ ସେ ଟିଣଘର ଭିତରକୁ ଆସି ବସିଲେ । ଛିଡ଼ା ହେବା ବା ଚାଲିବା ଶକ୍ତି ସେମାନଙ୍କର ଆଉ ନ ଥିଲା ।

ଦୀନା ସେହିପରି ପଡ଼ି ରହିଲା ।

 

ଚବିଶି

 

ସୂର୍ଯ୍ୟ ସେତେବେଳକୁ ମୁଣ୍ଡ ଉପରକୁ ଉଠିଲେଣି । ଖରା ଚଡ଼କ ମାରୁଛି । ବାରାକ୍‌ସ ସାମନାରେ ପିଚୁ ରାସ୍ତା ଏତେ ଗରମ ଯେ ଗୋଡ଼ ଦେଲେ ଫୋଟକା ହୋଇଯିବ ବୋଲି ମନେ ହେଉଛି । ଛିଣ୍ଡା କନା ଖଣ୍ଡେ ମୁଣ୍ଡରେ ପକାଇ ସେହି ଉତ୍ତପ୍ତ ରାଜପଥ ଉପରେ ବୁଢ଼ା ଚାଲିଛି ବାରାକ୍‌ସ ଆଡ଼କୁ ।

 

ଶରୀର ଦୁର୍ବଳ । ଦିନ ଗୋଟାଏ ବାଜିବ, ସେ ପର୍ଯ୍ୟନ୍ତ ବୁଢ଼ା ମୁହଁରେ ପାଣି ପଡ଼ି ନାହିଁ, ତଥାପି ବୁଢ଼ା ସେହି ତାତିଲା ରାସ୍ତା ଉପରେ ଯେତେ ଶୀଘ୍ର ଚାଲିପାରେ ଚାଲିଛି । ବାଟରେ ଗୋଟାଏ ପିଣ୍ଡିଉପରେ ଅଶ୍ୱତ୍‌ଥ ଗଛ । ତା ଛାଇ ତଳେ ସେ ମୁହୂର୍ତ୍ତେ ମାତ୍ର ଛିଡ଼ାହେଲା, ତା ପରେ ଚାଲିଲା । ତା ଚାଲିବା ଉପରେ ଯେପରି କି ଗୋଟାଏ ମଣିଷର ଜୀବନ ନିର୍ଭର କରୁଛି, ସେହିପରି-। ଏକ ତୀବ୍ର ଉଦ୍‌ ବେଗ ତାର ଚାଲିରୁ ଫୁଟି ଉଠୁଥିଲା ।

 

ମୋଟର ଷ୍ଟାଣ୍ଡର ଟିଣଘର କୋଣରେ ପଡ଼ିଛି ଦୀନା । ଦୀନା ଏକ ପ୍ରକାର ତନ୍ଦ୍ରାର ମୋହରେ ପଡ଼ି ରହିଛି ସକାଳୁ । ବାହାରର ଘଟଣାସବୁ ତା ମସ୍ତିଷ୍କ ଭିତରକୁ ସ୍ୱପ୍ନର ଚିତ୍ର ପରି ପଶି ସ୍ୱପ୍ନ ସହିତ ମିଶି ଯାଉଛି । ସେ ସ୍ୱପ୍ନ ଓ ଜାଗରଣ ମଝିରେ ପଡ଼ି ରହିଛି ।

 

ବୁଢ଼ା ଡାକିଲା, ‘ହେ ଦୀନା ଉଠ ।’

 

ଏତେଦିନକେ ସେ ମୁଠାଏ ଭାତ ଡାଲି ତରକାରୀ ପାଇଛି । ସେତକ ଧରି ସେ ଧାଉଁ ଛି ଦୀନାକୁ ଖୁଆଇବା ପାଇଁ ।

 

ସକାଳୁ ବଜାରରେ ବୁଲୁ ବୁଲୁ ସେ ହାଲିଆ ହୋଇ ଗୋଟାଏ ହୋଟେଲ ସାମନାରେ ଥିବା ବରଗଛ ମୂଳରେ ବସି ରହିଲା । ଗୋଟାଏ ଲୋକ ପତ୍ର ପାଖରେ ବସି ଖାଉ ଖାଉ ସେଇଠି ବାନ୍ତି କରି ପକାଇଲା ଆଉ ଖାଇଲା ନାହିଁ । ହୋଟେଲର ଚାକର ପତ୍ରଟାକୁ ସେମିତି ଆଣି ନଳାକୁ ଫିଙ୍ଗି ଦେଲା । କୁକୁରଗୁଡ଼ାକ ପତ୍ରପାଖରେ ପହଞ୍ଚୁ ପହଞ୍ଚୁ ବୁଢ଼ା ତାକୁ ଉଠାଇ ନେଇ ଧାଇଁ ଛି ।

 

ବାଟରେ ପତ୍ର ଫିଟାଇ ସେ ଦେଖିଲା, ଲୋକଟା ଖୁବ୍‌ କମ ଖାଇଛି–ଯାହା ଅଛି ସେଥିରେ ଦୀନାର ଶୁଖିଲା ପେଟରେ ଦୁଇ ଓଳି ଚଳିଯିବ । ଦୀନାଟା ଖାଉ–ଉଠୁ । ତା ପରେ ଦେଖାଯିବ । ନିଜେ ସକାଳୁ କିଛି ଖାଇ ନାହିଁ । ଆଜି ଆଉ ତାକୁ କିଛି ଖାଇବାକୁ ମିଳିବ ନାହିଁ, ଏ କଥା ତା ମନରେ ମଧ୍ୟ ଉଠି ନ ଥିଲା ।

 

ଦୀନା ଉଠିଲା । ଛିଣ୍ଡା କନାରେ ବାନ୍ଧିଥିବା ପତ୍ର ଫିଟାଇ ବୁଢ଼ା ତା ଆଗରେ ରଖି କହିଲା, ‘ଖାଇ ଦେ ।’

 

ବୁଢ଼ା ଟିଣ ଧରି କଳ ପାଖକୁ ପାଣି ଆଣିବାକୁ ଗଲା । ଦୀନା ପାଖରେ ତାହା ରଖିଦେଇ କହିଲା, ‘ଦେ ଖାଇଦେ । ଯାହା ଖାଇବୁ ଖା, ଯାହା ରହିବ ରଖିଦେ, ରାତିରେ ଖାଇବୁ କି କାଲି ସକାଳେ ଖାଇବୁ ।’

 

ଦୀନା ବୁଢ଼ା ଆଡ଼କୁ ଚାହିଁ କହିଲା, ‘ତମେ ?’

 

ବୁଢ଼ା ହସିବାର ଚେଷ୍ଟା କରି କହିଲା, ‘ମୁଁ ? ମୁଁ ଚାଲି ବୁଲି ପାରୁଛି । କିଛି କୁଆଡ଼ୁ ମିଳିଯିବ । ତୁ ଟିକିଏ ଦମ୍ଭ ହୋଇ ଯା । ତୁ ପରା ତୋ ଗାଆଁ କୁ ଯିବୁ ?’

 

‘ଗାଆଁ କୁ ?’ –ବୁଢ଼ା କଥାର କ୍ଷୀଣ ପ୍ରତିଧ୍ଵନି ପରି ଦୀନ କହିଲା । ହାତରେ ମୁଠାଏ ଭାତ ସେ ମୁହଁକୁ ଉଠାଉ ଥିଲା, ତା ସେହିପରି ରହିଲା, ଦୀନା ନିର୍ବାକ ହୋଇ ବୁଢ଼ା ମୁହଁକୁ ଚାହିଁ ରହିଲା ।

 

ବୁଢ଼ା କହିଲା, ‘ହଁ ଗାଆଁ କୁ । ତୁ ଟିକିଏ ଚାଲି ପାର, ଗାଆଁ କୁ ଯିବୁ–ତୋ ଗାଆଁ କୁ । ସେମିତି ଚାହୁଁ ଛୁ କଅଣ ? ଖାଇ ଦେ ।’

 

ଦୀନାର ଆଖିରୁ ଦି’ ଟୋପା ଲୁହ ବାହାରିବା ପରି ହେଲା; କିନ୍ତୁ ଲୁହର ଗ୍ରନ୍ଥୀଗୁଡ଼ାକ ବୋଧହୁଏ ତା ଦେହର ମାଂସ ସହିତ ଶୁଖି ଯାଇଥିଲା, ବାହାରିଲା ନାହିଁ, ତା ଆଖି ଦୁଇଟା ଫାଟି ଗଲା ପରି ମନେ ହେଲା ।

 

ବୁଢ଼ା ପୁଣି କହିଲା, ‘ଖାଇ ଦେ । ବସିଲୁ କାହିଁ କି ? ହଁ ତୋ ଗାଆଁ କୁ ଯିବୁ । ଯିବୁ କେମିତି ? ଟିକିଏ ଚାଲି ପାରିଲେ ତ ।’

 

‘ଗାଆଁ କୁ କାହିଁ କି ଯିବି ?’

 

‘ଆରେ, ଆଚ୍ଛା ମଣିଷ ତ । ତୋ ଗାଆଁ–ତୁ ଯିବୁ ନାହିଁ ।

 

‘ଗାଆଁ ରେ କିଏ ଥିବ ଆଜି ଯାଏଁ !’–ଦୀନା ସ୍ୱପ୍ନରୁ ଉଠିଲା ପରି ଧୀରେ ଧୀରେ କହିଲା ।

 

‘ହଁ ଥିବେ, ଥିବେ । ତୁ ସେ ସବୁ କଥା କିଛି ଭାବ ନାହିଁ । ମୁଁ ତୋ ପାଇଁ ଚାରି ସେର ଚାଉଳ ଆଣିବି । ବୁଝିଲୁ, ସେ ଦିନ, ବାଟରେ ଯାଉ ଯାଉ ଦେଖିଲି ଗୋଟାଏ ହାତବନ୍ଧା ଘଡ଼ି ପଡ଼ିଛି । ବୋଧହୁଏ କେହି ବାବୁ ମାତାଲ ହୋଇ ରାତିରେ ଗଡ଼ିଥିଲା ତା ହାତରୁ ସେଇଟା ଖସି ପଡ଼ିଥିଲା । ଭୋରଟାରୁ ଉଠି ତ ମୁଁ ବୁଲୁଛି, ମୋ ଆଖିରେ ପଡ଼ିଲା । ସେଇଟାକୁ ନେଇ ଲୁଚାଇ ରଖିଥିଲି । ବଡ଼ବଜାରର ଚାଉଳ ଗୋଦାମର ଜଣେ ଚାକରକୁ ସେଇଟା ଦେଖାଇବାରୁ ସେ ମତେ ଦୁଇସେର ଚାଉଳ ଦେବ ବୋଲି କହିଲା । ମୁଁ ତାକୁ କହିଲି, ଚାରିସେରଟି ଚାଉଳ ଦେଲେ ମୁଁ ଘଡ଼ିଟା ଦେବି । ଏ ଘଡ଼ିଟା ମୋ ପାଖରେ ରହିଲା, ଚାଉଳ ନେବି, ଏ ଘଡ଼ିଟା ଦେବି ।’

 

ଦୀନା ଅବାକ୍‌ହୋଇ ଚାହିଁ ରହିଲା । ଚାରିସେର ଚାଉଳ; ତାର ଷୋଳଦିନ ନିଶ୍ଚିନ୍ତରେ ଚଳନ୍ତା, ସେତକ ସେ ତାକୁ ଦେଇ ଦେବ ? ଆଉ କାହାରି କଥା ହୋଇଥିଲେ ଦୀନା ବିଶ୍ୱାସ କରନ୍ତା ନାହିଁ; କିନ୍ତୁ ମାଷ୍ଟ୍ରେ–ମାଷ୍ଟ୍ରଙ୍କ କଥା ଯାହା, କାମ ତାହା ।

 

ଗୋଟାଏ କାଙ୍ଗାଳ ସେ ବାଟରେ ଯାଉଥିଲା । ଦୂରରୁ ବୁଢ଼ାକୁ ଦେଖି ତାଙ୍କ ଆଡ଼କୁ ଆସି କହିଲା; ‘ମାଷ୍ଟ୍ରେ ଶୁଣୁଛି ବ୍ରହ୍ମପୁରରେ କାଲିଠାରୁ ଛତ୍ର ଖୋଲୁଛି । ଆମମାନଙ୍କୁ ଖାଇବାକୁ ଦିଆଯିବ, ଆମେ ଖାଇବୁ ।’

 

ମାଷ୍ଟ୍ରଙ୍କ ମୁହଁ ଆଷାଢ଼ ଆକାଶ ପରି ଗମ୍ଭୀର ହୋଇଗଲା । ସେ କହିଲା, ‘ହୁଁ’ ।

 

କାଙ୍ଗାଳଟି ମନେ କରିଥିଲା ବୁଢ଼ା ଏ ଖବର ଶୁଣି ଖୁସି ହେବ । ସେଥିପାଇଁ ଏ ଖବର ଦେବାଲାଗି ସେ ତାଙ୍କ ପାଖକୁ ଧାଇଁ ଆସିଥିଲା । କାହିଁ, ବୁଢ଼ାଟା ଖୁସି ହେଲା ନାହିଁ ?

 

କାଙ୍ଗାଳଟି ପୁଣି କହିଲା, ‘ଖାଇବାକୁ ନ ପାଇ ଆମେ ଆଉ ବାରଦ୍ୱାର ହେବୁ ନାହିଁ । ସାଧୁଆ କହୁଥିଲା ଏଥର ବଞ୍ଚିଗଲୁ ।’

 

ବୁଢ଼ା କାଙ୍ଗାଳଟିର ଖୁସି ଦେଖି ରାଗିଗଲା । କହିଲା, ‘ଯେଉଁ ମାନେ ଛତ୍ର ଖୋଲୁଛନ୍ତି ସେମାନେ ତୋର ଶ୍ୱଶୁର ଯେ ସେମାନେ ତୋ ପାଇଁ ଜୋଇଁ ଭୋଜନ ଖଞ୍ଜି ଦେବେ ? ସେମାନେ ଆମକୁ ଭାତରେ ମାରିଲେ । କାଙ୍ଗାଳ କଲେ । ଆମ ଭିତରେ ଆଉ ଯେଉତକ ମଣିଷପଣିଆ ଥିଲା, ତାକୁ ମାରିବାକୁ ବସିଛନ୍ତି ହାତରେ । କୁକୁର ଆଡ଼କୁ ମୁଠାଏ ଅଇଣ୍ଠା ଭାତ ପକାଇଲା ପରି ଆମ ଆଡ଼କୁ ମୁଠାଏଲେଖା ଭାତ ଫିଙ୍ଗି ଦେବେ । ଆମେ ମାଗୁଥିଲୁ, ନିଜେ ବୁଲି ନିଜର ଖାଇବା ଯୋଗାଡ଼ କରୁଥିଲୁ । ଯେଉ ଦିନ ପାଉଥିଲୁ; ଖାଉଥିଲୁ, ନ ମିଳିଲେ ଉପାସ ରହୁଥିଲୁ–ମରୁଥିଲୁ ମଣିଷ ମରି, ମାରୁଥିଲୁ ମୁଣ୍ଡଟାକୁ ଟେକି ରଖି । ଆମ ମୁହଁର ଭାତ କିଏ କାଢ଼ିନେଇଛି, ତାହା ଆମେ ବୁଝଥିଲୁ । ତା’ ଉପରେ ଦାଉ ସାଧିବା ପାଇଁ ଆମ ଛାତି ଭିତରଟା ସବୁବେଳେ ରାମ୍ପ ଡ଼ି ବିଦାରି ହେଉଥିଲା । ଆମର ନିଃଶ୍ୱାସ ସାଙ୍ଗେ ସାଙ୍ଗେ ବାହାରୁ ଥିଲା ଟାଣୁଆ ଅଭିଶାପ । ଆମେ ମଣିଷ, ଆମର ସେତକ ବଳ, ସେତକ କ୍ଷମତା ଥିଲା । ଏଣିକି ସେମାନେ ଆମକୁ ମୁଠାଏ ଖାଇବାକୁ ଦେଇ ସେ ବଳ, ସେ କ୍ଷମତାତକ କାଢ଼ି ନେବାକୁ ବସିଛନ୍ତି । ଆମମାନଙ୍କୁ ମଣିଷପଣିଆରୁ ରଦ୍ଦି କରି କୁକୁର ସହିତ ସମାନ କରିବାକୁ ବସିଛନ୍ତି । ପାଞ୍ଚଲକ୍ଷ କାଙ୍ଗାଳ ମରିଗଲେ ଦୁଃଖ ନାହିଁ । ଆଜି ଯେଉ ନିଆଁ ଆମ ଭିତରେ ଜଳୁଛି, ତାହା ଯଦି ଚିରକାଳ ପାଞ୍ଚଟା କାଙ୍ଗାଳ ଭିତରେ ଜଳୁଥାଏ । ତେବେ ତାହା ହିଁ ହେବ ଯଥେଷ୍ଟ । ସେଇ ନିଆଁ ରୁ ଦିନେ ବଣପୋଡ଼ି ହେବ; ସେଇ ନିଆଁରୁ ଚାରିଆଡ଼ ନିଆଁ ଜଳିଉଠିବ । ଆଉ ଆମ ମୁହଁରୁ ଭାତ କାଢ଼ିନେଇ ଆମ ପେଟରେ ଯେଉଁମାନେ ଗୋଇଠା ମାରିଛନ୍ତି, ସେମାନେ ପୋଡ଼ିଯିବେ–ଜଳି ପାଉଁ ଶ ହୋଇଯିବେ-। ଖୁସି ହେଉଛୁ–ଛତ୍ରରେ ଖାଇବୁ ବୋଲି ଖୁସି ।’

 

କାଙ୍ଗାଳଟି ମନେ କଲା ମାଷ୍ଟରଙ୍କ ପାଗଳପଣ ବାହାରିଲା । ସେ ବିଚାରା କିଛି ନ କହି ତାଙ୍କରି ଆଡ଼କୁ ଚାହିଁ ରହିଲା ।

 

ଦୀନା ଆଖି ଦୁଇଟାରୁ ନିଆ ଫିଟିପଡ଼ିବା ପରି ଜଣାଗଲା ।

 

ବୁଢ଼ା ଭୁଲିଗଲା ତା ପାଖରେ ଦୀନା ବସିଛି ଏ କାଙ୍ଗାଳଟି ବସିଛି । ସେ ମନକୁମନ ବକିଲା,‘ଖୁସି ହେଉଛନ୍ତି–ଖୁସି ? ଗୋରୁମାରି ଯୋତା ଦାନ କରାଯାଉଛି–ଆମରି ଗୋରୁକୁ ଛାଲି ତା ଚମଡ଼ା ଦୁଇଖଣ୍ଡରେ ଯୋତା ତିଆରି କରି ଆମକୁ ଦିଆ ଯାଉଛି; ସେଥିରେ ପୁଣି ଖୁସି । କି ରେ, ଆମେ ଆଜି ବାଟର କାଙ୍ଗାଳ କାହା ପାଇଁ ? କେଉଁ କାରଣରୁ ? ଏଇ ତୋର, ଏଇ ତାର, ଏଇ ମୋର–ଜମିଥିଲା; ଘର ଥିଲା–ସବୁଥିଲା । ଗଲା କୁଆଡ଼େ ? ଜମିଜମା, ଘରଦ୍ୱାର ଏହା ସବୁ ତ କର୍ପୂର ନୁହେଁ ଯେ କୁଆଡ଼େ ଉଡ଼ିଗଲା । ମିଠାଇ, ରସଗୋଲା ନୁହେଁ ଯେ କେହି ଗିଳି ଦେଲା । ନା ନା, ବାବୁ ସେ ସବୁ କିଛି ନୁହେଁ । ଚୋରୀ, ଡକାଇତି, ଜୁଆଚୋରୀ କରି - ଆମଠାରୁ କାଢ଼ି ନେଇଗଲେ; ଆମ ଘର ଭାଙ୍ଗି ଦେଲେ; ଆମକୁ ବାଟର ଭିକାରୀ କରି ଛାଡ଼ିଦେଲେ । ଆମେ ଯେତେବେଳେ ଶହ ଶହ ସଂଖ୍ୟାରେ ବାଟ କଡ଼ରେ ପଡ଼ି ମଲୁ, ସେମାନଙ୍କ ଡକେଇତିର ଫଳ ତାଙ୍କ ଆଖି ଆଗରେ ବଡ଼ ବିକଟ ହୋଇ ଦିଶିଲା । ଆମରି ପ୍ରେତ ତାଙ୍କ ଶୋଇବା ଘରେ ପଶି ନାଚିଲା । ଆମର ନିଃଶ୍ୱାସ ତାଙ୍କର ମଉଜମଜଲିସକୁ ପିତା କରି ଦେଲା । ସବୁ ମଣିଷ ଉପରେ ମନୁଷ୍ୟତା ବୋଲି ଯେଉଁ କଥାଟା ଅଛି, ତାହା ନ୍ୟାୟ ଦାବୀକଲା । ଏଗୁଡ଼ାକ ତ ପାପୀ, ହତ୍ୟାକାରୀ, ଡକାୟତ । ନ୍ୟାୟର କି ଜବାବ ଦେବେ ଏମାନେ ? ସେଇଠୁ ଆରମ୍ଭ କଲେ ଜୁଆଚୋରି । ସେଇଠୁ ଆରମ୍ଭ କଲେ ଧର୍ମକୁ ଆଖିଠାର । କଳାପାଣିରୁ ଫେରିଥିବା ଜଗୁ ମଳିକ କହୁଥିଲା ଫାଶୀ ଦେବା ଆଗରୁ କୁଆଡ଼େ ଫାଶୀରେ ଲଟକିବା ଲୋକଟାକୁ ଗାଧୋଇ ପାଧୋଇ ଦିଅନ୍ତି, ତୁଳସୀ ଗଙ୍ଗାଜଳ ଦିଅନ୍ତି, ଭାଗବତ ପଢ଼ି ଶୁଣାଇ ତା ପରେ ହାତ ଗୋଡ଼ ବାନ୍ଧି ଦେଇ ଫାଶୀ ଖୁଣ୍ଟରେ ଝୁଲାଇ ଦିଅନ୍ତି । ଏ ଠିକ୍‌ ସେମିତି କଥା । ଆମକୁ ବାଟର କାଙ୍ଗାଳ କରି, ବାଟ କଡ଼ରେ ପଡ଼ି ମରିବା ପାଇଁ ଆମକୁ ଠେଲିଦେଇ, ଛତ୍ରରେ ଅନ୍ନଦାନ କରି ପୁଣ୍ୟ କରିବେ ସେମାନେ ? ଆମେ ମରୁଛୁ–ଭଲ; ତୁମେ ଆମକୁ ମାରି ପକାଉଛ–ଭଲ; କିନ୍ତୁ ତମର ବଡ଼ଲୋକୀ ଦେଖାଇ, ତମର ଦୟାମାୟାର ସୁଆଙ୍ଗ ଦେଖାଇ, ଦାନଧର୍ମର ଦ୍ୱାହି ଦେଇ ଆମକୁ ଅପମାନ ଦେବ, ଆମ ମୁହଁରେ ଯୋତା ପିଟିବ–କି ଅଧିକାର ଅଛି ତମର ? କିଏ ତମକୁ ସେ ଅଧିକାର ଦେଲା ? ସେ କାମ ହେବ ନାହିଁ । ସେ ପାଠ ଚଳିବ ନାହିଁ । ବୁଢ଼ା ହେଲିଣି, ଖାଇବାକୁ ନ ପାଇ ଅନ୍ତ ଶୁଖି ଗଲାଣି । ତଥାପି–ତଥାପି ମୋର ଏ ହାଡ଼ ଦି’ ଖଣ୍ଡ ଡାକ ଛାଡ଼ୁ ଥିବ–ଚୋର, ଡକେଇତ, ଜୁଆଚୋର, ହତ୍ୟାକାରୀ ।

 

ବୁଢ଼ାର ଆଖି ଦୁଇଟା ଜ୍ୱଳି ଉଠୁଥାଏ, ହାତ ଦୁଇଟା ମୁଷ୍ଟି ବଦ୍ଧ, ଛାତିର ହାଡ଼ଗୁଡ଼ାକ ଭାତି ତାଇଲା ପରି ଉଠୁ ଥାଏ ପଡ଼ୁଥାଏ; ଚେହେରାରୁ ଫୁଟି ପଡ଼ୁଥାଏ ରକ୍ତାକ୍ତ ହିଂସାର ପଦଚିହ୍ନ । କାଙ୍ଗାଳଟାର ମନେ ହେଲା, ବୁଢ଼ା ସାମନାରେ ଯାହାକୁ ପାଇବ ତାକୁ କାମୁଡ଼ି ଦେବ, ନଖରେ ବିଦାରି ଦେବ । ସେ ଡରିଗଲା । ଭୟରେ ତାର ଶୀର୍ଣ୍ଣ ଛାତିଟା ଥରି ଉଠି ଲା । ବାପା ରେ ବାପା; ଏ ମାଷ୍ଟର ବୁଢ଼ା–ସମସ୍ତଙ୍କୁ ଏତେ ଦେଖି ପାରେ, ଏତେ ଭଲ ପାଏ; ଏମିତି ରାଗ ତ କେହି କେବେ ଦେଖି ନ ଥିଲା ? ବୁଢ଼ାର ମୁଣ୍ଡ ଖରାପ ହୋଇଗଲା; ବୁଢ଼ାଟା ପାଗଳ ହୋଇଗଲା । ଏଠାରୁ ପଳାଇଲେ ରକ୍ଷା । ନ ହେଲେ ଭଲ ଥାଏ ମନ୍ଦ ଥାଏ । କାଙ୍ଗାଳଟି ଉଠି ସେଠାରୁ ଚାଲିଗଲା ।

 

ବୁଢ଼ା ତା ଆଡ଼କୁ ଚାହିଁ ଉଚ୍ଚ ସ୍ୱରରେ କହିଲା, ‘ଦୀନା, ପଳାଇଲା । ବିଚାରା, ଛାତି ତଳେ ତାର କେତେ ଦୁଃଖ, କେତେ ଯନ୍ତ୍ରଣା ଜମା ହୋଇଛି ରେ । ସେଇ ପକ୍‌କା–ସେଇ ଘର–ସେମିତି ଘର ତାର ଥିଲା, ସେମିତି ପିଲାପରିବାର ଘେନି ଘର କରୁଥିଲା । ସବୁ ଗଲା–ସବୁ ଯାଇଛି–ଆଜି ସେ କାଙ୍ଗାଳ, ଛତ୍ରରେ ଭାତ ମୁଠାଏ ମିଳିବ ବୋଲି ଖୁସି ହେଉଛି ।’

 

ବୁଢ଼ା ମୁଣ୍ଡର ଶିରାଗୁଡ଼ାକ ହଠାତ୍‌ ଛିଡ଼ା ହୋଇ ପଡ଼ିଲା । ସେ ପାଟି କରି କହିଲା, ‘ଦୀନା, ଦୀନା, ମନେ ହେଉଛି ମୁଁ ତା ତଣ୍ଟି ଚିପି ମାରିବି, ତା କଲିଜା ଚିରି ପକାଇବି, ତାର ରକ୍ତ ମୁଣ୍ଡରେ ବୋଳି ଧାଇଁ ବୁଲିବି । ସେଇ–ସେ ଡକେଇତ, ସେଇ–ସେ ଅତ୍ୟାଚାରୀ; ସେଇ–ସେ ହତ୍ୟାକାରୀ; ସେଇ–ଯେ ତୋତେ କାଙ୍ଗାଳ କରିଛି, ମୋତେ କାଙ୍ଗାଳ କରିଛି, ତାକୁ କାଙ୍ଗାଳ କରିଛି-।’

 

ଦୀନାର ଶୁଖିଲା ଛାତି ଭିତରଟାରେ ନିଆଁର ତରଙ୍ଗ ନାଚି ବୁଲୁଥିବାର ସେ ଅନୁଭବ କଲା । ଉଠିବାର ଶକ୍ତି ନାହିଁ, ହାତ ଟେକିବାକୁ କଷ୍ଟ ହେଉଛି, ତଥାପି ତାର ଡାହାଣ ହାତଟା ମୁଠା ହୋଇଗଲା । ସେ ଡାକିଲା, ‘ମାଷ୍ଟ୍ରେ ।’

 

ମାଷ୍ଟ୍ରେ କହିଲେ, ‘ହଁ !’

 

ବୁଢ଼ା ଆଖିରୁ ଦୁଇ ଟୋପା ଲୁହ ଗଡ଼ି ପଡ଼ିଲା ।

 

ଷ୍ଟାଣ୍ଡରେ ମୋଟରଟାଏ ଆସି ପହଞ୍ଚିଲା; ଯାତ୍ରୀମାନଙ୍କର ଗହଳି ଲାଗିଗଲା । ଯେ ଯାହାର ଗନ୍ତବ୍ୟ ସ୍ଥାନକୁ ଯିବାପାଇଁ ବ୍ୟସ୍ତ ।

 

ଟିଣ ଘରର ସେ କଣରେ ଯେ ଦୁର୍ବାର ବିପ୍ଳବର ଜୀବନ୍ତ ସ୍ଫୁ ଲିଙ୍ଗ ଦୁଇଟି ବାରୁଦ ସ୍ତୂପର ଠିକ କଡ଼ରେ କୁହୁଳି କୁହୁଳି ଉଠୁ ଥିଲା, ସେ ଆଡ଼କୁ ସେମାନଙ୍କର ଦୃଷ୍ଟି ନ ଥିଲା, ଦୁନିଆରେ କାହାରି ମଧ୍ୟ ଦୃଷ୍ଟି ନ ଥିଲା ।

 

ପଚିଶ

 

ରମ୍ଭାଠାରୁ ଛତ୍ରପୁର ଆଡ଼କୁ ଯେଉଁ ନାଲିସଡ଼କ ପଡ଼ିଛି ତା କଡ଼ରେ ଥିବା ଗୋଟାଏ ବଡ଼ ଗାଆଁ ରେ ଶରତ୍‌ ଗୋଟାଏ ଆଶ୍ରମ ଖୋଲିଲା ।

 

ଗାଆଁ ର ସେ ମୁଣ୍ଡରେ ଗୋଟାଏ ବଡ଼ ଘର, ବାଡ଼ିରେ ପୋଖରୀ, ଦିନେ ଏହାର ଚାରି କଡ଼ରେ କଦଳୀ ବଗିଚା ଥିଲା । ସେହି ଘର ଖଣ୍ଡିକ ନେଇ ଶରତ୍‌ ରହିଲା । ନ ରହି ତାର ଚାରା ବା କଅଣ ? ବୀରେଶ୍ୱରର ନିମନ୍ତ୍ରଣ ଫଳରେ ଗଞ୍ଜାମ ଜିଲାର ଅବସ୍ଥା ଦେଖିବାକୁ ଆସି ତାର ଅନ୍ତରାତ୍ମା ଶୁଷ୍କ ହୋଇଗଲା । ଏତେ ଦୈନ୍ୟ, ଏତେ ଦୁଃଖ ଯେ କିପରି ଭାବରେ ଗୋଟାଏ ଅଞ୍ଚଳରେ ପୁଞ୍ଜୀଭୂତ ହୋଇଯାଇ ପାରେ, ତାହା ଦେଖି ତାର କଳ୍ପନା ସ୍ତବ୍‌ଧ ହୋଇଗଲା, ତାର ହୃଦୟ ରକ୍ତାକ୍ତ ହୋଇଗଲା, ତାର ମନୁଷ୍ୟତା ବିଦ୍ରୋହୀ ହୋଇ ଉଠିଲା । ତା ମନେ ହେଲା, ବିଶ୍ୱର ସମସ୍ତ ଅଭିଶାପ ଏକତ୍ରିତ ହୋଇ ଏ ଅଞ୍ଚଳରେ ମୂର୍ତ୍ତିଲାଭ କରିଛି ।

 

କିଏ ଏମିତି କଲା ? କାହିଁକି ଏମିତି ହେଲା ? ଏସବୁ ପ୍ରଶ୍ନ ଭାବିବାକୁ ଯାଇ ତା ମସ୍ତି ଷ୍କ ଭିତରେ ନିଆଁ ଜ୍ୱଳି ଉଠିଲା, ତା ଛାତି ଭିତରେ ବିପ୍ଳବର ଜ୍ୱଳାମୟ ହଳାହଳ ଫେନିଳ ହୋଇଉଠିଲା, ତା ଶିରାପ୍ରଶିରାରେ ଧାଇଁ ବୁଲିଲା ଅଗ୍ନିର ତରଳ ସ୍ରୋତ । ମନୁଷ୍ୟ ବିରୁଦ୍ଧରେ ଯେଉଁ ମାନେ ଏତେ ବଡ଼ କ୍ରୂର କର୍ମ କରି ପାରନ୍ତି, ବିଶ୍ୱର ଅସୀମ କ୍ଷମା ଉପରେ ସେମାନଙ୍କର ଅଣୁମାତ୍ର ଦାବୀ ନାହିଁ ବୋଲି ସେ ଅନୁଭବ କଲା । ସେ ମନେକଲା, ଏଥିପାଇଁ ଯେଉଁ ମାନେ ଦାୟୀ ସେମାନେ ମନୁଷ୍ୟର ଶତ୍ରୁ, ମନୁଷ୍ୟ ଜାତିର ବୈରୀ, ମନୁଷ୍ୟ ସମାଜ ଭିତରୁ ସେମାନଙ୍କୁ ଲୋପ କରିବା ପ୍ରତି ମନୁଷ୍ୟର କର୍ତ୍ତବ୍ୟ ।

 

ସେ ବୀରେଶ୍ୱରଙ୍କୁ କହିଲା, ‘ଯେଉଁ ମାନଙ୍କ କାର୍ଯ୍ୟ ଫଳରେ ଆଜି ହଜାର ହଜାର ଲୋକ ଏତେ ଯନ୍ତ୍ରଣା ଭୋଗୁଛନ୍ତି, ଏପରି ନିଃଶହାୟ ଭାବରେ ମୃତ୍ୟୁମୁଖରେ ପଡ଼ୁ ଛନ୍ତି, ଏକ ମୁହୂର୍ତ୍ତମଧ୍ୟରେ ଯଦି ଲେଲିହାନ ଅଗ୍ନି ତରଙ୍ଗ ସେମାନଙ୍କୁ ଗ୍ରାସ କରନ୍ତା, ତା ଭିତରେ ପଡ଼ି ସେମାନେ ଯଦି ରୌରବଯନ୍ତ୍ରଣା ଭୋଗ କରନ୍ତେ, ତେବେ ସେମାନଙ୍କ ପ୍ରତି ମୋର କୌଣସି ସହାନୁଭୂତି ହୁଅନ୍ତା ନାହିଁ, ବୀର ।’

 

ବୀର ହସି ହସି କହିଲା, ‘ଅଥଚ ତୁ ଅହିଂସାର ଏକନିଷ୍ଟ ସାଧକ ।’

 

ଶରତ୍‌ ଗମ୍ଭୀର ଭାବରେ କହିଲା,‘ଏହାହିଁ ତ ଚରମ ଅହିଂସା । ଯେଉଁ ମାନଙ୍କ ହିଂସାପୂର୍ଣ୍ଣ କାର୍ଯ୍ୟ ଫଳରେ ସହସ୍ର ସହସ୍ର ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି, ଅହିଂସା ଉପରେ ଦାବୀ କରିବାରେ ତ ସେମାନଙ୍କର କୌଣସି ଅଧିକାର ନାହିଁ ।’

 

କିନ୍ତୁ ଏପରି ନିରର୍ଥକ ଆକ୍ରୋଶଦ୍ୱାରା ତ ଜଣେ ସୁଦ୍ଧା ଲୋକର ପେଟ ପୂରିବ ନାହିଁ କି ଗୋଟାଏ ପିଲା ମୃତ୍ୟୁମୁଖରୁ ଫେରି ଆସିବ ନାହିଁ । ସେଥିପାଇଁ ଶରତ୍‌ ଠିକ୍‌ କଲା, ସେ ଏହି କାଙ୍ଗାଳମାନଙ୍କ ସହିତ ରହିବ, ତାଙ୍କ ନିରାଶ ହୃଦୟରେ ଆଶାର ସଂଚାର କରିବାରେ ଚେଷ୍ଟା କରିବ, କିଛି କରି ନ ପାରିଲେ ତ ସେମାନଙ୍କ ମନରେ ଟିକିଏ ଆଶ୍ୱାସନା ଦେଇ ପାରିବ । ସେଇଥିପାଇଁ ଶରତ୍‌ ସେ ଗାଆଁ ରେ ଘରଖଣ୍ଡିଏ ନେଇ ରହିଲା ।

 

ବୀରେଶ୍ୱର ଏ ଘରକୁ ଶରତ୍‌ର ଆଶ୍ରମ ବୋଲି ଥଟ୍ଟା କରି କହିଥିଲା । ଶରତ୍‌ ଏହାର ପ୍ରତିବାଦ କଲେ ମଧ୍ୟ ସେ ଘର ଖଣ୍ଡିକ ଗ୍ରାମରେ ଆଶ୍ରମ ବୋଲି ପରିଚିତ ହୋଇଗଲା ।

 

ଶରତ୍‌ର ଆଶ୍ରମ ଆରମ୍ଭ ହେବାର ଦଶଦିନ ପରେ ବୀରେଶ୍ୱର ମୋଟର ନେଇ ଆସି ଦେଖିଲା, ଘର ଆଗରେ ଏକ ଛାମୁଣ୍ଡି ଆ, ତା ତଳେ ଅନେକଗୁଡ଼ିଏ କାଙ୍ଗାଳ ରୁଣ୍ଡ ହୋଇଛନ୍ତି, ଘର ଭିତରେ ମଧ୍ୟ କାମଧନ୍ଦାର ସଜୀବତ । ଗୁଡ଼ାଏ କାଙ୍ଗାଳ ପିଲା କୁଆଡ଼ୁ ଆସି ଯୁଟି ଯାଇଛନ୍ତି । ଗୋଟାଏ ଘରେ ରହିଛି ଗୁଡ଼ାଏ ଅରଟ । ତିନି ଚାରିଜଣ ଲୋକ ରୋଷାଇ କରିବାରେ ବ୍ୟସ୍ତ । ଶରତ୍‌ ନିଜେ ୩।୪ ବର୍ଷର ଗୋଟାଏ ପିଲାକୁ ଗାଧୋଇ ଦେଉଛି । ପିଲାଟିର ମୁଣ୍ଡରୁ କେଶପୁଞ୍ଜ ଉପୁଡ଼ି ଯାଇଛି, ଆଖି ଦୁଇଟି କୋଟରଗତ, ଗାଲର ହାଡ଼ ବାହାରି ପଡ଼ିଛି, ଦେହରେ ହାତଗୋଡ଼ ଚାରିଟା ଶୁଖିଲା ଡାଙ୍ଗ ଚାରିଖଣ୍ଡ ପରି ରହିଛି, ଛାତିର ପଞ୍ଜରା ଗଣି ହେଉଛି, ବାହାରକୁ ବାହାରି ପଡ଼ିଛି କେବଳ ପେଟଟା । ଏଇ ପିଲାଟା–ଶରତ୍‌ ଏହାକୁ ନିଜ ପୁଅପରି ଯତ୍ନକରି ଗାଧୋଇ ଦେଉଥିବାର ଦେଖି ବୀରେଶ୍ୱର ସ୍ତମ୍ଭୀଭୂତ ହେଲା ।

 

ଘରେ ବସି ବୀରେଶ୍ୱର ପଚାରିଲା, ‘ଏଗୁଡ଼ିକୁ କୁଆଡ଼ ସଂଗ୍ରହ କରିଛୁ, ଶରତ୍‌ ?’

 

ଶରତ୍‌ କହିଲା,‘ସଂଗ୍ରହ କରି ନାହିଁ, ଏମାନେ ଯେ କୁଆଡ଼ୁ ଆସି ପହଞ୍ଚିଗଲେ ମୁଁ ବୁଝି ପାରୁ ନାହିଁ । ଏତେଗୁଡ଼ିଏ ମୋର ଆପଣାର ଲୋକ ଯେ କେମିତି କୁଆଡ଼େ ଲୁଚି ରହିଥିଲେ, ତାହା ମଧ୍ୟ ଧାରଣା କରିପାରୁ ନାହିଁ; କିନ୍ତୁ କେବଳ ଏତିକି ବୁଝି ପାରୁଛି, ଏଡ଼େ ବଡ଼ ଦାୟିତ୍ୱ ମୁଣ୍ଡାଇବା ଭଳି ଶକ୍ତି ମୋର ନାହିଁ ।’

 

ବୀରେଶ୍ୱର ହସିଲା ।

 

ଶରତ୍‌ କହିଲା, ‘ତୁ ହସୁଛୁ, ବୀର । ଏମାନଙ୍କୁ ବଞ୍ଚାଇବା, ଏମାନଙ୍କୁ ମଣିଷ କରିବା ଦାୟିତ୍ୱ ତ ଏକା ଦିନକେ ସରିବ ନାହିଁ । ଆଉ ସାରା ଜୀବନ ଏଡ଼େ ବଡ଼ ବୋଝ ବୋହି ବୁଲିବା କଅଣ ସହଜ କଥା ? ଖାଲି ମୋର ମନେ ହେଉଛି, ଯେଉଁ ମାନେ ଏ ପିଲାଗୁଡ଼ାକର ମୁଖର ଗ୍ରାସ କାଢ଼ି ନେଲେ, ବାପମାଆର ଆଶ୍ରୟ ଭାଙ୍ଗିଦେଲେ, ସେମାନେ କେଡ଼େ ରାକ୍ଷସ !’

 

ବୀରେଶ୍ୱର କହିଲା, ‘ଦେଖ, ତୋତେ ପରାମର୍ଶ ବା ଉପଦେଶ ଦେବି ଏଭଳି ଶକ୍ତି ବା କ୍ଷମତା ମୋର ନାହିଁ, ସେକଥା ତୁ ଜାଣୁ; କିନ୍ତୁ ମୁଁ ଗୋଟାଏ କଥା କହୁଛି, ଯେ ବା ଯେଉଁ ମାନେ ଏ ମଡ଼କ ପାଇଁ ଦାୟୀ ସେମାନଙ୍କ ବିଚାର ଆଜି ନୁହେ, କାଲି ନୁହେଁ, ଯୁଗ ଯୁଗ ଧରି କରିବ ଜାତି, କରିବ ସମାଜ, କରିବ ଇତିହାସ । ସେମାନଙ୍କ ବିରୁଦ୍ଧରେ ଆଜି ମନୁଷ୍ୟତାର କ୍ରୋଧ ପୁଞ୍ଜୀଭୂତ ହୋଇଛି, କାଲି ପୁଞ୍ଜୀଭୂତ ହେବ ଅସମ୍ମାନ–ଘୃଣା । ତୁ ସେମାନଙ୍କର ବିଚାର କର ନାହିଁ । ଯେଉଁ ପବିତ୍ର କାମରେ ତୋ ହାତ ଉଜ୍ଜ୍ୱଳ ହୋଇଉଠିଛି, ତା ନିକଟରେ ବିଚାରକର ନ୍ୟାୟସଂଗତ କ୍ରୋଧ ନିଷ୍ପ୍ରଭ ହୋଇଯିବ । ମୁଁ ସରକାରୀ ଚାକର ସତ; କିନ୍ତୁ ମୋର ମଧ୍ୟ ଆଖି ଅଛି, ମସ୍ତିଷ୍କ ଅଛି । ମଁ ମଧ୍ୟ ଭବିଷ୍ୟତ୍‌ ଗର୍ଭକୁ ଆଖି ପକାଇ ଦେଖି ପାରୁଛି । ଦେଖୁଛି କଅଣ ଜାଣୁ ?–ବିପ୍ଳବ ।’

 

ଶରତ୍‌ ହସି ପକାଇଲା ।

 

ବୀରେଶ୍ୱର କହିଲା, ‘ତୁ ହସୁଛୁ ଯେ ମୋ ମୁହଁରେ ଏକଥା ଶୋଭା ପାଉ ନାହିଁ । ଠିକ୍; କିନ୍ତୁ ବନ୍ଧନ ଯାର ଯେତିକି ଟାଣ, ମୁକ୍ତିର ସ୍ପର୍ଶ ସେ ସେତିକି ଆଗରୁ ପାଏ । ବିପ୍ଳବର ଅଭିମୁଖ୍ୟ ଯେଉଁ ମାନେ, ବିପ୍ଳବର ତରବାରୀ ଯେଉଁ ମାନଙ୍କ ସସ୍ତକରେ ପଡ଼ିବ, ବିପ୍ଳବଦ୍ୱାରା ଯେଉଁ ମାନେ ଚୂର୍ଣ୍ଣୀଭୂତ ହୋଇଯିବେ, ବିପ୍ଳବକାରୀ ଆଗରୁ ବିପ୍ଳବର ସନ୍ଧାନ ସେମାନେ ପାଇଥାନ୍ତି । ସେଥିପାଇଁ ସେମାନେ ତା ବିରୁଦ୍ଧରେ ଆରମ୍ଭ କରନ୍ତି ଦମନ; ସେଇଥିପାଇଁ ସେମାନେ ବିପ୍ଳବର ଆଗମନ ଆଶଙ୍କାରେ ଶଙ୍କିତ ହୋଇ ପଡ଼ନ୍ତି, ଭୀତତ୍ରସ୍ତ ହୋଇପଡ଼ନ୍ତି ।

 

ଶରତ୍‌ ହସି ହସି କହିଲା, ‘ଠିକ୍ କଥା ଯେ; କିନ୍ତୁ ବିପ୍ଳବ ହେଲେ ତୁ କରିବୁ କଅଣ, ମୁଁ ସେହି କଥା ଭାବୁଛି ।’

 

‘ମୁଁ କରିବି କଅଣ ? ଚାକିରୀଆ ଜୀବ ତ, ପ୍ରଥମେ ଘରେ କବାଟ ବନ୍ଦକରି, ବନ୍ଧୁ କରେ କେଟ୍ରିଜ୍‌ ଦେଇ ତାକୁ ସଜିଲ କରି ରଖି ଦେବି । ତାପରେ ଯଦି ଦେଖିଲି ବିପ୍ଳବ ଆନ୍ଦୋଳନ ଜେଲ, ଜୋରିମାନା, ବନ୍ଧ କ ଗୁଳିରେ ଦବିଲା ତ,‘ସରକାର ବାହାଦୂର ଜିନ୍ଦାବାଦ୍’;ଆଉ ଯଦି ବିପ୍ଳବ ଆନ୍ଦୋଳନ ସଫଳ ହେଲା, ତେବେ ଏକା ଡିଆଁ କେ ଜାତୀୟ ପତାକା ଖୁଣ୍ଟ ତଳେ ଛିଡ଼ାହୋଇ ‘ଇନକିଲାବ୍‌ ଜିନ୍ଦାବାଦ’ ।

 

ଶରତ୍‌ ହସିଲା, ବୀରେଶ୍ୱର ମଧ୍ୟ ହସି ପକାଇଲା ।

 

ପିଲାଟିଏ ଘର ଭିତରକୁ ପଶିଆସି କହିଲା, ‘ଭାଇ, ହରିଆକୁ ଜ୍ୱ ର ଆସିଲାଣି ।’

 

ଶରତ୍‌ ତାକୁ କହିଲା, ‘ଯାଉଛି ।’

 

ବୀରେଶ୍ୱରକୁ କହିଲା, ‘ପିଲାଟାକୁ ଜ୍ୱର ଆସିଲାଣି । ତୁ ବସ, ମୁଁ ଟିକିଏ ତାକୁ ଦେଖିଆସେ ।’

 

ଶରତ୍‌ ବାହାରି ଗଲା ଘର ଭିତରୁ, ବୀରେଶ୍ୱର ସେଇ ଆଡ଼କୁ ଚାହିଁ ଭାବୁଥାଏ ଲୋକଟା କଥା । ଏଉଟା ପରକୁ ନେଇ ନିଜ ଜୀବନ କଟାଇ ଦେଲା–ଆଉ ସେ ?

 

ବାହାରୁ କାଙ୍ଗାଳଗୁଡ଼ିକର କଥାବାର୍ତ୍ତା ଶୁଣା ଯାଉଥିଲା । ଛାମୁଡ଼ିଆ ବାହାରେ ପଡ଼ିଥିଲା ସୁନେଲୀ ଖରା । ବାରିଆଡ଼େ ଗୋଟାଏ କଜଳପାତି ଡାକୁଥିଲା ।

 

ଛବିଶ

 

ପ୍ରମୋଦ ଯାଇ ପହଞ୍ଚିଲା ଲିଲିଙ୍କ ଘରେ ।

 

‘ମଧୁକର’ ପତ୍ରିକାରେ କ୍ଷିତୀଶର ଗୋଟାଏ ପ୍ରେମଗଳ୍ପ ବାହାରିଛି । ସେ ଗଳ୍ପର ନାୟକ ପ୍ରମୋଦ ଓ ନାୟିକା ଲିଲି । ଅବଶ୍ୟ ଲେଖକ ‘ପ୍ରମୋଦ’ ନାମ ପରିବର୍ତ୍ତେ ‘ପ୍ରଦୋଷ’ ଓ ‘ଲିଲି’ ପରିବର୍ତ୍ତେ ‘ବିଲି’ କରିଛି; କିନ୍ତୁ ଏ ଦୁହିଙ୍କର ପ୍ରେମର ବିରାଟ ଅଭିବ୍ୟକ୍ତିକୁ ରୂପଦାନ କରିବା ଯେ ଏ ଗଳ୍ପର ଉଦ୍ଦେଶ୍ୟ ଏ କଥା ପତ୍ରି କାଟିରେ ଲେଖା ପ୍ରକାଶିତ ହୋଇଛି ବୋଲି ସାଙ୍ଗେ ସାଙ୍ଗେ କ୍ଷ ତୀଶ ପ୍ରମୋଦ ପାଖକୁ ଧାଇଁଯାଇ କହିବାକୁ ଛାଡ଼ି ନାହିଁ । ସୁନେଲୀ ହାଓ୍ୟା, ମଖମଲ ପରି ଚନ୍ଦ୍ର କିରଣ, ମେଲଗାଡ଼ି ପରି ତୀବ୍ର ଆବେଗ, କ୍ରୋଟନ ଗଛର ରଙ୍ଗୀନ ଆଭା, ରାଗିଣୀର ସହାସ୍ୟ ଚୁମ୍ବନ, ଭେନସ୍ ପ୍ରତିମା ପରି ଚେହେରା, ମେଡ଼ୋନା ପରି ଗ୍ରୀବାଭଙ୍ଗି, ଗ୍ରାମଫୋନ ରେକଡ଼ ପରି ସ୍ୱରଲହରୀଭରା ହୃଦୟ, ଟର୍ଚ୍ଚ ଲାଇଟ ପରି ଆଖିର ଜ୍ୟୋତି–ଏ ସବୁଗୁଡ଼ାକର ଯଥାଯଥ ସଂଯୋଗ ଫଳରେ କ୍ଷିତୀଶ ଏପରି ଧରଣର ଗୋଟାଏ ଆର୍ଟ ଅନୁସାରେ ଏ ଗଳ୍ପଟିକୁ ଗଢ଼ିଛି ଯେ, ଓଡ଼ିଆ ସାହିତ୍ୟରେ କୌଣସି ଦିନ ତାହା ଦେଖାଦେଇ ନ ଥିଲା; ଆହୁରି ଶହେ ବର୍ଷରେ ମଧ୍ୟ ଦେଖା ଦେବ କି ନା ସନ୍ଦେହ । ତାର ଧାରଣା, ଏହାକୁ ଇଂରେଜିରେ ଅନୁବାଦ କଲେ ନୋବେଲ୍‌ ପ୍ରାଇଜ୍‌ଟା ଉପରେ ତାର ଦାବୀ ସମ୍ପୂର୍ଣ୍ଣ ରୂପେ ସାବ୍ୟସ୍ତ ହୋଇଯିବ । ପ୍ରମୋଦ, ବନମାଳୀ ଓ କ୍ଷିତୀଶ ତିନିହେଁ ବସି ଗଳ୍ପଟାକୁ ଆଲୋଚନା କରୁ କରୁ କ୍ଷି ତୀଶ ଏହି ମତ ବ୍ୟକ୍ତି କରି ଥିଲା, ବନମାଳୀ ଓ ପ୍ରମୋଦ ଏ ମତକୁ ହୃଦୟର ସହିତ ସମର୍ଥନ କରିଥିଲେ ।

 

ବନମାଳୀ କହିଲା, ‘ଦେଖ ପ୍ରମୋଦ ବାବୁ, ଏ ଗଳ୍ପ ମିସ୍‌ ମହାନ୍ତିଙ୍କ ଦୃଷ୍ଟିକୁ ଆସିବା ଦରକାର । ସେ ‘ମଧୁକର’ ପଢ଼ନ୍ତି ତ ?’

 

ପ୍ରମୋଦ କହିଲା, ‘ନା, ଲିଲି ଓଡ଼ିଆ ପତ୍ରିକା ପଢ଼ିବାର ମୁଁ କେବେ ଦେଖି ନାହିଁ । ଥରେ ସେ ମତେ କହିଥିଲେ, ଓଡ଼ିଆ ପତ୍ରିକାରେ ଆର୍ଟ ନ ଥାଏ । ସେଥିପାଇଁ ସେ ସବୁ ପତ୍ରିକା ପଢ଼ି ସମୟ ନଷ୍ଟ କରିବାକୁ ସେ ଠିକ ମନେ କରନ୍ତି ନାହିଁ ।’

 

କ୍ଷି ତୀଶ ଏଥିରେ ଏକମତ ହୋଇ କହିଲା, ‘ଓଡ଼ିଆ ମାସିକ ପତ୍ରର ସମ୍ପାଦକଗୁଡ଼ାକର ଆର୍ଟ ଜିନିଷଟା ସହିତ ପରିଚୟ ନାହିଁ କହିଲେ ଚଳେ । ସେଥିପାଇଁ ଏ ସବୁ ପତ୍ରିକା ପଢ଼ିଲେ ମନରେ ଆନନ୍ଦ ଜାଗେ ନାହିଁ–ଜାଗେ ବିରକ୍ତି ।

 

ବନମାଳୀ ବିରକ୍ତ ହୋଇ କହିଲା, ‘ଦେଖ କ୍ଷି ତୀଶ, ମୁଁ ଆର୍ଟର ଆଲୋଚନା କରୁ ନାହିଁ; ମୁଁ କହୁଛି, ଏ ଲେଖାଟା ଯେପରି ମିସ୍‌ ମହାନ୍ତିଙ୍କ ଦୃଷ୍ଟିରେ ପଡ଼େ ତାର ବ୍ୟବସ୍ଥା କରିବା ପ୍ରମୋଦ ବାବୁଙ୍କ କର୍ତ୍ତବ୍ୟ ।’

 

‘ତା ନ ହେଲେ ଯେ ମୋ ଲେଖାର ମୂଳ ସାର୍ଥକତାଟା ଲୋପ ପାଇଯିବ’, କ୍ଷିତୀଶ ସାହିତ୍ୟିକ ସୁଲଭ ଭାଷାରେ କହିଲା ।

 

ସେତିକି ବେଳୁ ‘ମଧୁକର’ ଖଣ୍ଡିକ ପ୍ରମୋଦ ହାତରେ ସବୁବେଳେ ରହିବାର ସୌଭାଗ୍ୟ ଲାଭ କଲା । କଲେଜର ଯେତେ କଣ ସଙ୍ଗୀକୁ ଏ ଲେଖାଟା ଦେଖାଇବା ସମ୍ଭବ, ସମସ୍ତଙ୍କ ଦୃଷ୍ଟି କୁ ତାହା ଆଣିବା ଦିଗରେ ପ୍ରମୋଦ ପ୍ରବଳ ଉଦ୍ୟମ ଚଳାଇବାରେ ତ୍ରୁଟି କରି ନ ଥିଲା । ପ୍ରଥମେ ତାର ଆଗ୍ରହ ହୋଇଥିଲା, ଲିଲି ପାଖକୁ ଧାଇଁ ଯାଇ ଏ ପତ୍ରିକାଟି ଦେଖାଇବ; କିନ୍ତୁ ବଦମାସ୍‌ ମକୁନ୍ଦା ଧୋବା ତାର ସିଲ୍‌କର ଢୋଲା ପଞ୍ଜାବୀଟା ତ ଦେଇ ନ ଥିଲା; ସେ ଯିବ କେମିତି ତା ପ୍ରେମିକା ପାଖକୁ । ଟ୍ରଙ୍କରେ ଆହୁରି ତିରିଶ ଖଣ୍ଡ କାମିଜ ଥିଲେ ମଧ୍ୟ ସେ ସବୁରୁ କୌଣସି ଟାକୁ ପିନ୍ଧି ତାଙ୍କ ଘରକୁ ଯିବାପାଇଁ ତା ମନବଳିଲା ନାହିଁ । ପ୍ରେମିକସୁଲଭ ଚେହେରା ନ ଥାଇ ଏଡ଼େ ଗଳ୍ପର ନାୟକ ହେବା ଉଚିତ ନୁହେଁ ।

 

ତେଣୁ ତହିଁ ଆର ଦିନ ସକାଳେ ‘ମଧୁକର’ ଖଣ୍ଡି କୁ ଧରି ପ୍ରମୋଦ ଲିଲିଙ୍କ ଘରେ ଯାଇ ପହଞ୍ଚିଲା । ସେତେବେଳେ ଲିଲି ତା ଟେବୁଲ ପାଖରେ ବସି ଖଣ୍ଡେ ବଙ୍ଗଳା ଉପନ୍ୟାସ ପଢ଼ୁଥିଲା । ପ୍ରମୋଦକୁ ଦେଖି ସେ କିଛି କହିଲା ନାହିଁ ।

 

ପ୍ରମୋଦ ଖଣ୍ଡିଏ ଚୌକିରେ ବସି ପଡ଼ି କହିଲା, କ୍ଷି ତୀଶ ବାବୁ ଯେଉଁ ଗଳ୍ପଟି ଲେଖିଛନ୍ତି, ତମେ ଦେଖିଛ ?’

 

ଲିଲି କହିଲା, ‘କି ଗଳ୍ପ ?’

 

‘ଏଇ ମାସର ‘ମଧୁକରରେ’ ତାହା ବାହାରିଛି ।’

 

‘ରବ୍ୱିସ୍‌, ବାଜେ । ସେସବୁ ମୁଁ ପଢ଼େ ନା–ସେସବୁ ପଢ଼ିବା ପାଇ ମୋର ସମୟ ନାହିଁ ।’

 

ପ୍ରମୋଦ ହତାଶ ହେଲା । ଏ ପତ୍ରି କାରେ ପ୍ରକାଶିତ ହୋଇଥିବା ଗଳ୍ପଟି ସେ କେମିତି ଲିଲି ଦୃଷ୍ଟି କୁ ଆଣିବ, ତାହା ତା ପକ୍ଷରେ ଏକ ସମସ୍ୟା ହୋଇ ପଡ଼ିଲା ।

 

ପତ୍ରିକାରେ ପ୍ରକାଶିତ ହୋଇଥିବା ଗଳ୍ପଟି ବାହାର କରି ସେ ଲିଲି ଆଗକୁ ବଢ଼ାଇ ଦେଇ କହିଲା, ‘ହେଇଟି ସେ ଗଳ୍ପଟା । ସେଥିରେ ପ୍ରେମର ଏକ ଆର୍ଟିଷ୍ଟକ୍‌ ଅଭିବ୍ୟକ୍ତି ଅତି ସୁନ୍ଦର ଭାବରେ କ୍ଷି ତୀଶ ଫୁଟାଇଛି ।’

 

ବଙ୍ଗଳା ଉପନ୍ୟାସ ଉପରୁ ଦୃଷ୍ଟି ଉଠାଇ ଲିଲି କହିଲା,‘ଭାଇ ଖଣ୍ଡେ ଚିଠି ଦେଇଛନ୍ତି ।’

 

‘ଭଲ କଥା; କିନ୍ତୁ ଏ ଗଳ୍ପଟା...’

 

‘ସେଥିରେ ସେ ଗଞ୍ଜାମ ଯିବା ପାଇଁ ମୋତେ ଲେଖିଛନ୍ତି ।’

 

‘ଠିକ୍‌, କିନ୍ତୁ କ୍ଷିତୀଶ.....’

 

‘ଆପଣ ମଧ୍ୟ ଇଚ୍ଛା କଲେ ମୋ ସାଙ୍ଗରେ ଯାଇ ପାରନ୍ତି । ଭାଇ ଲେଖିଛନ୍ତି, ପ୍ରମୋଦ ବାବୁଙ୍କ ମଧ୍ୟ ଆସିବାକୁ କହିବୁ ।’

 

ପ୍ରମୋଦ ବ୍ୟଗ୍ର ହୋଇ କହିଲା, ‘କ ହିଁ କି ?’

 

ଲିଲି ସେହି ବହି ଆଡ଼କୁ ଚାହିଁ ଚାହିଁ କହିଲା ‘ଶରତ୍‌ ବାବୁ ଗଞ୍ଜାମରେ ଆଶ୍ରମ ଖୋଲିଛନ୍ତି । ସେ ଆଶ୍ରମରେ ଦୁଇଚାରି ଡଜନ୍‌ ଅନାଥ ପିଲା ଅଛନ୍ତି । ଗୁଡ଼ାଏ କାଙ୍ଗାଳକୁ ପ୍ରତିଦିନ ସେଠାରେ ଖାଇବାକୁ ଦିଆ ଯାଉଛି । ଶରତର ସେ କୀର୍ତ୍ତି ପରିଦର୍ଶନ କରିବା ପାଇଁ ଭାଇ ଆମକୁ ଡାକିଛନ୍ତି ।’

 

‘ଅର୍ଥାତ୍‌ ?’

 

‘ଶରତ୍‌ ବାବୁ ତ ପାଗଳ । ଭାଇଙ୍କର ମଧ୍ୟ ସେ ଧରଣର ପାଗଳପଣିଆ ଅଛି । ଦୁହେଁ ମିଶି ଗୋଟାଏ କୀର୍ତ୍ତି ଆରମ୍ଭ କରିଛନ୍ତି । ଶରତ୍‌ ବାବୁଙ୍କର ତ କିଛି କାମ ନାହିଁ । ସେ ଏ କାମରେ ଲାଗିଛନ୍ତି । ଆଉ ଭାଇ ଯାହା ଦରମା ପାଉଛନ୍ତି, ସେଥିରୁ ନିଜ ଖର୍ଚ୍ଚ ପାଇଁ ଖୁବ୍‌ କମ ଟଙ୍କା ରଖି ବାକିତକ ସେଥିରେ ଲଗାଉଛନ୍ତି । ମୁଁ ନୂଆ ଡିଜାଇନର ଖଣ୍ଡେ ବ୍ରହ୍ମପୁରୀ ଶାଢ଼ୀ କିଣିବାକୁ ଲେଖିଥିଲି । ଉତ୍ତର ଆସିଲା ୪୦ ଟଙ୍କାରେ ଚଳୁଛି । ଆଉ ଟଙ୍କା ନାହିଁ ।’

 

ଦେଖ, ଏଗୁଡ଼ାକ ଠିକ୍‌ ନୁହେଁ ।’

 

‘କେଉଁଟା ଠି କ୍‌ ନୁହେଁ ? ବ୍ରହ୍ମପୁରୀ ଶାଢ଼ୀ.......’

 

‘ନା, ନା, ତା ନୁହେଁ–ଏମିତି ବାଜେ କାମରେ ପଇସା ଖରଚ କରିବା ଠିକ୍‌ ନୁହେଁ ।’

 

ଲିଲି ବହିଖଣ୍ଡ ଟେବୁଲ ଉପରେ ରଖିଦେଇ କହିଲା, ‘ଆପଣ ଯିବେ ତ ? ଆସନ୍ତା ଶନିବାର ଦିନ ମୁଁ ଯିବି ବୋଲି ସ୍ଥିର କରିଛି ।’

 

ପ୍ରମୋଦ କହିଲା, ‘ତମର ସଙ୍ଗସୁଖ ଲାଭ କରିବାର ଲୋଭ ଛାଡ଼ିବା ସମ୍ଭବ କି ?’

 

ଲିଲି ଗମ୍ଭୀର ଭାବରେ କହିଲା, ‘ପ୍ରମୋଦ ବାବୁ !’

 

‘ଥଟ୍ଟା ରହସ୍ୟ ଉପରେ ମଧ୍ୟ ୧୪୪ ଧାରା ଜାରି କଲେ ଦମ୍‌ ବନ୍ଦ ହୋଇ ଯିବାର ଆଶଙ୍କା ଅଛି । ଚିଲିକାର ଦୃଶ୍ୟ, ଗଞ୍ଜାମର ବିଲମାଳ ପାହାଡ଼ପର୍ବତର ଦୃଶ୍ୟ, ସାଙ୍ଗ ହୋଇ ଦେଖିବାର ସୁଯୋଗଟାକୁ ହେଳାରେ ହରାଇବାର ପାତ୍ର ଅନ୍ତତଃ ମୁଁ ନୁହେଁ । ଆଉ ତା ସାଙ୍ଗକୁ ଶରତ୍‌ ବାବୁଙ୍କର ପାଗଳପଣିଆ । ଏ ଉପଲକ୍ଷ ଧରି ଯଦି ସବୁ କାମ ହୋଇଯାଏ, ତେବେ କ୍ଷତି କଣ ?’

 

ଲିଲି ହସି ହସି କହିଲା,‘ଆପଣ ବଡ଼ ଖୋଲା ଭାବରେ କଥାଗୁଡ଼ାକ କହନ୍ତି ।’

 

‘ତମ ପାଖରେ ଖୋଲାଖୋଲି କଥା ନ କହିଲେ ପାପ ହେବ ।’

 

‘ତେବେ, ମୁଁ ଆଜି ଭାଇଙ୍କୁ ଚିଠି ଲେଖୁଛି ଯେ, ଆମେ ଦୁହେଁ ଆସନ୍ତା ଶନିବାର ତାଙ୍କ ପାଖକୁ ଯିବୁଁ ।’

 

ଲିଲି ଉଠି ଡାକିଲା, ‘ପୂଜାରୀ !’

 

ପ୍ରମୋଦ ମଧ୍ୟ ଉଠି ଲା ।

 

‘କ୍ଷିତୀଶର ପ୍ରେମଗଳ୍ପ ଛାତକୁ ଚାହିଁ ପଡ଼ି ରହିଲା ଲିଲିର ଟେବୁଲ ଉପରେ ।

 

ସତାଇଶ

 

ଶରତ୍‌ର ଆଶ୍ରମ । ଦିନ ୧୨ଟା ହେବ । ଛାମୁଣ୍ଡିଆ ତଳେ ଧାଡ଼ିକୁ ଧାଡ଼ି କାଙ୍ଗାଳ ଖାଇବାକୁ ବସିଛନ୍ତି । ସେମାନଙ୍କ ପତ୍ରରେ ଦିଆଯାଇଛି ଭାତ, ଡାଲି, ତରକାରୀ–ଛତ୍ରର ଜାଉ ନୁହେଁ । ଶରତ୍‌ ଅଣ୍ଟାରେ ଲୁଗା ଭିଡ଼ି ପରିବେଷଣ କରୁଛି । ଏହି ସମୟରେ ଖଣ୍ଡେ ମୋଟର ଗାଡ଼ି ଆସି ଆଶ୍ରମ ଦ୍ୱାରରେ ଛିଡ଼ା ହେଲା । ସେଥିରୁ ଓହ୍ଲାଇ ଆସିଲେ ବୀରେଶ୍ୱର, ଲିଲି ଓ ପ୍ରମୋଦ ।

 

ଶରତ୍‌ ସେମାନଙ୍କୁ ଦେଖି କହିଲା, ‘ତୁମେମାନେ ଘରେ ଯାଇ ବସ । କାମ ସାରି ମୁଁ ଯାଉଛି ।’

Unknown

 

ଘର ଆଡ଼କୁ ଚାଲୁ ଚାଲୁ ବୀରେଶ୍ୱର ଜବାବ ଦେଲା, ‘ହଉ, ଆପଣଙ୍କର କର୍ତ୍ତବ୍ୟ ସମାପନ ହେଉ ।’

 

ଘର ପିଣ୍ଡାରେ ବସି ସେମାନେ କାଙ୍ଗାଳମାନଙ୍କ ଭୋଜନ ଦେଖୁଥିଲେ । ପ୍ରାୟ ଦୁଇଶହ କାଙ୍ଗାଳ । ସେମାନଙ୍କୁ ଅତି ଯତ୍ନର ସହିତ,ପରିଷ୍କୃତ ପରିଚ୍ଛନ୍ନ ଭାବରେ ଖାଦ୍ୟ ଦିଆ ଯାଉଛି । ସେମାନେ ମନୁଷ୍ୟ ଭାବରେ ତାହା ନେଉଛନ୍ତି । ସମୁଦାୟ ବ୍ୟବସ୍ଥା ଭିତରେ ମନୁଷ୍ୟ ପ୍ରତି ସମ୍ମାନ ଓ ଆନ୍ତରିକ ସେବାଭାବ ଫୁଟି ଉଠୁଛି । ଏଠାରେ ଛତ୍ର ଦ୍ୱାରରେ ଜଗିଥିବା ନାଲିପଗଡ଼ିର ଔଦ୍ଧତ୍ୟ ନାହିଁ ବା ଛତ୍ରର ବିତରଣ ଭିତରେ ଦେଖା ଯାଉଥିବା ଆତ୍ମମ୍ଭରିତା ବା ତାଚ୍ଛଲ୍ୟର ଚିହ୍ନ ନାହିଁ । ଶାନ୍ତସଂଯତ ସେବାରେ ଯେ ଉଦାର ପବିତ୍ରତା ପ୍ରକାଶ ପାଇଥାଏ ଆଶ୍ରମର ପ୍ରତ୍ୟେକ କାର୍ଯ୍ୟ ଭିତରେ ତାହା ସ୍ପଷ୍ଟ ହୋଇ ଉଠି ଥିଲା ।

 

ବୀରେଶ୍ୱର ବସି ବସି ଏ ସବୁ ଲକ୍ଷ୍ୟ କରୁଥିଲା; ଶରତ୍‌ ପ୍ରତି ସ୍ନେହସୌର୍ହାଦ୍ୟରେ ତାର ଛାତି ଫୁଲି ଉଠୁ ଥିଲା ।

 

ଲିଲି ଓ ପ୍ରମୋଦ ମୂକ ପରି ବସି ଏ ସବୁ ଦେଖୁଥିଲେ । ଶରତ୍‌ର ଏ ସବୁ କାର୍ଯ୍ୟର ମର୍ମ୍ମ ବୁଝିବା ପରି କ୍ଷମତା ବା ଇଚ୍ଛା ସେମାନଙ୍କର ନ ଥିଲା । ଛତ୍ରପୁରରୁ ଏ ପର୍ଯ୍ୟନ୍ତ ମୋଟରରେ ଆସିବାର ଦୃଶ୍ୟ ଓ ଦୁହିଁଙ୍କର ସାନ୍ନିଧ୍ୟର ମୋହ, ସେମାନଙ୍କ ପକ୍ଷରେ ଯଥେଷ୍ଟ ଥିଲା ।

 

ଖାଇ ସାରି କାଙ୍ଗାଳମାନେ ପାଖ ତୋଟାରେ ବନ୍ଧା ହୋଇ ଥିବା ଛାମୁଡ଼ିଆ ତଳେ ବିଶ୍ରାମ ନେବାକୁ ଗଲେ । ହାତଗୋଡ଼ ଧୋଇ ଆସି ଶରତ୍‌ ଅରଟ ଖଣ୍ଡେ ଧରି ବସି ପଡ଼ିଲା । ସେତେବେଳକୁ ସେ ଘରେ ବୀରେଶ୍ୱର, ଲିଲି ଓ ପ୍ରମୋଦ ବସିଥିଲେ । ଗୋଟାଏ ଅନାଥ ପିଲା କିଛି ବଳଣା ଆଣି ଶରତ୍‌ ପାଖରେ ଥୋଇ ଦେଇଗଲା ।

 

ଶରତ୍‌ କହିଲା, ‘ଖାଇବା କାମଟା ସାରି ବାହାରିଛି ନା ଏଠି ତାର ବ୍ୟବସ୍ଥା ହେବ ?’

 

ବୀରେଶ୍ୱର କହିଲା,‘ଦେଖ, ସମସ୍ତଙ୍କୁ କାଙ୍ଗାଳ ମନେ କରିବା ଠିକ୍‌ ହେବ ନାହିଁ । ତୁ ଦେଖୁ ଛୁ, ମୁଁ ଗୋଟାଏ ଡେପୁଟି ମେଜେଷ୍ଟର ଆଉ ଏ ଦୁଇଜଣ କଟକ କଲେଜର ଛାତ୍ରଛାତ୍ରୀ । ଖାଇବା ଭଳି ଗୋଟାଏ ଅତି ପାର୍ଥିବ କଥାକୁ ଏପରି ଅଭଦ୍ର ଭାଷାରେ ଆମମାନଙ୍କ ଆଗରେ ଆଗତ କରି ତୁ ସଭ୍ୟତାର ମସ୍ତକ ଗର୍ବଣ କରିଛୁ ।’

 

ଶରତ୍‌ ଅସ୍ୱାଭାବିକ ଗାମ୍ଭୀର୍ଯ୍ୟ ଦେଖାଇ କହିଲା, ଠିକ୍‌; କିନ୍ତୁ କଥା ହେଉଛି ତୋର ରୀତିଗତି ସହିତ ମୁଁ ଅପରିଚିତ ନୁହେଁ । ବସା ପୂଜାରୀ ରୋଷେଇ କରି ବସିଛି ବାବୁ ଖାଇବେ ବୋଲି; । ବାବୁ ଦାଣ୍ଡରୁ କେଉଁ କାଙ୍ଗାଳ ଅତଥିକୁ ଡାକି ଆଣି ସବୁତକ ଖୁଆଇ ଦେଲେ । ତା ପରେ ହୁକୁମ ଦେଲେ–ଚୂଡ଼ା ଅଛି ? ଏ ସବୁ ତ ଡେପ୍ୟୁଟି ମେଜେଷ୍ଟରଙ୍କ ବସାରେ ଚଳେ, ନା’ ରେ ଲିଲି-।’

 

ଲିଲି ହସି ପକାଇଲା ।

 

ବୀରେଶ୍ୱର ଲିଲିକୁ ଧମକ ଦେଇ କହିଲା, ‘ଚୁପ୍‌ । ତୁମେ ସବୁ ମୋତେ ଚାକିରୀରୁ ତଡ଼ିବା ପାଇଁ ଷଡ଼ଯନ୍ତ୍ର କରିଛ ନା କଅଣ ? ସରକାର ବାହାଦୂର ଯେତେବେଳେ ବରାବର କହୁଛନ୍ତି ଯେ, ଦେଶରେ ଖାଦ୍ୟ ଜିନିଷ ପୂରି ରହିଛି, ଲୋକେ ଖାଇ ପିଇ ମହା ସୁଖରେ ଅଛନ୍ତି, ସେତେବେଳେ ମୁ କାଙ୍ଗାଳଗୁଡ଼ାକୁ ବାଟ କଡ଼ରୁ ଗୋଟାଇ ସାଉ ଟି ଆଣି ଖୁଆଉଛି ନିଜେ ପୁଣି ନ ଖାଇ–ସେତେବେଳେ ତ ଆଇନ ଅନୁସାରେ ରାଜଦ୍ରୋହ ହୋଇଗଲା, ମୁଁ ମୋ କାର୍ଯ୍ୟ ଦ୍ୱାରା ଆଇନ ଅନୁସାରେ ଭାରତବର୍ଷରେ ପ୍ରତିଷ୍ଠି ତ ସରକାର ବିରୁଦ୍ଧରେ ସ୍ନେହାଭାବକୁ ବିଚ୍ଛୁ ରିତ କରୁଛି–spreading disaffection against Government established by law in India–ବୁଝିଲୁ, ଏହା ରାଜଦ୍ରୋହ ଭୀଷଣ ରାଜଦ୍ରୋହ । ଏ ଅବସ୍ଥାରେ କି ଆମ ସଦାଶୟ ସରକାର ମୋତେ ଚାକିରୀ ରଖି ପାରନ୍ତି ?’

 

ପ୍ରମୋଦ ଏ ସବୁର ମର୍ମ କିଛି ବୁଝି ପାରୁ ନ ଥିଲା; ଖାଲି କଥାଟାଏ କହିବା ଉଦ୍ଦେଶ୍ୟରେ କହିଲା, ‘ଠିକ୍‌ କଥା । କିନ୍ତୁ ସରକାର ଏମିତି ମିଛ କଥାଗୁଡ଼ାକ ଘୋଷଣା କରୁଛନ୍ତି କାହିଁ କି ? ଆମେ ତ ଚାରିଆଡ଼େ ଦେଖୁ ଛୁଁ ଖାଦ୍ୟାଭାବ ।’

 

ବୀରେଶ୍ୱର ହସି ହସି କହିଲା,‘କଲେଜରେ ଏସବୁ ପାଠ ପଢ଼ା ହୁଏ ନାହିଁ ପରା । ଆମେ ସମସ୍ତେ ଯାହା ଦେଖୁଛେଁ, ଯାହା କହୁଁ ଛେ, ସରକାର ଯଦି ସେହି କଥା ଦେଖିଲେ; ସେହି କଥା କହିଲେ, ତେବେ ତାହା ସରକାର ହୋଇ ରହିବ କିମିତି ? ସେମାନେ ଲୋକଙ୍କୁ ଚଳାଇବେ କେମିତି ? ଚପରାସୀକୁ ଖାଦ୍ୟାଭାବ, ଚପରାସୀର ହାକିମମାନଙ୍କୁ ଖାଦ୍ୟାଭାବ–ସମସ୍ତଙ୍କୁ ଖାଦ୍ୟଭାବ, ତଥାପି ଦେଶରେ ଖାଦ୍ୟାଭାବ ପଡ଼ିଛି ଏକଥା କେହି କହି ପାରିବେ ନାହିଁ । ଏହାହିଁ ହେଉଛି ସରକାରୀ କାମର ଧାରା ।’

 

ଲିଲି କହିଲା ‘ଏଉଟା ବଡ଼ ଅନ୍ୟାୟ କଥା ।’

 

ବୀରେଶ୍ୱର ତାକୁ ମିଛଧମକ ଦେଇ କହିଲା, ‘ଚୁପ୍‌ । ରାଜଦ୍ରୋହ ।’

 

ଲିଲି ଉତ୍ତେଜିତ ହୋଇ କହିଲା, ‘ହେଉ ରାଜଦ୍ରୋହ । ଶରତ୍‌ ବାବୁ ମୁଁ ଠିକ୍‌ କଥା କହୁ ନାହିଁ ?’

 

ଶରତ୍‌ ଏକ ମନରେ ବସି ସୂତା କାଟୁଥିଲା; ଲିଲିର ଏକଥା ଶୁଣି ଟିକିଏ ହସିଲା ।

 

ବୀରେଶ୍ୱର ଶରତ୍‌ ଆଡ଼କୁ ଚାହିଁ କହିଲା, ‘ଦେଖ ଶରତ୍‌; ସୂତା କାଟୁ କାଟୁ ଏପରି ହସିବା ଦ୍ୱାରା ତୁ ଲିଲିକୁ ତାର ରାଜଦ୍ରୋହାତ୍ମକ ମତବାଦରେ ଉତ୍ସାହିତ କରୁଛୁ–ଅର୍ଥାତ ଏଉଟା ହେଲା abetmen–ଦଣ୍ଡନୀୟ । ବୁଝିଲୁ ।’

 

ଶରତ୍‌ ସେହିପରି ସୂତା କଟୁ କାଟୁ କହିଲା, ‘କଚିରୀର ଝୁଙ୍କ ଏପର୍ଯ୍ୟନ୍ତ ତୋ ମୁଣ୍ଡରୁ ଖସି ନାହିଁ, ଦେଖୁଛି । କଥା ହେଉଛି ସରକାର ଘରର ତୁମେ କର୍ମଚାରୀପୁଙ୍ଗବଗୁଡ଼ାକ ଆଇନର ମାରପେଞ୍ଚରେ ସବୁ କରିପାର; ଆଉ ଏ ଲୋକଗୁଡ଼ାକୁ ମରଣ ମୁହଁରୁ ବଞ୍ଚାଇ ପାର ନାହିଁ ? ଲୋକଙ୍କର ଭଲ ତମଦ୍ୱାରା ସମ୍ଭବ ନୁହେଁ–ସମ୍ଭବ ଯେତକ ଖରାପ । ସେକଥା ଛାଡ଼ । ମୁଁ ଖାଲି ଦେଖୁ ଥିଲି, ପ୍ରମୋଦ ବାବୁ ଓ ଲିଲି ଦେଈଙ୍କୁ । ସେମାନେ ବଡ଼ ଉତ୍ତେଜିତ ହୋଇ ପଡ଼ିଛନ୍ତି ଏହି ଦରମଲା କାଙ୍ଗାଳଗୁଡ଼ାକୁ ଦେଖି । ସୁଖସ୍ୱାଚ୍ଛନ୍ଦ୍ୟଭରା ବାୟୁମଣ୍ଡଳ ଭିତରେ ସେମାନେ ରହିବାକୁ ଚାହାନ୍ତି, ଦୁଃଖଦୁର୍ଦ୍ଦଶାର ଦୃଶ୍ୟ ଦେଖି ସେମାନଙ୍କ ମନରେ ଜାଗେ ବିରକ୍ତି, ନା ପ୍ରମୋଦ ବାବୁ ।’

 

ପ୍ରମୋଦ ଗମ୍ଭୀର ହୋଇ କହିଲା, ‘ଠିକ୍‌ ।’

 

‘କିନ୍ତୁ କେତେ ବିରକ୍ତ ହେବେ ଆପଣମାନେ ? ଆଜି ଯେଉଁ ଅବସ୍ଥା ଟିକିଏ ଉତ୍କଟ ହୋଇ ଉଠିବାରୁ ଆପଣମାନେ ଏ ବିରକ୍ତିକର ଦୃଶ୍ୟ ଦେଖୁଛନ୍ତି, ସେଉଟା ତ ଦେଶର ଚିରନ୍ତନ ଅବସ୍ଥା–ପ୍ରଭେଦ ଏତିକି ଆମର ଦେହସହା ହୋଇଯିବାରୁ ସବୁଦିନ ତାହା ଆମ ଆଖିରେ ପଡ଼େ ନାହିଁ ।’

 

ବୀରେଶ୍ୱର ହସି ହସି କହିଲା, ‘ମହାତ୍ମା ଶରଚ୍ଚନ୍ଦ୍ର ବକ୍ତୃତା ଆରମ୍ଭ କଲେ ।’

 

ଶରତ୍‌ କହିଲା, ‘ବକ୍ତୃତା ନୁହେଁ ମୁଁ ପ୍ରମୋଦ ବାବୁଙ୍କୁ ଆମର ଏ ଅବସ୍ଥାର ଗୋଟାଏ ଦିଗ ଦେଖାଇ ଦେଉଛି । ସେମାନେ ସୁଖ ଶାନ୍ତି କୋଳରେ ବଢ଼ି ଛନ୍ତି । ଦେଶର ପ୍ରକୃତ ଅବସ୍ଥାଟା ତାଙ୍କ ଦୃଷ୍ଟି ରୁ ସବୁବେଳେ ଲୁଚାଇ ରଖିବା ପାଇଁ ସମସ୍ତେ ବ୍ୟସ୍ତ । ଆଜି ଯଦି ସେମାନେ ଦୁଃଖୀରଙ୍କୀଙ୍କ ଭିତରକୁ ଆସିଛନ୍ତି, ତେବେ ସେମାନଙ୍କ ଦୁଃଖ କେଉଁଠି ତାହା ବୁଝିବା ଉଚିତ ହେବ ନାହିଁ କି ? ଆମ ଦେଶରେ ଦୁର୍ଭିକ୍ଷ ସବୁବେଳର ଘଟଣା । ଆମ ଦେଶର ଲୋକେ ଯେଉଁ ଅବସ୍ଥାରେ ଥାଆନ୍ତି । ଧର ଇଂଲଣ୍ଡର ଲୋକ ଯଦି ବର୍ଷ କେ ମାସେ ସେ ଅବସ୍ଥାରେ ରହନ୍ତେ, ତେବେ ଟେକାପଥର ଫିଙ୍ଗି ପାର୍ଲାମେଣ୍ଟ ଘରକୁ ଭାଙ୍ଗି ଦିଅନ୍ତେ–ଅଥଚ ସେଥିପାଇଁ ତାଙ୍କ ଉପରେ ଗୁଳି ଚାଲନ୍ତା ନାହିଁ କି କାହାରିକୁ ଜେଲ ଖଟିବାକୁ ପଡ଼ନ୍ତା ନାହିଁ । ଏକା ରାତିକେ ଦେଶର ସରକାର ଭାଙ୍ଗି ପଡ଼ନ୍ତା । ପୃଥିବୀର ଶେଷ ସୀମାରୁ ଖାଦ୍ୟ ଆଣି ସେମାନଙ୍କୁ ଯୋଗାଉ ଯୋଗାଉ ତର ସହନ୍ତା ନାହିଁ । ଆମ ଦେଶ ତ ସେ ଦେଶ ନୁହେଁ–ଆମ ଦେଶର ଲୋକ ତ ସେ ଦେଶର ଲୋକ ନୁହନ୍ତି । ସେଥିପାଇଁ ଭାଗ୍ୟକୁ ଆଦରି ମୁହଁ ବୁଜି ସେମାନେ ସବୁ ସହି ଯାଆନ୍ତି–ବାଟ କଡ଼ରେ ପଡ଼ନ୍ତି–ମରନ୍ତି; କିନ୍ତୁ କିଛି କହନ୍ତି ନାହିଁ, କିଛି କରନ୍ତି ନାହି । ମୁଁ କହୁଛି, ପ୍ରମୋଦ ବାବୁ, ସେମାନଙ୍କ ପ୍ରତି ଆପଣଙ୍କ ପରି ଲୋକର, ଲିଲି ଦେଈ ପରି ଲୋକର କଅଣ କିଛି କର୍ତ୍ତବ୍ୟ ନାହିଁ-? ଯଦି ଥାଏ ସେ କର୍ତ୍ତବ୍ୟ କଅଣ ?’

 

ବୀରେଶ୍ୱର କହିଲା, ‘ସେ କର୍ତ୍ତବ୍ୟ ଫେସନ ହେବା, ପ୍ରେମ କବିତା ଲେଖିବା, ଆଉ କଲେଜର ପାଠ୍ୟପୁସ୍ତକ ମୁଖସ୍ତ କରି ପାଶ୍‌ କରିବା ।’

 

ଶରତ୍‌ ଗମ୍ଭୀର ଭାବରେ କହିଲା,‘ଥଟ୍ଟାର କଥା ନୁହେଁ, ବୀର । ପ୍ରମୋଦ ଲିଲି ଆଉ ତାଙ୍କରି ପରି ଲୋକ ତ ଆମ ଅନ୍ତେ ଏ ଦେଶଟାକୁ ଗଢ଼ିବେ । ଏ ଦେଶର ଭାଗ୍ୟଡ଼ୋରି ତ ତାଙ୍କର ହାତକୁ ଯିବ । ସେମାନେ ସେମାନଙ୍କର କର୍ତ୍ତବ୍ୟ ବୁଝି ରଖନ୍ତୁ । ସେମାନେ ଫେସନ କରନ୍ତୁ, ପ୍ରେମ କବିତା ଲେଖନ୍ତୁ–ସବୁ କରନ୍ତୁ; ତା ସଙ୍ଗେ ସଙ୍ଗେ ବୁଝନ୍ତୁ ଏ ଦେଶଟାର ଛାତି ଉପରେ ଗୋଟାଏ ଚିରନ୍ତନ ଦୁର୍ଭିକ୍ଷର ପ୍ରେତମୂର୍ତ୍ତି କିପରି ଭାବରେ ମାଡ଼ି ବସିଛି । ଏହି ପ୍ରେତମୂର୍ତ୍ତି ହି ପରାଧୀନତା । ଏହି ପରାଧୀନତା କବଳରୁ ଦେଶ ମୁକ୍ତ ନ ହେବା ପର୍ଯ୍ୟନ୍ତ ଦୁର୍ଭିକ୍ଷ କବଳରୁ ଦେଶ ମୁକ୍ତ ହେବ ନାହିଁ ।’

 

ଗୋଟାଏ ପିଲା ଆସି କହିଲା, ‘ପଢ଼ିବା ଘଣ୍ଟା ବଜାଇବି ?’

 

ଶରତ୍‌ ତାକୁ କହିଲା, ‘ହଁ, ମୁଁ ଯାଉଛି ।

 

ବୀରେଶ୍ୱରକୁ କହିଲା, ‘ଚାଲ ତମେମାନେ ପିଲାଙ୍କ ପଢ଼ାଘରେ ଟିକିଏ ବୁଲି ଆସିବ ।’

 

ସମସ୍ତେ ଉଠିଲେ ।

 

ଅଠେଇଶ

 

ଦୀନା ଚାଲିଛି ।

 

ଖୋରଧା ପାଖରୁ କଟକ ଆଡ଼କୁ ଯେଉଁ ନାଲି ସଡ଼କ ପଡ଼ିଛି ସେହି ବାଟେ ବାଟେ ଦୀନା ଚାଲିଛି ।

 

ବ୍ରହ୍ମପୁରରେ ସେ ଜଣେ କାଙ୍ଗାଳଠାରୁ ଖବର ପାଇଲା ଯେ, ସାରିଆ ତା ପିଲାଟିକୁ ଧରି ମ୍ୟୁନିସପାଲିଟି ଛତ୍ର ପାଖରେ ବସିଥିବାର ସେ କଟକରେ ଦେଖି ଆସିଥିଲା । ଦୀନା କଟକ ଅଭିମୁଖରେ ବାହାରି ପଡ଼ିଲା । ବ୍ରହ୍ମପୁର ଷ୍ଟେସନର ଜଣେ ପଏଣ୍ଟମେନକୁ ମାଷ୍ଟ୍ରେ ନେହୁରା ହେଲେ, ହାତ ଧରି ଟେକି ଗୋଟିଏ ଗାଡ଼ରେ ଦୀନାକୁ ଚଢ଼ାଇ ଦେଲେ । ଏହିପରି ଭାବରେ ଜଟଣୀ ଷ୍ଟେସନ ଯାଏ ସେ ରେଳଗାଡ଼ି ଆସିଲା ।

 

ଷ୍ଟେସନ ପ୍ଳାଟଫର୍ମରେ ଗାଡ଼ି ରହିଲା । ସଙ୍ଗେ ସଙ୍ଗେ ଜଣେ ପୁଲିସବାଲା ଗାଡ଼ି ଉପରକୁ ଚଢ଼ି ଆସିଲା । କାଙ୍ଗାଳମାନଙ୍କୁ ଗାଡ଼ିରୁ ତଡ଼ିବା ତାର କାମ ବୋଲି ସେ ବାଛି ନେଇଛି । ଯେଉଁ କାଙ୍ଗାଳ ଦୁଇଚାରି ପଇସା ଦିଏ, ପୁଲିସପୁଙ୍ଗବ ତାକୁ ଗାଡ଼ିରେ ଛାଡ଼ିଦିଅନ୍ତି । ଯାହା ପାଖରେ ପଇସାଟିଏ ମଧ୍ୟ ନ ଥାଏ, ତାକୁ ଘଉଡ଼ି ଦେଇ ସଡ଼କରେ ଛିଡ଼ାକରି ସେ ନିଜର କର୍ତ୍ତବ୍ୟ ପାଳନ କରନ୍ତି ।

 

ଦୀନା ପଇସାଟିଏ ପାଇବ କାହୁଁ ? ପୁଲିସବାଲା ରେଳଗାଡ଼ିରୁ ତାକୁ ତ ଦେଲା । ସେ ଧୀରେ ଧୀରେ ଜଟଣୀ ବଜାର ଆଡ଼କୁ ଚାଲିଲା । ସକାଳୁ ଦଳେ କାଙ୍ଗାଳ ଖୋର୍ଦ୍ଧା ଆଡ଼କୁ ଯାଉଥିଲେ । ସେ ସେମାନଙ୍କ ସାଙ୍ଗ ଧରି ଚାଲିଲା । ଦୁଇଦିନ ତା ପେଟରେ ପାଣି ପଡ଼ି ନ ଥିଲା । ଖାଇବା କଥାଟାକୁ ମଧ୍ୟ ସେ ଭୁଲି ଯାଇ ଥିଲା । ସେ ତା ସାରିଆ ପାଖକୁ ଯିବ । ତାକୁ ଦେଖିବ । ତା ପୁଅକୁ ଦେଖିବ । ଏହି ଚିନ୍ତାରେ ସେ ସବୁ ଭୁଲି ଯାଇଥିଲା ।

 

ଦୀର୍ଘ ପଥ, ପେଟରେ ଦାନା ନାହିଁ । ଚାଲିବା ଶକ୍ତି କ୍ରମେ କ୍ରମେ କମି ଆସୁଛି, ତଥାପି ସେ ଚାଲିଛି । ଦିନ ଗଡ଼ି ସଞ୍ଜ ହେଲା ।

 

ବାଟରେ ଗୋଟାଏ ଗୁଡ଼ିଆ ଦୋକାନ । ସେଇଠାରୁ ମାଗି ମୁଠାଏ ମୁଢ଼ି ଖାଇ ପେଟେ ପାଣି ପିଇଲା; ପାଖରେ ଥିବା ଗୋଟାଏ ଖାଲି ପିଣ୍ଡାରେ ଶୋଇ ପଡ଼ିଲା ।

 

ନିଦ ? ନିଦ ତାକୁ ଲାଗିଲା ନାହିଁ; ଆସିଲା ଗୋଟାଏ ତନ୍ଦ୍ରା । ସେହି ତନ୍ଦ୍ରାର ଭିତରେ ସେ ତାର ପଧାନପଲ୍ଲୀରେ ହଜି ଯାଇଥିବା ସଂସାରଟିର ସ୍ୱପ୍ନ ଦେଖିଲା ।

 

ଚାଉଳ ବୋଝାଇ ହୋଇଥିବା ଦୁଇଖଣ୍ଡ ଟ୍ରକ ହେଡ଼୍‍ଲାଇଟ ଆଲୁଅରେ ବାଟକୁ ଉଜ୍ୱଳ କରି କଟକ ଆଡ଼ୁ ଧାଇଁ ଆସୁଥିଲା । ତାରି ଶବ୍ଦରେ ଦୀନାର ତନ୍ଦ୍ରା ଭାଙ୍ଗି ଗଲା । ସେ ଦେଖିଲା, ତୋଟା ଆର ପାଖର ପୂର୍ବ ଦିଗରେ ପ୍ରଭାତର ରକ୍ତାଭ ଆଲୋକ କ୍ରମେ କ୍ରମେ ଫୁଟି ଉଠୁଛି । ସେ ପୁଣି କଟକ ଆଡ଼କୁ ଚାଲିଲା ।

 

କଟକ ଅନେକ ବାଟ; ତଥାପି ତାକୁ ଯିବାକୁ ହିଁ ହେବ । ସେଠାରେ ସେ ତା ସାରିଆକୁ ଦେଖିବ । ତା ପୁଅଟିକୁ ଦେଖିବ । ଏହାହିଁ ତାର ବିଶ୍ୱାସ । କେତେ ଥର ଭାବିଛି, ସେମାନେ ନାହାନ୍ତି । ତାର ଚାରିଆଡ଼ ଅନ୍ଧକାର ହୋଇ ଯାଇଛି । ତାର ସଂସାର ସରିଗଲା ବୋଲି ସେ ମନେ କରିଛି; କିନ୍ତୁ ସେମାନେ ବଞ୍ଚିଛନ୍ତି । ସେମାନଙ୍କୁ ସେ ଦେଖି ପାରିବ । ସେମାନେ ଅଛନ୍ତି । ଏହି କଥା ଶୁଣିଲା ବେଳଠାରୁ ଦୁନିଆଟା ତା ଦୃଷ୍ଟି ରେ ଆଉ ଗୋଟାଏ ରୂପ ଧରିଛି, ମନରେ ଆଶାର ଗୋଟାଏ କ୍ଷୀଣ ରେଖା ସ୍ଥାନ ପାଇଛି ।

 

ସେ ଚାଲିଛି । ଚାଲିବାର ନିଶା ତାକୁ ଧରିଛି । ତାର ଯେ ଚାଲିବାର ଶକ୍ତି ନାହିଁ ସେ କଥା ସେ ଭୁଲି ଯାଇଛି । ତା ମନ ଭିତରେ କେବଳ ଗୋଟାଏ କଥା ରହିଛି–ତାର ସ୍ତ୍ରୀ ଆଉ ପୁଅ ବଞ୍ଚିଛନ୍ତି; ସେ ସେମାନଙ୍କୁ ଦେଖି ପାରିବ ।

 

ଦେଖି ପାରିବ ? ହୁଏତ ସେମାନେ କୁଆଡ଼େ ଚାଲି ଯାଇଥିବେ । ହୁଏତ ତାହାରି ପରି ସେମାନେ ତାକୁ ଖୋଜି ବୁଲୁଥିବେ ।

 

ହଁ, ସାରିଆ ତାକୁ ନିଶ୍ଚୟ ଖୋଜୁଥିବ । ସାରିଆ–ତାର ସ୍ତ୍ରୀ । ସାରିଆ ତାର ସୁନା ହାତରେ ତାର ସୁନାର ସଂସାରକୁ ଗଢ଼ି ଥିଲା, ସଜାଇ ଥିଲା, ନିଜେ ନ ଖାଇ ତାକୁ ଖୁଆଉ ଥିଲା । ଶୁଖିଲା ଆକାଶରୁ ଚଡ଼କ ପଡ଼ି ତାର ଘର ଭାଙ୍ଗି ଯାଇଛି; କିନ୍ତୁ ସାରିଆ ତ ଅଛି । ସେମାନେ ପୁଣି ନୂଆ କରି ଘର ବାନ୍ଧିବେ । ପୁଣି ନୂଆ କରି ସଂସାର ଆରମ୍ଭ କରିବେ ।

 

ସେମାନଙ୍କୁ ବଞ୍ଚାଇବ ବୋଲି ସେମାନଙ୍କୁ ଛାଡ଼ି ଆସି ସେ ଭୁଲ କଲା ? ହଁ, ଭୁଲ କରିଛି ଅଭାବର ତାଡ଼ନାରେ । ଭୋକ ଉପାସରେ ତା ମୁଣ୍ଡ ଠିକ୍‌ ନ ଥିଲା । ସେ ସାରିଆର ଶୁଖିଲା ମୁହଁ ଦେଖି ପାରିଲା ନାହିଁ, ତା ପୁଅର ଭୋକିଲା କାନ୍ଦଣା ଶୁଣି ପାରିଲା ନାହିଁ । ସେ ପଳାଇ ଗଲା-। ପଳାଇ ଯାଇ ସେ ଭୁଲ କଲା ।

 

ସେମାନେ ତ ତାକୁ କେତେ ଖୋଜି ଥିବେ । ସାରିଆ କେତେ ଭୋକ ଉପାସ ସହି ତାକୁ ଚାହିଁ ବସିଥିବ, ଖୋଜି ବୁଲୁଥିବ । ଦୀନା କଟକ ଯାଇଛି ବୋଲି ନିଶ୍ଚୟ ସାରିଆ ତାକୁ ଖୋଜିବା ପାଇଁ କଟକ ଯାଇଛି । ସେ ତାକୁ ସେଠାରେ କେତେ ଖୋଜୁଥିବ । ଦୀନା ପରି ବେଳେବେଳେ ସେ ବି ମନେ କରୁଥିବ, ବଞ୍ଚି କି ଲାଭ ।

 

ଦୀନା ତ ଗୋଟାଏ ପେଟର ଦାନା ଯୋଗାଡ଼ କରିବା ପାଇଁ ପ୍ରଶାନ୍ତ ଚେଷ୍ଟାକରି ମଧ୍ୟ ତାକୁ ଦିନକ ପାଇଁ ପୂରା କରି ପାରି ନାହିଁ । ଆଉ ସାରିଆ ? ତା ଉପରେ ନିଜ ଭାର ଛଡ଼ା ପିଲାଟାକୁ ବଞ୍ଚାଇବା ଭାର ମଧ୍ୟ ଥିଲା ।

 

ନା, ଏସବୁ ଭାବି ଲାଭ ନାହିଁ । ଦୁର୍ଭିକ୍ଷ ତ ଚିରଦିନ ଲାଗି ନ ଥିବ । ଏଥିରୁ ସେମାନେ ଯଦି, ବଞ୍ଚିବର୍ତ୍ତି ବହି ଯାଆନ୍ତି, ପୁଣି ହୁଏତ ଭଲ ଦିନ ଆସିବ । ହେଲେ, ସେମାନଙ୍କ ଆଗର ସୁଖ, ସେମାନଙ୍କର ପଧାନପଲ୍ଲୀ, ତାର ସଂସାର ଆଉ ଫେରି ଆସିବ ନାହିଁ । ସେଥିପାଇଁ ଚିନ୍ତା ନାହିଁ । ସେମାନେ କେଉଁଠି ଗୋଟାଏ ଗଛ ମୂଳରେ କୁଡ଼ିଆ ବାନ୍ଧିବେ । ସେ ମୂଲ ଲାଗି ଆଣିବ; ସାରିଆ ସେ କୁଡ଼ିଆ ଖଣ୍ଡକୁ ଜଗି ରହିବ; ତା ହାତ ଲାଗିଲେ କୁଡ଼ିଆ ଖଣ୍ଡକ ମଧ୍ୟ ହସି ଉଠି ବ । ଦିନକୁ ଥରେ ହେଲେ ତ ସେମାନେ ପେଟ ପୂରାଇ ଖାଇବାକୁ ପାଇବେ । ସେମାନଙ୍କର ପୁଅଟା ତ ହାଡ଼ ଦିଖଣ୍ଡ ହୋଇ ବଞ୍ଚିଯିବ । ତାହା ହିଁ ସେମାନଙ୍କ ପକ୍ଷରେ ଯଥେଷ୍ଟ ।

 

ଚନ୍ଦକାର କୁହୁକାଟ ଜଙ୍ଗଲ । ଲଟି ବୁଦା ଆଉ ବଡ଼ ବଡ଼ ଗଛର ଗହଳି ବାଟ ଦୁଇ ପାଖରେ ପାହାଡ଼ ଦେହରେ ମିଶି ଯାଇଛି । ସୂର୍ଯ୍ୟ ଧୀରେଧୀରେ ମୁଣ୍ଡ ଉପରକୁ ଉଠିଲେ, ଖରା ଟାଣ ହେଲା, ଦୀନାର ସେ ଆଡ଼କୁ ଦୃଷ୍ଟି ନାହିଁ । ସେ ଚାଲିଛି–ଦୁର୍ବଳ ଅନିଶ୍ଚିତ ପଦକ୍ଷେପରେ ଚାଲିଛି ।

 

ବାଟରେ ଗୋଟାଏ ଗାଆଁ । ଖଣ୍ଡେ ଫାଙ୍କା ଜାଗାରେ ଗୋଟାଏ ବରଗଛ । ଗତ ରାତିରେ ବାଟରେ ଯାଉଥିବା ଗାଡ଼ି ବାଲାମାନେ ଏହିଠାରେ ବୋଧହୁଏ ବାଧା କରିଥିଲେ, ଚାରିଆଡ଼େ ଅଲରା କୁଟା, ଦୁଇ ତିନିଟା ଅସ୍ଥାୟୀ ଚୁଲ୍ଲୀରେ ଦରପୋଡ଼ା କାଠ କୋଇଲା ଆଉ ପାଉଁସ ।

 

ଦୀନା ଚାଲିଛି । ଗାଆଁ ମୁଣ୍ଡରେ ପହଞ୍ଚିଲା ବେଳକୁ ତା ମୁଣ୍ଡ ବୁଲାଇ ଦେଲା । ଚାରିଆଡ଼ ଅନ୍ଧାର ଦିଶିଲା । ସେ ଅତି କଷ୍ଟରେ ଆସି ସେ ଗଛ ମୂଳରେ ଶୋଇପଡ଼ିଲା ।

 

ଅଣତିରିଶ

 

‘ଯୁଗବାର୍ତ୍ତା’ ଅଫିସ । ସକାଳ ୮ଟା ହେବ । ନୀଳମଣି ବାବୁ ଟେବୁଲ ପାଖରେ ବସି ଗତ ରାତିରେ ଆସିଥିବା ‘ରୟଟାର’ ଟେଲିଗ୍ରାମ ପଢ଼ୁଥିଲେ–ରୁଷିଆ ଦକ୍ଷିଣ ରଣକ୍ଷେତ୍ରରେ ୮୦ ଖଣ୍ଡ ଗାଆ ଅଧିକାର କଲା, ୧୦ ହଜାର ଶତ୍ରୁକୁ ମୂଳପୋଛ କରି ଦେଲା, ଦ୍ୱିତୀୟ ରଣକ୍ଷେତ୍ର ତିଆରି କରିବା ପାଇଁ ଆମେରିକା ବଡ଼ ଜୋରସୋରରେ ଉଦ୍ୟମ ଚଳାଉଛି, ସଭାପତି ରୁଜଭେଲ୍‌ଟ ଏକ ଉତ୍ସାହ ପୂର୍ଣ୍ଣ ଘୋଷଣା ପ୍ରକାଶ କରିଛନ୍ତି, ପ୍ରଧାନ ମନ୍ତ୍ରୀ ଚର୍ଚ୍ଚିଲ ଉଡ଼ାଜାହାଜ ଯୋଗେ ଅନିଶ୍ଚିତ ସ୍ଥାନକୁ ଗମନ କରିଛନ୍ତି, ଏଥର ଶତ୍ରୁ ସମୂଳେ ବିନଷ୍ଟ ହେବ ବୋଲି ସମର ବିଶାରଦମାନେ କଳନା କରୁଛନ୍ତି, ଭାରତ ସଚିବ ଆମେରିକା ପାର୍ଲ ମେଣ୍ଟରେ କହିଛନ୍ତି, ‘‘ଭାରତରେ ଖାଦ୍ୟ ଉଣ୍ଡାର ପୂରି ରହିଛି, ଭାରତର ଲୋକେ ସୁଖଶାନ୍ତିରେ ଅଛନ୍ତି ।’

 

ନୀଳମଣି ବାବୁଙ୍କ ମୁହଁରେ ଫୁଟି ଉଠୁଥିଲା ତିକ୍ତ ବିରକ୍ତିର ଚିହ୍ନ । ପ୍ରତିଦିନ ସକାଳୁ ରାତି ୧୦ଟା ପର୍ଯ୍ୟନ୍ତ ଏସବୁ ଜିନିଷ ଘାଣ୍ଟି ଘାଣ୍ଟି ତାଙ୍କର ଅନ୍ତରାତ୍ମା କ୍ଷୀପ୍ତ ହୋଇ ଉଠି ଥିଲା, କ୍ରମେ କ୍ରମେ ତାଙ୍କର ଧାରଣା ଦୃଢ଼ ହୋଇ ଯାଇଥିଲା ହୁଏତ ସାରା ଦୁନିଆ ପାଗଳହୋଇ ଗଲାଣି, କେତେ ଜଣ ଧୃର୍ତ୍ତବ୍ୟକ୍ତି ନିଜ ସ୍ୱାର୍ଥ ପାଇଁ ପାଗଳୀଭୂତଗୁଡ଼ାକୁ ନଚାଉଛନ୍ତି କିମ୍ୱା ମନୁଷ୍ୟ ବୁଦ୍ଧି ବିଷୟରେ ଏମାନଙ୍କର ଏତେ କମ ଧାରଣା ଯେ, ଏମାନେ ସମସ୍ତଙ୍କୁ ନିର୍ବୋଧ ବୋଲି ମନେ କରୁଛନ୍ତି । ଏହି ସମୟରେ ଅଫିସ ସାମନାରେ ମଟର ଗାଡ଼ିଟାଏ ଛିଡ଼ା ହେବାର ଶବ୍ଦ ଶୁଭିଲା । ଚପରାସୀ ଖବର ଦେଲା, ରାୟ ସାହେବ ଧରଣୀଧର ସେନାପତି ଓ ଶେଠ ମୂଳଚନ୍ଦ ଚନ୍ଦନଲାଲ ଆସିଛନ୍ତି ।

 

‘ନମସ୍ତେ ନମସ୍ତେ, ନୀଳମଣି ବାବୁ, ‘ରାମ ରାମ, ସମ୍ପାଦକ ଜୀ କହି କହି ରାୟସାହେବ ଓ ଶେଠଜୀ ଘର ଭିତରକୁ ପଶି ଚୌକି ଖଣ୍ଡେ ଖଣ୍ଡେ ଧରି ବସି ପଡ଼ିଲେ ।

 

ନୀଳମଣି ବାବୁ ନାଲିନେଳୀ ପେନସିଲଟା ହାତରେ ଧରି କହିଲେ, ‘କୁଆଡ଼େ ଆସିଲେ ଆପଣମାନେ ?’

 

ରାୟସାହେବ ଟିକିଏ ବିନୟ ଭାବରେ ଅଭିନୟ କରି କହିଲେ, ‘ଏଇ ଟିକିଏ ଆପଣଙ୍କ ଆଡ଼କୁ ଚାଲି ଆସିଲୁ । ଅନେକ ଦିନ ହେଲା ଦେଖାସାକ୍ଷାତ ହୋଇ ନ ଥିଲା । ଆପଣ ତ ଏକପ୍ରକାର ସଭାସମିତିକୁ ଯିବା ବନ୍ଦ କରି ଦେଇଛନ୍ତି ।’

 

‘କାମର ଭିଡ଼, କଅଣ କରାଯାଏ ?’

 

ଶେଠଜୀ ମଝିରେ କହି ପକାଇଲେ, ‘ଠିକ ବାତ୍‌, ଠିକ ବାତ୍‌ ହରଦମ୍‌ ଟେଲିଫୋନ ଆସୁଛି, ବଖତ୍‌ କେତେବେଳେ ହେଉଛି ଆପଣମାନଙ୍କୁ ?’

 

ନୀଳମଣି ବାବୁ ଅନ୍ୟମନସ୍କ ଭାବରେ କହିଲେ, ‘ହଁ ।’

 

ରାୟସାହେବ କହିଲେ, ‘ଗୋଟାଏ ବିଷୟରେ ଆପଣଙ୍କ ସହିତ ଟିକିଏ ବିଶେଷ କଥା ଥିଲା ।’

 

‘କହନ୍ତୁ ।’

 

‘ଓଡ଼ିଶାରୁ ବାହାରକୁ ଚାଉଳ ପଠାଇବା ବିରୁଦ୍ଧରେ ଆପଣ ଯେପରି ଭାବରେ ଲାଗିପଡ଼ି ଲେଖୁଛନ୍ତି, ସେଥିରେ ସରକାର ବଡ଼ ଅସୁବିଧାରେ ପଡ଼ିଛନ୍ତି ।’

 

‘ହଁ, ବାହାରକୁ ଚାଉଳ ରପ୍ତାନୀ ବନ୍ଦ ନ କଲେ ଦେଶଟା ଶ୍ମଶାନ ହୋଇଯିବ ।’

 

‘କିନ୍ତୁ ସରକାର ତ କହୁଛନ୍ତି, ଦେଶରେ ଯଥେଷ୍ଟ ଧାନ ଚାଉଳ ଅଛି ।’

 

‘ସେଇଥିପାଇଁ ତ ଆମେ ହିସାବ କରି ଦେଖାଇ ଦେଇ ଥିଲୁଁ ଯେ, ସରକାରଙ୍କ କଥା ଭୁଲ ।’

 

‘ଠିକ୍‌ କଥା, ଠିକ୍‌ କଥା; କିନ୍ତୁ ଓଡ଼ିଶାରୁ ଚାଉଳ ନ ଗଲେ ସିଲୋନ୍‌ କୋଚୀନ ଆଉ ବଙ୍ଗଳାର ମଣିଷ ମରିଯିବେ ।’

 

‘ମରିବେ ନିଶ୍ଚୟ; କିନ୍ତୁ ସେଥିପାଇଁ ତ ଓଡ଼ିଶାର ଲୋକେ ଦାୟୀ ନୁହନ୍ତି । ସିଂହଳ, କୋଚୀନ ବା ବଙ୍ଗଳାରେ ତ ସେମାନେ ଦୁର୍ଭିକ୍ଷ ଲଗାଇ ଦେଇ ନାହାନ୍ତି । ଭାରତର ଯେ କୌଣସି ଅଞ୍ଚଳରେ ଲୋକେ ଦୁର୍ଭିକ୍ଷ ଭୋଗିଲେ ସେମାନଙ୍କୁ ବଞ୍ଚାଇବା ସମସ୍ତଙ୍କର କର୍ତ୍ତବ୍ୟ; କିନ୍ତୁ ନିଜେ ମରି କଅଣ ସେମାନଙ୍କୁ ଓଡ଼ିଶାର ଲୋକେ ବଞ୍ଚାଇବେ ?’

 

ରାୟସାହେବ ଦେଖିଲେ ଏ ଧରଣରେ କାମ ହେବ ନାହିଁ । ସେ ବାଟ ବଦଳାଇ କହିଲେ, ‘ଶେଠଜୀଙ୍କ ସହିତ ଆପଣଙ୍କ ବିଷୟରେ ଗୋଟାଏ କଥାବାର୍ତ୍ତା ହେଉଥିଲା । ଆପଣ ଜାଣନ୍ତି, ଚାଉଳ ରପ୍ତାନୀରୁ ଶେଠଜୀ ଗତ ତିନି ମାସରେ...’

 

‘ହଁ, ଦଶଲକ୍ଷ ଟଙ୍କା ଲାଭ କରିଛନ୍ତି ।’

 

ଶେଠଜୀଙ୍କ ମନେ ପଡ଼ିଲା ଇନ୍‌କମ୍‌ ଟିକସ କଥା । ସେ ଚଞ୍ଚଳ କହି ପକାଇଲେ, ‘ନେହିଁ, ନେହିଁ, ଦଶଲାଖ ନେହିଁ ତ ଦୋ ଲାଖ ।’

 

ନୀଳମଣି ବାବୁ ହସି ହସି କହିଲେ, ‘ମୋତେ ହିସାବ ମିଳିଛି, ଶେଠଜୀ ।

 

ରାୟସାହେବ କହିଲେ, ‘ଶେଠଜୀ, ସତଟାକୁ ଲୁଚାଇ ଲାଭ ନାହିଁ । ଆପଣ ଇନ୍‌କମ୍‌ ଟିକସବାଲାକୁ ଠକିବେ ବୋଲି ଖବରକାଗଜ ସମ୍ପାଦକଙ୍କୁ କଅଣ ଠକି ପାରିବେ ? ବରଂ ସରକାରରେ ଥିବା ବଡ଼ ବଡ଼ ଭଦ୍ରଲୋକମାନେ ଏ କାମରେ କେତେ କେତେ ପାଇଛନ୍ତି ତାହା କହିଲେ.......’

 

ନୀଳମଣି ବାବୁ କହିଲେ, ‘ତାହା ମଧ୍ୟ ଦରକାର ନାହିଁ, ସେ କଥା ଆମମାନଙ୍କୁ ଜଣାଅଛି-।’

 

ରାୟସାହେବ, ତାହା ମଧ୍ୟ ଜଣା ଅଛି ? ଭଲ କଥା । ଶେଠଜୀ ଆସିଛନ୍ତି ସେମିତି ଗୋଟାଏ କାମରେ ଆପଣଙ୍କ ପାଖକୁ । କଥାଟା କଅଣ କି, ଆପଣ ଓଡ଼ିଶାରୁ ଚାଉଳ ରପ୍ତାନୀ........

 

‘ବିଷୟରେ ଲେଖାଲେଖି ବନ୍ଦ କଲେ ଶେଠଜୀଙ୍କ କୃପାଦୃଷ୍ଟି ଲାଭ କରିବାଟା ମୋ ଭାଗ୍ୟରେ ଘଟିବ ।’

 

ଏହିସମୟରେ ଶେଠଜୀ ପକେଟରୁ ଶହେଟଙ୍କିଆ ନୋଟ ଦଶଖଣ୍ଡ କାଢ଼ି ଟେବୁଲ ଉପରେ ରଖିଲେ ।

 

ନୀଳମଣି ବାବୁ ସେ ଦିଗକୁ ଦୃଷ୍ଟି ଦେଇ କହିଲେ, ‘ଏତକ ପୁଣି ପକେଟରେ ରଖନ୍ତୁ, ଶେଠଜୀ ।’

 

ରାୟସାହେବ କହି ଉଠି ଲେ, ‘ନା ନା ଏତିକି ନୁହେଁ, ଏତିକି ନୁହେଁ । ଏତକ ସଲାମୀ,ଚାଉଳ ରପ୍ତାନୀରେ ଶେଠଜୀ ସରକାରୀ ଏଜେଣ୍ଟ; ଶତକଡ଼ା ବାରଅଣା ଦି ପଇସା ଲେଖା କମିଶନ୍‌.....’

 

ନୀଳମଣି ବାବୁ ହସି ହସି କହିଲେ, ‘ଏଥିରୁ ଗୋଟାଏ ଅଂଶ ମୁଁ ପାଇବି ? ଭଲ କଥା । କିନ୍ତୁ ମୋର ଗୋଟାଏ କଥା ଆପଣମାନେ ଶୁଣନ୍ତୁ । ମୁଁ ଗରିବ ଲୋକ । ସକାଳୁ ରାତି ୧୦ଟା ଯାଏ ଗଧଖଟଣୀ । ମାସରେ ଟଙ୍କା ୩୦୦ ପାଏ । ଆଜିକାଲିକା ଦିନରେ ଏ ଟଙ୍କାରେ ପେଟ ପୂରାଇ ମୁଠାଏ ଖାଇବା ପାଇଁ ମଧ୍ୟ କଷ୍ଟକର ହୋଇଥାଏ । ଦୁଇଖଣ୍ଡ ଲୁଗା, ଦୁଇଖଣ୍ଡ କାମିଜ, ଖଣ୍ଡେ ଲୁଙ୍ଗି ଓ ଖଣ୍ଡେ ଗାମୁଛା ହିଁ ମୋର ସମ୍ୱଳ । ତା ଉପରେ ସରକାରୀ ଆଇନର ତରବାରୀ ବରାବର ମୁଣ୍ଡ ଉପରେ ଝୁଲୁଛି । ଜେଲ ମୋ କାମର ଗୋଟାଏ ଅତି ସୁଲଭ ପୁରଷ୍କାର । ହଁ, ମୁଁ ଗରିବ; କିନ୍ତୁ ଏ ଦେଶଟା ମୋ ଦେଶ, ଏ ଦେଶର ଲୋକଗୁଡ଼ାକ ମୋର ଭାଇ । ସେଥିପାଇଁ ଆପଣମାନଙ୍କ ପରି ବଡ଼ଲୋକ ହେବାକୁ ମୋର ଇଚ୍ଛା ନାହିଁ । ଶେଠଜୀ ମାରୁଆଡ଼ି ଲୋକ । ଏ ଦେଶ ସହିତ ତାଙ୍କ ସମ୍ପର୍କ ଦେଣା ପାଉଣାର, ଲାଭ କ୍ଷତିର । ଆଚ୍ଛା ରାୟସାହେବ, ଆପଣ ତ ଏ ଦେଶର ଲୋକ । ଆପଣ ଏ ଯେଉଁ କାମ କରୁଛନ୍ତି, ଏହା ଦେଶବିଦ୍ରୋହୀର କାମ ନୁହେ କି ?’

ରାୟସାହେବ ଓ ଶେଠଜୀ ତୁନିହୋଇ ବସି ରହିଲେ ।

ନୀଳମଣି ବାବୁ କହିଲେ, ‘ଆପଣମାନେ ବଡ଼ଲୋକ, ଛତ୍ର ଦେଉଛନ୍ତି, ଦିନକୁ ହଜାର ହଜାର ଗରିବ ଲୋକଙ୍କୁ ଖାଇବାକୁ ଦେଉଛନ୍ତି; କିନ୍ତୁ ସେ ସବୁ କଅଣ ପାଇଁ ? ତାଙ୍କ ରକ୍ତ ଶୋଷି ସ୍ୱାର୍ଥସିଦ୍ଧି କରିବାର ସୁବିଧା ପାଇଁ । ଆପଣ ସେମାନଙ୍କୁ ଚିହ୍ନି ନାହାନ୍ତି । ସେମାନଙ୍କର ଯେ ଗୋଟାଏ ଆତ୍ମାସମ୍ମାନ ଜ୍ଞାନ ଅଛି, ଏ ଧାରଣା ଆପଣମାନଙ୍କର ନାହିଁ । ନ ହେଲେ କେଉଁ ସାହସରେ ଆପଣ ମୋ ପରି ଲୋକଙ୍କୁ ଟଙ୍କା ଦେଖାଇ ଅପମାନିତ କରିବାକୁ ଆସନ୍ତେ ?

ନୀଳମଣି ବାବୁ ପୁଣି ରାୟଟାର ଟେଲିଗ୍ରାମ ପୂଜାକୁ ଖେଳାଇବାରେ ଲାଗିଲେ ।

ରାୟସାହେବ ଓ ଶେଠଜୀ ଅଫିସରୁ ବାହାରି ଚାଲିଗଲେ ।

ପ୍ରମୋଦ ଅଫିସ ଭିତରକୁ ପଶିଆସି ନୀଳମଣି ବାବୁଙ୍କୁ ନମସ୍କାରକଲା ।

ନୀଳମଣି ବାବୁ ପଚାରିଲେ ‘କୁଆଡ଼େ ?’

ଗୋଟାଏ ପ୍ରବନ୍ଧ ଆଣିଛି, କହି ତାଙ୍କ ହାତକୁ ସୁନ୍ଦର ଭାବରେ ଲେଖା ହୋଇଥିବା ପୁଳାଏ କାଗଜ ବଢ଼ାଇ ଦେଇ କହିଲା, ‘ସାପ୍ତାହିକ ଯୁଗବାର୍ତ୍ତା ପାଇଁ କ୍ଷିତୀଶ ବାବୁଙ୍କ ଲିଖିତ ସୁନ୍ଦର ରୋମାଣ୍ଟିକ୍‌ ଗଳ୍ପଟିଏ । କ୍ଷିତୀଶବାବୁ ଜଣେ ଉଦୀୟମାନ କଥାଶିଳ୍ପୀ...

ନୀଳମଣି ବାବୁ ପାଣ୍ଡୁଲିପିର ପ୍ରଥମପୃଷ୍ଠା ଉପରେ ଆଖି ବୁଲାଇ କାଗଜଚପା କାଚଗୋଲା ତଳେ ତାକୁ ଥୋଇ ଦେଇ କହିଲେ, ‘ହଉ ।’

 

ପ୍ରମୋଦ ପୁଣି ପକେଟରୁ ଖଣ୍ଡେ ଚିଠିକାଢ଼ି କହିଲା,‘ବୀରେଶ୍ୱର ବାବୁ ଆପଣଙ୍କ ପାଖକୁ ଏ ଚିଠି ଖଣ୍ଡ ପଠାଇଛନ୍ତି ।’

 

‘ବୀରେଶ୍ୱର ବାବୁ, ଛତ୍ରପୁରର ଡେପୁଟି...’ କହି ନୀଳମଣି ବାବୁ ଚିଠିଖଣ୍ଡ ଫିଟାଇ ପଢ଼ୁ ପଢ଼ୁ କହି ଉଠି ଲେ ‘ଏ, ଶରତ ମରିଗଲା କଲେରାରେ ! ଶରତ୍‌ ଦାସ ! ଓଃ ହୋ ! ଓଡ଼ିଶାର ଗୋଟାଏ ବଡ଼ କର୍ମୀ ଚାଲିଗଲା । ନିଜକୁ ଭୁଲିଥିବା ଲୋକଟା ପରର ସେବା କରୁକରୁ ସେ ଗଲା । ଆଜି ଏପରି ଶହେଟା ଲୋକ ଓଡ଼ିଶାରେ ଥିଲେ ଦେଶର ଅବସ୍ଥା ଅନ୍ୟ ଆକାର ଧରି ଥାଆନ୍ତା । ହଁ, ରମ୍ଭା ଅଞ୍ଚଳରେ ଦୁର୍ଭିକ୍ଷ ସହିତ ଭୀଷଣ କଲେରା ଲାଗିଛି । ଶରତ୍‌ ବାବୁଙ୍କୁ ସେହିଠାରେ ହିଁ ରୋଗ ଆକ୍ରମଣ କଲା । ଯାଃ, ଗୋଟାଏ ବଡ଼ କର୍ମୀ ଚାଲିଗଲା ।’

 

ନିଜକୁ କହିଲା ପରି ଏତକ କହି ପୁଣି ସେ ଚିଠି ଆଡ଼କୁ ଦୃଷ୍ଟି ଦେଲେ । ‘ଏଁ, ବୀରେଶ୍ୱର ବାବୁ ଇସ୍ତଫା ଦେଇଛନ୍ତି । ଏ ମଧ୍ୟ ଗୋଟିଏ ଅଦ୍ଭୂତ କଥା । ଲେଖିଛନ୍ତି ମୁଁ; ଶରତ୍‌ର କାମ ଚଳାଇବି । ବାଃ । ସାବାସ । ଏହାକୁ ହିଁ କହନ୍ତି ତ୍ୟାଗ–ଏହାକୁ ହିଁ କହନ୍ତି ମଣିଷର କାମ । ସୋମନାଥ ବାବୁ, ସୋମନାଥବାବୁ...’

 

ସହକାରୀ ସୋମନାଥ ବାବୁ ଘର ଭିତରକୁ ଆସିଲେ ।

 

ନୀଳମଣି ବାବୁ କହିଲେ ‘ସୋମନାଥ ବାବୁ, ଆଜି ଗୋଟାଏ ବଡ଼ ଖବର ମିଳିଛି । ବଡ଼ ବଡ଼ ଅକ୍ଷରରେ ଏ ଖବରର ହେଡ଼୍‍ଲାଇନ ଦିଆଯିବ–ଶ୍ରୀ ବୀରେଶ୍ୱର ମହାନ୍ତି, ଛତ୍ରପୁରର ଡେପୁଟି ମାଜିଷ୍ଟ୍ରେଟ ନିଜ କାମରୁ ଇସ୍ତଫା ଦେଇଛନ୍ତି । ସେ ଦେଶ କାମରେ ଲାଗିବେ ବୋଲି ଘୋଷଣା କରିଛନ୍ତି-। ରୁଷିଆ ଖବର, ଦ୍ୱି ତୀୟ ରଣକ୍ଷେତ୍ର ଆଦି ସବୁ ଖବର ପଛକୁ ପକାଇଦେବେ, ବୁଝିଲେ-।’

 

ପ୍ରମୋଦ ଅବାକ୍‌ ହୋଇ ଛିଡ଼ା ହୋଇ ରହିଲା ।

 

ତିରିଶି

 

‘ଦନେଇ, ହେ ଦନେଇ–ଆ, ଗୋଟାଏ ଜିନିଷ ନେ,’ ବୁଢ଼ା କହିଲା ।

 

ଛାତିର ହାଡ଼ଗୁଡ଼ାକ ଗୋଟି ଗୋଟି ହୋଇ ଗଣି ହେଉଛି । ହାତଗୋଡ଼ ଚାରିଖଣ୍ଡ ହାଡ଼-। ମୁହଁଟାରେ ମଣିଷ ମୁଣ୍ଡର ଖୋଳପାଟା ରହିଛି, ତା କୋରଡ଼ ଭିତରେ ପଶିଛି ଆଖି ଦୁଇଟା-। ନୁଖୁରା ନୁଖୁରା ବାଳ, ପେଟଟା ଡିଗିଡ଼ିଗି ହୋଇ ପଦାକୁ ବାହାରି ପଡ଼ିଛି । ଅନ୍ଧାର ଭିତରୁ ପ୍ରେତମୂର୍ତ୍ତି ପରି ଗୋଟାଏ ପିଲା ଆସି ବୁଢ଼ା ପାଖରେ ଛିଡ଼ାହେଲା ।

 

ଲାଞ୍ଜି ପଲ୍ଲୀର ସେହି ତୋଟା । ସେଥିରେ ବହୁତ ଦିନରୁ କାଙ୍ଗାଳଗୁଡ଼ାକ ବସାବାନ୍ଧି ରହନ୍ତି ଗଛ ମୂଳରେ । ସମସ୍ତେ ଛତ୍ରରେ ଖାଆନ୍ତି ବା ଛତ୍ରରେ ପଶି ନ ପାରିଲେ ସେମିତି ଶୋଇପଡ଼ନ୍ତି । ଆଗପରି ରାତିରେ ଗୁଡ଼ାଏ ଚୁଲ୍ଲୀ ସେଠାରେ ଜଳେ ନାହିଁ, କେବଳ ସମୟ ସମୟରେ ଗୋଟାଏ ଆଲୁଅ ଦେଖାଯାଏ । ତୋଟାର ପୁଞ୍ଜୀଭୂତ ଅନ୍ଧାର ଭିତରୁ । ଦୂରରୁ କାଙ୍ଗାଳମାନେ ଦେଖି କହନ୍ତି, ‘ହେଇଟି, ମାଷ୍ଟ୍ରଙ୍କ ଚୁଲ୍ଲୀ ଜଳୁଛି ।’

 

ବ୍ରହ୍ମପୁର ଛତ୍ରରେ ଖାଆନ୍ତି କାଙ୍ଗାଳଗୁଡ଼ିକ । ଯାହା ଖାଆନ୍ତି ତାହା ଯଥେଷ୍ଟ ନୁହେଁ–ମନୁଷ୍ୟଖାଦ୍ୟ ମଧ୍ୟ ନୁହେଁ । ସେ ଖାଦ୍ୟ ସେମାନଙ୍କୁ ଦୁର୍ବଳ କରି ପକାଇଛି ଦେହରେ ଓ ମନରେ । ସେମାନଙ୍କ ଭିତରେ ପୂର୍ବର ବୁଭୁକ୍ଷୁ ଉତ୍ତେଜନା ନାହିଁ, ଆହାର ଅନ୍ୱେଷଣର ତୀବ୍ର ଉଦ୍ୟମ ନାହିଁ । ତେଣୁ ସେମାନଙ୍କ ଭିତରେ ଗୋଷ୍ଠୀଚିନ୍ତା ନାହିଁ, ଏକତା ନାହିଁ, ମୃତ୍ୟୁ ମୁଖରୁ ବଞ୍ଚିଯିବା ପାଇଁ ଏକତାବଳ ଉଦ୍ୟମ ନାହିଁ । ଦୁର୍ଭିକ୍ଷ ସେମାନଙ୍କୁ ମନୁଷ୍ୟର ଜାଗ୍ରତ ପ୍ରେତମୂର୍ତ୍ତିରେ ପରିଣତ କରିଥିଲା, ବଡ଼ଲୋକର ହାତଟେକା ଦାନ ସେମାନଙ୍କୁ ପଶୁରେ ପରିଣତ କରି ସେମାନଙ୍କଠାରୁ ମନୁଷ୍ୟତାର ତେଜ କାଢ଼ି ନେଇଛି ।

 

ପିଲାଟି ମାଷ୍ଟ୍ରଙ୍କ ପାଖକୁ ଆସିଲା ।

 

ବୁଢ଼ା ତା ହାତରେ ମାଗିଆଣି ଥିବା ପକୋଡ଼ିରୁ ଦୁଇତିନି ଖଣ୍ଡ ଦେଇ କହିଲା, ‘ବନା, ଦିଶୁ ନାହିଁ କାହିକି ?’

 

‘ବନା, କୁଆଡ଼େ ଚାଲିଗଲାଣି । ରାମଲିଙ୍ଗା ବନ୍ଧ ହୁଡ଼ାରେ ତା ମାଆ ମରିଗଲା; ଗାଡ଼ିରେ ନେଇଗଲେ; ବନା କୁଆଡ଼େ ଚାଲିଗଲା ।

 

ବୁଢ଼ା ନିଜର ଛିଣ୍ଡାଅଖା ଖଣ୍ଡ ପାରିଲା ।

 

ପିଲାଟି କହିଲା, ‘ମାଷ୍ଟ୍ରେ, ରାନ୍ଧିବ ନାହିଁ ?’

 

ବୁଢ଼ା ସ୍ଥିର ଭାବରେ କହିଲା, ‘ନା, ।’

 

ସେ ଛିଣ୍ଡାଅଖା ଉପରେ ଗଡ଼ି ପଡ଼ିଲା ।

 

ବ୍ରହ୍ମପୁରରୁ ଦୀନା ଯିବା ଉତ୍ତାରୁ ବୁଢ଼ା ମନରେ ଗୋଟାଏ ଅଦ୍‌ଭୂତ ପରିବର୍ତ୍ତନ ଘଟିଛି । ସେ କାହାରି ସହିତ ଭଲ ଭାବରେ କଥା କହେ ନାହିଁ । ବାହାରକୁ ବୁଲିବାକୁ ଯାଏ; ଦିନେ ଦିନେ କାହାରିକୁ କିଛି ମାଗେ ନାହିଁ । ତୋଟାକୁ ଫେରି ସେମିତି ଶୋଇ ପଡ଼େ ।

 

ଛତ୍ର ଖୋଲା ହେବା ଦିନଠାରୁ ଏ ଜିନିଷଟା ପ୍ରତି ତା ମନରେ ଜନ୍ମି ଛି ଗୋଟାଏ ବୈରଭାବ । ତାର ସଂସାର ଚୂର୍ଣ୍ଣିଭୂତ ହୋଇ ଯାଇଥିଲା; ସେ ବିଷୟରେ ତା ଛାତି ଭିତରେ ଯେତେ ହଳାହଳ ପୁଞ୍ଜୀଭୂତ ହୋଇଥିଲା ତାହା ବାଟ ଖୋଜୁଥିଲା–ପାଉ ନ ଥିଲା । ଛତ୍ର ବୁଢ଼ାର ଏହି ତୀବ୍ର ଆକ୍ରୋଶର ଲକ୍ଷ୍ୟବସ୍ତୁ ହୋଇଛି । ସେ ଜାଣେ, ବଡ଼ଲୋକର ବଡ଼ଲୋକୀ ତାକୁ ଓ ତା ପରି ଶତ ସହସ୍ର ଲୋକଙ୍କୁ ଆଜି ଦୁର୍ଭିକ୍ଷର ଆଶୁଗ୍ରାସରେ ପରିଣତ କରିଛି । ତାହାର ସମସ୍ତ ଦୁଃଖଯନ୍ତ୍ରଣା ଭିତରେ ସେ ମନେ ମନେ ଏହି ବଡ଼ଲୋକୀ ଜିନିଷଟାକୁ ଖୋଜି ବୁଲିଛି, କିନ୍ତୁ ପାଇ ନାହିଁ । ଗୋଟାଏ ଅଶରିରୀ ଦୁଷ୍ଟ ପ୍ରେତପରି ତାହା ବୁଢ଼ାର ରକ୍ତ ଶୋଷି ନେଉଛି, ନେଇଛି; କିନ୍ତୁ ତା ବିରୁଦ୍ଧରେ ପ୍ରକାଶ୍ୟ ଶତ୍ରୁତା ପାଇଁ କୌଣସି ଜିନିଷ ସେ ଖୋଜି ପାଉ ନ ଥିଲା । ସେ ବଡ଼ଲୋକର କୋଠା ପାଖକୁ ଯାଏ–ଘୃଣାରେ ତାର ସର୍ବାଙ୍ଗ ସଂକୁଚିତ ହୋଇ ପଡ଼େ, ସେ କିଛି ମାଗେ ନାହିଁ–ଫେରି ଆସେ; ବଡ଼ଲୋକ ମୋଟର ଗାଡ଼ିରେ ଯାଉଥିବାର ଦେଖେ–କ୍ରୋଧର ରକ୍ତାକ୍ତ ତରଙ୍ଗ ତା ଛାତି ଭିତରେ ଫେନିଳ ହୋଇଉଠେ, ତା ଚକ୍ଷୁରେ ଜ୍ୱଳିଉଠେ ଅଗ୍ନି, ତା ହାତର ହାଡ଼ୁଆ ଆଙ୍ଗୁଳି ଦଶଟା ମୁଷ୍ଠିବଦ୍ଧ ହୋଇ ଯାଏ–ତା ଉପରେ ଫୁଲି ଉଠେ ଧମନୀଗୁଡ଼ାକ । କିନ୍ତୁ ସେ ଜାଣେ, ଏ କୋଠାବାଲା ବଡ଼ ଲୋକ, ଏ ମୋଟରମାଲିକ ବଡ଼ ଲୋକ, ତା ପୁଅଗୁଡ଼ାକୁ ମାରି ପକାଇ ନାହାନ୍ତି, ତାକୁ ଆଜି ଦାଣ୍ଡର କାଙ୍ଗାଳରେ ପରିଣତ କରି ନାହାନ୍ତି । ଏ ସବୁ କରିଛି ବଡ଼ଲୋକୀ । ସେ ଶୁଣିଛି, ତାର କେଉଁ ପୂର୍ବପୁରୁଷ ବଡ଼ଲୋକ ଥିଲେ, ଆଜି ସେ କାଙ୍ଗାଳ । ଠିକ ସେହିପରି ଏ ଯେଉଁ ବଡ଼ଲୋକଗୁଡ଼ାକ ଏମାନଙ୍କ ପୁଅନାତୀ ତାରି ପରି କାଙ୍ଗାଳ ହୋଇ ପାରନ୍ତି, ତାରି ପରି ମୁଠାଏ ଭାତ ପାଇଁ ଦାଣ୍ଡେ ଦାଣ୍ଡେ ବୁଲି ପାରନ୍ତି । ତେବେ ଦୋଷୀ କିଏ ? ଦାୟୀ,କିଏ ? ଦାୟୀ ବଡ଼ଲୋକୀ ଯାହା ମଟରବାଲାକୁ ମଟର ଚଢ଼ି ବାର ସୁବିଧା ଦେଇଛି, ଆଉ ତାକୁ କରିଛି ବାଟକଡ଼ର ଛତରଖିଆ । ଏହି ବଡ଼ଲୋକୀ ବଡ଼ଲୋକମାନଙ୍କୁ ଚୋର, ଡକେଇତ, ଜୁଆଚୋର ବଦମାସରେ ପରିଣତ କରିଛି; ଆଉ ତାକୁ କରିଛି ଦୁର୍ବଳ, ନିଃସମ୍ୱଳ, ନିସହାୟ ।

 

କେଜାଣି କାହିଁକି ବୁଢ଼ା ଏହି ଅନ୍ନଛତ୍ରଗୁଡ଼ିକୁ ବଡ଼ଲୋକୀର ଗୋଟାଏ ଉତ୍କଟ ଅଭିବ୍ୟକ୍ତି ବୋଲି ମନେକଲା । ସେ ଏହି ଅନୁଷ୍ଠାନ ଭିତରେ ଦେଖିଲା ବଡ଼ଲୋକମାନଙ୍କ ଜୁଆଚୋରୀର ଉତ୍କଟ ପ୍ରକାଶ । ତା ମନରେ ବଡ଼ଲୋକର ଏହି ଦାନ ପ୍ରତି ଜାତ ହେଲା ତୀବ୍ର ଘୃଣା, ତୀକ୍ଷ୍ଣ ବିଦ୍ରୋହ ।

 

ସମୟ ସମୟରେ ସେ ଛତ୍ର ପାଖକୁ ଯାଏ । କାଙ୍ଗାଳଗୁଡ଼ିକ ନିଃସହାୟ ପଶୁ ପରି ଧାଡ଼ି ଧାଡ଼ି ହୋଇ ବସି ଖାଉଥିବାର ସେ ଦେଖେ । ତା ଛାତି ଭିତରଟା ରାଗରେ ଫୁଲି ଉଠେ । ସେ ମନକୁ ମନ କହିଉଠେ–‘ଚୋର, ଡକେଇତ, ଜୁଆଚୋର’ ।

 

ଏକତିରିଶ

 

ରମ୍ଭା ଆଶ୍ରମ । ବୀରେଶ୍ୱର ସେଠାରେ ଶରତ୍‌ର ସ୍ଥାନ ଅଧିକାର କରିଛି । ଚୂନଧଉଳା ଝାଟିମାଟି କାନ୍ଥର, ଗୋଟାଏ ସ୍ଥାନରେ ଶରତ୍‌ର ଖଣ୍ଡେ ଫଟୋ ଟଙ୍ଗା ହୋଇଛି । ଗୋଟାଏ କାଙ୍ଗାଳ ପିଲା ତା ଉପରେ ଗୋଟାଏ ଫୁଲମାଳ ପ୍ରତିଦିନ ଟଙ୍ଗାଇ ଦିଏ ।

 

ଡେପୁଟି ଚାକିରୀରେ ଇସ୍ତଫା ଦେଇ ସେ ସିଧାସଳଖ ଏହିଠାରେ ପହଞ୍ଚି ଯାଇଛି, ଏହାକୁହିଁ ସେ ତାର କର୍ମକ୍ଷେତ୍ର ବୋଲି ବାଛି ନେଇଛି । ଏଠାରେ ଅଛି ତାର ଅଖଣ୍ଡ ସ୍ୱାଧୀନତା, ଅସରନ୍ତି ଶାନ୍ତି ।

 

ସରକାରୀ ଚାକିରୀ ଭିତରେ ପରାଧୀନତାର ବିଷାକ୍ତ ବାଷ୍ପରେ ସେ ବେଦମ୍‌ ହୋଇ ପଡ଼ିଥିଲା । ମାସରେ କେଇେଟା ଟଙ୍କା; ଏହାରି ବଦଳରେ ତାକୁ ତାର ମନୁଷ୍ୟତାକୁ ବିକି ଦେବାକୁ ପଡ଼ିଥିଲା । ଯୋଗ୍ୟ ହେଉ, ଅଯୋଗ୍ୟ ହେଉ, ଉପର ହାକିମର ମରଜି ଜଗି ଚଳିବାକୁ ହେବ, ତାହାର ହୁକୁମ ମାନିବାକୁ ହେବ, ଅନ୍ୟାୟ ହେଲେ ମଧ୍ୟ ମୁଣ୍ଡ ନୁଆଇଁ ବାକୁ ପଡ଼ିବ । ଚାରିଆଡ଼େ ଯେତେବେଳେ ଅବିଚାର ଅତ୍ୟାଚାର ପୂରି ରହିଛି, ଯେତେବେଳେ ହୃଦୟହୀନତାର ରଥଚକ୍ର ତଳେ ଲକ୍ଷ ଲକ୍ଷ ଲୋକ ନିଷ୍ପେସିତ ହୋଇ ଯାଉଛନ୍ତି, ସେତେବେଳେ ମଧ୍ୟ ତାର ବିରୁଦ୍ଧରେ ପ୍ରତିବାଦ କରିବାର ଅଧିକାର ତାର ନାହିଁ ।

 

ଚାକିରୀର ପ୍ରତି ମୁହୂର୍ତ୍ତରେ ସେ ଅନୁଭବ କରୁଥିଲା, ଯେ ସେ ନିଜ ଉପରେ, ତା ଦେଶ ଉପରେ ଅତ୍ୟାଚାର କରୁଛି, ତାର ବିବେକ ବିରୁଦ୍ଧରେ କାର୍ଯ୍ୟ କରୁଛି, ହଜାର ହଜାର ଲୋକଙ୍କର ଅନାହାର ମୃତ୍ୟୁ ପାଇଁ ଯେଉଁ ମାନେ ଦାୟୀ, ସେମାନଙ୍କ ମଧ୍ୟରୁ ସେ ମଧ୍ୟ ଜଣେ । ସେ କଚିରୀକୁ ଯାଉଥିଲା, କାମ କରୁଥିଲା; କିନ୍ତୁ କାହିଁ ରେ ତାର ମନ ନ ଥିଲା । ଜେଲଖାନାର ରୁଦ୍ଧ ପ୍ରକୋଷ୍ଟ ମଧ୍ୟରେ ଆଜୀବନ ବନ୍ଦୀ କଇଦୀ ଯେପରି ମୁକ୍ତିର ସମ୍ଭାବନାକୁ ସତୃଷ୍ଣ ନୟନରେ ଚାହିଁ ରହିଥାଏ, ଚାକିରୀ ଛାଡ଼ିବାର ସୁଯୋଗକୁ ସେ ସେହିପରି ଚାହିଁ ରହିଥିଲା ।

 

ଦିନେ ଜିଲ୍ଲାର ବଡ଼ହାକିମ ତାକୁ ନିଜ କେମରାଙ୍କୁ ଡାକି କହିଲେ, ‘ରିପୋର୍ଟ ଆସିଛି, ତୁମେ ଦୁର୍ଭିକ୍ଷ ବିରୁଦ୍ଧରେ ଆନ୍ଦୋଳନ କରୁଥିବା ଲୋକମାନଙ୍କୁ ସମର୍ଥନ କରୁଛ । ଆହୁରି ମଧ୍ୟ ସରକାର ଜାଣି ପାରିଛନ୍ତି ଯେ, ରାଜଦ୍ରୋହାତ୍ମକ କାର୍ଯ୍ୟ କରୁଥିବା ଦୁବୃତ୍ତମାନଙ୍କ ପ୍ରତି ତୁମର ସହାନୁଭୂତି ଅଛି । ଏ ବିଷୟରେ ତୁମର କିଛି କହିବାର ଅଛି ?’’

 

ବୀରେଶ୍ୱର ଉତ୍ତର ଦେଲା, ‘ଆପଣ ଯାହା ରିପୋର୍ଟ ପାଇଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ନୁହେଁ । ମୁଁ ଏ ଦେଶର ଲୋକ, ମୁଁ ଭାରତବାସୀ । ଦେଶର ଲକ୍ଷ ଲକ୍ଷ ଲୋକ ଆଜି ଖାଇବାକୁ ନ ପାଇ କାଙ୍ଗାଳ ହୋଇ ଚାରିଆଡ଼େ ବୁଲୁଛନ୍ତି; ଶହ ଶହ ମରୁଛନ୍ତି । ଏହା ଆପଣ ଦେଖୁଛନ୍ତି; ମୁଁ ମଧ୍ୟ ଦେଖୁଛି । ସରକାର କହୁଛନ୍ତି, ଓଡ଼ିଶାରେ ଖାଦ୍ୟାଭାବ ନାହିଁ; ତେଣୁ ଏହାର ପ୍ରତିକାର କରିବାର ପ୍ରଶ୍ନ ମଧ୍ୟ ଉଠୁ ନାହିଁ । ତେବେ କରାଯିବ କଅଣ ? ଏମାନଙ୍କୁ ମରିବା ପାଇଁ ଛାଡ଼ି ଦିଆଯିବ କି ? ସରକାର କଅଣ ଏହାହି ଚାହାନ୍ତି ? ଏହାହିଁ କଅଣ ତାଙ୍କର ଇଚ୍ଛା ? ଅନାହାର ଫଳରେ ଯେଉଁ ମାନେ ଅସ୍ତିକଙ୍କାଳରେ ପରିଣତ ହୋଇଛନ୍ତି, ଖାଦ୍ୟାଭାବରେ ଯେଉଁ ମାନେ ମରୁଛନ୍ତି, ତାଙ୍କୁ ଦେଖି, ତାଙ୍କ ଅବସ୍ଥା ଦେଖି, ଆପଣଙ୍କ ମନରେ କଷ୍ଟ ହୁଏ ନାହିଁ କି ? ଯେଉଁ ମାନେ ଏ ଅବସ୍ଥା ବଦଳାଇ ଦେବା ପାଇଁ ଉଦ୍ୟମ କରୁଛନ୍ତି, ସରକାରଙ୍କ ଏ ନୀତି ବଦଳାଇ ଦେବା ପାଇଁ ଚେଷ୍ଟା କରୁଛନ୍ତି, ତାଙ୍କ ପ୍ରତି ମୋର ସମର୍ଥନ ଅଛି; ଆପଣଙ୍କର କଅଣ ସମର୍ଥନ ନାହିଁ ? ସରକାରୀ ଚାକର, ଆଚରଣ ଆଇନ ଅଛି, ପ୍ରକାଶ୍ୟରେ ସମର୍ଥନ କରିବାର ପ୍ରଶ୍ନହିଁ ଉଠୁ ନାହିଁ । ଆଉ ଆପଣ ଯାହାଙ୍କୁ ରାଜଦ୍ରୋହୀ ବୋଲି କହୁଛନ୍ତି, ସେମାନେ କିଏ ମୁଁ ଜାଣେ ନା, ସେମାନେ ସାଧୁ କି ଦୁବୃତ୍ତ ସେ ବିଷୟରେ ମୋର ଧାରଣା ନାହି; କିନ୍ତୁ ଭୋକିଲା ପେଟ ଯଦି ରାଜଦ୍ରୋହର ବିରାଟ ସୂତିକାଗାର ହୋଇଥାଏ, ତେବେ ଲକ୍ଷ ଲକ୍ଷ ରାଜଦ୍ରୋହୀ ଆଜି ଦାଣ୍ଡଘାଟରେ ଘୂରି ବୁଲୁଛନ୍ତି । ତାଙ୍କ ପ୍ରତି ମୋର ସହାନୁଭୂତି ଅଛି; ଆପଣ ମନୁଷ୍ୟ, ଆପଣଙ୍କର ମଧ୍ୟ ନିଶ୍ଚୟ ଥିବ ।’

 

ଜିଲ୍ଲାହାକିମ କହିଲେ, ‘ତେବେ ତୁମେ ସରକାରଙ୍କ ରିପୋର୍ଟ ଠିକ୍‌ ଏହି ସ୍ୱୀକାର କରୁଛ ବୋଲି ଧରି ନେଉଛି । ଏଥିରୁ ନିବୃତ୍ତ ହେବା ପାଇଁ ମୁଁ ତୁମକୁ ସତର୍କ କରି ଦେଉଛି । ସରକାରୀ ଚାକିରୀ ସରକାରୀ ଚାକର ଭାବରେ କରିବାକୁ ହେବ । ଏହାର ବ୍ୟତିକ୍ରମ ହେଲେ ଦଣ୍ଡର ବ୍ୟବସ୍ଥା ଅଛି । ତମେ ଯୁବକ । ତୁମ ସମ୍ମୁଖରେ ଦୀର୍ଘ ଜୀବନ ପଡ଼ି ରହିଛି; ବହୁବର୍ଷ ଧରି ତୁମକୁ ସରକାରୀ ଚାକିରୀ କରିବାକୁ ପଡ଼ିବ । ବୟସ୍କ ଲୋକ ହିସାବରେ ମୁଁ ତୁମକୁ ପରାମର୍ଶ ଦେଉଛି, ଶାସନକ୍ଷେତ୍ରରେ ଭାବପ୍ରବଣତା ପାଇଁ ସ୍ଥାନ ନାହିଁ ।’

 

ବୀରେଶ୍ୱର କିଛି ନ କହି ଚାଲିଆସିଲା; ମନେ ମନେ ଭାବିଲା, ଯେଉଁ କ୍ଷେତ୍ରରେ ମନୁଷ୍ୟତା ପାଇଁ ସ୍ଥାନ ନାହିଁ, ସେ କ୍ଷେତ୍ରରେ ତା ପାଇଁ ସ୍ଥାନ ନ ରହିଲେ ଭଲ ହୁଅନ୍ତା ।

 

ହୁଏତ ସେହି ଦିନ ସେ ଇସ୍ତଫାପତ୍ର ଦାଖଲ କରି ସରକାରୀ କାର୍ଯ୍ୟର ଚତୁଃସୀମା ଛାଡ଼ି ଚାଲି ଆସି ଥାଆନ୍ତା । ଏ ବାଟରେ ଏକମାତ୍ର ବାଧା, ତା ବାପା । ସେ ହୁଏତ ମନରେ ଦୁଃଖ କରିବେ; ହୁଏତ ତାଙ୍କ ଗର୍ବରେ ଆଘାତ ଲାଗିବ । ସେ ନିଷ୍ପୃହ ଭାବରେ ଚାକିରୀରେ ପଡ଼ି ରହିଲା ।

 

ଯେଉଁଦିନ ସେ ଶରତର ମୃତ୍ୟୁ ସମ୍ୱାଦ ପାଇଲା, ସେହିଦିନ ସେ ନିଜର କର୍ତ୍ତବ୍ୟ ସ୍ଥିର କରିନେଲା । ଶରତ୍‌ ଥିଲା ତାର ଆବାଲ୍ୟ ବନ୍ଧୁ, ଗୋଟାଏ ବୃନ୍ତରେ ଦୁଇଟି ଫୁଲ ପରି ସେମାନେ ବଢ଼ିଥିଲେ, ଦେଶର କାର୍ଯ୍ୟ କରୁ କରୁ ଗୋଟିଏ ଝଡ଼ ପଡ଼ିଲା, ଦେଶର ସେବା କରୁ କରୁ ସେ ଆତ୍ମୋତ୍ସର୍ଗ କଲା । ତାର କାର୍ଯ୍ୟ ଅପୂର୍ଣ୍ଣ ରହିଛି ।

 

ବୀରେଶ୍ୱରର ଆଖି ଆଗରେ ନାଚିଗଲା ରମ୍ଭା ଆଶ୍ରମର ଅନାଥ ପିଲାଗୁଡ଼ିକ । ସେମାନେ ଯିବେ କୁଆଡ଼େ ? ଏ ବିରାଟ ଦୁନିଆରେ ତାଙ୍କର କିଏ ଅଛି ଯେ, ସେମାନେ ତା ପାଖକୁ ଆଉଜି ଯିବେ ? ସେମାନଙ୍କର କି ଦଶା ହେବ ? ଯେଉଁ ନରକଙ୍କାଳଗୁଡ଼ିକ ଆଶ୍ରମଟିକୁ ଆଶ୍ରୟ କରି ପଡ଼ିଛନ୍ତି ସେମାନଙ୍କର ଅବସ୍ଥା ହେବ କଅଣ ?

 

ସେ ମୁହୂର୍ତ୍ତକ ଭିତରେ ନିଜ କର୍ତ୍ତବ୍ୟ ସ୍ଥିର କରିନେଲା; ସରକାରୀ କାର୍ଯ୍ୟରୁ ଇସ୍ତଫା ଦେଲା । ଏତେ ଦିନକେ ଦେଶର ଡାକ, ଜାତିର ଆହ୍ୱାନ ତା ଜୀବନରେ ସଫଳ ହେବାକୁ ଯାଉଛି ବୋଲି ସେ ଅନୁଭବ କଲା । ଆଶ୍ରମର ସାନ ଘର ଖଣ୍ଡିକରେ ସେ ଯେତେବେଳେ ଆସି ପହଞ୍ଚେ, ସେତେବେଳେ ସେ ଦିପୋଟି ବାବୁ ନୁହେଁ, ଜଣେ କର୍ମୀ, ଜଣେ ସେବକ ।

 

ବୀରେଶ୍ୱର ଅନୁଭବ କଲା, ତା ଜୀବନରେ ଗୋଟାଏ ମାହେନ୍ଦ୍ରବେଳା ଆସିଛି, ଗୋଟାଏ ବିରାଟ ଦାୟି ତ୍ୱ ତା ସମ୍ମୁ ଖରେ ଉପସ୍ଥିତ; ଗୋଟାଏ ବିରାଟ ବ୍ରତରେ ତାକୁ ଦୀକ୍ଷିତ ହେବାକୁ ହେବ–ଅନାଗତର ଆହ୍ୱାନକୁ ନତମସ୍ତକରେ ବରଣ କରି ନେବାକୁ ପଡ଼ିବ ।

 

ବତ୍ରିଶ

 

ଦିନ ୧୨ଟା ବାଜିବ । ଧାଡ଼ିଏ କାଙ୍ଗାଳ ପିଲା ଛାମୁଡ଼ିଆ ତଳେ ବସିଛନ୍ତି । ଲିଲି ଅଣ୍ଟାରେ ଖଦଡ଼ ଲୁଗାର ଗୋଟାଏ କାନି ଗୁଡ଼େଇ ଦେଇ ସେମାନଙ୍କୁ ପରିବେଷଣ କରିବାରେ ଲାଗିଛି । ରମ୍ଭା ଆଶ୍ରମ ପିଣ୍ଡା ଉପରେ ବସି ପ୍ରମୋଦ ସେ ଆଡ଼କୁ ଚାହିଁ ରହିଛି ।

 

କିଛି ଦୂରରେ ଚିଲିକା । ସେଥିରେ ସାନ ସାନ ଢେଉଗୁଡ଼ିକ ହାଲୁକା ପବନର ତାଳେ ତାଳେ ନାଚୁଛନ୍ତି; ଦୁଇ ପ୍ରହରର ଖରା ସେଗୁଡ଼ାକ ଉପରେ ପରସ୍ତେ ରୂପାପତ୍ର ଛାଉଣି କରି ଦେଉଛି ।

 

ଶରତ୍‌ର ମୃତ୍ୟୁ ଲିଲି ମନ ଭିତରେ ଗୋଟାଏ ବିରାଟ ଝଡ଼ ସୃଷ୍ଟି କରିଥିଲା । ତାହା ଫଳରେ ତା ଜୀବନର ଗତି ଲେଉଟପାଉଟ ହୋଇଗଲା । କଲେଜରେ ପଢ଼ି ବାଟା ତ ତା ପକ୍ଷରେ ଗୋଟାଏ ସଉକ, ବିଳାସବ୍ୟସନପୂର୍ଣ୍ଣ ବ୍ରାତାବରଣ ଭିତରେ ଜୀବନ ଅତିବାହିତ କରିବାର ଗୋଟାଏ ଉପଲକ୍ଷ ଥିଲା । ବିଦ୍ୟା ତାର କାମ୍ୟ ନ ଥିଲା; କାମ୍ୟ ତଥାକଥିତ ଆଭିଜାତ୍ୟ ବିମଣ୍ଡିତ ଜୀବନର ଉପଭୋଗ । ଏ ଦିଗରେ କୌଣସି ଦିନ ତାର କୌଣସି ଅଭାବ ଘଟି ନାହିଁ । ସେ ଯେତିକି ଏ ଦିଗରେ ଅଗ୍ରସର ହୋଇଛି, ସେତିକି ଅନୁଭବ କରିଛି ଗୋଟାଏ ତିକ୍ତ ରିକ୍ତତା, ଗୋଟାଏ ଅସ୍ପୃହଣୀୟ ବ୍ୟର୍ଥତାର କର୍କଶ ଅଭାସ । ସେ ଯେତିକି ନୂତନତା ଖୋଜିଛି, ସେତିକି ତା ମନ ବ୍ୟର୍ଥତାର ସ୍ପର୍ଶରେ ମ୍ରିୟମାଣ ହୋଇପଡ଼ିଛି; କିନ୍ତୁ ଧରାବନ୍ଧା ଜୀବନର ଧାରା ଛାଡ଼ିବାର ଉପାୟ ନାହିଁ ତା ପକ୍ଷରେ ।

 

ଶରତ ଓ ତା ଭାଇ ବୀରେଶ୍ୱରକୁ ପିଲାଦିନୁଁ ଲିଲି ଦେଖିଛି, ସେମାନଙ୍କର କଥାବାର୍ତ୍ତା ଶୁଣିଛି । ଏ ଦୁଇ ଜଣ ଖାପଛଡ଼ା ଲୋକ ବୋଲି ତାର ଧାରଣା । ଏମାନଙ୍କ ପକ୍ଷରେ ଅସାଧାରଣ ହିଁ ନିତାନ୍ତ ସାଧାରଣ ବିଷୟ । ଦୁନିଆର ଅଧିକାଂଶ ଲୋକ ଯେଉଁ ବାଟରେ ଗତି କରନ୍ତି, ଏମାନଙ୍କ ପକ୍ଷରେ ତାହା ଅମଡ଼ା–କଣ୍ଟକାକୀର୍ଣ୍ଣ । ଏ ଦୁହିଙ୍କୁ ସେ ବୁଝି ପାରେ ନାହିଁ; କିନ୍ତୁ ଏମାନଙ୍କ ପ୍ରତି ତାର ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ଥିଲା । ଦେଶ ସେ ବୁଝୁ ନଥିଲା; ଜାତି ଥିଲା ତା ପକ୍ଷରେ ଗୋଟାଏ ପ୍ରକାଣ୍ଡ ଜନସମଷ୍ଟି, ଧନର ଅଭାବକୁ ସେ ଦାରିଦ୍ର୍ୟ ବୋଲି ବୁଝୁଥିଲା; ଖାଦ୍ୟାଭାବ ଥିଲା ଖାଦ୍ୟ ସଂଗ୍ରହ କରିବା ଦିଗରେ ସାମର୍ଥ୍ୟର ଅଭାବ । ଏସବୁ ବିଷୟ କୌଣସି ଦିନ ତାର ଅନ୍ତରକୁ ସ୍ୱର୍ଶ କରି ନ ଥିଲା । କଲେରାରେ ଆକ୍ରାନ୍ତ ହୋଇ ଶରତ୍‌ର ମୃତ୍ୟୁ ଓ ତା ଭାଇର ସରକାରୀ କାର୍ଯ୍ୟତ୍ୟାଗ ତା ଆଖି ଆଗରେ ଗୋଟାଏ ନୂତନ ରାଜ୍ୟର ତୋରଣଦ୍ୱାର ଫିଟାଇ ଦେଲା । ତା ଜୀବନର ଗତି ବଦଳି ଗଲା । ସେ କଲେଜ ପାଠ ଛାଡ଼ିଦେଲା; ରମ୍ଭା ଆଶ୍ରମରେ ପହଞ୍ଚି ଦୁଃଖୀ, ଅନାଥ, ଆର୍ତ୍ତଙ୍କ ସେବାରେ ନିଜକୁ ଉତ୍ସର୍ଗିତ କରି ଦେଲା ।

 

ଏ ବାଟରୁ ଲିଲିକୁ ନିବର୍ତ୍ତାଇବା ଉଦ୍ଦେଶ୍ୟରେ ପ୍ରମୋଦ ବାରମ୍ୱାର ଚେଷ୍ଟା କରିଛି । ସେ ସମୁଦାୟ ବିଷୟଟାକୁ ଗୋଟାଏ ପ୍ରହସନ ବୋଲି ଧରି ନେଇଛି । ଏ ପରିବର୍ତ୍ତନ ଭିତରେ ଯେ ଲିଲିର ଆନ୍ତରିକତା ନାହିଁ ଏହା ପ୍ରମୋଦର ଦୃଢ଼ ବିଶ୍ୱାସ । ସେଥିପାଇଁ ଲିଲିକୁ ପୁଣି କଲେଜ ପାଠ ଧରିବା ଦିଗରେ ପ୍ରବର୍ତ୍ତାଇବା ପାଇଁ ବାରମ୍ୱାର ଉଦ୍ୟମ ଚଳାଉଛି । ଏ ଉପଲକ୍ଷରେ ମଧ୍ୟ ସେ ରମ୍ଭା ଆଶ୍ରମରେ ଉପସ୍ଥିତ ହୋଇଥିଲା ।

 

ଆଶ୍ରମ ପଛଆଡ଼େ କଦଳୀ ବଗିଚା । ଗୋଟାଏ ସାନ ପୋଖରୀ । ତାହାରି କୂଳରେ ଲିଲି ଲୁଗା କାଚିବାରେ ବ୍ୟସ୍ତ । ପ୍ରମୋଦ ହୁଡ଼ାଉପରେ ଠିଆହୋଇ ସେ ଆଡ଼କୁ ଚାହିଁ ରହିଥିଲା–ଆଉ ଲିଲିର ଜୀବନରେ ଯେଉଁ ଅଭାବନୀୟ ପରିବର୍ତ୍ତନ ଘଟି ଯାଇଛି ମନେ ମନେ ସେ କଥା ଭାବୁଥିଲା । ଏହି ଲିଲି, ଯାହାର ଲୁଗା ସବୁବେଳେ ଚକ୍‌ ଚକ ହେଉଥିଲା, ଯାହାର ଚପ୍ପଲରେ ଧୂଳି କଣାଟାଏ ମଧ୍ୟ ଲାଗୁ ନ ଥିଲା, ଫେସନରେ ଯେ ଥିଲା କଲେଜ ଛାତ୍ରୀମାନଙ୍କର ଅଗ୍ରଣୀ–ସେ ଆଜି ଖଦଡ଼ ପିନ୍ଧୁଛି, ଖାଲି ଗୋଡ଼ରେ ବୁଲୁଛି, ବାସନ ମାଜୁଛି, ଲୁଗା ଧୋଉଛି–ନିଜ ପାଇଁ ନୁହେଁ, ଅଚିହ୍ନା ପର, ଅରକ୍ଷ କାଙ୍ଗାଳମାନଙ୍କ ପାଇଁ । ଯେତେ ଭାବିଲେ ମଧ୍ୟ ଏହାର କୁଳକିନାରା କିଛି ସେ ପାଉ ନାହିଁ । କଲେଜରେ ପଢ଼ି ବା ସମୟରେ ଲିଲି ତ ସମସ୍ତଙ୍କଠାରୁ ସ୍ନେହସମ୍ମାନ ପାଉଥିଲା; ତାର ସାନ୍ନି ଧ ଲାଭ କରିବା ଗୋଟାଏ ଗୌରବର ବିଷୟ ବୋଲି ଅଧିକାଂଶ ଛାତ୍ର ମନେ କରୁଥିଲେ । କୌଣସି ଦିନ ତ ତାର କିଛି ଅଭାବ ନ ଥିଲା, ହଠାତ୍‌ ସେ ପଢ଼ା ଛାଡ଼ି ଦେଲା କାହିଁ କି-? ହଠାତ୍‌ ସେ ନିଉଜପରେ କୁଚ୍ଛ୍ର ସାଧନ ଆରମ୍ଭ କଲା କାହିଁ କି ?
 

ପ୍ରମୋଦ କୌଣସି ଦିନ ଦେଶ, ଜାତି, ଲୋକସାଧାରଣ ଆଦି କଥା ବୁଝି ପାରେ ନାହିଁ । ତାର ଦୃଢ଼ ଧାରଣା ଏ ଗୁଡ଼ାକ ଅଶରିରୀ ଜିନିଷ, ସ୍ୱାର୍ଥ ଦୃଷ୍ଟି ରୁ କେତେଜଣ ଲୋକ ଏ ଧରଣର ଏଭଳିକି ବାଜି ସୃଷ୍ଟି କରିଛନ୍ତି । ସେମାନେ ଏ ପ୍ରକାର କଥାର କୁହେଳିକା ସୃଷ୍ଟି କରି ନିଜର ସ୍ୱାର୍ଥ ସାଧନ କରନ୍ତି । ମୋର ଦେଶ–ଏହାର ଅର୍ଥ ବା କଅଣ ? ସେ ଏ ଭୂଇଁ ରେ ଅଛି, ସେ ଏ ଦେଶର ଲୋକ । କାଲି ଯଦି ସେ ବିଲାତ ବା ଆମେରିକାରେ ଘରଦ୍ୱାର କରି ରହେ, ତେବେ ସେ ସବୁ ସ୍ଥାନ କଅଣ ତାର ଦେଶ ହେବ ନାହିଁ ? ତାର ଜାତି ? ସେ ତ ମଣିଷ, ତାର ଜାତି ତ ମନୁଷ୍ୟ ଜାତି । ଏ ଦେଶରେ ତାର ଘର ବୋଲି କଅଣ ସେ ମଣିଷ ଜାତିରୁ ଅଲଗା ? ମଣିଷ ଜନ୍ମ ହୋଇଛି,ସୁଖରେ ରହିବ, ଆନନ୍ଦରେ ରହିବ, ଖୁସିରେ ଜୀବନ କଟାଇବ । ଏତକ ଯଦି ସେ କରି ନ ପାରିଲା ତାକୁ ଅଯୋଗ୍ୟ ଛଡ଼ା ଆଉ କଅଣ କୁହା ଯାଇପାରେ ? ଯେଉଁମାନେ ଖାଇବାକୁ ପାଉ ନାହାନ୍ତି, ପିନ୍ଧିବାକୁ ପାଉ ନାହାନ୍ତି, ଯେଉଁ ମାନଙ୍କ ମୁଣ୍ଡ ଉପରେ ଚାଳଖଣ୍ଡେ ନାହିଁ, ସେମାନେ ନିଜର ଶକ୍ତି, ସାମର୍ଥ୍ୟ, ଯୋଗ୍ୟତା ଅଭାବରୁ ଏସବୁ ପାଉ ନାହାନ୍ତି । ତାଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିବା ଅର୍ଥ ଅଯୋଗ୍ୟତାକୁ ପ୍ରଶ୍ରୟ ଦେବା ଛଡ଼ା ଆଉ କିଛି ନୁହେଁ । ପିଲାଦିନୁଁ ପ୍ରମୋଦ ଅଭାବଅନାଟନ ସହିତ ପରିଚିତ ନୁହେଁ । ସେଥିପାଇଁ ଦୁଃଖୀରଙ୍କୀଙ୍କ ପ୍ରତି ତାର କୌଣସି ସହାନୁଭୂତି ନ ଥିଲା । ଯେଉଁ ଶିକ୍ଷା ତାକୁ ଦିଆ ଯାଉଥିଲା, ସେଥିରେ ମଧ୍ୟ ଏ ସବୁ ପ୍ରବୃତ୍ତିର ଉନ୍ମେଷଣ ପାଇଁ ସ୍ଥାନ ନ ଥିଲା ।

 

କଲେଜ ଜୀବନର ବିଭିନ୍ନ ସଉକ ମଧ୍ୟରେ ଲିଲି ସହିତ ତାର ବନ୍ଧୁ ତା ଥିଲା ଗୋଟାଏ ସଉକ–ଗୋଟାଏ ଫେସନ । ଏହା ଫଳରେ ସହପାଠୀମାନଙ୍କ ମଧ୍ୟରେ ତା ପ୍ରତି ସମ୍ମାନ ଥିଲା । ଯେତେବେଳେ ଲିଲି କଟକ ଛାଡ଼ି; କଲେଜ ଛାଡ଼ି, ରମ୍ଭା ଆଶ୍ରମରେ ଆସି ରହିଲା, ସେତେବେଳେ ତା ଶ୍ରେଣୀର କେତେକ ଛାତ୍ର ତା ପ୍ରତି ବ୍ୟଙ୍ଗ କରି କହିଥିଲେ । ଚଢ଼େଇ ଉଡ଼ିଗଲା । ସେଥିପାଇଁ ଲିଲିକୁ ପୁଣି-ଫେରାଇ ଆଣିବା ପାଇଁ ସେ ଉଦ୍ୟମ କରୁଥିଲା ।

 

ତେତିଶ

 

ସନ୍ଧ୍ୟାର ଆଲୋକ କ୍ରମେ କ୍ରମେ ଆଶ୍ରମ ପ୍ରାଙ୍ଗଣକୁ ଓହ୍ଲାଇ ଆସିଲା । ଦୂରରେ ଦିଶୁଥିବା ଗାଆଁ ରେ ହୁଏତ କେଉଁ ପଲ୍ଲୀବଧୂ ତୁଳସୀ ଚଉରା ମୂଳରେ ଦୀପ ଜାଳିଥିବ; ତାହା ଆଶ୍ରମ ପିଣ୍ଡାରୁ ମିଞ୍ଜି ମିଞ୍ଜି ହୋଇ ଦିଶୁଥିଲା ।

 

‘ରଘୁପତି ରାଘବ ରାଜାରାମ’ ଶତ କଣ୍ଠରେ ଆଶ୍ରମ ଭିତରୁ ଉଠୁଥିଲା ସମବେତ ପ୍ରାର୍ଥନା ସଙ୍ଗୀତ । ଏହାରି ମଧ୍ୟରେ ଜାଗ୍ରତ ହୋଇଥିଲା ସାରା ଦେଶ ଉପରେ ପ୍ରବାହିତ ହେଉଥିବା ଗୋଟାଏ ବିରାଟ ବିପ୍ଳବର ଅନ୍ତରାତ୍ମା । ବିଶ୍ୱର କେହି ନିୟନ୍ତା ଯଦି ଥାଆନ୍ତି, ତାଙ୍କର ସିଂହାସନ ଯଦି ଥାଏ, କୋଟି କୋଟି ଦୁଃଖୀ, ଆର୍ତ୍ତ, ପ୍ରପୀଡ଼ିତଙ୍କ କଣ୍ଠରୁ ଉତ୍‌ଥିତ ଏ ଧ୍ୱନି ନିଶ୍ଚୟ ସେଠାରେ ପହଞ୍ଚିପାରୁଥିବ, ତାଙ୍କ ହୃଦୟକୁ ଆଲୋଡ଼ିତ କରୁଥିବ ।

 

ପ୍ରାର୍ଥନା ସରିଲା । ଘର ଭିତରେ ବୀରେଶ୍ୱର ଯାଇ ବସିଲା । ଏହି ସମୟରେ ସେ ଚିଠି ପତ୍ର ଲେଖେ । ଚଟାଣ ଉପରେ ଦୁଇଖଣ୍ଡ ମଶିଣା ବିଛା ହୋଇଥିଲା; ଗୋଟାଏ ଲଣ୍ଠନ ଜଳୁଥିଲା । କିଛି ସମୟ ପରେ ଲିଲି ଓ ପ୍ରମୋଦ ସେଠାରେ ଯାଇ ବସିଲେ ।

 

ବୀରେଶ୍ୱର କହିଲା, ‘ପ୍ରମୋଦ, ତମକୁ ଏଠାରେ ଭଲ ଲାଗୁ ନ ଥିବ; ତୁମେ ତ ଏ ଧରଣର ଖାଇବା, ରହିବା, ଚାଲିଚଳନରେ ଅଭ୍ୟସ୍ତ ନୁହଁ ।’

 

ପ୍ରମୋଦ କଅଣ କହିବ କିଛି ଠିକ୍‌ କରି ପାରିଲା ନାହିଁ । ଏ ଧରଣର ଚଳଣିରେ ସେ ଅଭ୍ୟସ୍ତ ନୁହେଁ, ଏ କଥା ସତ; ଏ ଧରଣର ଖାଦ୍ୟ ତା ଜନ୍ମରୁ କୌଣସି ଦିନ ଖାଇ ନ ଥିଲା; ଏ ଧରଣର ଲୋକଙ୍କ ସହିତ ଚଳିବା କଳ୍ପନା ମଧ୍ୟ କୌଣସି କାଳେ ତା ମନ ଭିତରକୁ ଆସି ନ ଥିଲା । ଏଠାରେ ତାକୁ ଭଲ ନ ଲାଗିବା କଥା–ଲାଗୁ ନ ଥିଲା; କିନ୍ତୁ କିଛି ଗୋଟାଏ ତ କହିବାକୁ ହେବ । ତେଣୁ ପ୍ରମୋଦ କହିଲା, ‘ନା, ଭଲ ଲାଗୁଛି । ମୋର କହିବା କଥା ଏହି ଯେ, କେତେ ଦିନ ଆପଣ ଏ ଭାବରେ ଚାଲିବେ–ବିଶେଷତଃ ମିସ୍‌ ମହାନ୍ତି ?’

 

ବୀରେଶ୍ୱର ହସି ହସି କହିଲା, ‘ମୋ କଥା ଛାଡ଼; ମୁଁ ତ ଏ ବାଟ ଜାଣି, ବୁଝି; ବର୍ଷ ବର୍ଷ ଧରି ଚିନ୍ତା କରି ବାଛି ନେଇଛି । ଜୀବନର ଅବଶିଷ୍ଟ ସମୟ ଏହି ଭାବରେ ଚଳିବାକୁ ହେବ । ଏ ବାଟରେ ଅଛି ଦୁଃଖ, ଅଛି ଯନ୍ତ୍ରଣା–ହୁଏତ ମୃତ୍ୟୁ; କିନ୍ତୁ ଏହାରି ଭିତରେ ମୋତେ ଯେଉଁ ଆନନ୍ଦର ଆସ୍ୱାଦ ମିଳୁଛି, ତାହା ଏ ପର୍ଯ୍ୟନ୍ତ ମୋତେ ମିଳି ନ ଥିଲା । କ୍ରମେ କ୍ରମେ ମୋର ବିଶ୍ୱାସ ଦୃଢ଼ରୁ ଦୃଢ଼ତର ହେଉଛି, ଅନୁଭୂତି କ୍ରମେ କ୍ରମେ ବଢ଼ୁଛି, ଯେ ନିଜ ପାଇଁ ବଞ୍ଚେ ସେ ବଞ୍ଚେ ନାହିଁ–ଜୀବନର ବୋଝ ମୁଣ୍ଡରେ ବୋହି ବୋହି ଜୀବନଟା କଟାଇ ଦିଏ । ସ୍ୱାର୍ଥକତା, ସଫଳତା ତା ଭାଗ୍ୟରେ ଜୁଟେ ନାହିଁ । ତମେ ତ ଶରତ୍‌କୁ ଦେଖିଛ; ମୋରି ପରି ସେ ବିଶ୍ୱବିଦ୍ୟାଳୟର ଡିଗ୍ରୀ ହାସଲ କରିଥିଲା, ମୋରି ପରି ସେ ଚଳିଯିବା ପରିବାର ପିଲା; ଇଚ୍ଛା କରିଥିଲେ ସେ ମୋରି ପରି ସରକାରୀ ଚାକିରୀ କରି ସ୍ୱଚ୍ଛନ୍ଦରେ ଜୀବନଟା କଟାଇ ଦେଇ ପାରିଥାନ୍ତା । ମୂଳରୁ ସେ ନିଜ ପାଇଁ ଗୋଟାଏ ଦୁର୍ଗମ ପଥ ବାଛି ନେଲା କାହିଁ କି ? ଦୀପ ପରି ନିଜେ ଜଳି ଅନ୍ୟମାନଙ୍କୁ ଆଲୋକ ଦେଉଥିଲା କାହିଁ କି ? ତେଲ ସରିଲା, ଦୀପ ଲିଭିଲା ସତ; କିନ୍ତୁ ତାର ତ୍ୟାଗ ଏ ଦୁନିଆକୁ ଟିକିଏ ହେଲେ ତ ଉନ୍ନତତର କରିଛି, ତାର ସ୍ମୃତି ଜାତିର ଭବିଷ୍ୟତ ପାଇଁ ଅତି ସାମାନ୍ୟ ହେଲେ ମଧ୍ୟ ସମ୍ୱଳ ଯୋଗାଇ ଦେଇଛି ତ ? ତୁମେ ହୁଏତ ଏ ସବୁ କଥା ବୁଝିପାରୁ ନ ଥିବ; ହୁଏତ କୌଣସି ଦିନ ବୁଝିପାରିବ ନାହିଁ, ତୁମେ ଯେଉଁ ଧାରାରେ ବଢ଼ିଛ ସେଥିରେ ତୁମର ଧାରଣା ହେବ ନାହିଁ ଯେ, ତୁମ ବାଟ ଛଡ଼ା ଆଉ କୌଣସି ବାଟରେ ସୁଖ ମିଳେ, ଆନନ୍ଦ ଥାଏ । ତୁମ ପକ୍ଷରେ ହୁଏତ ତାହାହିଁ ଠି କ୍‌; କିନ୍ତୁ ଏହାର ଓଲଟା ଆଡ଼ଟାରେ ଯେ ମୁଁ ଆନନ୍ଦ ପାଉଛି, ଏ କଥା ମଧ୍ୟ ଠି କ୍‌ ।

 

ପ୍ରମୋଦ ଏ ସବୁ ଶୁଣୁଥିଲା, କିଛି ବୁଝିପାରୁ ନ ଥିଲା । ଏହାର ଯେ କି ଉତ୍ତର ଦେବ ଠି କ୍‌ କରି ନ ପାରି କହିପକାଇଲା, ‘ଆପଣଙ୍କ କଥା କହୁ ନାହିଁ । ଶୁଣିଛି, ଆଦର୍ଶବାଦଦ୍ୱାରା ପ୍ରଭାବିତ ହୋଇ ଲୋକେ ଆପଣଙ୍କ ପରି ତ୍ୟାଗ ସ୍ୱୀକାର କରନ୍ତି । ଏହା ଭଲ କି ମନ୍ଦ ଭାବି ଦେଖିବା ପାଇଁ ମୋର ସୁବିଧା ବା ଅବସର ହୋଇ ନାହିଁ । ମୁଁ କେବଳ ମିସ୍‌ ମହାନ୍ତିଙ୍କ କଥା କହୁଛି ।’

 

ବୀରେଶ୍ୱର ପୁଣି ହସିଲା; କହିଲା, ‘ଓଃ ଲିଲି କଥା ? ମୁଁ ମଧ୍ୟ ଏ ବିଷୟରେ ତମ ସହିତ ପ୍ରାୟ ଏକମତ । ତଥାପି ତମେ ତାକୁ ପଚାରିଲେ ଭଲ ହେବ ।’

 

ସୂତା ଖିଅଟାଏ ମିଳିଗଲା ବୋଲି ଭାବି ପ୍ରମୋଦ କହିଲା, ‘ପୁଣି ସେ କଲେଜରେ ପଢ଼ି ଲେ ଭଲ ହୁଅନ୍ତା ।’

 

ବୀରେଶ୍ୱର ପୁଣି କହିଲା, ‘ହଁ ଭଲ ହୁଅନ୍ତା–ନିଶ୍ଚୟ ଭଲ ହୁଅନ୍ତା । ଏ ବାଟଟା ତ ସାଧନାର ବାଟ, ଦୁଃଖକଷ୍ଟ ତ ଏ ବାଟର ସାଥୀ ସହଚର । ଏଥିରେ ଚାଲି ପାରିଲେ ଭଲ; ନ ହେଲେ ଏ କୂଳ ଯିବ, ସେ କୂଳ ଯିବ । କଅଣ କହୁଛ, ପ୍ରମୋଦ ?’

 

ପ୍ରମୋଦ କିଛି କହିବା ପୂର୍ବରୁ ଲିଲି କହିଲା, ‘ମୁଁ ତୁମଠାରୁ ସାନ, ଏହା ବୋଲି ସବୁବେଳେ ମୋତେ ସାନ ମନେ କରିବା, ମୁଁ ଅଯୋଗ୍ୟ, ମୁଁ କିଛି ପାରିବି ନାହିଁ ବୋଲି ଭାବିବା କଅଣ ଠି କ୍‌ ହେବ ? ମୁଁ ଯାହା ଥରେ ଠିକ୍‌ କରିଛି, ତାହାହିଁ କରିବି । କଲେଜରେ ପଢ଼ି ବା ଲାଭ କଅଣ ? କଲେଜ ପାଠ ଶେଷ କରି ବା କରିବି କଅଣ ? ଚାକିରୀ କରିବି ତ ? ଚାକିରୀ ତ ତୁମକୁ ଭଲ ଲାଗିଲା ନାହିଁ–ଛାଡ଼ିଦେଲ, ମୋତେ କଅଣ ତାହା ଭଲ ଲାଗିବ । ସଉକ ତ ପିଲାଦିନରୁ କରୁଛି । ଏ କାମରେ ଯେଉଁ ଶାନ୍ତି ମିଳୁଛି, ଯେଉଁ ଆନନ୍ଦ ପାଉଛି, କଲେଜଜୀବନର ମଉଜମଜଲିସରେ ତ ତାହା ଦିନେହେଲେ ମୁଁ ପାଇନାହିଁ । ନା, କଲେଜ ଆଉ ମୋପାଇଁ ନୁହେଁ । ମୁଁ ମଧ୍ୟ ସୌଖିନ କଲେଜ ପାଇଁ ନୁହେଁ । ମୁଁ ବର୍ତ୍ତମାନ ଯେଉଁ କଲେଜରେ ପଢ଼ୁଛି ସେ କଲେଜ ନିର୍ଜୀବ ନୁହେଁ, ସେଠାରେ ନିର୍ଜୀବ ବହିଗୁଡ଼ାକ ପଢ଼ାଯାଏ ନାହିଁ; ସେ କଲେଜ ଜୀବନ୍ତ, ସେଥିରେ ଜୀଅନ୍ତା ମନୁଷ୍ୟର ଜୀବନରୁ ଶିକ୍ଷାଲାଭ କରିବାକୁ ହୁଏ ।’

 

ପ୍ରମୋଦ ଆଡ଼କୁ ଚାହିଁ ସେ ପୁଣି କହିଲା, ‘ପ୍ରମୋଦ ବାବୁ, ଆପଣଙ୍କ ସହାନୁଭୂତି ପାଇଁ ମୁଁ କୃତଜ୍ଞ, ମୋ ପାଇଁ ଆପଣ ଯେ ଚିନ୍ତା କରୁଛନ୍ତି, ସେଥିରେ ମୁଁ ଆନନ୍ଦିତ; କିନ୍ତୁ ଆମର ବାଟ ଅଲଗା । ଆପଣଙ୍କର ଅନୁରୋଧଦ୍ୱାରା ଆପଣ ଆଉ ମୋତେ ବିବ୍ରତ କରିବେ ନାହିଁ ବୋଲି ଆଶା କରୁଛି । ଲୋକ ଯେତେ ଦିନ ଅନ୍ଧ ଥାଏ, ସେ ବାଡ଼ି ଭରା ଦେଇ, ଅଣ୍ଡାଳି ଅଣ୍ଡାଳି ବାଟ ଚାଲେ; ଥରେ ଆଖି ଫିଟିଲେ ଉନ୍ମୁକ୍ତ ଦିଗନ୍ତର ଚିତ୍ର ତା ସମ୍ମୁଖରେ ଉପସ୍ଥିତ ହୋଇ ଯାଏ । ନା, ମୁଁ ଯାହା କରିଛି, ତାହା ସବୁଦିନ ପାଇଁ କରିଛି । ଆମେ ଭାଇ ଓ ଭଉଣୀ ଗୋଟାଏ ପଥର ପଥିକ ।’

 

ରେଳ ସମୟ ହୋଇ ଯାଇଥିଲା । ରମ୍ଭା ଷ୍ଟେସନର ଡିଷ୍ଟେଣ୍ଟ ସିଗ୍‌ନାଲରେ ସେ ପର୍ଯ୍ୟନ୍ତ ନାଲି ଆଲୁଅ ଜଳୁଥିଲା ।

 

ପ୍ରମୋଦ ଷ୍ଟେସନ ଆଡ଼କୁ ଚାଲିଲା ।

 

ଆଶ୍ରମ ଫାଟକ ପାଖକୁ ଲିଲି ବଳାଇ ଦେବାକୁ ଆସିଥିଲା; ପ୍ରମୋଦକୁ କହିଲା, ‘ନମସ୍କାର ।’

 

ପ୍ରମୋଦ ତା ଆଡ଼କୁ ଚାହିଁ କହିଲା, ‘ଲିଲି, ଆଉ କୌଣସି କ୍ଷେତ୍ରରେ ହୁଏତ ଦିନେ ନା ଦିନେ ତୁମର ମୋ ସହିତ ଦେଖା ହେବ । ସେତେବେଳେ ଚିହ୍ନିପାରିବ ତ ?’’

 

ଲିଲି କହିଲା, ‘ଆପଣ ସେତେବେଳକୁ ଯଦି ଚିହ୍ନିପାରିବା ଭଳି ଲୋକ ହୋଇ ଥାଆନ୍ତି-।’

 

ଆଗରେ ଅନ୍ଧାର । ପ୍ରମୋଦ ତାହାରି ଭିତରେ ଆଗକୁ ଆଗକୁ ଚାଲିଲା ।

 

ଚଉତ୍ରିଶ

 

କଲେଜ ଛକ ଠାରୁ ରେଳଲାଇନର ଲେଭଲ୍‍କ୍ରସିଂ ପର୍ଯ୍ୟନ୍ତ ଯେଉଁ ଧୂଳିଆ ନାଲି ଶଡ଼କ, ତାର ଦୁଇକଡ଼ରେ ଗୁଡ଼ାଏ ବଡ଼ ବଡ଼ ଝଙ୍କା ଗଛ । ସେଗୁଡ଼ାକ ମୂଳରେ ବୁଲା କୁକୁର ଓ ଓଦାଖିଆ ଗାଈଗୁଡ଼ାକ ରାତିରେ ଆସ୍ଥାନ ଜମାନ୍ତି, କେତେଟାର ଝଙ୍କା ଡାଳତଳେ ଗୁଡ଼ାଏ କାଙ୍ଗାଳ ଆଶ୍ରୟ ନିଅନ୍ତି ।

 

ଟିକିଏ ଦୂରକୁ ବାଟ କଡ଼ରେ ଆଉ ଗୋଟାଏ ଗଛ । ମାଷ୍ଟ୍ରେ ତାରି ମୂଳରେ ଦୁଇଦିନ ହେଲା ଅଖାପାରି ଶୋଇଛନ୍ତି । ଗତ କାଲି କଲେଜ ହଷ୍ଟେଲର ଜଣେ ଚାକର ଖଣ୍ଡେ ପତ୍ରରେ ତାକୁ କିଛି ଭାତ ଦେଇ ଯାଇଥିଲା, ଗୋଟାଇ ପାଖରେ ତାହା ସେହିପରି ପଡ଼ିଛି । ଯେଉଁ କାଙ୍ଗାଳମାନେ ବାଟରେ କଦବା କ୍ୱଚିତ ଯାଆନ୍ତି, ସେମାନେ ବୁଢ଼ାକୁ ଦେଖନ୍ତି, ବାୟାଟାଏ ବୋଲି ବାଟ କଟାଇ ଚାଲି ଯାଆନ୍ତି । ତା ଆଖି ଦୁଇଟା କ୍ଷୁଧିତ ବ୍ୟାଘ୍ର ପରି ସବୁବେଳେ ଜ୍ୱଳୁଥାଏ ।

 

ବ୍ରହ୍ମପୁର ନିକଟରେ ଥିବା ଲାଞ୍ଜି ପଲ୍ଲୀର ତୋଟା ବୁଢ଼ାକୁ ଆଉ ଭଲ ଲାଗିଲା ନାହିଁ । ସାରିଆ ଓ ତା ପୁଅକୁ ଖୋଜିବା ପାଇଁ ଦୀନା କଟକ ଆସିବା ଦିନଠାରୁ ସେ କେଜାଣି କାହିଁକି ନିଜର ଶୁଖିଲା ଛାତି ଭିତରେ ଗୋଟାଏ ଶୂନ୍ୟତା ଅନୁଭବ କଲା । ସେ ପିଲାମାନଙ୍କ ସହିତ ଖେଳି, ତାଙ୍କ ସହିତ ଗଳ୍ପ କରି ଏ କଥା ଭୁଲିବା ପାଇଁ ଚେଷ୍ଟା କଲା; କିନ୍ତୁ ସେଥିରେ କିଛି ଫଳ ହେଉଛି ବୋଲି ସେ ଜାଣିପାରିଲା ନାହିଁ । ବଡ଼ମାନେ ତା ପାଖକୁ ଆସିଲେ ସେ ବିରକ୍ତ ହେଲା । ଦୁଇ ତିନି ଦିନରେ ଯଦି ଭିକ ମାଗିଗଲା, ଫେରିଆସି କେଉଁ ଦିନ ବା ସେହିପରି, କେଉଁ ଦିନ ବା ମୁଠାଏ ଫୁଟାଇ ଖାଇ ଶୋଇପଡ଼ିଲା । ଏହିପରି ଭାବରେ ଦୁଇତିନି ସପ୍ତାହ କଟିଲା; ବୁଢ଼ା ଅଧିକରୁ ଅଧିକ ଦୁର୍ବଳ ହୋଇ ପଡ଼ିଲା ।

 

‘ଚୋର, ଡକେଇତ, ଜୁଆଚୋର’–ଆଖପାଖର କାଙ୍ଗାଳମାନେ ବୁଢ଼ା ମୁହଁରୁ ବରାବର ମଝିରେ ମଝିରେ ଏପରି କଥା ବାହାରୁ ଥିବାର ଶୁଣି ମନେକଲେ, ବୁଢ଼ା ପୂରାପୂରି ବାୟା ହୋଇଯାଇଛି ।

 

ଦିନେ ସମସ୍ତେ ଦେଖିଲେ, ବୁଢ଼ାର ରହିବା ଜାଗା ଖାଲି ପଡ଼ିଛି, ତାର ଛିଣ୍ଡା ଅଖା ଓ କନାବୁଜୁଳା ନାହିଁ । କୁଆଡ଼େ ଗଲା ବୋଲି ସେଠାରେ କାଙ୍ଗାଳମାନେ ଭାବିଲେ । ହଁ, ମାଷ୍ଟ୍ରେ କୁଆଡ଼େ ଯାଇଥିବେ, କେଉଠି ବା ପଡ଼ି ମରିଯାଇଥିବେ, ଏ କଥା ମନେ ମନେ ସମସ୍ତେ ଧରି ନେଲେ । ମୃତ୍ୟୁଟା ଯେଉଁ ମାନଙ୍କ ପକ୍ଷରେ ନିତାନ୍ତ ସ୍ୱାଭାବିକ, ବଞ୍ଚିରହିବା ତ ତାଙ୍କ ପକ୍ଷରେ ନିଶ୍ଚୟ ଆଶ୍ଚର୍ଯ୍ୟର ବିଷୟ ।

 

ଯେଉଁ ଦିନ ମାଷ୍ଟ୍ରେ ବ୍ରହ୍ମପୁର ଷ୍ଟେସନରୁ କଟକ ଗାଡ଼ିରେ ଚଢ଼ିଲେ ସେଦିନ ମୂଳିଆ କାଙ୍ଗାଳ ଷ୍ଟେସନରେ ଭିକ ମାଗୁଥିଲା । ମାଷ୍ଟ୍ରେ କୁଆଡ଼େ ଯାଉଛି ବୋଲି ସେ ତାଙ୍କୁ କୁଆଡ଼େ ପଚାରିଥିଲା । ଲାଞ୍ଜି ପଲ୍ଲୀ ତୋଟାର କାଙ୍ଗାଳମାନେ କ୍ରମେ କ୍ରମେ ଏ ଖବର ପାଇଲେ । ସମସ୍ତେ ଧରିନେଲେ, ବୁଢ଼ା ଆଉ ଫେରିବ ନାହିଁ । ଦୁନିଆର ସବୁ ସମ୍ମାନଉପରୁ ଏମାନେ ସବୁ ଅଧିକାର ହରାଇ ଥିଲେ । କେହି ସେମାନଙ୍କୁ ସମ୍ମାନ କରନ୍ତି ନାହିଁ, ସେମାନଙ୍କ ମନରେ ମଧ୍ୟ କାହାରି ପ୍ରତି ସମ୍ମାନର ସ୍ଥାନ ନ ଥିଲା; କିନ୍ତୁ ଏ ବୁଢ଼ାଟା, ଏ ମାଷ୍ଟ୍ରେ, ତାକୁ ଏ କାଙ୍ଗାଳଗୁଡ଼ାକ କାହିଁକି କେଜାଣେ ସମ୍ମାନ କରୁଥିଲେ–ଆଉ ସମ୍ମାନ କରି ମନରେ ଟିକିଏ ଆନନ୍ଦ ପାଉଥିଲେ । ବୁଢ଼ା ବାୟାପରି ବକେ, ନିଜ ମନକୁ ମନ ରାଗିଯାଏ–ବେଳେବେଳେ ପାଟିକରେ; କାଙ୍ଗାଳମାନେ ବୁଝୁଥିଲେ ଯେ, ଏ ରାଗ ତ ସେମାନଙ୍କ ଉପରେ ନୁହେଁ, କାଙ୍ଗାଳ ପିଲାଗୁଡ଼ାକ ଉପରେ ନୁହେଁ, ସେମାନଙ୍କ ଭଳି କୌଣସି ମନୁଷ୍ୟ ଉପରେ ନୁହେଁ । ବୁଢ଼ାଟା ଗଲା, ହୁଏତ ଆଉ ତା ସାଙ୍ଗରେ ଦେଖା ହେବ ନାହିଁ । ଅସରନ୍ତି ଦୁଃଖ ଭିତରେ ମଧ୍ୟ ସେମାନେ ବୁଢ଼ା ପାଇଁ ଆଉ ଟିକିଏ ଦୁଃଖିତ ହୋଇଥିଲେ–ବେଶୀ ହୋଇଥିଲେ ଲାଞ୍ଜି ପଲ୍ଲୀ ତୋଟାର କାଙ୍ଗାଳ ପିଲାଗୁଡ଼ାକ ।

 

କଟକରେ କଲେଜ ପାଖ ଗଛମୂଳ; ବୁଢ଼ା ସେଇଠାରେ ଶୋଇଥାଏ, ବସିଥାଏ । କେତେ ଲୋକ ସେ ବାଟରେ ଆସନ୍ତି, କେତେ ଯାଆନ୍ତି; ଗାଡ଼ି ଯାଏ, ମୋଟର ଯାଏ–ବୁଢ଼ା ସେ ଆଡ଼କୁ ଚାହେଁ ନାହିଁ । କଲେଜର ପିଲାମାନେ ଦଳ ଦଳ ହୋଇ ସେ ବାଟେ ବୁଲି ଯାଆନ୍ତି, ବୁଢ଼ା ସେମାନଙ୍କୁ ଦେଖେ; ତା ଛାତି ଭିତରୁ ଗୋଟାଏ ଦୀର୍ଘ ନିଃଶ୍ୱାସ ବକ୍ଷପଞ୍ଜରା ଦି’ଖଣ୍ଡକୁ ଠେଲି ବାହାରି ଆସେ; କେଜାଣେ କାହିଁ କି ତାର ମନେ ପଡ଼ିଯାଏ, ଏମାନେ ତ ତାରି ପରି ବାପର ପୁଅ । ଥାଆନ୍ତୁ, ଭଲରେ ଥାଆନ୍ତୁ, ହସନ୍ତୁ ଖେଳନ୍ତୁ–ଯେତେଦିନ ପାରନ୍ତି ସୁଖରେ ରହନ୍ତୁ । ଯେଉଁ ରୋଗ, ଯେଉଁ ଦୁର୍ଭିକ୍ଷ, ଯେଉଁ ଅଭାବ ଆଜି ତାକୁ ଆଣି ଏ ଗଛ ମୂଳରେ ବସାଇଛି, ଲକ୍ଷ ଲକ୍ଷ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଇଛି, ତାହା ଏ ଦେଶର ଗୋଟାଏ ସବୁଦିନିଆ କଥା । ଏମାନେ ନ ହୁଅନ୍ତୁ ଏମାନଙ୍କ ପୁଅ ତା ପୁଅ, ତା ପୁଅ, କେହି ହେଲେ ତ ବାଟ କଡ଼ର କାଙ୍ଗାଳ ହେବେ । ଆଜି ଯେ ଯେତିକି ଖୁସିରେ ରହିଲା ସେତିକି ଭଲ ।

 

ବସି ବସି ପୁଣି ତାର ଆଖି ଦୁଇଟା ନିଆଁ ପରି ଜ୍ୱଳି ଉଠେ–ନିଜ ମନକୁ ମନ କହି ପକାଏ, ‘ଚୋର, ଡକେଇତ, ଜୁଆଚୋର କାହିକି ? କାହିକି ସମସ୍ତେ ସୁଖ ଶାନ୍ତିରେ ନ ରହିବେ ? ମୁଠାଏ ଖାଇବା, ଖଣ୍ଡେ ପିନ୍ଧିବା, ଚେନାଏ ଚାଳ ତଳେ ମୁଣ୍ଡଗୁଞ୍ଜି ରହିବା ପାଇଁ ତ ସମସ୍ତଙ୍କର ଅଧିକାର ଅଛି । ଭଗବାନ ଏ ଅଧିକାର ଦେଇଛନ୍ତି–ବଞ୍ଚିବାର ଅଧିକାର–କିଏ ଏହାକୁ କାଢ଼ି ନେଉଛି ? କିଏ ସେ ବଦମାସ୍‌ ? କିଏ ସେ ପାଜି ? କିଏ ସେ ରାକ୍ଷସ ? ଅଭାବର ଭୟ, ଖାଇବାକୁ ନ ପାଇବାର ଡର ସବୁ ମଣିଷ ଛାତିରେ ସବୁବେଳେ ଗୋଟାଏ ଭୀଷଣ ସ୍ୱପ୍ନ ପରି ମାଡ଼ି ବସିଛି । କିପରି ଏ ବିପଦରୁ ରକ୍ଷା ପାଇବେ ସମସ୍ତେ ଏହା ସବୁବେଳେ ଚିନ୍ତା କରୁଛନ୍ତି, ସେଥିପାଇଁ ସେମାନେ ଭାଇ ମୁହଁରୁ ଗ୍ରାସ କାଢ଼ି ନେଉଛନ୍ତି, ପୁଅର ତଣ୍ଟି ଚିପି ମାରୁଛନ୍ତି, ନାତିକୁ କାଙ୍ଗାଳ କରି ଦାଣ୍ଡକୁ ଠେଲି ଦେଉଛନ୍ତି–ଆଉ ଯାହା ପାଇଲେ ତାକୁ ଗଣ୍ଠିଧନ ପରି ଠୁଳକରି ରଖୁଛନ୍ତି । ଏହା ତ ସେମାନଙ୍କର ଧନ । ଏହି ଧନ ବଳରେ ତ ସେମାନେ ଲକ୍ଷ ଲକ୍ଷ ଗରିବଦୁଃଖୀଙ୍କୁ ଖତେଇ ହେବା ପରି ବଡ଼ଲୋକୀ କରୁଛନ୍ତି । ଏ ସବୁ କାହିଁ କି ? ଏ ସବୁର କାରଣ କଅଣ ? ଖାଇ ପିନ୍ଧି ସମସ୍ତେ ଖୁସିରେ ରହିଲେ କାହାର କଅଣ କ୍ଷତି ହୁଅନ୍ତା ? ମଣିଷ ଚଳିଯିବା ପାଇଁ ଖାଇବା ଜିନିଷ ଯେତେ ଦରକାର ବର୍ଷର ସବୁ ଦିନେ ତ ଏ ବିରାଟ ଦୁନିଆରେ ତା ଅପେକ୍ଷା ବେଶୀ ଉତ୍ପନ୍ନ ହେଉଛି । ଯେତିକି ଜାଗାରେ ମଣିଷ ଘର କରି ରହିଛି, ତାର ହଜାର ଗୁଣ, ଲକ୍ଷ ଗୁଣ ତ ଚାଷ ଜମି । ପୁଣି ଆଠକାଳୀ ବାରମାସୀ କିଛି ନା କିଛି ଫସଲ ତ ହେଉଛି । ତଥାପି ସମସ୍ତେ କାହିଁ କି ଖାଇବାକୁ ପାଉ ନାହାନ୍ତି ? ଦଳେ ମଣିଷ ଖାଉଛନ୍ତି, ପକାଉଛନ୍ତି ତ ଆଉଦଳେ ଭୋକ ଉପାସରେ ମରୁଛନ୍ତି-? ଚୋର, ଡକେଇତ, ବଦମାସ୍‌ ।

 

ଜଣେ କାଙ୍ଗାଳ ସେ ବାଟେ ଯାଉଥିଲା, ଛିଡ଼ାହୋଇ ଗଛ ମୂଳକୁ ଚାହିଁ ଲା, ପାଟି କରି ଡାକିଲା, ‘ମାଷ୍ଟ୍ରେ ।’

 

ମାଷ୍ଟ୍ରେ ତା ଆଡ଼କୁ ଅନାଇଲେ, କିଛି କ୍ଷଣ ପରେ କହିଲେ, କିଏ ? ଯୋଗି ଆ ?’

 

ଯୋଗି ଆ ଗଛ ମୂଳ ଆଡ଼କୁ ଯାଉ ଯାଉ କହିଲା, ‘ହଁ’ ମାଷ୍ଟ୍ରେ ପଚାରିଲେ, ‘ତା ମାଆ-?’

 

ଯୋଗିଆ ସାଧାରଣ ଭାବରେ କହିଲା, ‘କଟକରେ ଦିନକୁ ୫।୧୦ଟା ଲେଖାଏ କାଙ୍ଗାଳ ମରୁଛନ୍ତି । ବୁଢ଼ୀଟା ଗଛ ମୂଳେ ଶୋଇଥିଲା, ସକାଳୁ ଦେଖିବାବେଳକୁ ମରି ଯାଇଛି ।

 

ମାଷ୍ଟ୍ରଙ୍କ ଆଖି ଦୁଇଟା ପୁଣି ଜ୍ୱଳି ଉଠିଲା; ସେ କହିଲେ, ‘ଯାଉ ! ଯାଉ ! ଭଲ ହୋଇଛି-। ତୋ ଝିଅଟା ତ ଆଗରୁ ଯାଇ ଥିଲା ଯେ । ସ୍ତ୍ରୀଟା ମଧ୍ୟ । ଭଲ ହେଲା । ତୁ ଏକା । ଭଲ ହେଲା । ଗୋଟାଏ ପେଟ ସମ୍ଭାଳିବୁ । ନ ହେଲେ ତୁ ମଧ୍ୟ ତାଙ୍କରି ବାଟ ଧରିବୁ ।’

 

ସେତେବେଳକୁ ଯୋଗିଆ ଗଛ ମୂଳରେ ବସି ପଡ଼ିଥିଲା ।

 

ବୁଢ଼ା ପଚାରିଲା, ‘ଦୀନାକୁ ଦେଖିଥିଲୁ ?’

 

ଯୋଗିଆ କହିଲା,‘ନାହିଁ ମାଷ୍ଟ୍ରେ । ମୁଁ କୁଆଡ଼କୁ ଯାଏ ନାହି । ହେଇଟି ସେ ଆଡ଼େ ଯେଉଁ ମାଲଗୋଦାମ, ତାହାରି ପାଖରେ ଥିବା ଗୋଟାଏ ଗଛମୂଳେ ମୁଁ ପଡ଼ିଛି । ପ୍ରତିଦିନ ମାଲ ଗାଡ଼ିରେ ବୋଝାଇ ହୋଇ ଚାଉଳ କେଉଁ ଆଡ଼କୁ ପଠା ଯାଉଛି । କୁଲିମାନେ ବସ୍ତା ବୋହି ନେଉଥିଲା ବେଳେ ଚାଉଳ ଗଳିପଡ଼େ, ମାଲ ଡବାରୁ ଗଳିପଡ଼େ, ସେତକ ଗୋଟାଇ ସାଉଁ ଟି ଆଣିଲେ ସେରେଖଣ୍ଡେ ହୁଏ–ଚଳିଯାଏ । ତୁମେ’ ଚାଲ ମୋ ପାଖକୁ, ମାଷ୍ଟ୍ରେ ।’

 

ମାଷ୍ଟ୍ରେ ମୁଣ୍ଡ ହଲାଇ କହିଲେ, ‘ନା ! ଚୋରୀମାଲ । ଚୋରୀ କରିବା ମୋ ଦେହାନ୍ତି ହୋଇ ପାରିବ ନାହିଁ । ମୋ ପରି ତ ହଜାର ହଜାର ଗଲେଣି–ମୁଁ ଯିବି । ଚୋରୀ କରିବି କାହିଁ କି-?’

 

ଯୋଗିଆ ବିଡ଼ି ଖଣ୍ଡେ ଲଗାଇବା ପାଇଁ ଉଠିଗଲା ।

 

ଚାରିଜଣ ଗୋରା ପଲଟଣ ମୁହଁରୁ ସିଗାରେଟ ଧୂଆଁ ଉଡ଼ାଇ ସେ ବାଟେ ଚାଲିଗଲେ ।

 

ବୁଢ଼ା ସେହି ଆଡ଼କୁ ଚାହିଁ ରହିଥାଏ ।

 

ପଇଁତ୍ରିଶ

 

ଏସୋସିଏଟେଡ଼୍ ପ୍ରେସ୍‌ ସମ୍ୱାଦପ୍ରତିଷ୍ଠାନ ଦିଲ୍ଲୀରୁ ସମ୍ରାଟଙ୍କ ଜନ୍ମ ଦିନ ଉପଲକ୍ଷେ ଯେଉଁ ଉପାଧି ତାଲିକା ପଠାଇଥିଲା, ସେଥିରେ ଶେଠ୍‌ ମୂଳଚନ୍ଦ ଚନ୍ଦନଲାଲ ରାଓ ସାହେବ ଓ ରାୟ ସାହେବ ଧରଣୀଧର ସେନାପତି ରାୟ ବାହାଦୂର ଖେତାବ ପାଇ ଥିବାର ଉଲ୍ଲେଖ ଥିଲା । ଆଉ ଖେତାବ ପାଇଥିଲେ ଲୋକଙ୍କ ଉପରେ ଗୁଳି ଚଳାଇ ମାରିଥିବା ପୋଲିସ ହାକିମ, ଦେଶସେବକମାନଙ୍କୁ ଜେଲରେ ଠୁଙ୍କି ଥିବା କେତେକ ସ୍ୱଦେଶୀ ମେଜେଷ୍ଟର, ବିଦେଶୀ ସୈନ୍ୟମାନଙ୍କର ଖାଦ୍ୟ ପାଇଁ ଗୋମାଂସ ଯୋଗାଉ ଥିବା ହିନ୍ଦୁ ଧର୍ମାବଲମ୍ୱୀ ଜଣେ କଣ୍ଟ୍ରାକ୍ଟର । ‘ଯୁଗବାର୍ତ୍ତା’ ଅଫିସରେ ବସି ନୀଳମଣି ବାବୁ ଏ ତାଲିକା ଆଡ଼କୁ ଚାହୁଛନ୍ତି, ଭାବୁଛନ୍ତି–ଏ ଧରଣର କାମ ଆଉ କେତେ ଦିନ ଏ ଦେଶରେ ଚାଲିବ ?

 

ସହକାରୀ ସମ୍ପାଦକ ସୋମନାଥବାବୁ ଖଣ୍ଡେ କାଗଜ ଆଣି ତାଙ୍କ ଆଗରେ ଥୋଇ ଦେଲେ । ସେଥିରେ ଲେଖା ଥିଲା, ଗଞ୍ଜାମ ଜିଲାରେ ହଇଜା ଅତି ବ୍ୟାପକ ଆକାର ଧାରଣ କରିଛି, ଏ ବ୍ୟାଧିରେ ଏ ପର୍ଯ୍ୟନ୍ତ ପ୍ରାୟ ୨ ହଜାର ଲୋକ ପ୍ରାଣ ହରାଇଛନ୍ତି ଓ ୧୦ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । ଚିକିତ୍ସାର କୌଣସି ବ୍ୟବସ୍ଥା ଏ ପର୍ଯ୍ୟନ୍ତ ସରକାର କରି ପାରି ନାହାନ୍ତି-

 

ତା ପରେ ଆସିଲା କଟକ ସମ୍ୱାଦଦାତାଙ୍କଠାରୁ ଖଣ୍ଡେ ସମ୍ୱାଦ । ସେଥିରେ ଲେଖାଥିଲା, ସହରର ୫ଟିଯାକ ଛତ୍ର ଗତକାଲି ସେ ବୁଲି ଦେଖିଥିଲେ । ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକମାନଙ୍କୁ ଯାହା ଖାଇବାକୁ ଦିଆଯାଏ, ତାହାର ପରିମାଣ ଶତକଡ଼ା ୨୫ ଭାଗ କମାଇ ଦିଆଯାଇଛି । ଜଣାଶୁଣା ମହଲରୁ ସେ ଖବର ପାଇଛନ୍ତି ଯେ, କ୍ରମେ କ୍ରମେ ଛତ୍ରଗୁଡ଼ାକୁ ବନ୍ଦ କରି ଦିଆଯିବ ବୋଲି ସରକାର କୁଆଡ଼େ ନୀତି ନିର୍ଦ୍ଧାରିତ କରିଛନ୍ତି । ସହର ଭିତରେ ଏଗୁଡ଼ାକ ଥିବାରୁ ବଜାର ଓ ବସତିମାନଙ୍କରେ କାଙ୍ଗାଳ ସଂଖ୍ୟା ବହୁ ପରିମାଣରେ ବଢ଼ି ଯାଇଛି । ତାହା ଫଳରେ ଓଡ଼ିଶା ପ୍ରଦେଶରେ ଦୁର୍ଭିକ୍ଷ ଲାଗିଛି ବୋଲି ପ୍ରମାଣିତ ହେବା ସଙ୍ଗେ ସଙ୍ଗେ ସହରରେ ସଂକ୍ରାମକ ବ୍ୟାଧି ବ୍ୟାପି ଯିବାର ଆଶଙ୍କା ରହିଛି । ଗତକାଲି ସହରର ବିଭିନ୍ନ ଅଞ୍ଚଳ ବୁଲି ସେ ହିସାବ କରିଛନ୍ତି ଯେ, ଅନାହାରଜନିତ ରୋଗରେ ନଅ ଜଣ ଲୋକ ପ୍ରାଣ ହରାଇଛନ୍ତି ।

 

ନୀଳମଣି ବାବୁ ଏସବୁ ପଢ଼ିଲେ, ସହକାରୀଙ୍କୁ ଡାକି କହିଲେ, ‘ଏଗୁଡ଼ାକୁ ଫାଇଲରେ ରଖି ଦିଅନ୍ତୁ; ଭବିଷ୍ୟତରେ ହେଲେ କାମରେ ଲାଗିବ ।’

 

ଟେଲିଫୋନ ଘଣ୍ଟି ବାଜି ଉଠିଲା । ନୀଳମଣି ବାବୁ ରିସଭରଟା କାନକୁ ଉଠାଇ କହିଲେ, ‘ହାଲୋ !’

 

ଆର ପାଖରେ ଖବର ଆସିଲା, ‘ମୁଁ ସେଠ୍‌ ମୂଳଚନ୍ଦ କହୁଛି । ସରକାର ବାହାଦୂର ମୋତେ ରାୟ ବାହାଦୂର ଖେତାବ ଦେଇଛନ୍ତି ।

 

ନୀଳମଣି ବାବୁ କହିଲେ, ‘ଦେଖିଛି ।’

 

‘ଔର, ଧରଣୀଧର ବାବୁ ବି ରାୟ ବାହାଦୂର ହୋଇଛନ୍ତି ।’

 

ନୀଳମଣି ବାବୁ ନିର୍ଲିପ୍ତ ଭାବରେ କହିଲେ, ‘ଭଲ କଥା ।’

 

‘ଓଡ଼ିଶା ପରଦେଶ କି ବଡ଼ା ଗୌରବକା କଥା ହେଲା, ନା ?’

 

ନୀଳମଣି ବାବୁ ସେହିପରି ଭାବରେ କହିଲେ, ‘ଆପଣ ତ କହୁଛନ୍ତି ।’

 

‘ମୋର ବୋଲିବା କଥା କଅଣ କି, ହମାରା ନାମ ଆପଣ ବଡ଼ା ବଡ଼ା ଅକ୍ଷରରେ ଛପାଇ ଦେବେ ।’

 

ନୀଳମଣି ବାବୁ ବିରକ୍ତ ହେଲେ, କହିଲେ, ‘କାହିଁ କି ?’

 

‘ଲୋକସବୁ ଦେଖିବେ, ପଢ଼ିବେ । ଗୌରବକୀ ବାତ୍‌ କିନା ସମସ୍ତେ ଜାଣିବା ଠିକ୍‌ ହେବ । ଲମ୍ୱାଚୌଡ଼ା ଖେତାବ ତାଲିକା; ହଜାର ହଜାର ନାମ ଅଛି, ସବ କୋଇ ସବୁ ପଢ଼ିବ ନାହିଁ-। ଜାନେଗା କିପରି ?’

 

ନୀଳମଣି ବାବୁଙ୍କ ମସ୍ତିଷ୍କ କ୍ରମେ କ୍ରମେ ଗରମ ହୋଇ ଆସୁଥିଲା । ସେ କହିଲେ,‘ମୁଁ ଠି କ୍‌ କରୁଛି ଯେ, ‘ଯୁଗବାର୍ତ୍ତା’ରେ ଆଦୌ ଉପାଧି ତାଲିକା ପ୍ରକାଶ କରାଯିବ ନାହିଁ । ସରକାର ତ ଅନେକ ଖବର ଛପାଇବା ଉପରେ କଟକଣା ଜାରି କରିଛନ୍ତି; ଆମେ ନିଜ ଉପରେ ଏ କଟକଣା ଜାରି କରିବ ବୋଲି ଭାବୁଛି ।’

 

‘ଠିକ୍‌ ବାତ୍‌ ହେବ ନାହିଁ । ବହୁତ ଲୋକ ସେ କାଗଜ ପଢ଼ି ବାକୁ ଚାହିଁ ଛନ୍ତି–ବହୁତ ବିକ୍ରି ହେବ । ମୁଁ ପାଞ୍ଚ ଶୋ କାଗଜ କିଣିବି ।’

 

ନୀଳମଣି ବାବୁ କହିଲେ, ‘ବୁଝୁଛି; କିନ୍ତୁ ମୁଁ ଯାହା ଠିକ୍‌ କରୁଛି, ତାହାହିଁ ହେବ ।’

 

ଲେକିନ୍‌ ଆଉ ଗୋଟାଏ କଥା । ଆପକା ମିଠାଇ ଖାନେକା ପାଇଁ ଦୁଇ ହଜାର ରୂପେୟା ।’

 

କ୍ରୋଧରେ ନୀଳମଣି ବାବୁଙ୍କ ହାତ ଥରିଗଲା । ସେ କହିଲେ, ‘ଦେଖନ୍ତୁ ମୂଳଚନ୍ଦ ବାବୁ, ମୋତେ ଏପରି ଭାବରେ ଅବମାନିତ କରିବାରେ ଆପଣଙ୍କର କୌଣସି ଅଧିକାର ନାହିଁ । ଆପଣ ତ ଲୋକଙ୍କ ମୁହଁର ଦାନା କାଢ଼ି ନେଇ ତାଙ୍କର ମଲା ହାଡ଼ ଦି ଖଣ୍ଡକୁ ବିକି ଲୁହା ଟ୍ରେଜେରୀରେ ଟଙ୍କା ରଖୁଛନ୍ତି । ଆପଣ ମଣିଷ କି ଆଉ କିଛି, ଆପଣଙ୍କର ହୃଦୟ ଅଛି କି ନାହିଁ, ସେ କଥା ମୁଁ କହୁ ନାହିଁ । କିନ୍ତୁ ଆପଣଙ୍କୁ ସିଧା ସଳଖ ଜଣାଇ ଦେଉଛି ଯେ, ଦିନେ ନା ଦିନେ ଆପଣଙ୍କର, ଆପଣଙ୍କପରି ଲୋକଙ୍କର ବିଚାର ହେବ । ସେ ବିଚାର କରିବ କିଏ, ତାହା ମଧ୍ୟ କହି ରଖୁଛି । ବିଚାର କରିବେ ସେହି ଜନସାଧାରଣ ଆଜି ଯେଉଁମାନେ ପୋକମାଛି ପରି ମରୁଛନ୍ତି । ନମସ୍କାର !’

 

ଚପରାସୀ ଆସି କହିଲା, ‘ଦୁଇଜଣ ପୋଲିସ ହାକିମ ଆପଣଙ୍କ ସହିତ ଦେଖା କରିବେ ବୋଲି କହୁଛନ୍ତି ।’

 

ନୀଳମଣିବାବୁ କହିଲେ, ‘ଡାକିଦିଅ ।’

 

ଦୁଇଜଣ ପୋଲିସ ଅଫିସର ସମ୍ପାଦକଙ୍କ ଅଫିସ ଭିତରକୁ ଆସିଲେ ।

 

ନୀଳମଣି ବାବୁ ବସନ୍ତୁ ବୋଲି ସେମାନଙ୍କୁ କହିଲେ ।

 

ଡି. ଏସ୍‌. ପି. ତାଙ୍କ ହାତକୁ ଖଣ୍ଡେ କାଗଜ ବଢ଼ାଇଦେଇ କହିଲେ, ‘ଓ୍ୱାରେଣ୍ଟ ! ଆପଣ ପ୍ରସ୍ତୁତ ହୁଅନ୍ତୁ ।’

 

ନୀଳମଣି ବାବୁ କହିଲେ, ଭାରତ ରକ୍ଷା ଆଇନ ଅନୁସାରେ ଓ୍ୱାରେଣ୍ଟ ତ ? ମୁଁ ପ୍ରସ୍ତୁତ ଅଛି ।

 

ସହକାରୀ ସମ୍ପାଦକଙ୍କୁ ଡାକି କହିଲେ,‘ଆପଣ ସମ୍ପାଦକ ହେବେ ଯୁଗବାର୍ତ୍ତା ବରାବର ଚାଲିବ । ସରକାର ଯାହା ମନା କରିବେ, ପ୍ରକାଶ କରିବେ ନାହିଁ; ସରକାରଙ୍କୁ ପ୍ରତ୍ୟେକ୍ଷ ଭାବରେ ଯାହା ସାହଯ୍ୟ କରିବ ବୋଲି ଆପଣ ଅନୁଭବ କରିବେ ତାହା ମଧ୍ୟ ଛପାଇବେ ନାହିଁ । ଏହା ଫଳରେ ଯଦି କାଗଜ ବନ୍ଦ ହୋଇଯାଏ, ଛାପାଖାନା ଜବତ୍‌ ହୋଇଯାଏ, ହେବ–ଚିନ୍ତା କରିବେ ନାହିଁ । ନମସ୍କାର ।’

 

ବାହାରେ ଦୁଇଖଣ୍ଡ ପୋଲିସ ମୋଟରଗାଡ଼ି ଛିଡ଼ା ହୋଇଥିଲା । ୧୦ ଜଣ ପୋଲିସ ବନ୍ଧୁକରେ ସଙ୍ଗୀନ ଚଢ଼ାଇ ଧାଡ଼ିହୋଇ ଛିଡ଼ା ହୋଇଥିଲେ । ସେତେବେଳେ ଏ ଦୃଶ୍ୟ ଦେଖିବା ପାଇଁ ସେଠାରେ ସେ ବଜାରର ୪।୫ଶହ ଲୋକ ରୁଣ୍ଡହୋଇ ଯାଇଥିଲେ ।

 

ନୀଳମଣି ବାବୁ ଗୋଟାଏ ମୋଟରରେ ଯାଇ ବସିଲେ; ତାଙ୍କ ଦୁଇପାଖେ ବସିଲେ ଦୁଇଜଣ ପୋଲିସ ହାକିମ । ଜଣକର ରିଭଲଭର୍‌ ଖୋଳ ତାଙ୍କ ଦେହରେ ବାଜୁଥିଲା ।

 

ଗାଡ଼ି ଦୁଇଟା ଚାଲିଲା । କେଜାଣେ କାହିଁ କି ଲୋକଗୁଡ଼ାକ ପାଟି କଲେ–‘ମହାତ୍ମାଗାନ୍ଧିକୀ ଜୟ’ ‘ସ୍ଵାଧୀନ ଭାରତକୀ ଜୟ’ ‘ବନ୍ଦେ ମାତରମ୍’ ‘ଇନ୍‍କିଲାବ ଜିନ୍ଦାବାଦ୍-।’

 

ଛତ୍ରିଶ

 

ଦୀନା ଖୋଜୁଥିଲା ସାରିଆକୁ ଆଉ ତାର ପୁଅକୁ ।

 

କଟକର ସବୁ ଛତ୍ରରେ ବୁଲିଛି, ଯେଉଁ ଠି କାଙ୍ଗାଳମାନେ ରାତିରେ ରହନ୍ତି ସେ ସବୁ ସ୍ଥାନ ଖୋଜିଛି; କିନ୍ତୁ କୌଣସିଠାରେ କିଛି ସନ୍ଧାନ ପାଇ ନାହିଁ । ଥରେ ଥରେ ସେ ଭାବୁଥିଲା, କାଙ୍ଗାଳଗୁଡ଼ାକ ତ ଯେ ଯେଉଁ ଠି ପାରିଲେ ପଡ଼ି ମରୁଛନ୍ତି; ମ୍ୟୁନିସପାଲିଟିର ଅଳିଆବୁହା ଗାଡ଼ି ସେମାନଙ୍କୁ ନେଇ ଖାନନଗର ମଶାଣିର ଅତଡ଼ା ତଳେ ଗଡ଼ାଇଦେଇ ଆସୁଛି; ଏ ଦୁଇଜଣ ବା ସେମିତି ଭାବରେ ଅଦୃଶ୍ୟ ହୋଇ ଯାଇଥିବେ । ତଥାପି ସେ ଖୋଜୁଥିଲା । ଭାବିଥିଲା, କେହି ହେଲେ ତ ସେମାନଙ୍କୁ ଦେଖିଥିବ, ଚିହ୍ନି ଥିବ, ମରିଗଲେ ବୋଲି କହିବ ? ତା ହେଲେ ତାହା କାମ ସହଜ ହୋଇଯିବ । ସେ ମଧ୍ୟ ସେମାନଙ୍କ ସାଙ୍ଗକୁ ଚାଲିବ । ଏହି ବିଶ୍ୱାସରେ, ଏହି ଆଶାରେ ସେ ବଞ୍ଚିଥିଲା, ତା ସ୍ତ୍ରୀ ଓ ପୁଅଟିକୁ ଖୋଜୁଥିଲା ।

 

ଦୀନା କେଉଁ ଠି ରହେ ନାହିଁ । ଯେଉଁ ଗଛ ମୂଳରେ ଛିଣ୍ଡା କତରା ପୁଳାଏ ପୁଳାଏ ଜମା ହୋଇଥାଏ, ଗୋଟାଏ ଦୁଇଟା ଭଙ୍ଗା ଆଟିକା ପଡ଼ିଥାଏ, ବୁଲି ବୁଲି ସେହିଠାରେ ଯାଇ ବସିରହେ; କାହାକୁ କିଛି କହେ ନାହିଁ, କାହାରିକୁ କିଛି ପଚାରେ ନାହିଁ । ସଞ୍ଜବେଳକୁ ଗୋଟି ଗୋଟି ହୋଇ କାଙ୍ଗାଳମାନେ ସେ ସ୍ଥାନକୁ ଗଡ଼ନ୍ତି; ସେ ଦେଖେ ଆଉ ଗୋଟି ଗୋଟି ହୋଇ ଆଗକୁ ଚାଲେ ।

 

କଟକ ସହର । ରାତିରେ କଡ଼ା ପହରା । ସରକାରୀ କର୍ତ୍ତାମାନଙ୍କ ଧାରଣା, ଏ ନରକଙ୍କାଳଗୁଡ଼ାକ ଭିତରେ ଚୋର, ଡେକଇତ ଅଛନ୍ତି–ସେମାନେ ଧନୀଘରୁ ଧନ ନେଇଯିବେ, ସେମାନେ ନରହତ୍ୟା କରିବେ । ସେଥିପାଇଁ ରାତି ୧୦ଟା ପରେ ବାଟରେ କୌଣସି କାଙ୍ଗାଳ ବୁଲୁଥିବାର ଦେଖିଲେ ପୋଲିସବାଲାମାନେ ତାକୁ ମାଡ଼ ଦିଅନ୍ତି; ମାଡ଼ ଫଳରେ କେହି ଯଦି ବେହୋସ ହୋଇପଡ଼େ, ତାକୁ ବାଟକଡ଼ ନର୍ଦ୍ଦମା ଭିତରକୁ ଗଡ଼ାଇ ଦିଅନ୍ତି । ଏମାନଙ୍କର ଜୀବନର ତ କିଛି ମୂଲ୍ୟ ନାହିଁ । ମରିଗଲେ ପଚାରୁଛି କିଏ ? ମଣିଷଟାଏ ମରିଛି ବୋଲି କିଏ କାହିଁ କି ପଚାରିବ, କିଏ ବା କାହିଁ କି କୈଫିୟତ୍‌ ମାଗିବ ? ସେ ପର୍ଯ୍ୟନ୍ତ ମଧ୍ୟ ନିଜ ଜୀବନ ପ୍ରତି ଦୀନାର ମାୟା ଥିଲା । ସେଥିପାଇଁ ରାତି ବେଶି ହେବା ପୂର୍ବରୁ ଯେଉଁ ଗଛମୂଳେ ପୁଳାଏ କାଙ୍ଗାଳ ଶୋଇ ଥାଆନ୍ତି, ସେଠାରେ ସେ ଗଡ଼ିପଡ଼େ ।

 

ଖାଇବା ? ଆଜିକାଲି ଦୀନା ଭିକ ମାଗେ ନାହିଁ–ମୁଠାଏ ଭାତ ଦିଅ, ଗୋଟିଏ ପଇସା ଦିଅ ବୋଲି କାହାକୁ କହେ ନାହିଁ । ବୁଲୁ ବୁଲୁ ସେ ଯଦି କୌଣସି ଛତ୍ର ପାଖରେ ପହଞ୍ଚି ଯାଏ; ଜଗୁଆଳୀ ପୋଲିସବାଲାମାନେ ଯଦି ତାକୁ ଭିତରକୁ ଛାଡ଼ିଦିଅନ୍ତି, ସେ ଯାଏ, ମୁଠାଏ ଖାଇଦିଏ, ନିକଟରେ ଥିବା ପୋଖରୀ ବା ଗାଡ଼ିଆରୁ ପେଟେ ପାଣି ପିଇଦିଏ–ପୁଣି ବୁଲେ ।

 

ସହରରେ ବଡ଼ ବଡ଼ ହୋଟେଲ ସୁନ୍ଦର ରୂପେ ସଜ୍ଜିତ । ଶହ ଶହ ଲୋକ ସେଠାକୁ ଯାଉଥାନ୍ତି, ଖାଉଥାନ୍ତି, ଫେରୁଥାନ୍ତି । ବଜାରରେ ବଡ଼ ବଡ଼ ଗୁଡ଼ିଆ ଦୋକାନ–ନାନା ପ୍ରକାର ଖାଦ୍ୟ ସଜାହୋଇ ରହିଥାଏ, ବିଜୁଳି ଆଲୁଅ ଜଳୁଥାଏ । ଥିଏଟର ଘର–ସେଠାରେ ମଧ୍ୟ ଗହଳୀ ଲାଗିଥାଏ । ଦୀନା ଏ ସବୁ ଦେଖେ; ମନେ ମନେ ଭାବେ, ଖାଇବା ଜିନିଷର ତ ଅଭାବ ନାହିଁ, ସେମାନେ କାହାର କି ଅପରାଧ କରିଥିଲେ ଯେ, ମୁଠାଏ ଖାଇବାକୁ ନ ପାଇ ଘରଦ୍ୱାର ଛାଡ଼ି ଦାଣ୍ଡେ ଦାଣ୍ଡେ ବୁଲିବେ, ବୁଲୁ ବୁଲୁ ମରିବେ ? ମାଷ୍ଟ୍ରଙ୍କ କଥା ତା ମନେ ପଡ଼ିଯାଏ । ଦିନେ ବୁଢ଼ା କହୁଥିଲା, କାଙ୍ଗାଳଗୁଡ଼ାକର ବଳ ନାହିଁ, ସେମାନଙ୍କର ସାହସ ନାହିଁ, ନ ହେଲେ ସେମାନେ ଦଳ ବାନ୍ଧି ଖାଇବା ଦୋକାନରେ, ଥିଲାବାଲା ଘରେ ପଶନ୍ତେ, ଯାହା ପାଆନ୍ତେ ବଳପୂର୍ବକ ତାହା ଖାଇଯାଆନ୍ତେ । ଆସୁ ପୋଲିସ, ଆସୁ ଫୌଜ । ଗୁଳି ଚଳାଇ ମାରନ୍ତେ ତ, ଆଉ କଅଣ କରନ୍ତେ-? ଏମିତି ତ ଖାଇବାକୁ ନ ପାଇ କଷ୍ଟ ସହି ସହି ଶହ ଶହ ଲୋକ ମରୁଛନ୍ତି, ସେମିତିରେ ମରନ୍ତେ । କ୍ଷତି କଅଣ ? ବୁଢ଼ା ଏତକ କହିଦେଇ ପୁଣି କହିଥିଲା, ଉପରେ ଗୋଟାଏ ଧର୍ମ ଅଛି । ଡର କେବଳ ତାକୁ । ତାର ବିଚାର ଅଲଗା, ତାର ଆଇନ ଅଲଗା, ତାର ଦଣ୍ଡ ଅଲଗା । ଆମ ମୁହଁର ଗ୍ରାସ ଯେଉଁ ମାନେ କାଢ଼ି ନେଇଛନ୍ତି, ଆମକୁ ମାରିପକାଉଛନ୍ତି, ସେ ତାର ବିଚାର କରୁ । ଆମେ କାହିଁକି ଅନ୍ୟାୟ କରିବା ? ତା ଦରବାରରେ ଆମେ କାହିଁ କି ଦୋଷୀ ହେବା ? ଦୀନା ଆଗକୁ ଚାଲେ ।

 

ଦିନ ୧୨ଟା ବାଜିବ । ଶହ ଶହ କାଙ୍ଗାଳ ମ୍ୟୁନିସପାଲିଟି ଛତ୍ର ପାଖରେ ରୁଣ୍ଡ ହୋଇଛନ୍ତି । ଜଣେ ସ୍ତ୍ରୀଲୋକ ତା ପିଲାଟାକୁ କୋଳରେ ଧରି ଛତ୍ରର ପଶ୍ଚିମ ପାଖରେ ଥିବା ଆମ୍ୱଗଛ ମୂଳରେ ବସି ରହିଛି । ପିଲାଟାର ନିଃଶ୍ୱାସ ଧୀରେ ଧୀରେ ବହୁଛି, ଛାତିର ଚମଡ଼ା ଧୀରେ ଧୀରେ ଉଠୁଛି ପଡ଼ୁଛି । ପାଖରେ ବସିଥିବା କାଙ୍ଗାଳମାନେ କୁହାକୁହି ହେଉଛନ୍ତି–ପିଲାଟା ଯିବ ।

 

ହଠାତ୍‌ ସ୍ତ୍ରୀଲୋକଟାର ବକ୍ଷ ବିଦୀର୍ଣ୍ଣ କରି ଗୋଟାଏ ଚିତ୍କାର ଉଠିଲା, ‘ମୋ ପୁଅ !’

 

କେତେଜଣ କାଙ୍ଗାଳ ସେଆଡ଼କୁ ଗଲେ । ବୁଲୁ ବୁଲୁ ଦୀନା ସେଠାରେ ପହଞ୍ଚି ଯାଇଥିଲା । ସେ ମଧ୍ୟ ଗଲା ।

 

ଗହଳୀ ଠେଲି ସେ କୌଣସି ପ୍ରକାରେ ଭିତରକୁ ପଶିଲା । ଆଗରେ ସ୍ତ୍ରୀ ଲୋକଟା ତା ମଲା ପିଲାଟିକୁ କୋଳରେ ଧରି ପାଷାଣ ମୂର୍ତ୍ତି ପରି ବସି ରହିଛି ।

 

ଦୀନା କହିଲା, ‘ସାରିଆ । ମୋ ପୁଅ ??’

 

ସାରିଆର ଆଉ କଥା କହିବାର ଶକ୍ତି ନ ଥିଲା । ସେ କୋଳରେ ଥିବା ମଲାପୁଅ ଆଡ଼କୁ ଚାହିଁଲା–ସେଇ ଗଛମୂଳେ ଗଡ଼ିପଡ଼ିଲା ।

 

ଗୋଟାଏ ବୁଢ଼ା ପଛରୁ ଠେଲିହୋଇ ଆସି ଦୀନା ପାଖରେ ଛିଡ଼ା ହେଲା; ଡାକିଲା–‘ଦୀନା !’

 

-‘ମାଷ୍ଟ୍ରେ !’

 

ଆଉ ସେ କିଛି କହିପାରିଲା ନାହିଁ । ଗଡ଼ି ପଡ଼ିଲା !

 

କିଛି ସମୟ ବିତିଗଲା । କାଙ୍ଗାଳମାନେ ଛତ୍ର ଭିତରକୁ ଗଲେ । ମୁରଦାରଗୁଡ଼ାକୁ ଉଠାଇ ନେବାପାଇଁ ହାଡ଼ିଗାଡ଼ି ଆସିଲା । ବୁଢ଼ା ଆମ୍ୱଗଛକୁ ଡେରିହୋଇ ଏମାନଙ୍କୁ ଏକ ଦୃଷ୍ଟିରେ ଚାହି ଛିଡ଼ା ହୋଇଥାଏ ।

 

ମେହେନ୍ତରମାନେ ତିନିଟା ମୁରଦାରକୁ ଗାଡ଼ିରେ ପକାଇଲେ । ବଳଦ ଚାଲିଲା । ମାଷ୍ଟ୍ରଙ୍କ କଣ୍ଠ ଭେଦ କରି ଉଠିଲା ଗୋଟାଏ ଭୀଷଣ ଚିତ୍କାର–‘ଚୋର, ଡକେଇତ, ଜୁଆଚୋର ।’

Image